Unknown

 

 

 

 

 

 

 

 

 

 

 

ସାହିତ୍ୟ ସନ୍ଦର୍ଭ

ଶ୍ରୀ ଗିରିଜାଶଙ୍କର ରାୟ

 

ମୁଖବନ୍ଧ

 

ଅନେକ ପୁସ୍ତକର ‘ନାମ ବଡ଼ା ଦର୍ଶନ ଥୋଡ଼ା’ । କିନ୍ତୁ ସାହିତ୍ୟ ସନ୍ଦର୍ଭ ପକ୍ଷରେ ତାହା ସମ୍ପୂର୍ଣ୍ଣ ବିପରୀତ । କହିବାକୁ ଗଲେ ପୁସ୍ତକ ଭିତରେ ଯାହା ଅଛି ତାହା ନାମରୁ ବ୍ୟକ୍ତ ହୋଇପାରୁ ନାହିଁ । ଏଥିରେ ଜ୍ଞାତବ୍ୟ ଓ ଶିକ୍ଷଣୀୟ ବିଷୟ ଅନେକ ଅଛି ।

ରମଣୀମାନଙ୍କର ଅଳଙ୍କାର ସ୍ପୃହା ଚିରପ୍ରସିଦ୍ଧ । ଅଙ୍ଗସୌଷ୍ଠବ ନିମନ୍ତେ ସେମାନେ ଅଳଙ୍କାର ଓ ଫୁଲରୁ ବାଛନ୍ତି । କବି ଓ ଲେଖକମାନେ ଅଳଙ୍କାର-ପ୍ରିୟ । କାବ୍ୟ ଓ ରଚନାକୁ ଅଳଂକୃତ କରିବାକୁ ସେମାନେ ସର୍ବଦା ଯତ୍ନଶୀଳ । ସାହିତ୍ୟିକ ସୁରୁଚି-ସମ୍ପନ୍ନ ଓ ପରିମାର୍ଜିତ ଲେଖାର ପକ୍ଷପାତୀ ।

ଅଳଙ୍କାର ବ୍ୟବହାର ଅଜ୍ଞା ରମଣୀର ବେଶଭୂଷା ସକାଶେ ଯେମନ୍ତ ସୌନ୍ଦର୍ଯ୍ୟ ହାନିକର ତେମନ୍ତ ଲେଖକର ଅଯଥା ଶବ୍ଦ ଓ ଅଳଙ୍କାର ଆଡ଼ମ୍ୱର ରୁଚିବିରୁଦ୍ଧ ଓ ସାହିତ୍ୟିକର ଉଦ୍ଦେଶ୍ୟ ବିହୀନ ଲେଖା ନିଷ୍ଫଳ । ଏଣୁ ସାହିତ୍ୟସନ୍ଦର୍ଭ ସଂକ୍ଷେପରେ ସାହିତ୍ୟର ସ୍ୱରୂପ ଓ ଉଦ୍ଦେଶ୍ୟ ଉଦୀୟମାନ ଲେଖକମାନଙ୍କର ସମକ୍ଷରେ ଉପସ୍ଥାପିତ କରିବାର ପ୍ରୟାସ କରେ ।

ଏପୁସ୍ତକର ଉଦ୍ଦେଶ୍ୟ ଓ ସୀମା ବିସ୍ତାର ଭାବରେ ବର୍ଣ୍ଣନା କରିବାର ନିଷ୍ପ୍ରୟୋଜନ । ପୁସ୍ତକର ସୂଚୀପତ୍ର ତାହା ସ୍ପଷ୍ଟଭାବରେ ବ୍ୟକ୍ତ କରୁଅଛି । ସାହିତ୍ୟ ପ୍ରତି ପାଠକର ମନ ଆକୃଷ୍ଟ ଓ ମୁଗ୍ଧ ହେବା ଅଭିପ୍ରାୟରେ ପୁସ୍ତକର ଅଧ୍ୟାୟମାନ ପର୍ଯ୍ୟାୟ ଗ୍ରଥିତ ।

ବିଷୟ ଗୁରୁତର ଓ ଦୀର୍ଘ । ଲେଖକ ଯତ୍ନ ଓ ଅଧ୍ୟବସାୟ ସହିତ ଏହି କ୍ଷୁଦ୍ର ଗୁସ୍ତକରେ ଏହି ଗୁରତର ବିଷୟକୁ ମଧ୍ୟ ପାଠକର ହସ୍ତାମଳକବତ୍‌ କରିବାରେ କୃତକାର୍ଯ୍ୟ ହୋଇଅଛନ୍ତି ବୋଲି ମୋର ବିଶ୍ୱାସ । ବିଷୟ ତୁଳନାରେ ଲେଖା ସୁବୋଧ୍ୟ ଓ ସରଳ ହୋଇଅଛି । ସାହିତ୍ୟସେବୀମାନଙ୍କର ଜ୍ଞାତବ୍ୟ ବିଷୟ ଯାହା ସାଧାରଣତଃ ମାସିକ ପତ୍ରିକାଦିରେ ଆଲୋଚିତ ହୋଇଥାଏ ତାହା ଏହି ପୁସ୍ତକରେ ପ୍ରଚୁର ଭାବରେ ଅଛି । ତାଛଡ଼ା ସାହିତ୍ୟରେ ଆନନ୍ଦ ଓ ତରୁଣ ସାହିତ୍ୟ ଅଧ୍ୟାୟ ଯୋଡ଼ିକ ଏହି ପୁସ୍ତକର ବିଶେଷତ୍ୱ । ତରୁଣ ସାହିତ୍ୟ ସମ୍ୱନ୍ଧେ ମୁଁ ଲେଖକଙ୍କ ସହିତ ସମ୍ପୂର୍ଣ୍ଣ ଏକମତ । ଅସାର ଓ କୁସଂସ୍କାର ବର୍ଜିତ ପୁରୁଣା ନୂଆ ସମନ୍ୱୟରେ ଅଭିନବ ସାହିତ୍ୟ ସମ୍ପତ୍ତି ସୃଷ୍ଟି ଆଶା ଯାହା ଏ ପୁସ୍ତକରେ ରଚିତ ହୋଇଅଛି ତାହା ଜାତୀୟ ସାହିତ୍ୟର ଉନ୍ନତିକର ।

ସାହିତ୍ୟର ସ୍ୱରୂପ ଓ ସାହିତ୍ୟର ପ୍ରୟୋଜନ ଜଣାଇବା ଭଳି ଖଣ୍ଡିଏ ପୁସ୍ତକର ଅଭାବ ଲକ୍ଷିତ ହେଉଥିଲା । ସାହିତ୍ୟସନ୍ଦର୍ଭ ସେହି ଅଭାବ ପୂରଣ କରିବ ବୋଲି ମୋର ବିଶ୍ୱାସ ।

ଉପସଂହାରରେ ମୁଁ ଏହି ପୁସ୍ତକକୁ ସାହିତ୍ୟର ଉପକ୍ରମଣିକା ବୋଲିବ କି ? ନା, ଏତଦ୍ଦ୍ୱରା ପୁସ୍ତକର ଇଜ୍ଜତ୍‌ ଓ ପ୍ରୟୋଜନ ସ୍ପଷ୍ଟରୂପେ ସୂଚିତ ହେବନାହିଁ । ଏଣୁ ଗୋଟିଏ ପାଶ୍ଚାତ୍ୟ ବାକ୍ୟ ବ୍ୟବହାର କରିବି । ସାହିତ୍ୟସନ୍ଦର୍ଭ ଉଦୀୟମାନ ସାହିତ୍ୟସେବୀମାନଙ୍କ ନିମନ୍ତେ ଖଣ୍ଡିଏ Vade Macun.

ଦେବଗଡ଼

 

ତା ୦୭ । ୧୨ ।୦୩

ଜଳନ୍ଧର ଦେବ

Image

 

ସୂଚୀପତ୍ର

 

୧.

ସାହିତ୍ୟର ସ୍ୱରୂପ

୨.

ସାହିତ୍ୟର ଉପାଦାନ ଓ ଅଭିବ୍ୟକ୍ତି

୩.

ସାହିତ୍ୟର ଉନ୍ମେଷ ଓ ବିକାଶ

୪.

ସାହିତ୍ୟର ଆନନ୍ଦ

୫.

ସାହିତ୍ୟର ଭାବ

୬.

ସାହିତ୍ୟର ଭାଷା

୭.

ପଦ୍ୟ ସାହିତ୍ୟ

୮.

ଗଦ୍ୟ ସାହିତ୍ୟ

୯.

ନାଟ୍ୟ ସାହିତ୍ୟ

୧୦.

ତରୁଣ ସାହିତ୍ୟ

୧୧.

ସାହିତ୍ୟର ସୌନ୍ଦର୍ଯ୍ୟ ତତ୍ତ୍ୱ

୧୨.

ସାହିତ୍ୟରେ ନୋବେଲ ପ୍ରାଇଜ

Image

 

ସାହିତ୍ୟର ସ୍ୱରୂପ

 

ସାଧାରଣତଃ ଲୋକମାନେ କୌଣସି ବିଷୟରେ ସୁସ୍ପଷ୍ଟ ଭାବରେ ଚିନ୍ତା କରନ୍ତି ନାହିଁ । ଏଣୁ ସେମାନଙ୍କର ଭାବଧାରା ଅନେକ ସମୟରେ କୌଣସି ବସ୍ତୁର ସ୍ୱରୂପ ସମ୍ୱନ୍ଧରେ ଅଯଥାର୍ଥ ଓ ଭ୍ରମପୂର୍ଣ୍ଣ ହୋଇଥାଏ । ଭାବ ଓ ତାହାର ଅଭିବ୍ୟକ୍ତି ଏହି ଦୁଇଗୋଟି ବିଷୟ ଅଜ୍ଞତାର ଆଶ୍ରୟରେ ଅନେକ ସମୟରେ ବିକୃତ ହୋଇଥାଏ ଏବଂ ଏହି ବିକୃତି ଯୋଗୁଁ ଯେଉଁ ଶବ୍ଦକୁ ଆମ୍ଭେମାନେ ପ୍ରାୟ ପ୍ରତ୍ୟହ ବ୍ୟବହାର କରୁଁ ତା ବିଷୟରେ ମଧ୍ୟ ଆମ୍ଭମାନଙ୍କର ଚିନ୍ତାଧାରାରେ ସାମଞ୍ଜସ୍ୟ ଲକ୍ଷିତ ହୋଇପାରେ ନାହିଁ । ଫଳରେ ସେହି ଶବ୍ଦର ବ୍ୟବହାର ଦ୍ୱାରା ଆମ୍ଭମାନଙ୍କ ମନରେ ସୁସ୍ପଷ୍ଟ ଭାବର ଉନ୍ମେଷ ହୁଏ ନାହିଁ ଓ ସେହି ଶବ୍ଦର ଆଶ୍ରିତ ଭାବଗୁଡ଼ିକ ଆମ୍ଭେମାନେ ଅବିକୃତଭାବେ ଓ ପୂର୍ଣ୍ଣଭାବେ ଧାରଣା କରିପାରୁଁ ନାହିଁ । ‘ସାହିତ୍ୟ’ ଏହି ଶବ୍ଦ ସହିତ ପ୍ରାୟ ସମସ୍ତଙ୍କର ପରିଚୟ ଥିଲେହେଁ ଏହାର ପ୍ରକୃତ ତତ୍ତ୍ୱ, ଅନ୍ୟାନ୍ୟ ବିଷୟଠାରୁ ଏହା କିପରି ଭାବରେ ଭିନ୍ନ, ଏହାର ପ୍ରସାର ଓ ପ୍ରଗତି ସାଧାରଣତଃ କେଉଁ ଦିଗରେ ବା କିପରି ଭାବରେ ହୋଇଥାଏ ଓ କିପରି ଭାବରେ ବିଚାର କରି ଏହାର ଉତ୍କର୍ଷ ବା ଅପକର୍ଷ ନିର୍ଣ୍ଣୟ କରିବାକୁ ହୁଏ ସେ ସମସ୍ତ ବିଷୟରେ ଲୋକମାନଙ୍କର ବିଶେଷ ଜ୍ଞାନ ଥିବା ସମ୍ଭବ ନୁହେ । ସାଧାରଣତଃ କୌଣସି ଗଦ୍ୟ ବା ପଦ୍ୟ ଲେଖାକୁ ଲୋକେ ସାହିତ୍ୟ ବୋଲି ନିର୍ଦ୍ଦେଶ କରିଥାନ୍ତି । ମାତ୍ର ମାନବଜ୍ଞାନର ଅଙ୍ଗୀଭୂତ ଇତିହାସ, ବିଜ୍ଞାନ, ଭୂଗୋଳ, ଅର୍ଥଶାସ୍ତ୍ର ପ୍ରଭୃତି ଅନ୍ୟାନ୍ୟ ଶିକ୍ଷଣୀୟ ବିଷୟଠାରୁ ଏହା କିପରି ଭାବରେ ଭିନ୍ନ ଓ କୌଣସି ବିଷୟକୁ କିପରି ଭାବରେ ଅବତାରଣା କଲେ ଗୋଟିଏ ପ୍ରବନ୍ଧ ସାହିତ୍ୟ ପଦବାଚ୍ୟ ହୋଇପାରେ ଏବଂ ସାହିତ୍ୟ ନାମଧାରୀ ଲେଖାରେ କି କି ମୌଳିକ ଗୁଣ ସାଧାରଣତଃ ପ୍ରକାଶ ପାଇଥାଏ ଓ ଗୋଟିଏ ସାହିତ୍ୟିକ ରଚନାରେ କିପରି ଭାବର ବିକାଶ ବା ଭାଷାର ବ୍ୟବହାର କରାଯାଇ ପାରେ ଏବଂ ଏହି ପ୍ରକାର ସାହିତ୍ୟିକ ରଚନା ଅନ୍ୟାନ୍ୟ ରଚନା ଠାରୁ କି କି ଗୁଣରେ ଉତ୍କୃଷ୍ଟ ବା ଅପକୃଷ୍ଟ ଏ ସବୁ ସାଧାରଣତଃ ଲୋକମାନେ ଭାବନ୍ତି ନାହିଁ ଏବଂ ସେମାନଙ୍କ ମନରେ ଏ ସବୁ ବିଷୟରେ ଅସ୍ପଷ୍ଟ ଓ ଭ୍ରମାତ୍ମକ ଧାରଣା ଥିବା ସ୍ୱାଭାବିକ ।

 

‘‘ସହ’’ ଏହି ମୂଳ ଶବ୍ଦରୁ ସାହିତ୍ୟର ଉତ୍ପତ୍ତି, ଅର୍ଥାତ୍‌ ଯାହାଦ୍ୱାରା ମନୁଷ୍ୟ ଅନ୍ୟାନ୍ୟ ମନୁଷ୍ୟମାନଙ୍କ ସହିତ, ପ୍ରକୃତି ଓ ପରମେଶ୍ୱରଙ୍କ ସହିତ, ବାସ୍ତବ ଓ ଅବାସ୍ତବ ରାଜ୍ୟ ସହିତ ନିଜର ଐକ୍ୟ ବା ଯୋଗ ସମ୍ପାଦନ କରିବାକୁ ସକ୍ଷମ ହୁଏ ତାହାହିଁ ସାହିତ୍ୟ ନାମରେ ଅଭିହିତ ହୋଇପାରେ । ଯେଉଁ ଲେଖାରେ ମନୁଷ୍ୟ ନିଜ ସତ୍ତାକୁ ପୃଥକ୍‌ ଭାବରେ ଅନୁଧାବନ କରିବାକୁ ସଚେଷ୍ଟ ହୁଏ ନାହିଁ, ମାତ୍ର ଦୃଶ୍ୟ ଓ ଅଦୃଶ୍ୟ ଜଗତ୍‌ ସହିତ ନିଜର ଭାବର ଘାତ ଓ ପ୍ରତିଘାତ ଉପଲବ୍ଧି କରିବାକୁ ଚେଷ୍ଟାକରେ ଓ ନିଜକୁ ସଂସାରର ଅଙ୍ଗସ୍ୱରୂପ ଜ୍ଞାନକରି ଅନ୍ୟାନ୍ୟ ଅଙ୍ଗର ସ୍ପନ୍ଦନକୁ ନିଜେ ଅବଧାରଣ କରିବାକୁ ଶିଖେ ଓ ବିଶ୍ୱରୂପର କଣା ମାତ୍ର ଉପଲବ୍ଧି କରି କଳ୍ପନାର ବିକାଶ ଦ୍ୱାରା ସମଗ୍ର ରୂପଟିକୁ ନିଜର ମନରେ ଧାରଣା କରିବାକୁ ସଚେଷ୍ଟ ହୁଏ, ତାହାରି ମଧ୍ୟରେ ସାହିତ୍ୟର ବିକାଶ ଦେଖାଯାଇ ପାରେ । ମନୁଷ୍ୟ କେବଳ ଜ୍ଞାନଦ୍ୱାରା ଅନ୍ୟ ସହିତ ଏହିପରି ଯୋଗାଯୋଗ ସ୍ଥାପନ କରି ପାରେ ନାହିଁ । ଯେଉଁ ବୃତ୍ତିର ପ୍ରୟୋଗଦ୍ୱାରା ସଂସାରର ଅନ୍ୟାନ୍ୟ ଲୋକଙ୍କ ସହିତ ବା ସାଧାରଣ ଜ୍ଞାନର ଅଗମ୍ୟ ଅନ୍ୟାନ୍ୟ ଜଗତ୍‌ ସହିତ ସେ ନିଜର ଯୋଗ ସାଧନ କରିଥାଏ ତାହା କଳ୍ପନା । କଳ୍ପନାର ଅଭାବ ହେଲେ ମନୁଷ୍ୟର ଜ୍ଞାନ ଅତ୍ୟନ୍ତ ଉଚ୍ଚସୀମାକୁ ଆରୋହଣ କରିପାରେ ସତ, ମାତ୍ର ତାହା କେବେହେଁ ସାହିତ୍ୟର ପରିପୋଷକ ହୋଇ ନ ପାରେ । ସାଧାରଣତଃ ମନୁଷ୍ୟର ଜ୍ଞାନ ଦୃଶ୍ୟମାନ ଜଗତ୍‌କୁ ବିଶ୍ଳେଷଣ କରିବାକୁ ଶିକ୍ଷାଦିଏ ଓ କୌଣସି ଗୋଟିଏ ପଦାର୍ଥକୁ ନାନା ଖଣ୍ଡରେ ବିଭକ୍ତ କରି ଦେଖିବାରେ ସାହାଯ୍ୟ କରେ । ଉଦ୍ଭିଦ୍–ବିଦ୍ୟାଭିଜ୍ଞ ଲୋକ ଗୋଟିଏ ଫୁଲକୁ ନେଇ ନାନା ଭାବରେ ବିଶ୍ଳେଷଣ କରିପାରେ ଓ ବିଶ୍ଳିଷ୍ଟ ଅଂଶଗୁଡ଼ିକୁ ଭିନ୍ନ ଭିନ୍ନ ନାମ ଦେଇ ଆମ୍ଭମାନଙ୍କୁ ଚମତ୍କୃତ କରିପାରେ ଓ ଜ୍ଞାନ-ରାଜ୍ୟର ସୀମା ମଧ୍ୟ ବିସ୍ତୃତ କରିପାରେ । କିନ୍ତୁ ଗୋଟିଏ ଫୁଲକୁ ଦେଖି ତାହାର ସୌନ୍ଦର୍ଯ୍ୟର ଉପଭୋଗରେ ତୃପ୍ତି ଲାଭ, ତାହାର ନମ୍ର କୋମଳତା ଓ ବର୍ଣ୍ଣର ଉଜ୍ଜ୍ୱଳତାକୁ କମନୀୟ ରମଣୀର ରୂପରାଜି ସହିତ ତୁଳନା କରି ଲୋକ ଜଗତ ସହିତ ତାହାର ସମ୍ୱନ୍ଧ ସ୍ଥାପନ, ତାହାର ସୁବାସର ବିସ୍ତୃତିକୁ ମନୁଷ୍ୟର ଯଶ ସହିତ ତୁଳନା କରିବା ଦ୍ୱାରା କାହାକୁ ଅନ୍ୟ ଭାବଧାରା ମଧ୍ୟରେ ଦେଖିବାର ପ୍ରଚେଷ୍ଟା,–ଏହିପରି କାଳ୍ପନିକ ଓ ଅବାସ୍ତବ ଭାବରେ ଫୁଲଟିକୁ ଦେଖିବା ଦ୍ୱାରା ଓ ତହିଁରୁ ଉତ୍ପନ୍ନ ନାନାପ୍ରକାର ଭାବଧାରା ଦ୍ୱାରା ଅନୁରଞ୍ଜିତ ହୋଇ ପାର୍ଥିବ ଅପାର୍ଥିବ ସମସ୍ତ ଜଗତର ସ୍ପନ୍ଦନ ସହିତ ଫୁଲର ଆତ୍ମାର ସ୍ପନ୍ଦନ ଯେତେବେଳେ ଆମ୍ଭେମାନେ ଅନୁଭବ କରୁଁ ତେତେବେଳେ ଆମ୍ଭେମାନେ ସାହିତ୍ୟ ରାଜ୍ୟରେ ପଦାର୍ପଣ କରିଥାଉଁ ।

 

ବାସ୍ତବରେ ଗୋଟିଏ ପଦାର୍ଥକୁ ଏହିପରି ନାନା ଦିଗରୁ ଦେଖିବାର ପ୍ରୟାସ ଥିଲେ ରଚନା ସାହିତ୍ୟ ଆଖ୍ୟା ଧାରଣ କରିପାରେ । ଯଦି ଗୋଟିଏ ଘଟଣାର ଅନେକଗୁଡ଼ିଏ ଛାୟାଚିତ୍ର ନିଆଯାଏ ଓ ବିଭିନ୍ନ ସ୍ଥାନରୁ ସେହି ଘଟଣାର ବିଭିନ୍ନ ପ୍ରକାର ଛାୟା-ଚିତ୍ର ନିଆ ଯାଇ ତୁଳନା କରାଯାଏ ତେବେ ଦେଖାଯିବ ଯେ, ସେହିସବୁ ଛବି ମୂଳତଃ ଏକ ଓ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ଅତି ସାମାନ୍ୟ । କିନ୍ତୁ ଯଦି ଗୋଟିଏ ଘଟଣା ଦଶଗୋଟି ବାଳକକୁ ବର୍ଣ୍ଣନା କରିବାକୁ ଦିଆଯାଏ ତେବେ ଦେଖାଯିବ ଯେ ସେମାନଙ୍କର ବର୍ଣ୍ଣନା ମୂଳତଃ ପୃଥକ୍‌ ଓ ପ୍ରତ୍ୟେକ ବର୍ଣ୍ଣନାକାରୀ ସେହି ଘଟଣାର କୌଣସି ଏକ ଅଙ୍ଗକୁ ଏପରି ଭାବରେ ବର୍ଣ୍ଣନା କରିଅଛନ୍ତି ଓ ନିଜର କଳ୍ପନାଦ୍ୱାରା ବସ୍ତୁଟିକୁ ଏପରି ଭାବରେ ଦେଖିବାର ପ୍ରୟାସ କରିଅଛନ୍ତି ଯେ ଅନ୍ୟ ବର୍ଣ୍ଣନା ଗୁଡ଼ିକ ସହିତ ତାହାର ବର୍ଣ୍ଣନାର ଐକ୍ୟ ଥିବା ସମ୍ଭବ ହୁଏ ନାହିଁ । କେହି ଉକ୍ତ ଘଟଣାର ବର୍ଣ୍ଣନା ମଧ୍ୟରେ ନିଜର ଆନନ୍ଦ ପ୍ରକାଶ କରନ୍ତି, ଅନ୍ୟ କେହି ଉକ୍ତ ଘଟଣା ଦ୍ୱାରା ଦୁଃଖିତ ଓ ବିଚଳିତ ହୋଇ ପଡ଼ନ୍ତି, କେହି ଉକ୍ତ ଘଟଣାର ବର୍ଣ୍ଣନାରେ ବ୍ୟଙ୍ଗର ବ୍ୟବହାର କରି ପ୍ରତିପକ୍ଷକୁ ଉତ୍ୟକ୍ତ କରିବାର ପ୍ରୟାସ କରନ୍ତି, ଅନ୍ୟ କେହି କରୁଣ ରସରେ ଆପ୍ଲୁତ ହୋଇ ଦୁଃଖର ଅଭିବ୍ୟକ୍ତି କରନ୍ତି, କେହି ଉକ୍ତ ଘଟଣାରେ ସମାଜର ହିତକାରୀ ନାନା ପ୍ରକାର ଭାବର ଅଭିବ୍ୟକ୍ତି ଦେଖି ମୁଗ୍ଧ ଓ ପୁଣି କେହି ଉକ୍ତ ଘଟଣାଦ୍ୱାରା ସମାଜର ବିଶେଷ ଅମଙ୍ଗଳ ହେବ ଏହା ଭାବି ଭୀତ, ତ୍ରସ୍ତ ଓ ଦୁଃଖିତ ହୁଅନ୍ତି । ଏହିପରି ନାନା ବିଚିତ୍ର ଭାବରେ ଉକ୍ତ ଘଟଣା ଆମ୍ଭମାନଙ୍କ ସମ୍ମୁଖରେ ଚିତ୍ରିତ ହୋଇପାରେ । ଏହି ବୈଚିତ୍ୟହିଁ ସାହିତ୍ୟର ଜୀବନ ଓ ଜୀବନରେ ଏହିପରି ବୈଚିତ୍ର୍ୟ ଦେଖିବାର ପ୍ରୟାସହିଁ ସାହିତ୍ୟ । କଳ୍ପନା ଏହାର ଉପାଦାନ, ଓ କଳ୍ପନାଦ୍ୱାରା ରଞ୍ଜିତ ହୋଇଥିବାରୁ ଗୋଟିଏ ଘଟଣା ଶତ ଶତ ବିଚିତ୍ର ଭାବରେ ଆମ୍ଭମାନଙ୍କ ସମ୍ମୁଖରେ ପ୍ରକଟିତ ହୋଇ ବିଭିନ୍ନ ଭାବରେ ଆମ୍ଭମାନଙ୍କ ମନକୁ ଆନ୍ଦୋଳିତ କରିଥାଏ । ବାସ୍ତବରେ ଜଗତ୍ ଏହି ପ୍ରକାର ବୈଚିତ୍ର୍ୟର ପୂର୍ଣ୍ଣ ଓ ସାହିତ୍ୟିକ ଏହି ବୈଚିତ୍ର୍ୟର ଆଭାସ ନିଜ ଲେଖା ମଧ୍ୟରେ ଦେବାକୁ ପ୍ରୟାସ କରେ । ପ୍ରକୃତି ମଧ୍ୟରେ ଗିରି, ପ୍ରାନ୍ତର, ମରୁ, ନଦୀ, ଘୋର ଶ୍ୱାପଦସଙ୍କୁଳ ବନାନୀ ଓ ତୃଣଶ୍ୟାମଳ ପ୍ରାନ୍ତର, କ୍ଷୁଦ୍ର ନଦୀର କାକଳି ଓ ତଟିନୀର ଘୋର ଗର୍ଜ୍ଜନ ଏହି ସମସ୍ତ ବୈଚିତ୍ର୍ୟ ଅହରହଃ ଆମ୍ଭମାନଙ୍କର ଜ୍ଞାନ ଗୋଚର ହେଉଅଛି, ମନୁଷ୍ୟ ସମାଜରେ ମଧ୍ୟ ଏହି ବୈଚିତ୍ର୍ୟର ଅଭାବ ନାହିଁ । ବେଶଭୂଷା, ଆହାର ବ୍ୟବହାର, ଭାବ ଓ ତାହାର ଅଭିବ୍ୟକ୍ତି ଏହିପରି ନାନା ଦିଗରେ ମନୁଷ୍ୟର ଚିନ୍ତା, ଧର୍ମ, କାର୍ଯ୍ୟ ଓ ଆଚରଣ ମଧ୍ୟରେ ନାନାପ୍ରକାର ବୈଚିତ୍ର୍ୟ ଦେଖା ଯାଇଥାଏ । ଏହି ସବୁ ବୈଚିତ୍ର୍ୟ ମଧ୍ୟରେ ବିଚରଣ କରି ସର୍ବାଙ୍ଗୀଣ ଭାବରେ ଏହି ବୈଚିତ୍ର୍ୟକୁ ଉପଭୋଗ କରିବାର ଯେଉଁ ଚେଷ୍ଟା ତାହାହିଁ ସାହିତ୍ୟ ନାମର ଯୋଗ୍ୟ ।

 

ଯଦି ସାହିତ୍ୟ ମଧ୍ୟରେ ଏହିପରି ବୈଚିତ୍ର୍ୟର ପ୍ରାଧାନ୍ୟ ଦେଖାଯାଏ ତେବେ ତାହା କିପରି ଐକ୍ୟ ବା ସାମଞ୍ଜସ୍ୟ ଆଣିପାରେ ଓ ଅନ୍ୟ ମନୁଷ୍ୟ ବା ଜଗତ୍ ସହିତ ଏହି ବୈଚିତ୍ର୍ୟ ମଧ୍ୟରେ କିପରି ଭାବରେ ଐକ୍ୟ ସମ୍ଭବ ହୋଇପାରେ ? ବିଚାର କରି ଦେଖିଲେ ଜଣାଯିବ ଯେ ଜଗତରେ ଏହି କଳ୍ପନାର ବୈଚିତ୍ର୍ୟ ଦ୍ୱାରାହିଁ ବାସ୍ତବ ଓ ନିଗୂଢ଼ ଐକ୍ୟ ସଂସ୍ଥାପିତ ହୋଇଥାଏ । ଇତିହାସ ପ୍ରଭୃତିରେ ଐକ୍ୟ ଅଛି ସତ୍ୟ, ମାତ୍ର ଏହି ଏକ୍ୟ ଏକଦେଶଦର୍ଶୀ । ଶିବାଜୀଙ୍କର ମୋଟ କେତେ ସହସ୍ର ସୈନ୍ୟ ଥିଲେ, ସେ କେଉଁ ସାଲରେ କିପରି ଭାବରେ କାର୍ଯ୍ୟ କରିଥିଲେ, କାହା କାହା ସହିତ ଯୁଦ୍ଧରେ ପ୍ରବୃତ୍ତ ହୋଇଥିଲେ ଓ ସେ ସବୁ ଯୁଦ୍ଧରେ ଫଳାଫଳ କଣ ହୋଇଥିଲା ଏ ସବୁ ବିଷୟରେ ଇତିହାସ ଏକମତ । ମାତ୍ର ଏହି ଐକ୍ୟ ମଧ୍ୟରେ କୌଣସି ପ୍ରାଣର ସ୍ପନ୍ଦନ ବା ମାନବିକତାର ବିକାଶ ଲକ୍ଷିତ ହୁଏ ନାହିଁ । ଶିବାଜୀ ଅନ୍ୟାନ୍ୟ ସାଧାରଣ ଲୋକଙ୍କ ପରି ନାନା ସମୟରେ ନାନାପ୍ରକାର ଭାବ ରାଶି ଦ୍ୱାରା ଅଭିଭୂତ ହୋଇଥିଲେ, ନାନା ଚିନ୍ତା ତାଙ୍କ ହୃଦୟକୁ ଉବ୍ଦେଳିତ କରୁଥିଲା । ଗୋଟିଏ ବାହ୍ୟ କାର୍ଯ୍ୟର ପଶ୍ଚାତରେ ନାନାପ୍ରକାର ଭାବର ଦ୍ୱନ୍ଦ୍ୱ ତାଙ୍କର ଅନ୍ତଃକରଣରେ ଅନୁଭୂତ ହେଉଥିଲା । ଏହି ଭାବରାଶିର ଦ୍ୱନ୍ଦ୍ୱ ଇତିହାସର ବିଷୟୀଭୂତ ନୁହେ । ଇତିହାସ କେବଳ ଘଟଣା ନେଇ ବ୍ୟସ୍ତ । ମାତ୍ର ପ୍ରତ୍ୟେକ ଘଟଣାର ପଶ୍ଚାତ୍‌ରେ ଯେଉଁ ମାନବିକତାର ବିକାଶ ଅନ୍ୟାନ୍ୟ ସାଧାରଣ ମନୁଷ୍ୟ ସହିତ ଇତିହାସ ବର୍ଣ୍ଣିତ ଲୋକର ଐକ୍ୟ ସଂସ୍ଥାପିତ କରେ ସେହି ମାନବିକତା ସହିତ ଇତିହାସର କୌଣସି ସଂସ୍ପର୍ଶ ନାହିଁ । ଏଣୁ ଇତିହାସ ଶିବାଜୀ କିମ୍ୱା ଆଓରଙ୍ଗଜେବ କିମ୍ୱା ଆକବରଙ୍କର ମାନବିକତାକୁ ପୂର୍ଣ୍ଣ ମାତ୍ରାରେ ଭୁଲିଯାଇ ବିଭିନ୍ନ ଘଟଣା ସମାବେଶ ଚିତ୍ରଣ ଦ୍ୱାରା ତାଙ୍କର ପାର୍ଥକ୍ୟକୁ ବିଶେଷ ଭାବରେ ଅଙ୍କିତ କରେ; ମାତ୍ର ସାହିତ୍ୟ ତାଙ୍କର ହୃଦୟର ଅଭ୍ୟନ୍ତଚସ୍ଥ ଭାବରାଶିକୁ ନିଜର କଳ୍ପନା ବଳରେ ପ୍ରସ୍ଫୁଟିତ କରି ମାନବିକତାର ବିଚିତ୍ର ବିକାଶର ମଧ୍ୟ ଦେଇ ସମାଜ ସହିତ ସେମାନଙ୍କର ଐକ୍ୟ ସଂସ୍ଥାପିତ କରାଏ-। ଏଣୁ ଏହି ଐକ୍ୟ ନାନା ବିଚିତ୍ର ଘଟଣାରାଜି ମଧ୍ୟ ଦେଇ ପ୍ରକାଶିତ ହେଲେହେଁ ଏକ ସୁମହାନ୍‌ ମହାମାନବିକତାର ବିକାଶ ଆମ୍ଭମାନଙ୍କର କଳ୍ପନା ସମ୍ମୁଖରେ ଚିତ୍ରିତ କରେ ଓ ସେଥିଯୋଗୁଁ ଏହି ଐକ୍ୟ ଚିରସ୍ଥାୟୀ ଓ ଐତିହାସିକ ସତ୍ୟ ଅପେକ୍ଷା ସୁମହାନ୍‌ । ସମ୍ରାଟ ସାଜାହାନ ଯେତେବେଳେ ନିଜର ପ୍ରିୟତମା ପତ୍ନୀ ମମତାଜମହଲଙ୍କର ଶବାଧାର ଉପରେ ବିଚିତ୍ର କାରୁକାର୍ଯ୍ୟପୂର୍ଣ୍ଣ ତାଜମହଲ ସୌଧ ପ୍ରସ୍ତୁତ କରିବାର ଆଦେଶ ଦେଇଥିଲେ ସେତେବେଳେ ସେ ଅନ୍ୟ ଲକ୍ଷ ଲକ୍ଷ ବିରହକାତର ପ୍ରେମସନ୍ତପ୍ତ ଲୋକମାନଙ୍କ ସହିତ ନିଜର ଭାବରାଶିର ଐକ୍ୟ ଅନୁଭବ କରିଥିଲେ । ଇତିହାସରେ ସାଜାହାନଙ୍କର ସ୍ଥାନ ଭିନ୍ନ ଭାବରେ ନିରୂପିତ ହୁଏ । ତାଜମହଲ ପ୍ରସ୍ତୁତ କରିବାରେ କେତେ କୋଟି ଟଙ୍କାର ସୁନା ଲାଗିଥିଲା ତାହା ହିସାବ କରିବାରେ ଇତିହାସ ବ୍ୟସ୍ତ; କେଉଁ କେଉଁ ସ୍ଥାନରୁ ଶିଳ୍ପୀମାନେ ଆସି ଏହି ଅନୁପମ ସ୍ମାରକ ସୌଧ ପ୍ରସ୍ତୁତ କରିଥିଲେ ତାହା ନିରୂପଣ କରିବାରେ ଐତିହାସିକ ପ୍ରୟାସୀ, ମାତ୍ର ସାହିତ୍ୟିକ ଏ ସମସ୍ତ ବାହ୍ୟ ଉପାଦାନ ଛାଡ଼ିଦେଇ ସାଜାହାନଙ୍କର ଅନ୍ତରତମ ପ୍ରଦେଶରେ ଯେଉଁ ପ୍ରେମର ସ୍ପନ୍ଦନ ଜାତ ହୋଇ ଏହି ସୌଧର ପରିକଳ୍ପନା ତାଙ୍କର ମନରେ ଜନ୍ମାଇଥିଲା ସେହି ସ୍ପନ୍ଦନକୁ ନିଜର କଳ୍ପନା ସାହାଯ୍ୟରେ ମୂର୍ତ୍ତି ଦେଇ ଅନ୍ୟାନ୍ୟ ବିରହ-କାତର ଲୋକମାନଙ୍କ ହୃଦୟରେ ଅନୁଭୂତ ସେହି ପ୍ରକାର ସ୍ପନ୍ଦନ ସହିତ ଦିଲ୍ଲୀଶ୍ୱରଙ୍କର ହୃଦୟର ଐକ୍ୟ ସ୍ଥାପନ କରେ ଓ ମାନବିକତାର ମଧ୍ୟ ଦେଇ ସେହି ପ୍ରେମକୁ ଉପଭୋଗ କରିବାରେ ସଚେଷ୍ଟ ହୁଏ । ଏଣୁ ସାହିତ୍ୟର ଐକ୍ୟ ବୈଚିତ୍ର୍ୟ ଉପରେ ପ୍ରତିଷ୍ଠିତ ହେଲେ ମଧ୍ୟ ଏହି ଐକ୍ୟ ଚିରନ୍ତନ ମାନବ ଜୀବନର ନିତ୍ୟ ନୂତନ ଅଭିବ୍ୟକ୍ତି ଉପରେ ପ୍ରତିଷ୍ଠିତ ଏବଂ ଏହି କାରଣରୁ ଏହା ଉଚ୍ଚତର ଓ ଚିରସ୍ଥାୟୀ । ଅର୍ଥନୀତି, ବିଜ୍ଞାନ ପ୍ରଭୃତି ମାନବ ଜ୍ଞାନର ଅଙ୍ଗୀଭୂତ ଅନ୍ୟାନ୍ୟ ବିଷୟମାନଙ୍କଠାରୁ ମଧ୍ୟ ସାହିତ୍ୟ ଏହିପରି ଭାବରେ ନିଜର ସ୍ୱାତନ୍ତ୍ର୍ୟ ରକ୍ଷା କରିଥାଏ । ସାହିତ୍ୟ ବିକାଶର ଏକମାତ୍ର ଉପାଦାନ କଳ୍ପନା ଓ କଳ୍ପନାର ପ୍ରୟୋଗ ଦ୍ୱାରା ସାହିତ୍ୟ ଅନ୍ୟାନ୍ୟ ସମସ୍ତ ପଦାର୍ଥଠାରୁ ଭିନ୍ନ । ଅନ୍ୟାନ୍ୟ ପାଠ୍ୟ ବିଷୟମାନଙ୍କରେ କଳ୍ପନାକୁ ସମ୍ପୂର୍ଣ୍ଣରୂପେ ଛାଡ଼ି ଦେଇ ଓ ତାହାର ଅସ୍ତିତ୍ୱକୁ ଏକପ୍ରକାର ଅସ୍ୱୀକାର କରି ପ୍ରତ୍ୟକ୍ଷୀଭୂତ ସତ୍ୟକୁ ସର୍ବଦା ଗ୍ରହଣ କରିବାକୁ ଚେଷ୍ଟା କରାଯାଏ; ମାତ୍ର ସାହିତ୍ୟରେ ଏହି କଳ୍ପନାକୁ ଆଶ୍ରୟ କରି ମନୁଷ୍ୟର ଦୃଷ୍ଟିର ବହିର୍ଭୂତ ହୃଦୟର ଭାଗବତ ସତ୍ୟର ପ୍ରତିଷ୍ଠାର ପ୍ରୟାସ ହୋଇଥାଏ ।

 

କଳ୍ପନାହିଁ ସାହିତ୍ୟର ଉତ୍ପତ୍ତି ଓ ସ୍ଥିତିର ମୂଳ ଓ ଏହି କଳ୍ପନାର ଲାଳତ୍ୟ ବା ସୌକୁମାର୍ଯ୍ୟ ଦ୍ୱାରା ସାହିତ୍ୟର ଉତ୍କର୍ଷ ବା ଅପକର୍ଷ ବିଚାର ହୋଇଥାଏ । ସାହିତ୍ୟ ଏହି କଳ୍ପନାଦ୍ୱାରା ନିଜର ଏକ ଜଗତ୍‌ ପ୍ରସ୍ତୁତ କରାଇ ନିଏ । ଏହି ଜଗତରେ ଐତିହାସିକ ସତ୍ୟ ଅନାଦୃତ ହୁଏ । ବିଜ୍ଞାନର ସୂକ୍ଷ୍ମ ବିଶ୍ଳେଷଣ ପ୍ରତି ମନୁଷ୍ୟର ଶ୍ରଦ୍ଧା ନ ଥାଏ ଓ ଦର୍ଶନର ଭାବରାଜ୍ୟ ଓ ଅପାର୍ଥିବ ଜଟିଳ ତତ୍ତ୍ୱମାନଙ୍କର ସମାଧାନ ପ୍ରତି ମଧ୍ୟ କୌଣସି ଲକ୍ଷ ନ ଥାଏ । ସାହିତ୍ୟର ଏହି ଜଗତରେ ମାନବ ଜୀବନର ବୈଚିତ୍ର୍ୟହିଁ ଏକମାତ୍ର ଉପାଦାନ ଓ କଳ୍ପନା ଏହି ବୈଚିତ୍ର୍ୟ ଉପଭୋଗ କରିବାର ଏକମାତ୍ର ଉପାୟ । ଏହି ବିଚିତ୍ର ଉପାଦାନ ମଧ୍ୟରୁ ବିଶେଷ ବିଶେଷ ଭାବ-ତରଙ୍ଗ ନେଇ କବି ଓ ସାହିତ୍ୟିକ ମନୁଷ୍ୟର ଆହ୍ଲାଦକର ଓ ଆନନ୍ଦଦାୟକ ନାନାପ୍ରକାର ତତ୍ତ୍ୱ ସଙ୍ଗତ ଭାବରେ ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରନ୍ତି । ପାଠକମାନେ ମଧ୍ୟ ଏହି ପ୍ରକାର ଭାବର ଚିତ୍ର ନିଜର ସମ୍ମୁଖରେ ଦେଖି ନିଜେ ଉକ୍ତ ଭାବ ଦ୍ୱାରା ଅଭିଭୂତ ହୋଇ ସେଗୁଡ଼ିକ ଉପଭୋଗ କରିବାର ଚେଷ୍ଟା କରନ୍ତି ଓ ସେହି ପ୍ରକାର ଭାବ ଅନ୍ୟ କୌଣସି ସମୟରେ ନିଜର ଜୀବନରେ ଭୋଗ କରିଥିଲେ ବା ଅନ୍ୟଠାରେ ଅନୁଭବ କରିଥିଲେ ତାହା ସହିତ ବର୍ଣ୍ଣିତ ଚିତ୍ରମାନଙ୍କର ଭାବ-ସଙ୍ଗତି ଉପଲବ୍ଧି କରି ଆନନ୍ଦିତ ହୁଅନ୍ତି । ଏ ଦିଗରେ ମଧ୍ୟ ସାହିତ୍ୟ ଓ ଅନ୍ୟାନ୍ୟ ବିଷୟମାନଙ୍କର ପାର୍ଥକ୍ୟ ଲକ୍ଷ କରାଯାଇ ପାରେ । ଇତିହାସ କିମ୍ୱା ବିଜ୍ଞାନରେ ଯାହା ସତ୍ୟ ବୋଲି ପ୍ରମାଣିତ ହୁଏ ତାହା ଅନ୍ୟର ଅପେକ୍ଷା ରଖେ ନାହିଁ । ପାଠକର ମନୋଭାବ ଯାହା ହେଉନା କାହିଁକି ସେ ବିଜ୍ଞାନର ବୀକ୍ଷଣାଗାରରେ ପରୀକ୍ଷିତ ବିଷୟମାନଙ୍କ ବିରୁଦ୍ଧରେ କୌଣସି କଥା କହିବା ସମ୍ଭବ ନୁହେ । ପାଠକର ମନୋଭାବ ସହିତ ଉକ୍ତ ବିଷୟମାନଙ୍କର ବର୍ଣ୍ଣନାର କୌଣସି ସଂସ୍ପର୍ଶ ନ ଥାଏ ଓ ଲେଖକ ନିଜେ ଯାହା ସତ୍ୟ ବୋଲି ବୁଝେ ବା ପରୀକ୍ଷା ଦ୍ୱାରା ପ୍ରତିଷ୍ଠିତ କରେ ତାହା ଅକୁଣ୍ଠିତ ଚିତ୍ତରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବାର ପ୍ରୟାସ କରେ । କିନ୍ତୁ ସାହିତ୍ୟରେ ଲେଖକ କେବଳ ନିଜର ମନୋଭାବକୁ ଭିତ୍ତି କରି କିଛି ବର୍ଣ୍ଣନା କରେ ନାହିଁ । ସେ ସର୍ବଦା ପାଠକର ମନୋବୃତ୍ତିକୁ ଅନୁରଞ୍ଜିତ କରିବାକୁ ସଚେଷ୍ଟ ହୁଏ ଓ ପାଠକ ନିଜର ମନୋଭାବ ଦ୍ୱାରା ଗ୍ରନ୍ଥରେ ଉଲ୍ଲିଖିତ ଚିତ୍ରମାନଙ୍କୁ ଅନୁପ୍ରାଣିତ କରି ଆନନ୍ଦ ଉପଭୋଗ କରେ । ପାଠକ ସହିତ ଲେଖକର ଏହି ଯେ ଏକପ୍ରାଣତା ତାହା କେବଳ ସାହିତ୍ୟରେ ସମ୍ଭବ ଓ ଏହି ଏକପ୍ରାଣତାର ଭିତ୍ତି କଳ୍ପନା । ଦୁଇଜଣ ମନୁଷ୍ୟ ମଧ୍ୟରେ ବିଶେଷ ଆକୃତିଗତ ପାର୍ଥକ୍ୟ ଥାଇପାରେ ଓ ଏହି ଆକୃତିଗତ ପାର୍ଥକ୍ୟ ସର୍ବଦା ସମ୍ମୁଖରେ ଦେଖୁଥିବାରୁ ମନୁଷ୍ୟମାନେ ନିଜ ନିଜ ମଧ୍ୟରେ ଯେଉଁ ଐକ୍ୟ ଅଛି ତାହା ବିସ୍ମୃତ ହୋଇପାରନ୍ତି, ମାତ୍ର ସେମାନଙ୍କ ମନ ମଧ୍ୟରେ ଯେଉଁ ବିଚିତ୍ର ଭାବରାଶି ସର୍ବଦା ଜାଗ୍ରତ ଥାଇ ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରିତ କରୁଅଛି ସେହି ଭାବରାଶି ଏତେ ବିଚିତ୍ର ଯେ ଏହି ବୈଚିତ୍ର୍ୟ ମଧ୍ୟଦେଇ ଐକ୍ୟ ସାଧିତ ହୋଇଥାଏ । ବାସ୍ତବରେ ଭାବରାଶିର ଅସୀମ ବୈଚିତ୍ର୍ୟ ଏକର ଅନ୍ୟର ସହିତ ଐକ୍ୟ ସଂସ୍ଥାପନ କରିବାରେ ସାହାଯ୍ୟ କରିଥାଏ ।

 

ଏହି ପ୍ରକାରେ କଳ୍ପନାକୁ ଭିତ୍ତି କରି ଯେଉଁ ଠାରେ ଲେଖକ ମାନବ ଜଗତ୍‌ ସହିତ ଓ ପ୍ରକୃତିର ଜୀବନ ଓ ପରମେଶ୍ୱରଙ୍କର ବିକାଶ ସହିତ ନିଜର ପ୍ରାଣର ସ୍ପନ୍ଦନକୁ ପରିଚିତ କରାଏ ସେହିଠାରେ ସାହିତ୍ୟର ଉତ୍ପତ୍ତି ଓ ସେହିଠାରୁ ସାହିତ୍ୟର ବିକାଶ ଆରମ୍ଭ ହୁଏ । ସାଧାରଣତଃ ସାହିତ୍ୟିକ ଏହି ଉଚ୍ଚ ଆଦର୍ଶ ସମ୍ମୁଖରେ ରଖି ନିଜର ବକ୍ତବ୍ୟକୁ ଲିପିବଦ୍ଧ କରେ ଓ ଯେ ପରିମାଣରେ ସେ ସମସ୍ତ ବିଶ୍ୱଜଗତ୍‌ ସହିତ ନିଜର ଐକ୍ୟ ସଂସ୍ଥାପିତ କରିପାରେ, ସେ ପରିମାଣରେ ଜୀବନରେ ସୁଖୀ ଓ ସଫଳକାମ ହୋଇପାରେ । ଜୀବନର କୌଣସି ବିକାଶ ପ୍ରତି ସାହିତ୍ୟିକ ବିରକ୍ତି ବା ଅବହେଳା ପ୍ରଦର୍ଶନ କରେ ନାହିଁ । ସଂସାରର କୌଣସି କାର୍ଯ୍ୟ ତାହାଠାରେ ହେୟ ବା ଅକିଞ୍ଚିତ୍‌କର ନୁହେଁ । ପ୍ରତ୍ୟେକ ଅନୁଭୂତି, ପ୍ରତ୍ୟେକ କାର୍ଯ୍ୟ, ମାନବିକତାର ପ୍ରତ୍ୟେକ ବିକାଶ ଓ ଅଭିବ୍ୟକ୍ତି ମଧ୍ୟରେ ସୌନ୍ଦର୍ଯ୍ୟର ସନ୍ଧାନ ପାଇ ସେ ନିଜର ଆତ୍ମାର ବିକାଶ ସାଧିତ କରେ ଓ ପୃଥିବୀର ସମସ୍ତ ଲୋକଙ୍କୁ ଆନନ୍ଦ ଦାନ କରିବା ଇଚ୍ଛାରେ ପ୍ରତ୍ୟେକ କାର୍ଯ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟକୁ ଭାଷାମଧ୍ୟରେ ଚିତ୍ରିତକରିବାର ପ୍ରୟାସ କରେ । ଏହି ଚିତ୍ରହିଁ ସାହିତ୍ୟ, ଓ କଳ୍ପନାର ଏହି ବିଚିତ୍ର ବିକାଶହିଁ ସାହିତ୍ୟର ମୂଳ ପଦାର୍ଥ; ଆନନ୍ଦ ଏହାର ଲକ୍ଷ୍ୟ ଓ ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ଏହାର ଉପାଦାନ ।

Image

 

ସାହିତ୍ୟର ଉପାଦାନ ଓ ଅଭିବ୍ୟକ୍ତି

 

ବିଗତ ଇଉରୋପୀୟ ଯୁଦ୍ଧରେ ଯେତେବେଳେ ପୃଥିବୀର ପ୍ରାୟ ସମସ୍ତ ସଭ୍ୟ ଦେଶରେ ସଂଗ୍ରାମର ଉନ୍ମାଦିନୀ ଶକ୍ତି ପ୍ରବାହିତ, ଯେତେବେଳେ ନରବଳିର ବିକଟ କରାଳ ଦୃଶ୍ୟରେ ସମସ୍ତ ଜଗତ୍‌ ସ୍ତମ୍ଭିତ, ଯେତେବେଳେ ଦେଶ ନିମନ୍ତେ, ନିଜର ମାନରକ୍ଷା ନିମନ୍ତେ, ନିଜର ଗୌରବ ଅକ୍ଷୁଣ୍ଣ ରଖିବା ନିମନ୍ତେ ପ୍ରତ୍ୟେକ ମନୁଷ୍ୟ ନାନାବିଧ ଦୁଃଖ କଷ୍ଟ ସହିବାକୁ ପ୍ରସ୍ତୁତ, ଯେତେବେଳେ ଶତ୍ରୁର ପରାଜୟ କାମନାରେ ଓ ଜୟର ଭାବୀ ଆଶାର ଉଲ୍ଲାସରେ ଜଗତର ସମସ୍ତ ସଭ୍ୟଜାତି ପ୍ରାଣପଣେ କାର୍ଯ୍ୟ କରିବାକୁ ବଦ୍ଧପରିକର, ତେତେବେଳେ ସ୍ୱଭାବତଃ ଏହି ପ୍ରଶ୍ନ ଉଠିଲା–ଏ ସମୟରେ ସାହିତ୍ୟର ପ୍ରୟୋଜନ କେଉଁଠାରେ ? ସମସ୍ତ ଦେଶ ଯୁଦ୍ଧରେ ବ୍ୟାପ୍ତ, ଯୋଦ୍ଧାର ଭୀଷଣ ତାଣ୍ଡବରେ ଯୁଦ୍ଧଭୂମି କମ୍ପିତ, ନରରକ୍ତର ପ୍ରବାହରେ ପୃଥିବୀ ସିକ୍ତ, ଏ ସମୟରେ ସାହିତ୍ୟ ପରି ସୁକୁମାର କଳାର ସ୍ଥାନ କାହିଁ ? ମନୁଷ୍ୟର କାର୍ଯ୍ୟରେ ସାହିତ୍ୟ କେଉଁ ପ୍ରଭାବ ବିସ୍ତାର କରିବାକୁ ସମର୍ଥ ? ତାହାର ଦୁଃଖ-ଶୋକ-ସନ୍ତାପ-କ୍ଳିଷ୍ଟ ହୃଦୟରେ ସାହିତ୍ୟ କି ପରିମାଣରେ ନିଜର ସ୍ଥାନ ଅଧିକାର କରିବାକୁ ସମର୍ଥ ? କର୍ମିକୁ କର୍ମରେ ସାହାଯ୍ୟ କରିବା ସାହିତ୍ୟ ପକ୍ଷରେ କେତେଦୂର ସମ୍ଭବ ? ଏହି ସବୁ ପ୍ରଶ୍ନର ମୀମାଂସା ଯୁଦ୍ଧ ସମୟରେ ଆବଶ୍ୟକ ହୋଇ ଉଠିଲା ଏବଂ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ନୂତନ ପ୍ରଶ୍ନ ଉଠିଲା–ସାହିତ୍ୟ କ’ଣ ଓ ମନୁଷ୍ୟ ଜୀବନରେ ତାହାର ପ୍ରଭାବ କେତେଦୂର ?

 

ସାହିତ୍ୟ କ’ଣ, ଏ ପ୍ରଶ୍ନର ଉତ୍ତର ଦେବା ସହଜ ନୁହେ । ପ୍ରଧାନତଃ ବୋଲାଯାଇ ପାରେ ଯେ, ଯେଉଁ ରଚନା ମଧ୍ୟରେ କଳ୍ପନା ପ୍ରବେଶ କରି ରଚନାକୁ ସରସ କରିଅଛି, ତାହାହିଁ ସାହିତ୍ୟ ନାମର ଯୋଗ୍ୟ । ପୃଥିବୀରେ ଯେତେ ପ୍ରକାର ପୁସ୍ତକ ପୁସ୍ତିକା ରଚିତ ହେଉଅଛି, ସେ ସମୁଦାୟ ସାହିତ୍ୟ ନୁହେ; ପୃଥିବୀର ଲୋକମାନେ ନାନା ବିଷୟରେ ଚିନ୍ତା କରି ନିଜର ଜ୍ଞାନରାଜ୍ୟର ବିସ୍ତାର ନିମନ୍ତେ ଦର୍ଶନ, ଇତିହାସ, ବିଜ୍ଞାନ ପ୍ରଭୃତି ବିଷୟରେ ଯେତେ ଯେତେ ଗ୍ରନ୍ଥ ଲେଖୁଅଛନ୍ତି, ସେ ସମୁଦାୟ ମଧ୍ୟରୁ ଅନେକଗୁଡ଼ିଏ ସାହିତ୍ୟ ନାମର ଅଯୋଗ୍ୟ । ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ନିମନ୍ତେ ଯେତେପ୍ରକାର ପୁସ୍ତକ ପ୍ରତ୍ୟହ ରଚିତ ହେଉଅଛି, ସେଥିମଧ୍ୟରୁ ଅଳ୍ପ ମାତ୍ର ସାହିତ୍ୟ ନାମର ଯୋଗ୍ୟ । ଆମ୍ଭେମାନେ ସମସ୍ତେ ଜାଣୁଁ ଯେ, ବିଜ୍ଞାନ ବିଷୟକ ପୁସ୍ତକ ସାଧାରଣତଃ ସାହିତ୍ୟ ନୁହେଁ; ଦର୍ଶନର ଗୃଢ଼ତମ ତତ୍ତ୍ୱର ଆଲୋଚନା ମଧ୍ୟ ସାହିତ୍ୟ ନୁହେ; ଅଥଚ ଆମ୍ଭେମାନେ ସମସ୍ତେ ଜାଣୁଁ ଯେ, ‘‘ଜହ୍ନି ଫୁଲ ଠୋଠା’’ ସାହିତ୍ୟର ଅଂଶ, ‘‘ଗନ୍ତ୍ରଣିତ ଗଲା କଥା ରେ ସଙ୍ଗାତ’’ ସାହିତ୍ୟର ଅଙ୍ଗ ସ୍ୱରୂପ, ‘‘ସେ ବନମାଳୀ, ନବୀନ ମାଳୀ’’ ଇତ୍ୟାଦି ଉଚ୍ଚ ଅଙ୍ଗର ସାହିତ୍ୟ ମଧ୍ୟରେ ଗଣ୍ୟ । ଅତଏବ ସ୍ପଷ୍ଟ ଦେଖା ଯାଉଅଛି ଯେ, ଜ୍ଞାନର ବିସ୍ତାର ସଙ୍ଗେ ସାହିତ୍ୟର ଆଦୌ ଘନିଷ୍ଠ ସମ୍ୱନ୍ଧ ନାହିଁ–ଯାହାଦ୍ୱାରା ମନୁଷ୍ୟର ଜ୍ଞାନ ବିସ୍ତାର ଲାଭ କରେ, ତାହା ସାଧାରଣତଃ ଓ ସବୁ ସମୟରେ ସାହିତ୍ୟ ବୋଲି ବିବେଚିତ ହୋଇ ପାରେ ନାହିଁ । କିନ୍ତୁ ଜ୍ଞାନର ଉଦ୍ଦେଶ୍ୟ ସତ୍ୟ ପ୍ରଚାର, ମୁଁ ଯାହା ସ୍ଥିର ସତ୍ୟ ବୋଲି ଜାଣେ, ଯାହା ଅଛି ଓ ହେବ ବୋଲି ମୋର ବିଶ୍ୱାସ, ଯାହାର ସତ୍ତା ମୋ ନିକଟରେ ସ୍ପଷ୍ଟ ପ୍ରତୀୟମାନ, ତାହାହିଁ ମୋର ଜ୍ଞାନ ଓ ତାହାର ପ୍ରଚାରହିଁ ମୋର କର୍ତ୍ତବ୍ୟ । ଏହି ଜ୍ଞାନପ୍ରଚାର ମୁଁ ବିଜ୍ଞାନ, ଦର୍ଶନ ଓ ଇତିବୃତ୍ତ ମଧ୍ୟ ଦେଇ ସୁସାଧିତ କରି ପାରେଁ । ଏଠାରେ ସାହିତ୍ୟର ସ୍ଥାନ କେଉଁ ଠାରେ ? ମନୁଷ୍ୟର ଜ୍ଞାନର ଅଳ୍ପତା ଓ ତାହା ମଧ୍ୟରେ ଅନୁବେଦନା ଓ ଅନୁଭବ ଶକ୍ତି ରେହିଁ ସାହିତ୍ୟର ଉତ୍‌ପତ୍ତି । ମନୁଷ୍ୟ ପ୍ରଥମ ଅବସ୍ଥାରେ ନିଜର ଜ୍ଞାନର ପ୍ରାଖର୍ଯ୍ୟରେ କିଛି ସମୟ ଅଭିଭୂତ ଥାଇପାରେ, କିନ୍ତୁ ଏପରି ସମୟ ଆସେ, ଯେତେବେଳେ ସେ ଭାବିବେ ଯେ, ଜ୍ଞାନଦ୍ୱାରା ପୃଥିବୀର ପରିମାପ କରିବା ଅସମ୍ଭବ । ଯତିର କଠୋର ସନ୍ନ୍ୟାସ ବ୍ରତ ବାଳିକାର ମଧୁର କଥାଲହରୀ ମଧ୍ୟରେ ବିଲୋପ ପାଇଥାଏ, ବୈଦାନ୍ତିକର ‘‘କା ତବ କାନ୍ତା କସ୍ତେ ପୁତ୍ରଃ’’ ପ୍ରିୟଜନର ମୃତ୍ୟୁଶଯ୍ୟାରେ ନୀରବ ହୋଇ ହୃଦୟର ଏକ ବିରାଟ ବ୍ୟାକୁଳତା ମଧ୍ୟରେ ଲୟପାଏ, କର୍ମବୀରର ଅଟଳ ପ୍ରତିଜ୍ଞା ଅନ୍ୟର ଦୈନ୍ୟ ଦେଖି କ୍ଷଣକେ ଲୋପ ପାଇଯାଏ । ମନୁଷ୍ୟ ତେତେବେଳେ ଭାବେ ଯେ, କେବଳ ଜ୍ଞାନଦ୍ୱାରା ନିଜର ଚିତ୍ତବୃତ୍ତିକୁ ରୁଦ୍ଧ ରଖି କର୍ମମାର୍ଗରେ ଅଗ୍ରସର ହେବା ଅସମ୍ଭବ, ଜୀବନର ଶୋକସନ୍ତାପ ସମ୍ମୁଖରେ ତର୍କଶାସ୍ତ୍ରର ସମସ୍ତ ଅସାରତା ମୁହୂର୍ତ୍ତ ମଧ୍ୟରେ ଉପଲବ୍ଧି କରି ମନୁଷ୍ୟ ହୃଦୟର ବ୍ୟାକୁଳତା ଦ୍ୱାରା,ସମବେଦନାର ମୋହ ଦ୍ୱାରା ଜଗତକୁ ଦେଖିବାକୁ ଚେଷ୍ଟା କରେ । ମନୁଷ୍ୟର ଯେ ଗୋଟାଏ ହୃଦୟ ଅଛି, ସେହି ହୃଦୟ ଉପରେ ଯେ ସଂସାରର ନାନାଦୁଃଖ,କଷ୍ଟ, ଆବେଗ, ଆନନ୍ଦର ତରଙ୍ଗ ପ୍ରବାହିତ ହୋଇ ପ୍ରତିକ୍ଷଣରେ ତାହାକୁ ଉଦ୍ବେଳିତ କରେ; ପ୍ରୀତି, ଆନନ୍ଦ, ଭକ୍ତି, ବିଶ୍ୱାସ ଏଗୁଡ଼ିକ ଯେ ମନୁଷ୍ୟକୁ ତାହାର ଜୀବନର ପ୍ରତିକ୍ଷଣର ନିୟନ୍ତ୍ରିତ କରେ ଓ ତାହାର ଜ୍ଞାନବୃତ୍ତି ଉପରେ ନିଜ ନିଜର ଆଧିପତ୍ୟ ବିସ୍ତାର କରେ, ଏହି ଚିନ୍ତା ତେତେ ବେଳେ ମନୁଷ୍ୟକୁ ଜୀବନମାର୍ଗରେ ପରିଚାଳିତ କରେ ଓ ଏହି ଚିନ୍ତାଦ୍ୱାରା ଅଭିଭୂତ ହୋଇ ମନୁଷ୍ୟ ଯେତେବେଳେ ଅପରକୁ ନିଜର ହୃଦୟରାଜ୍ୟର ଗୁପ୍ତ କଥାମାନ କହିଦିଏ, ସମବେଦନାରେ ଅଭିଭୂତ ହୋଇ ଯେତେବେଳେ ସେ ଅନ୍ୟକୁ ନିଜର ହୃଦୟର ଏକ ଅଂଶରେ ପ୍ରତିଷ୍ଠା କରିବାକୁ ସଚେଷ୍ଟ ହୁଏ, ତେତେବେଳେ ସାହିତ୍ୟର ଉତ୍‍ପତ୍ତି ସାଧିତ ହୁଏ ।

 

କିନ୍ତୁ ଏଥିଯୋଗୁଁ ସତ୍ୟ ସହିତ ସାହିତ୍ୟର ସମ୍ବନ୍ଧ ବିଲୁପ୍ତ ହୁଏ ନାହିଁ । ଦର୍ଶନର ନିରାଲମ୍ୱ କଠୋର ନୀରସ ସତ୍ୟ ସ୍ଥାନରେ ସାହିତ୍ୟ ନୂତନ ସତ୍ୟ ପ୍ରତିଷ୍ଠା କରେ, ବିଜ୍ଞାନର ଖଣ୍ଡଜ୍ଞାନ ଓ ବସ୍ତୁତନ୍ତ୍ର ଉପରେ ସାହିତ୍ୟ ମାନବଜୀବନର ପୂର୍ଣ୍ଣ ଜ୍ଞାନ ଓ ମାନବାତ୍ମା ସହିତ ପାର୍ଥିବ ପଦାର୍ଥର ସମ୍ୱନ୍ଧ ନିରୂପଣରେ ସଚେଷ୍ଟ ହୁଏ, ଇତିହାସର ସ୍ଥାନ-କାଳ-ନିବଦ୍ଧ ଘଟନାସମାବେଶ ସ୍ଥାନରେ ସାହିତ୍ୟ ମନୁଷ୍ୟଜୀବନର ଚିରନ୍ତନ ଇତିହାସ ପ୍ରତିଷ୍ଠାରେ ବ୍ରତୀ ହୁଏ । ଗୋଟିଏ ପଦାର୍ଥର ସତ୍ତା ଦୁଇ ଭାବରେ ଉପଲବ୍ଧି କରାଯାଇ ପାରେ । ଗୋଟିଏ ଫୁଲ ଫୁଟିଅଛି । ଆମ୍ଭେମାନେ ସେହି ଫୁଲକୁ ସତ୍ୟ ବୋଲିଧରି ତାହାର ଅଂଶଗୁଡ଼ିକର ସମ୍ୟକ୍‌ ବିଚ୍ଛେଦ କରି ତାହାର ଉପାଦାନମାନଙ୍କର ବିଚାର କରି ପାରୁଁ, ଅଥବା ଯନ୍ତ୍ର ସାହାଯ୍ୟରେ ତାହାର ବୃଦ୍ଧି ଇତ୍ୟାଦିର ମାପ ନେଇ ତାହାର ଇତିହାସ ରଚନା କରି ପାରୁଁ, ଅଥବା ଫୁଲଟିର ରୂପ ଓ ତାହାର ଅତୀତ ଓ ଭବିଷ୍ୟତ୍‌ ସ୍ୱରୂପ ନିର୍ଣ୍ଣୟ କରି ତାହାର ପ୍ରକୃତ ସତ୍ତା ନିରୂପଣ କରି ପାର୍ଥିବ ପଦାର୍ଥ ସଙ୍ଗରେ ତାହାର ସମ୍ୱନ୍ଧ ନିରୂପଣ କରିପାରୁଁ । କିନ୍ତୁ ଫୁଲଟିଏ ଦେଖିଲେ ଆମ୍ଭେମାନେ ସ୍ୱତଃ କହିଥାଉଁ ‘ଆହା ! କି ସୁନ୍ଦର ଫୁଲଟିଏ !’ ଅର୍ଥାତ୍‌ ଫୁଲଟିକୁ ଦେଖିବା ସଙ୍ଗେ ସଙ୍ଗେ ଆମ୍ଭମାନଙ୍କ ମନରେ ଏକ ଅପୂର୍ବ ଆନନ୍ଦର ସୃଷ୍ଟି ହୁଏ, ଆମ୍ଭମାନଙ୍କ ହୃଦୟରେ ଏକ ନୂତନ ଭାବର ଆବିର୍ଭାବ ହୁଏ, ଫୁଲଟିର ଭୂତ ଭବିଷ୍ୟତ୍‌ ଆଲୋଚନା ନ କରି ଆମ୍ଭେମାନେ ତାହାର ବର୍ତ୍ତମାନ ଅବସ୍ଥାରେ ହୃଦୟରେ ଅନୁବେଦନା ଅନୁଭବ କରି ଫୁଲର ପ୍ରସ୍ଫୁଟନରେ ବିମଳ ଆନନ୍ଦ ଲାଭ କରୁଁ । ଏହି ଆନନ୍ଦକୁ, ଏହି ଭାବକୁ ଭାଷା ମଧ୍ୟ ଦେଇ ଲୋକସମାଜରେ ପ୍ରଚାର କରିବାହିଁ ପ୍ରକୃତ ସାହିତ୍ୟ ଓ ମନୁଷ୍ୟ ପକ୍ଷରେ ସେହି ଆନନ୍ଦ ଚରମ ସତ୍ୟ । ପୁଣି ଯେତେବେଳେ ସେହି ଫୁଲଟି ମଉଳି ଯିବ ତେତେବେଳେ ହୃଦୟ ମଧ୍ୟରେ ସମବେଦନାଜନିତ ଯେଉଁ କ୍ଷୋଭ ଜାତ ହେବ, ତାହାହିଁ ଆମ୍ଭମାନଙ୍କ ପକ୍ଷରେ ଭୂପତିତ ଫୁଲର ଏକମାତ୍ର ସତ୍ୟ । ଜଗତରେ ଫୁଲଟିଏ ଅଛି ଓ ମୁଁ ଅଛି, ମୋର ହୃଦୟ ଅଛି ଓ ଏହି ହୃଦୟ ଉପରେ ଫୁଲର ଅବସ୍ଥା ବିପର୍ଯୟର ସମସ୍ତ ଅନୁଭୂତିଗୁଡ଼ିକ ଅଙ୍କିତ ହେଉଅଛି–ଏହାହିଁ ମୋ ପକ୍ଷରେ ସତ୍ୟ ଓ ଏହି ସତ୍ୟର ପ୍ରଚାର ସାହିତ୍ୟ ମଧ୍ୟ ଦେଇ ସମ୍ଭବ । ମୋର ଅନୁଭୂତିର ଭାଷାହିଁ ସାହିତ୍ୟର ଭାଷା, ମୋର ହୃଦୟର ସୁଖ ଦୁଃଖର ସମସ୍ତ ତରଙ୍ଗହିଁ ସାହିତ୍ୟର ଉପାଦାନ ।

 

ଏଣୁ ସାହିତ୍ୟ ମଧ୍ୟରେ କଳ୍ପନାର ପ୍ରୟୋଜନ । ବିଜ୍ଞାନ, ଦର୍ଶନ, ଇତିହାସ ଏଗୁଡ଼ିକରେ କଳ୍ପନା ନାହିଁ । ସେଗୁଡ଼ିକ ଯେଉଁ ସତ୍ୟ ପ୍ରଚାର କରନ୍ତି, ସେଗୁଡ଼ିକ ସ୍ଥାୟୀ ସତ୍ୟ ନୁହେ, ଅଳ୍ପକାଳ ଓ ଅଳ୍ପ ସ୍ଥାନ ମଧ୍ୟରେ ତାହାର ସତ୍ୟତା ସମ୍ଭବ, ଏଣୁ ସେଗୁଡ଼ିକର ଯଥାଯଥ ବିନ୍ୟାସ ଆବଶ୍ୟକ । ଗୋଟାଏ ପାହାଡ଼ରେ ଦାର୍ଶନିକ, ବୈଜ୍ଞାନିକମାନେ ଯେଉଁ ସତ୍ୟ ଉପଲବି କରିବେ, ସେଥିନିମନ୍ତେ ସେମାନଙ୍କର ସେହି ପାହାଡ଼ଟି ଆବଶ୍ୟକ । କଳ୍ପନା ବଳରେ ନୂତନ ପାହାଡ଼ର ସୃଷ୍ଟି କଲେ ତାହା ମଧ୍ୟରୁ ସେମାନେ ସତ୍ୟ ଗ୍ରହଣ କରିବାକୁ ଅକ୍ଷମ । କିନ୍ତୁ କବି ପକ୍ଷରେ ପାହାଡ଼ଟିର ସତ୍ତା ତାହାର ହୃଦୟରେ ପ୍ରତିଫଳିତ ପାହାଡ଼ର ବିରାଟତାରେ, ତାହାର ଅନ୍ତର ମଧ୍ୟରେ ଅନୁଭୂତ ପାହାଡ଼ର ଗୁରୁଗାମ୍ଭୀର୍ଯ୍ୟରେ । ଏଣୁ କବି ପକ୍ଷରେ ପାହାଡ଼ର ବିଶେଷ କୌଣସି ସତ୍ତା ଭିନ୍ନ ଏପରି ଏକ ମହନୀୟ ସତ୍ତା ଅଛି, ଯାହା ତାହାର ରୂପ ରସ ଗନ୍ଧ ଇତ୍ୟାଦି ବର୍ଜିତ ହୋଇ କବିର କଳ୍ପନା ମଧ୍ୟରେ ବିରାଜମାନ । ଏଣୁ କବି ଯେତେବେଳେ ପାହାଡ଼ର ବର୍ଣ୍ଣନା କରେ, ତେତେବେଳେ ସେ ଅପ୍ରତ୍ୟକ୍ଷ ଭାବରେ ନିଜର ଅନୁଭୂତିର ବର୍ଣ୍ଣନା ଦିଏ, କୌଣସି ବିଶେଷ ପାହାଡ଼ର ବୈଜ୍ଞାନିକ ବର୍ଣ୍ଣନା ଦେବା ତାହାର ଉଦ୍ଦେଶ୍ୟ ନୁହେ । ଏଣୁ ଅରୂପକୁ ରୂପ ଦେବାକୁ କେବଳ ସାହିତ୍ୟିକ ସମର୍ଥ-। ମହାଯାତ୍ରାର ଦେବସଭା, ହିମାଳୟରେ ଉଦୟୋତ୍ସବ, ବିଶ୍ୱଦୂତର କର୍ମବ୍ରତ ଗ୍ରହଣ, ବିକ୍ରମାଦିତ୍ୟଙ୍କ ଅପାର୍ଥିବ ପ୍ରାସାଦ ବର୍ଣ୍ଣନା କେବଳ କବି ପକ୍ଷରେହିଁ ସମ୍ଭବ । କାରଣ କଳ୍ପନା ଏଗୁଡ଼ିକର ପ୍ରଧାନ ଉପାଦାନ ଓ ଅବଲମ୍ୱନ, ନିଜର ହୃଦୟର ଅନୁଭୂତିକୁ ମୂର୍ତ୍ତି ପ୍ରଦାନ କରି ଲୋକ ମଧ୍ୟରେ ପ୍ରଚାର କରିବା ଏମାନଙ୍କର ଉଦ୍ଦେଶ୍ୟ; ନିଜର ଅନ୍ତଃକରଣର ତରଙ୍ଗଗୁଡ଼ିକୁ ସ୍ୱରୂପ ପ୍ରଦାନ କରି ଲୋକକୁ ମୁଗ୍ଧ ଓ ଉଦ୍ଦୀପିତ କରିବା ଏଗୁଡ଼ିକର ଚେଷ୍ଟା ।

 

ସାହିତ୍ୟରେ କବି ହୃଦୟର ଏହି ପ୍ରାଧାନ୍ୟ ଥିବାରୁ, କବିର କଳ୍ପନା ଓ ଅନୁଭୂତି ଏଥିରେ ମୂର୍ତ୍ତି ଗ୍ରହଣ କରିଥିବାରୁ, କବି ଜଗତ୍ ସହିତ ସମବେଦନା ଦ୍ୱାରା ଅନୁପ୍ରାଣିତ ହୋଇଥିବାରୁ ସାହିତ୍ୟ ଏକ ପକ୍ଷରେ ଜୀବନସମସ୍ୟାର ସମାଲୋଚନା । ସଂସାରରେ ଯେତେପ୍ରକାର କ୍ଳେଶ ଯାତନା ମନୁଷ୍ୟର ଜୀବନକୁ ଶୋକମୟ କରିଦିଏ, ମୃତ୍ୟୁର ବିଭୀଷିକା ମନୁଷ୍ୟର ହୃଦୟକୁ ଯେପରି ଭାବରେ ଆଲୋଡ଼ିତ କରେ, ମୃତ୍ୟୁଶଯ୍ୟା ନିକଟରେ ବନ୍ଧୁବାନ୍ଧବମାନଙ୍କର ଯେତେପ୍ରକାର ଗଭୀର ଦୁଃଖ, ଆସନ୍ନ ଚିରବିରହର ଯେପରି ଅନ୍ଧକାରମୟ ଚିତ୍ର ହୃଦୟରେ ଉଦିତ ହୁଏ, ଧର୍ମର ବିନାଶ ସତ୍ୟର ପରାଜୟ ଓ ଅଧର୍ମର ଅସତ୍ୟର ଐହିକ ସୁଖ ଲାଭରେ ମନୁଷ୍ୟ ମନରେ ଯେ ବିରାଟ ନୈରାଶ୍ୟ ଓ ଈଶ୍ୱରଙ୍କ ସୃଷ୍ଟି ଉପରେ ବିତୃଷ୍ଣା ଜାତ ହୁଏ, ପୁଣି ଅପର ପକ୍ଷରେ ପ୍ରେମିକ ଯୁଗଳର ନାନା ଦୁଃଖ କଷ୍ଟ ପରେ ମିଳନରେ ଯେଉଁ ବିମଳ ଆନନ୍ଦ, ଧାର୍ମିକର ପାର୍ଥିବ ସଂଗ୍ରାମରେ ଜୟରେ ଲୋକମାନଙ୍କର ଯେଉଁ ଆଶ୍ୱାସ, କୃତକାର୍ଯ୍ୟର ପୁରସ୍କାର ଲାଭରେ ମନୁଷ୍ୟ ମନରେ ଯେଉଁ ଉଚ୍ଚାଶା ଓ କର୍ମପ୍ରବୃତ୍ତି ରୋପିତ ହୁଏ ସେଗୁଡ଼ିକ ସାଧାରଣ ମନୁଷ୍ୟର ହୃଦୟକୁ ଅତି ତୀକ୍ଷ୍‍ଣଭାବରେ ଆଲୋଡ଼ିତ କରେ, ସାହିତ୍ୟିକ ମଧ୍ୟ ସେ ସମୁଦାୟ ଦ୍ୱାରା ଅଭିଭୂତ ହୁଏ ଓ ସାହିତ୍ୟରେ ଏ ସମୁଦାୟ ଭାବ ବିଶେଷ ଭାବରେ ସ୍ଥାନ ପାଏ । କାରଣ ମନୁଷ୍ୟର ଜୀବନ ଏହି ସବୁ ଉପାଦାନ ଦ୍ୱାରା ଗ୍ରଥିତ, ମନୁଷ୍ୟର ହୃଦୟତନ୍ତ୍ରୀ ଏ ସମୁଦୟ ଭାବର ଉଚ୍ଛ୍ୱାସରେ ଶବ୍ଦାୟମାନ, ତାହାର ଦୈନନ୍ଦିନ କାର୍ଯ୍ୟର ସମସ୍ତ ଅଂଶ ଏହାଦ୍ୱାରା ନିୟନ୍ତ୍ରିତ । ଏଣୁ କବି ଯେତେବେଳେ ନିଜର ହୃଦୟର ଅନୁଭୂତିକୁ ମୂର୍ତ୍ତି ପ୍ରଦାନର ଚେଷ୍ଟା କରେ, ତେତେବେଳେ ସେ ବାଧ୍ୟ ହୋଇ ନିଜର କବିତା ମଧ୍ୟରେ ଏହି ଭାବରାଶିର ପ୍ରକଟନ କରିଥାଏ, ମାନବ ଜୀବନକୁ ସ୍ପର୍ଶ କରିବାକୁ ଯାଇ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟର ଅନୁଭୂତିକୁ ଉପାଦାନସ୍ୱରୂପ ଗ୍ରହଣ କରି ସେ ସ୍ୱତଃ ଏହି ସମୁଦାୟ ଭାବକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରେ ଓ ମନୁଷ୍ୟ ସମାଜରେ ନିଜର ଅନୁଭୂତିସମୁଦାୟ ପ୍ରଚାର କରିବା ସମୟରେ ମନୁଷ୍ୟ ଜୀବନର ଆଲୋଚନା କରିବାକୁ ଚେଷ୍ଟା କରେ । ଏଣୁ ସାହିତ୍ୟ ମନୁଷ୍ୟ ଜୀବନର ସମାଲୋଚନା ମାତ୍ର ଓ ତାହାର ଉପାଦାନ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟାବଳୀର ଅନୁଭୂତି । ମନୁଷ୍ୟର ଦୁଃଖ ମଧ୍ୟରେ ସାନ୍ତ୍ୱନା ପ୍ରଦାନ, ମନୁଷ୍ୟ ଜୀବନର ମହତ୍ତ୍ୱ ସ୍ମରଣ କରାଇ ଦେଇ ମନୁଷ୍ୟକୁ କାର୍ଯ୍ୟରେ ବ୍ରତୀ କରାଇବାର ଚେଷ୍ଟା, ନିଜର ଦେଶର ଅବସ୍ଥାର ଚିତ୍ର ଦେଇ ସାମ୍ୟବାଦର ପ୍ରଚାର, ସମାଜର ବୀଭତ୍ସ ରୀତିଗୁଡ଼ିକର କୁଫଳ ବିବୃତ କରି ସେଗୁଡ଼ିକର ସଂଶୋଧନର ଉପାୟ ନିର୍ଦେଶ,–ଏକ କଥାରେ ମନୁଷ୍ୟକୁ ତାହାର ଜୀବନଯାପନରେ ସାହାଯ୍ୟ କରିବା, ତାହାର ମନରେ ଶକ୍ତି ଦେଇ ତାକୁ ସଂସାରର ପ୍ରବଳ ବାଧାବିଘ୍ନ ମଧ୍ୟ ଦେଇ ସ୍ଥିରଭାବରେ ଘେନିଯିବା–ଏହାହିଁ ସାହିତ୍ୟର କାର୍ଯ୍ୟ ଓ ଏହି କାର୍ଯ୍ୟ ହେତୁରୁହିଁ ମନୁଷ୍ୟ ଜୀବନରେ ସାହିତ୍ୟର ପ୍ରୟୋଜନ । ନିରାଲମ୍ୱ ଦର୍ଶନ ଗ୍ରନ୍ଥରେ ଏସବୁ ପ୍ରଶ୍ନର ଯେ ମୀମାଂସା ହୁଏ ନାହିଁ, ତାହା ନୁହେ; କିନ୍ତୁ ତାହା ସାଧାରଣ ମନୁଷ୍ୟର ହୃଦୟକୁ ସ୍ପର୍ଶ କରିବାକୁ ଅସମର୍ଥ; ଏଣୁ ସାହିତ୍ୟର ରସାଳ କଳ୍ପନା ଓ ମୂର୍ତ୍ତି ବର୍ଣ୍ଣନାର ପ୍ରୟୋଜନ । ମାନବସାଧାରଣର ଦୈନନ୍ଦିନ ଜୀବନର ଅନୁଭୂତିହିଁ ସାହିତ୍ୟର ଉପାଦାନ, ତାହାର ଚିତ୍ର ଦେଇ ମନୁଷ୍ୟକୁ ଯୁଗପତ୍‌ ଆନନ୍ଦ ଓ ଶିକ୍ଷାପ୍ରଦାନହିଁ ସାହିତ୍ୟର କାର୍ଯ୍ୟ ।

 

ଏହି ଉପାଦାନର ପ୍ରକାଶ ସାହିତ୍ୟ କିପରି ଭାବରେ କରିବାକୁ ସମର୍ଥ ହୁଏ ? କବି ଯେତେବେଳେ ମନୁଷ୍ୟର ଦୈନନ୍ଦିନ ଜୀବନର ଅନୁଭୂତିରେ ଅଭିଭୂତ ହୋଇପଡ଼େ ଓ ନିଜର ହୃଦୟର ଭାବଗୁଡ଼ିକ ଜଗତ୍‌ ସମକ୍ଷରେ ସାହିତ୍ୟ ଆକାରରେ ପ୍ରକାଶ କରିବାକୁ ଚେଷ୍ଟା କରେ, ତେତେବେଳେ ତାହାକୁ କେତେଗୁଡ଼ିଏ ନିୟମର ଅଧୀନ ହେବାକୁ ହୁଏ । ଏଣୁ ସାହିତ୍ୟର ଅଭିବ୍ୟକ୍ତିରେ ନିୟମର ପ୍ରୟୋଜନ । କଳାର ବିଶେଷତ୍ୱ ଏହିଠାରେ । ଜ୍ଞାନର ସାଧାରଣ ପ୍ରଚାର ସମସ୍ତ ପୁସ୍ତକର ଲକ୍ଷ୍ୟ, ଜ୍ଞାନକୁ ମନୁଷ୍ୟ ସମାଜରେ ପରିଚିତ କରିବା ସମସ୍ତ ଗ୍ରନ୍ଥକର୍ତ୍ତାଙ୍କର ଉଦ୍ଦେଶ୍ୟ, କିନ୍ତୁ ଅରୂପକୁ ରୂପଦେଇ ଆନନ୍ଦର ସୃଷ୍ଟି, ଅମୂର୍ତ୍ତ ଅନୁଭୂତିକୁ ମୂର୍ତ୍ତି ପ୍ରଦାନକରି ଅନ୍ୟର ହୃଦୟରେ ଅନୁବେଦନା ଜାତ କରିବାର ପ୍ରୟାସ, ଏହା କେବଳ ସାହିତ୍ୟରେ ସମ୍ଭବ । ଦରିଦ୍ରର ଦୁଃଖ ଦେଖି କବି ହୃଦୟରେ ସମବେଦନା ଜାତ ହେଲା, ଏହି ସମବେଦନାର ଅଭିବ୍ୟକ୍ତିକୁ ଅପରର ହୃଦୟସ୍ପର୍ଶୀ ଭାବରେ, ଲୋକସାଧାରଣର ଗ୍ରହଣୀୟଭାବରେ ପ୍ରଚାର କରିବାକୁ ହେଲେ ସାହିତ୍ୟିକ କଳାକୁ କେତେକ ବିଶେଷ ରୂପର ଆଶ୍ରୟ ଗ୍ରହଣ କରିବାକୁ ହୁଏ । କାରଣ ମନୁଷ୍ୟର ଆନନ୍ଦ ନିୟମର ବଶବର୍ତ୍ତିତାରେ । ଯେଉଁ ସଙ୍ଗୀତର ପ୍ରତ୍ୟେକ ସ୍ୱର ଏକ ଅପର ସହିତ ନିୟମିତ ଭାବରେ ସମ୍ୱନ୍ଧ ହୋଇ ଐକ୍ୟର ସୃଷ୍ଟି କରେ, ଯେଉଁ ବାଦ୍ୟରେ ପ୍ରତ୍ୟେକ ଯନ୍ତ୍ରର ରୋଳ, ପ୍ରତ୍ୟେକ ଶବ୍ଦର ବୈଚିତ୍ର୍ୟ ଲୁପ୍ତ ହୋଇ ଏକ ସାମ୍ୟରେ ପରିଣତ ହୋଇ ଏକ ତାନର ଆଭାସ ଦିଏ, କେବଳ ତାହାହିଁ ମନୁଷ୍ୟର ଆନନ୍ଦ ଉତ୍ପାଦନର ସମର୍ଥ । ଏଣୁ ସାହିତ୍ୟ ମଧ୍ୟରେ କବିର ଅନୁଭୂତିକୁ ଜଗତ୍ ସମକ୍ଷରେ ପ୍ରକାଶ କରିବାର ପ୍ରୟାସରେ ସଂଯମ, ନିୟମାନୁବର୍ତ୍ତିତା ଓ ପ୍ରତ୍ୟେକର ବିକାଶରେ ପରସ୍ପରର ଅପେକ୍ଷା ଇତ୍ୟାଦିର ପ୍ରୟୋଜନ । କିନ୍ତୁ କଳାର ନିୟମ ବିଜ୍ଞାନ ଅଥବା ଗଣିତର ନିୟମରୁ ଯଥେଷ୍ଟ ପୃଥକ୍‌ । କବିର ହୃଦୟରେ ଯେଉଁ ଭାବର ଆନ୍ଦୋଳନ ଉପସ୍ଥିତ, ସାହିତ୍ୟ ତାହାର ଭାଷା; କବିର ଅନ୍ତଃକରଣରେ ଯେଉଁ ସମୁଦାୟ ଅନୁଭୂତିର ଉଦ୍ଦାମ ଆବେଗ ଉଦ୍ଭୂତ, ସାହିତ୍ୟ ତାହାରି ନିଦର୍ଶନ । ଏହି ଭାବର ପ୍ରବାହ ନଦୀର ଗତିତୁଲ୍ୟ କେଉଁଠାରେ କ୍ଷିପ୍ର, କେଉଁଠାରେ ମନ୍ଦ; କେଉଁଠାରେ ସ୍ୱଳ୍ପବେଗ ଓ ଗମ୍ଭୀର, କେଉଁଠାରେ ଅବା ସ୍ୱଚ୍ଛ ଓ କଳକଳନାଦୀ; କବି ହୃଦୟର ଅନୁଭୂତିର ଆନ୍ଦୋଳନ ସମୁଦ୍ର ବକ୍ଷର ତରଙ୍ଗରାଜି ପରି–କେଉଁଟି ଆବେଗରେ ଫେନିଳ, କେଉଁଟି ଉଚ୍ଚ, କେଉଁଟି ନୀଚ, କେଉଁଟି ପ୍ରଚଣ୍ଡ ଅଥବା କେଉଁଟି ମୃଦୁ; କବିର ଅନ୍ତଃକରଣର ଆବେଗ ବାୟୁର ସ୍ରୋତ ପରି କେଉଁ ଠାରେ ଆବେଗର ଆତିଶଯ୍ୟରେ ପ୍ରଭଞ୍ଜନର ବିକଟ ତାଣ୍ଡବ କେଉଁଠାରେ ବା ସତ୍ୟର ଉପଲବ୍ଧିରେ ବସନ୍ତର ମୃଦୁ ହିଲ୍ଲୋଳ ପ୍ରବହମାନ । ନଦୀର ପ୍ରବାହରେ ଯେପରି ନିୟମାନୁବର୍ତ୍ତିତାର ଅଭାବ, ସମୁଦ୍ରର ତରଙ୍ଗରେ ଯେପରି ଅନୈକ୍ୟର ପ୍ରାଦୁର୍ଭାବ, ବାୟୁର ସ୍ରୋତରେ ଯେପରି ବୈଚିତ୍ର୍ୟର ସମାବେଶ, କବିର କାବ୍ୟରେ ମଧ୍ୟ ସେହିପରି ନାନାଭାବ, ନାନା ବୈଚିତ୍ର୍ୟ, ନାନା ବିଶେଷତ୍ୱ ସ୍ଥାନ ପାଇବା ସ୍ୱାଭାବିକ । କିନ୍ତୁ ନଦୀର ପ୍ରବାହର ଐକ୍ୟ ଅଛି; ନଦୀର ପୂର୍ଣ୍ଣଦୃଷ୍ଟିରେ, ସମୁଦ୍ରର ସମ୍ପୂର୍ଣ୍ଣ ଅନୁଭୂତିରେ ଈଶ୍ୱରଙ୍କର ନିୟମ ସ୍ପଷ୍ଟ ପ୍ରତୀୟମାନ । ସମୁଦ୍ର ଦେଖି ଯେତେବେଳେ ଆମ୍ଭେମାନେ ଘରକୁ ଫେରୁଁ, ତେତେବେଳେ ପ୍ରତ୍ୟେକ ତରଙ୍ଗର ବୈଚିତ୍ର୍ୟ ଲୁପ୍ତ ହୋଇ ମନରେ ଅନନ୍ତ ବିରାଟ ନୀଳିମାର ସୃଷ୍ଟି ହୁଏ ନାହିଁକି ? ଏହି ଯେ ଅନୈକ୍ୟ ମଧ୍ୟରେ ଏକର ସୃଷ୍ଟି, ଏହାହିଁ କାବ୍ୟର ପରମ ଅଭିବ୍ୟକ୍ତିର ଚରମ ଲକ୍ଷ୍ୟ; ଏହାହିଁ କବିର ନିୟମାନୁବର୍ତ୍ତିତା । ଏଣୁ କୌଣସି ସାହିତ୍ୟରେ ନିୟମର ପରିଚୟ ଖଣ୍ଡଦୃଷ୍ଟି ଦ୍ୱାରା ପାଇବା ଅସମ୍ଭବ । କବିକୁ ସମ୍ପୂର୍ଣ୍ଣଭାବରେ ଦେଖିବାକୁ ହେବ, କାବ୍ୟକୁ କବିହୃଦୟର ତରଙ୍ଗରାଜିସଙ୍କୁଳ ବିରାଟ ସମୁଦର ଛବିସ୍ୱରୂପ ଦେଖିବାକୁ ହେବ, ତେବେ ଯାଇଁ ତାହାର ପ୍ରକୃତ ଆସ୍ୱାଦ ସମ୍ଭବ । ପ୍ରତ୍ୟେକ କାବ୍ୟରେ ନୂତନ ନୂତନ ରୀତି ଅନୁସୃତ ହେବା ସ୍ୱାଭାବିକ । ପ୍ରତ୍ୟେକ ଗ୍ରନ୍ଥରେ କବି ନୂତନ ଛନ୍ଦରେ, ନୂତନ ରାଗିଣୀରେ ନିଜର ଅନୁଭୂତିକୁ ଜଗତ୍‌ ସମକ୍ଷରେ ପ୍ରଚାର କରିବାକୁ ପ୍ରୟାସ କରୁଅଛନ୍ତି । ଗୋଟିଏ ପୁସ୍ତକରେ ଯେଉଁ ରୀତି ଅବଲମ୍ୱିତ ହୋଇଅଛି ତାହା ଅନ୍ୟପୁସ୍ତକରେ ନାହିଁ । କିନ୍ତୁ ସମସ୍ତଙ୍କର ଉଦ୍ଦେଶ୍ୟ ଆନନ୍ଦପ୍ରଦାନ, ଚିରସ୍ଥାୟୀ ଆନନ୍ଦର ସୃଷ୍ଟିରେ, ଅନୈକ୍ୟ ମଧ୍ୟରେ ଏକର ପ୍ରଚାରରେ ସେ ସମୁଦାୟର ସାଫଲ୍ୟ ଓ ସେଥିରେ ହିଁ ସାହିତ୍ୟର ପୂର୍ଣ୍ଣ ଅଭିବ୍ୟକ୍ତି ।

 

ଏହା ଭିନ୍ନ ସାହିତ୍ୟର ଏକ ବାହ୍ୟ ଅଭିବ୍ୟକ୍ତି ଅଛି । ଅରୂପକୁ ରୂପ ପ୍ରଦାନ କରିବାରେ ସାହିତ୍ୟ ବ୍ରତୀ । କିନ୍ତୁ ଏହି ଅନୁଭୂତିର ମୂର୍ତ୍ତି ଗଠନରେ ସାହିତ୍ୟ ଭିନ୍ନ ଭିନ୍ନ ଦିଗରେ ପରିଚାଳିତ ହୁଏ । କବିତା ମଧ୍ୟରେ କବିର ଆତ୍ମକଥା ମଧ୍ୟ ଦେଇ, ନାଟକର ପ୍ରତ୍ୟେକ ଅଭିନେତାର କଥା ମଧ୍ୟ ଦେଇ କବି ଏହି ଅରୂପକୁ ରୂପ ପ୍ରଦାନ କରିବାକୁ ସଚେଷ୍ଟ । ବସ୍ତୁତଃ ଏହି କାରଣରୁ ଐତିହାସିକ ଉପନ୍ୟାସ ଇତିହାସ ନୁହେ–ତାହା ଉପନ୍ୟାସ ମାତ୍ର; ଧର୍ମମୂଳକ ନାଟକ ଧର୍ମ ନୁହେ–ତାହା ନାଟକ ମାତ୍ର । କାରଣ ଏହିପ୍ରକାର ଉପନ୍ୟାସ ବା ନାଟକରେ ସତ୍ୟର ବାହ୍ୟ ଆଭାସ ପ୍ରଦତ୍ତ ହୁଏ ନାହିଁ । ଏହି ସତ୍ୟ କବିର ହୃଦୟରେ ଯେଉଁ ତରଙ୍ଗର ସୃଷ୍ଟି କରେ, ତାହାର ଅନ୍ତଃକରଣରେ ଯେଉଁ ଅନୁଭୂତି ଜାଗ୍ରତ କରେ, ତାହାରି ଛବି ସେଥିରେ ଥାଏ । ଏହି କାରଣରୁ କାଞ୍ଚିକାବେରୀ କାଞ୍ଚି ଯୁଦ୍ଧର ଇତିହାସ ନୁହେ, କବି ହୃଦୟରେ ଉତ୍କଳର ପୁରାତନ ଗୌରବ କଥା ଯେଉଁ ପ୍ରଭାବ ବିସ୍ତାର କରିଅଛି, ଏହା ତାହାରି ମୂର୍ତ୍ତ ଚିତ୍ର । ଲଛମା, ଚୈତନ୍ୟ ଲୀଳା ମଧ୍ୟ ସେହି ସତ୍ୟର ଅନୁଭୂତିର ପରିଚାୟକ । ବାସ୍ତବ ସାହିତ୍ୟ ନାମରେ ଆଜି ଯାହା ପରିଚିତ, ସେ ସମୁଦାୟ ବାହ୍ୟ ଆକାରରେ ବାସ୍ତବ ହେଲେହେଁ ପ୍ରକୃତ ପ୍ରସ୍ତାବରେ ରୂପକ ମାତ୍ର ।

 

ସାହିତ୍ୟର ବାହ୍ୟ ଅଭିବ୍ୟକ୍ତିରେ ରୂପକର ଏହିପରି ପ୍ରାଧାନ୍ୟ ଥିଲେ ମଧ୍ୟ ସମୟ ସମୟରେ ତାହାର ରୂପର ବିଭିନ୍ନତା ଯୋଗୁଁ ସାହିତ୍ୟର ଭିନ୍ନ ଭିନ୍ନ ଅଭିବ୍ୟକ୍ତିର ସୃଷ୍ଟି ହୁଏ । କବି ଯାହା ଦେଖୁଅଛି ତାହାର ହୃଦୟରେ ଯାହାର ଛାପ ପଡ଼ିଛି, ଯାହାର ଅନୁଭୂତିରେ ତାହାର ସମସ୍ତ ଅନ୍ତଃକରଣ ଅଭିଭୂତ, ତାହାକୁ ଯଥାଯଥ ଭାବରେ, ତାହାର ପ୍ରତ୍ୟେକ କ୍ଷୁଦ୍ର ବିଷୟକୁ ସମ୍ପୂର୍ଣ୍ଣଭାବରେ ଛାୟାଚିତ୍ର ପରି ଲୋକସମକ୍ଷରେ ପ୍ରକାଶକରି, ସେହି ଦୃଶ୍ୟରୁ ନିଜ ହୃଦୟରେ ଯେଉଁ ଅନୁଭୂତିର ଉଦ୍ଭବ ହୋଇଅଛି, ଅନ୍ୟର ହୃଦୟରେ ତାହାର ଅନୁବେଦନାର ପ୍ରକାଶ କରିବାର ଚେଷ୍ଟାକୁ ସାହିତ୍ୟର ବାସ୍ତବ ଅଭିବ୍ୟକ୍ତି ବୋଲାଯାଇ ପାରେ । ପାଠକକୁ ଦରିଦ୍ର କୁଟୀରର ଅନ୍ଧକାର ଓ ଦୈନ୍ୟ ମଧ୍ୟକୁ ନେଇ, ଅଭାବର ଭୀଷଣ ଛବି ତାହାର ସମକ୍ଷରେ ଧରି; ରୋଗ କ୍ଳେଶ ଦୁଃଖ ଶୋକ ସନ୍ତାପର ବିକଟ ମୂର୍ତ୍ତି ବିକାଶ କରି, ଅର୍ଦ୍ଧାହାର ଅନାହାରଜନିତ ମୃତ୍ୟୁର କଠୋର ସତ୍ୟ ଛବି ଅଙ୍କିତ କରି କବି ଅନ୍ୟ ହୃଦୟରେ ଦରିଦ୍ର ପ୍ରତି ନିଜର ସମବେଦନାର ଯେଉଁ ଛବି ଧରେ, ତାହାହିଁ ସାହିତ୍ୟର ବାସ୍ତବ ଅଭିବ୍ୟକ୍ତି । ପୁଣି ଏହି ବସ୍ତୁ ମଧ୍ୟଦେଇ ଅବସ୍ତୁକୁ ପ୍ରଚାର କରିବା, ମୂର୍ତ୍ତି ମଧ୍ୟ ଦେଇ ଅମୂର୍ତ୍ତକୁ ପ୍ରକାଶ କରିବା, ଏକ ବସ୍ତୁ ମଧ୍ୟଦେଇ ଅନ୍ୟ ବସ୍ତୁକୁ ବୁଝିବାର ସାହାଯ୍ୟ କରିବା ପ୍ରଭୃତି ସାହିତ୍ୟର ରୂପକ ଅଭିବ୍ୟକ୍ତି । ଏହି ଅଭିବ୍ୟକ୍ତିରେ ବସ୍ତୁ ଅଛି, କିନ୍ତୁ ବସ୍ତୁର ସାଧାରଣ ସତ୍ତା ନାହିଁ, ରୂପଅଛି, କିନ୍ତୁ ରୂପର ବାହ୍ୟ ଆକାର ଯଥେଷ୍ଟ ବୋଲି ବିବେଚିତ ହୋଇନାହିଁ । ଜ୍ଞାତ ମଧ୍ୟଦେଇ ଅଜ୍ଞାତକୁ ପ୍ରକାଶ, ବନ୍ଧନ ମଧ୍ୟ ଦେଇ ମୁକ୍ତିର ପ୍ରଚାର ବାସ୍ତବ ମଧ୍ୟ ଦେଇ ଅବାସ୍ତବର ଛବି ପ୍ରଦାନ–ଏ ସମୁଦାୟ ସାହିତ୍ୟର ରୂପକ ଅଭିବ୍ୟକ୍ତିର ଅନ୍ତର୍ଗତ । ପୁଣି ଯେତେବେଳେ ରୂପ ଅରୂପର ଅଧୀନ ହୋଇ ପଡ଼େ, ଯେତେବେଳେ ବାସ୍ତବ ଅବାସ୍ତବରେ ଲୁପ୍ତ ହୋଇଯାଏ, ଯେତେବେଳେ ବାସ୍ତବର କୌଣସି ବିଶେଷ ସତ୍ତା ରହେ ନାହିଁ, ଯେତେବେଳେ ରୂପର ଚିନ୍ତା ସାହିତ୍ୟ ମଧ୍ୟରେ ନିତାନ୍ତ ଅପ୍ରଧାନ ହୋଇ ପଡ଼େ, ତେତେବେଳେ ସାହିତ୍ୟରେ ଯେଉଁ ଭାବର ବ୍ୟଞ୍ଜନା ହୁଏ ତାହାକୁ ସାହିତ୍ୟର ଭାବମୟ ଅଭିବ୍ୟକ୍ତି ବା ପ୍ରକାଶ ବୋଲାଯାଇପାରେ । ଉତ୍କଳ ସାହିତ୍ୟରେ ଯୁଗଧର୍ମ, ଛମାଣ ଆଠଗୁଣ୍ଠ ମାମୁ ପ୍ରଭୃତି ପ୍ରଥମ ଶ୍ରେଣୀରେ ଅନ୍ତର୍ଗତ; ବିଶ୍ୱଯଜ୍ଞ ମହାଯାତ୍ରା ପ୍ରଭୃତି ଦ୍ୱିତୀୟ ଶ୍ରେଣୀର ଅନ୍ତର୍ଭୁକ । ସାହିତ୍ୟର ତୃତୀୟ ଅଭିବ୍ୟକ୍ତି ଉତ୍କଳ ସାହିତ୍ୟରେ ବିରଳ–ଏହା ସାହିତ୍ୟର ଲଘୁତାର ପରିଚାୟକ ।

 

ସାହିତ୍ୟ ଏହିପରି ଉପାଦାନ ନେଇ ଏହିପରି ଅଭିବ୍ୟକ୍ତି ମଧ୍ୟ ଦେଇ ଯେଉଁ ସ୍ୱରୂପ ପ୍ରକାଶ କରେ, ମନୁଷ୍ୟ ଜୀବନରେ ଯେ ତାହାର ପ୍ରୟୋଜନ ଅଛି, ତାହା ନିଃସଂଶୟ । ସାହିତ୍ୟ ମନୁଷ୍ୟର ହୃଦୟର ପ୍ରତିଛବି; ବାସ୍ତବ ଜଗତର ସୂକ୍ଷ୍ମତମ ପଦାର୍ଥର ଅନୁଭୂତି ଉପରେ ଏହା ପ୍ରତିଷ୍ଠିତ, ଏଣୁ ସାହିତ୍ୟ ମନୁଷ୍ୟର ଦୁଃଖ ଦୈନ୍ୟରେ ସାନ୍ତ୍ୱନା କରିବାକୁ ସମର୍ଥ । ବନ୍ଧୁ ବନ୍ଧୁକୁ ଯେଉଁ ସାନ୍ତ୍ୱନା ଦିଏ, ତାହା ସମବେଦନାର ସାନ୍ତ୍ୱନା; ବନ୍ଧୁ ବନ୍ଧୁକୁ ଯେଉଁପରି ଭାବରେ ଉତ୍ତେଜିତ କରେ, ତାହା ଅନୁବେଦନାର ଉତ୍ତେଜନା; ଯେଉଁଠାରେ ଜ୍ଞାନର ସାନ୍ତ୍ୱନାବ୍ୟର୍ଥ, ଯେଉଁ ଠାରେ ‘‘କା ତବ କାନ୍ତା କସ୍ତେ ପୁତ୍ରଃ’’ ନିସ୍ଫଳ, ସେଠାରେ ମଧ୍ୟ ବନ୍ଧୁର ନୀରବ ସାନ୍ତ୍ୱନା କାର୍ଯ୍ୟକାରୀ; କାରଣ ଏହି ସାନ୍ତ୍ୱନା ହୃଦୟକୁ ଆଘାତ କରେ । ଅନ୍ୟ ମୋର ଦୁଃଖରେ ଦୁଖୀ ଏହି ଭାବ ମୋର ନିଜର ଦୁଃଖକୁ ଲଘୁ କରେ । ବ୍ୟଥାର ବ୍ୟଥୀପାଇ ବ୍ୟଥା କ୍ରମେ କ୍ରମେ ବିଲୀନ ହୋଇଥାଏ । ସାହିତ୍ୟର ସାନ୍ତ୍ୱନା, ସାହିତ୍ୟର ଆଶ୍ୱାସନା, ସାହିତ୍ୟର ଉତ୍ତେଜନା ଠିକ୍‌ ଏହି ଶ୍ରେଣୀର । କବି ଜଗତର ଦୁଃଖରେ ଅଭିଭୂତ ହୋଇ ନିଜର ହୃଦୟରେ ସମବେଦନାର ଅଗ୍ନି ଅନୁଭବ କରି ଜଗତକୁ ଯେଉଁ ସାନ୍ତ୍ୱନା ଦେବାକୁ ସମର୍ଥ ହୁଏ, ତାହା ପ୍ରତ୍ୟେକ ମନୁଷ୍ୟ ବନ୍ଧୁର ସାନ୍ତ୍ୱନା ସ୍ୱରୂପ ଗ୍ରହଣ କରିବାକୁ ସମର୍ଥ । ଏହିକାରଣରୁ ମନୁଷ୍ୟ ଜୀବନରେ ସାହିତ୍ୟର ସ୍ଥାନ, ଏହି କାରଣରୁ ତାହାଠାରେ ସାହିତ୍ୟର ଆଦର ଓ ଏହି କାରଣରୁ ତାହାର ଜୀବନର ସନ୍ଧିକ୍ଷଣରେ ସାହିତ୍ୟର ପ୍ରୟୋଜନ ।

Image

 

ସାହିତ୍ୟର ଉନ୍ମେଷ ଓ ବିକାଶ

 

ପ୍ରଥମେ ଯେତେବେଳେ ଲୋକେ ନିଜ ନିଜ ମଧ୍ୟରେ ଭାଷା ଦ୍ୱାରା ଭାବର ଆଦାନ ପ୍ରଦାନ କରିବାକୁ ଶିଖିଲେ ତେତେବେଳେ ସେମାନେ କେବଳ କାର୍ଯ୍ୟକାରୀ ଭାଷା ଅର୍ଥାତ୍‌ ଯେଉଁ ଭାଷା ଦ୍ୱାରା ସେମାନଙ୍କର ମାନସିକ ଭାବଗୁଡ଼ିକ ଓ ଚିନ୍ତାର ଧାରା ସୁସ୍ପଷ୍ଟ ଭାବରେ ଅନ୍ୟମାନଙ୍କ ନିକଟରେ ବ୍ୟକ୍ତ ହୋଇ ପାରିବ କେବଳ ସେହିପରି ଭାଷାର ବ୍ୟବହାର କରିବାକୁ ଶିଖିଥିଲେ । ଭାଷା ତେତେବେଳେ ଅଳଙ୍କାରଶୂନ୍ୟ ନିରାଭରଣ ଓ ଶବ୍ଦବାହୁଲ୍ୟବର୍ଜ୍ଜିତ ଥିଲା । ମାତ୍ର କ୍ରମେ କ୍ରମେ ଭାବର ଆଦାନ ପ୍ରଦାନ ଭିନ୍ନ ଭାଷାର ଅନ୍ୟ ଗୋଟିଏ ଅନ୍ତର୍ନିହିତ ଶକ୍ତି ପ୍ରକାଶ ପାଇଲା; କ୍ରମଶଃ ଲୋକେ ବୁଝି ପାରିଲେ ଯେ ଭାଷାର ବ୍ୟବହାର ଦ୍ୱାରା ଅନ୍ୟ ଲୋକର ମନରେ ଗୋଟିଏ ପ୍ରଭାବ ବିସ୍ତାର କରାଯାଇ ପାରେ ଓ ଭାଷାର ବିଭିନ୍ନ ବ୍ୟବହାର ଦ୍ୱାରା ଏହି ପ୍ରଭାବକୁ ନିୟନ୍ତ୍ରିତ କରାଯାଇପାରେ । ଭାଷା ମଧ୍ୟରେ ଥିବା ଗୋଟିଏ ଆନନ୍ଦଦାୟିକା ଶକ୍ତି କ୍ରମଶଃ ଗୋଚରୀଭୂତ ହେଲା ଓ ଦେଖାଗଲା ଯେ ଭାଷାର ବ୍ୟବହାର ଦ୍ୱାରା ଅନ୍ୟ ଲୋକର ମନରେ ଆନନ୍ଦ କ୍ରୋଧ ବିସ୍ମୟ ପ୍ରଭୃତିର ଉଦ୍ରେକ କରାଯାଇ ପାରେ । ଭାଷା ଦ୍ୱାରା କୌଣସି କାର୍ଯ୍ୟର ଗୌରବ ବୃଦ୍ଧି, କୌଣସି ଲୋକକୁ ବିଦ୍ରୂପ କିମ୍ୱା କୌଣସି କ୍ଷଣିକ ଭାବକୁ ପ୍ରକାଶ କରି ଲୋକେ ତୃପ୍ତ ହୋଇ ପାରନ୍ତି ଓ ଉକ୍ତ ତୃପ୍ତିର ଅଭିବ୍ୟକ୍ତି ଦ୍ୱାରା ଅନ୍ୟ ଲୋକମାନଙ୍କୁ ଆନନ୍ଦ ଦାନ କରିପାରନ୍ତି । ଯେତେବେଳେ ଭାଷା ପ୍ରଥମରେ ଏହିପରି କେବଳ କାର୍ଯ୍ୟକାରିତାର ସୀମାକୁ ଲଙ୍ଘନ କରି ଅନ୍ୟରୂପେ ବ୍ୟବହୃତ ହେବାକୁ ସକ୍ଷମ ହୁଏ ତେତେବେଳେ ସାହିତ୍ୟର ଉତ୍ପତ୍ତି ହୋଇଥାଏ । କୌଣସି ଯୋଦ୍ଧା ଦୂରଦେଶରେ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ଯେତେବେଳେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରେ ତେତେବେଳେ ସେ ନିଜର ଦେଶର ଲୋକମାନଙ୍କୁ ଯୁଦ୍ଧର ବର୍ଣ୍ଣନା ଦେବା ନିମନ୍ତେ ବ୍ୟାକୁଳ ହୋଇଥାଏ ଏବଂ ନିଜର କ୍ଷମତାକୁ ସମ୍ୟକ୍‌ ଭାବରେ ପ୍ରଦର୍ଶିତ କରିବା ନିମନ୍ତେ ଶତ୍ରୁ ସୈନ୍ୟର ବର୍ଣ୍ଣନାକୁ ଅତିରଞ୍ଜିତ କରେ ଓ ସେମାନଙ୍କର ବୀରହର ପ୍ରଶଂସା କରି କିପରି କୌଶଳରେ ଯୁଦ୍ଧ କ୍ଷେତ୍ରରେ ସେ ସେମାନଙ୍କୁ ବଶୀଭୂତ କରିଅଛନ୍ତି ତାହାର ବିଶଦ ବର୍ଣ୍ଣନା ଦେଇଥାଏ । ଏହି ବର୍ଣ୍ଣନାଦ୍ୱାରା ଲୋକମାନଙ୍କ ମଧ୍ୟରେ ସ୍ୱଦେଶର ଗୌରବ ପ୍ରତିଷ୍ଠିତ ହୋଇଥାଏ, ରାଜାଙ୍କ ପ୍ରତି ଭକ୍ତି ଓ ସମ୍ମାନ ସ୍ୱତଃ ଜାତ ହୋଇଥାଏ ଓ ପରବର୍ତ୍ତୀ ଲୋକମାନେ ଏହି ବର୍ଣ୍ଣନା ଶୁଣି ନିଜେ ଗୌରବ ଲାଭକରିବା ନିମନ୍ତେ ଯୁଦ୍ଧକରିବାକୁ ଉତ୍ସାହିତ ହୁଅନ୍ତି ଏବଂ ଏହି ସବୁ କାରଣମାନଙ୍କରୁ ଯୁଦ୍ଧର ବର୍ଣ୍ଣନା ଗାଥା ଆକାରରେ ରଚିତ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଲୋକମାନଙ୍କର ମନକୁ ପ୍ରଭାବିତ କରେ । ଏହି ପ୍ରୟାସରୁ କଥିତ ଭାଷାର ଏହି ପ୍ରକାର ବ୍ୟବହାରରୁ ଓ କ୍ଷଣିକ ଘଟନା ରାଶିକୁ ଏହି ପ୍ରକାରରେ ଚିରନ୍ତନ କରିବାର ଚେଷ୍ଟାରୁ ସାହିତ୍ୟର ଉତ୍ପତ୍ତି । ଯୁଦ୍ଧର ଭୀଷଣତା ବର୍ଣ୍ଣନା କରିବାରେ କବି କଳ୍ପନାର ଆଶ୍ରୟ ଗ୍ରହଣ କରେ ଓ ଯୁଦ୍ଧରେ ରାଜାଙ୍କର ବୀରତ୍ୱ ସମ୍ୟକ୍‌ ପ୍ରଦର୍ଶନ କରିବା ନିମନ୍ତେ ନାନାପ୍ରକାର ଅଳଙ୍କାର, ଅସ୍ତ୍ରଶସ୍ତ୍ରାଦିର ନାନାପ୍ରକାର ବିଶଦ ବର୍ଣ୍ଣନା ପ୍ରଭୃତି ବ୍ୟବହାର କରେ ଓ ଏହିପରି ବ୍ୟବହାର ଦ୍ୱାରା ଭାଷା ସାହିତ୍ୟ ପଦକୁ ଉନ୍ନୀତ ହୋଇପାରେ ।

 

ଲେଖାରେ ଏହିପ୍ରକାର କଳ୍ପନାର ଆଶ୍ରୟ ନିଆଯାଉଥିବାରୁ ଲୋକମାନଙ୍କର ଆନନ୍ଦଦାୟକ ନାନାପ୍ରକାର ବର୍ଣ୍ଣନା ଥିବାରୁ ଲେଖକ ପାଠକ ବା ଶ୍ରୋତାମାନଙ୍କର ପ୍ରାଣର ଐକ୍ୟ ଏହିପରି ଭାବରେ ସଂସାଧିତ ହେଉଥିବାରୁ ବୀରତ୍ୱପୂର୍ଣ୍ଣ ଏହି ପ୍ରକାର ଗାଥାମାନଙ୍କରୁ ସାହିତ୍ୟର ପ୍ରଥମ ଉନ୍ମେଷ ହେବାର ସମ୍ଭାବନା କରା ଯାଇପାରେ । ପ୍ରାୟ ପ୍ରତ୍ୟେକ ଦେଶରେ ଲୋକମାନଙ୍କ ମଧ୍ୟରେ ଉକ୍ତ ପ୍ରକାର ବୀରତ୍ୱ ବ୍ୟଞ୍ଜକ ଗାଥାମାନଙ୍କରୁ ସାହିତ୍ୟର ପ୍ରଥମ ଉନ୍ମେଷ ସାଧିତ ହୋଇଥିଲା ଓ ଭାଷା ତାହାର ନିଜର ସୀମା ମଧ୍ୟରୁ ବାହାରି ଅନ୍ୟ ଏକ ସୁମହାନ୍‌ କାର୍ଯ୍ୟରେ ବ୍ରତୀ ହୋଇଥିଲା । ପ୍ରଥମେ ଲୋକମାନେ ଦେଖିଲେ ଯେ ସାଧାରଣତଃ ଯାହା ଭାଷା ରୂପେ ଦୈନନ୍ଦିନ ଭାବର ଆଦାନ ପ୍ରଦାନ ସକାଶେ ବ୍ୟବହୃତ ହୁଏ, ତାହାର କିଛି ବିକୃତି ବା ବ୍ୟବହାରଗତ ବୈଷମ୍ୟ ସାଧନ ନ କଲେ ତାହା କେବେହେଁ ଅନ୍ୟର ପ୍ରୀତିକର ହୋଇ ପାରିବ ନାହିଁ କିମ୍ୱା ଲୋକମାନଙ୍କର ମନରେ ଅଙ୍କିତ ହୋଇ ଅନେକଦିନ ପର୍ଯ୍ୟନ୍ତ ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରିବ ନାହିଁ । ସେ ସମୟରେ ଲିଖିତ ଭାଷା ନ ଥିବାରୁ ଏହିପରି ଭାବରେ ବିକୃତ ଭାଷାର ଆଶ୍ରୟ ଗ୍ରହଣ କରିବାକୁ ଲୋକମାନେ ବାଧ୍ୟ ହେଉଥିଲେ ଓ ଭାଷାକୁ ମନେ ରଖିବା ନିମନ୍ତେ ତହିଁରେ ଛନ୍ଦ ଯୋଗ କରୁଥିଲେ । ଏହିପରି ବ୍ୟବହାର ଦ୍ୱାରା ପ୍ରଥମେ କାବ୍ୟ ବା କବିତାର ସୃଷ୍ଟି ହୋଇଥିଲା ଓ ଅନେକଦିନ ପର୍ଯ୍ୟନ୍ତ ସାହିତ୍ୟ ଏହି କବିତାରେ ସୀମାବଦ୍ଧ ଥିଲା । ସାଧାରଣତଃ ବୀର ରସର ଗାଥା ବା ବିଜୟ ସଙ୍ଗୀତହିଁ ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା ଓ ଏହିପ୍ରକାର କବିତାର ରଚୟିତା ରାଜଦ୍ୱାରରେ ଓ ସମାଜରେ ବିଶେଷ ସମ୍ମାନର ସ୍ଥାନ ଅଧିକାର କରିଥିଲେ । କବିମାନଙ୍କର ରଚନା ରାଜାମାନଙ୍କର ଗୌରବ ବୃଦ୍ଧି କରୁଥିବାରୁ ରାଜସଭାରେ ସେମାନେ ବିଶେଷ ସମାଦର ଲାଭ କରୁଥିଲେ । କ୍ରମଶଃ କବିମାନେ ଶୋକ ସଙ୍ଗୀତ ରଚନା କରିବାକୁ ଆରମ୍ଭ କଲେ ଓ ଯେଉଁ ରାଜସଭାରେ ସେମାନେ ଏତେ ଆଦୃତ ଓ ସମ୍ମାନିତ ହେଉଥିଲେ ସେହି ରାଜାଙ୍କର ବିୟୋଗରେ ସେମାନଙ୍କର ମନ ପ୍ରଗାଢ଼ ଦୁଃଖରେ ଅଭିଭୂତ ହେଉଥିବାରୁ ସେମାନେ ଶୋକାତ୍ମକ କବିତା ରଚନା ଦ୍ୱାରା ନିଜର ଦୁଃଖ ପ୍ରକାଶ କରି ଲୋକମାନଙ୍କ ମଧ୍ୟରେ ଉକ୍ତ ଶୋକର ସଞ୍ଚାର କରୁଥିଲେ । ରାଜସଭାରେ ଅନେକ ସମୟ ରହୁଥିବାରୁ ଅନ୍ୟାନ୍ୟ ସମୟରେ ମଧ୍ୟ କବିମାନଙ୍କ ରାଜାଙ୍କ ଚିତ୍ତ ବିନୋଦନ ନିମନ୍ତେ କିମ୍ୱା ବିଶେଷ ରାଜକାର୍ଯ୍ୟ ଉପଲକ୍ଷରେ କବିତା ରଚନା କରିବାକୁ ହେଉଥିଲା ଓ ଏହିପରି ପ୍ରୟାସରୁ ନାନାପ୍ରକାର ଖଣ୍ଡ କବିତା ସାହିତ୍ୟ ଆକାରରେ କାବ୍ୟାମୋଦର ନିଦର୍ଶନ ସ୍ୱରୂପ ପ୍ରକାଶିତ ହେଉଥିଲା ।

 

ଅନେକଦିନ ପର୍ଯ୍ୟନ୍ତ କୌଣସି ପୁସ୍ତକ ଲିଖିତ ହୋଇପାରୁନଥିଲା କିମ୍ୱା ମନେରଖିବା ଭିନ୍ନ ଅନ୍ୟ କୌଣସି ପ୍ରକାରରେ କବିତା ଲିପିବଦ୍ଧ ହୋଇ ପାରୁ ନଥିଲା । କବି ସେଥି ସକାଶେ ନିଜର କାର୍ଯ୍ୟକୁ ଲୋକ ସମାଜରେ ବିଦିତ କରିବା ନିମନ୍ତେ ନିଜର ନାମ କବିତା ମଧ୍ୟରେ ଯୋଗକରି ରାଜ ସଭାରେ ଉକ୍ତ ଗୀତିକୁ ପ୍ରକାଶ କରୁଥିଲେ ଓ ସେହି ସ୍ଥାନରୁ ତାହା ପ୍ରକାଶିତ ହୋଇ ରାଜ୍ୟ ମଧ୍ୟରେ ପ୍ରଚାରିତ ହେଉଥିଲା । ରାଜ ସଭାରେ ଯଶଃହିଁ କବିର ଏକାନ୍ତ କାମ୍ୟ ପୁରସ୍କାର ଥିଲା ଓ ଏହି ପୁରସ୍କାର ଲୋଭରେ ସେ ନିତ୍ୟ ନୂତନ ରଚନାଦ୍ୱାରା ନିଜର ପୃଷ୍ଠପୋଷକଙ୍କୁ ସନ୍ତୁଷ୍ଟ କରୁଥିଲେ । ସାହିତ୍ୟ ଏହିପରି ବିଭିନ୍ନ ଭାବରେ ନିଜକୁ ପ୍ରକଟିତ କରିବାର ଅବକାଶ ଲାଭକରିଥିଲା । ଛନ୍ଦୋମୟ ଭାଷା ବ୍ୟବହାର କରିବାରୁ ପ୍ରଥମେ ପଦ୍ୟ ସାହିତ୍ୟର ସୃଷ୍ଟି ହେଲା । ଲୋକେ ଗଦ୍ୟର ଛନ୍ଦବିଷୟରେ ଅଜ୍ଞ ଥିଲେ ଓ କୌଣସି ବିଷୟକୁ ଉଚ୍ଚସ୍ଥାନରେ ପ୍ରତିଷ୍ଠିତ କରିବାକୁ ହେଲେ ସେମାନେ ତାହା ପଦ୍ୟ ଦ୍ୱାରା ପ୍ରକାଶ କରିବା ସହଜ ମନେ କରୁଥିଲେ ।

 

ପରେ ଯେତେବେଳେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ହେଲା ତେତେବେଳେ ଲୋକେ ସାହିତ୍ୟରଚର୍ଚ୍ଚା ବ୍ୟାପକ ଭାବରେ କରିବାର ସୁବିଧା ପାଇଲେ ଓ କ୍ରମଶଃ ଗଦ୍ୟ ସାହିତ୍ୟ ମଧ୍ୟଦେଇ ସେମାନେ ସୌନ୍ଦର୍ଯ୍ୟ ପ୍ରକାଶ କରିବାକୁ ସମର୍ଥ ହେଲେ । ଗଦ୍ୟ ମଧ୍ୟରେ ଯେ ଛନ୍ଦ ଓ ଅଳଙ୍କାରାଦିର ପ୍ରୟୋଗ ହୋଇପାରେ, ଗଦ୍ୟକୁ ଯେ ଲୋକେ ଅନ୍ୟର ଆନନ୍ଦକର ଭାବରେ ବ୍ୟବହାର କରିପାରନ୍ତି ଏହା ଜଣାଯିବା ଦିନରୁ ସାହିତ୍ୟରେ ଗଦ୍ୟ ଓ ପଦ୍ୟ ଉଭୟ ପ୍ରଚଳିତ ହେଲା ଏବଂ କ୍ରମଶଃ ସାଧାରଣଙ୍କର କଥାବାର୍ତ୍ତାକୁ ଯଥାଯଥ ଭାବରେ ଓ ଅପରିବର୍ତ୍ତିତ ରୂପରେ ଲେଖିବାର ପ୍ରୟାସରୁ ଓ ସଙ୍ଗୀତାଦି ଦ୍ୱାରା କିମ୍ୱା କୌଣସି ଘଟନାର ଯଥାଯଥ ପ୍ରଦର୍ଶନଦ୍ୱାରା ଲୋକଙ୍କୁ ଆନନ୍ଦଦାନର ଚେଷ୍ଟାରୁ ନାଟ୍ୟ ସାହିତ୍ୟର ଉଦ୍ଭବ ହେଲା । ସାଧାରଣତଃ ଧର୍ମରେ ସଂଶ୍ଳିଷ୍ଟ ଦେବଦେବୀ ମାନଙ୍କର କୌଣସି କାର୍ଯ୍ୟକୁ ଅବଲମ୍ୱନ କରି ତାହାର ପଦବିନ୍ୟାସ ଓ ଦୃଶ୍ୟମାଧୁରୀ ଦ୍ୱାରା ଲୋକମାନଙ୍କ ମନରେ ଧର୍ମ୍ମଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଯେପରି ରାମଲୀଳା ବା କୃଷ୍ଣଲୀଳା ଆଜିକାଲି ପ୍ରଚଳିତ ଅଛି ସେହିପରି ଲୀଳାମାନଙ୍କରୁ ନାଟ୍ୟ ସାହିତ୍ୟର ଉତ୍ପତ୍ତି ହୋଇଥିଲା । ଏହିପରି ଭାବରେ ଗଦ୍ୟ ପଦ୍ୟ ଓ ନାଟ୍ୟ ସାଧାରଣ ସାହିତ୍ୟର ଏହି ତିନିଗୋଟି ବିଭାଗ ଜାତହୋଇ ଲୋକ ସମାଜରେ ଏମାନଙ୍କର ବିଭିନ୍ନ ସମୟରେ ପ୍ରତିଷ୍ଠା ହୋଇଥିଲା ।

 

ସାହିତ୍ୟର ବିକାଶ ଦୁଇ ଉପାୟରେ ସାଧିତ ହୋଇଅଛି । ପ୍ରଥମତଃ ତାହାର ଭାବଗୁଡ଼ିକ ପରିପୁଷ୍ଟ ହୋଇ ମନୁଷ୍ୟର ପ୍ରୀତିକର ହୋଇଅଛି ଓ ତାହାର ସର୍ବାଙ୍ଗୀନ ମାନସିକ ବିକାଶର ପରିଚାୟକ ହୋଇଅଛି । ଦ୍ୱିତୀୟତଃ ତାହାର ଭାଷା ମାର୍ଜ୍ଜିତ ହୋଇ ସାଧାରଣ କଥିତ ଭାଷାର ଆଦର୍ଶ ସ୍ୱରୂପ ନିର୍ଦ୍ଦିଷ୍ଟ ହୋଇଅଛି । ମନୁଷ୍ୟର ଚିରନ୍ତନ ଭାବମାନଙ୍କୁ ନେଇ ସର୍ବକାଳବ୍ୟାପୀ ଏକ ସୌଧ ପ୍ରସ୍ତୁତ କରିବାରେ ସାହିତ୍ୟ ବ୍ୟସ୍ତ । ମାନବ ଜଗତ୍‌ ପ୍ରକୃତି ଓ ପରମେଶ୍ୱର ଏହି ତିନିଙ୍କ ମଧ୍ୟରେ ନିଜର ହୃଦୟର ଯୋଗ ସାଧନ କରିବା ନିମନ୍ତେ ନାନାପ୍ରକାର ଭାବର ଆଶ୍ରୟ ନେଇ ସାହିତ୍ୟିକ କ୍ରମେ କ୍ରମେ ନିଜର ଦୃଷ୍ଟିକୁ ବିକଶିତ କରି ସାହିତ୍ୟର ସମ୍ୟକ୍‌ ବିକାଶ ସାଧନ କରି ଅଛନ୍ତି ।

 

ମାନବ ସମାଜ ସହିତ ସାହିତ୍ୟିକର ଯୋଗ ନାନା ଭାବରେ ସଂଘଟିତ ହୋଇଅଛି । ସାହିତ୍ୟିକ ପ୍ରଥମେ ମାନବ ଜଗତର ଭାବସମୂହକୁ ନେଇ ସେମାନଙ୍କ ମଧ୍ୟରୁ କୋମଳ ଭାବସମସ୍ତକୁ ବ୍ୟାପକ କରିବାର ପ୍ରୟାସ କରି ଅଛନ୍ତି । ରାଧା କୃଷ୍ଣଙ୍କର ଯେଉଁ ପ୍ରେମ ବୈଷ୍ଣବ ସାହିତ୍ୟର ମୂଳଭିତ୍ତି ତାହା ଏହିପରି ବିକାଶର ପରିଣତି । ସଂସାରରେ ପ୍ରେୟସୀ ପ୍ରତି ପ୍ରିୟତମଙ୍କର ପ୍ରେମର ନିଦର୍ଶନ ପ୍ରତ୍ୟହ ମିଳେ । ପ୍ରତ୍ୟହ କୌଣସି ଲୋକ ପ୍ରିୟା ବିରହ ଦୁଃଖରେ ଅଭିଭୂତ ହୋଇ ନିଜର ହୃଦୟର ପ୍ରୀତି ନିଦର୍ଶନ ପଠାଇବାକୁ ବ୍ୟଗ୍ର ଓ ଇଚ୍ଛୁକ ହୁଏ । ପ୍ରତିଦିନ ସଂସାରରେ ଅନେକ ବିରହୀ ପ୍ରିୟାର ଆଗମନକୁ ଅପେକ୍ଷା କରି ପତ୍ରର ମର୍ମ୍ମରକୁ ପଦଧ୍ୱନି ବୋଲି ଭ୍ରମକରି ସଚକିତ ନୟନ ହୋଇ କାଳଯାପନ କରନ୍ତି । ପ୍ରେମିକ ପ୍ରେମିକାର ମନର ନାନାପ୍ରକାର କଳ୍ପନା, ପ୍ରେମର ନାନା ବିମୋହନ ଚିତ୍ର, ମନର ଆନନ୍ଦକାରୀ ନାନା ପ୍ରକାର ଭାବ ଜାଗରିତ ଥାଇ ସେମାନଙ୍କୁ ନିୟତ ନୂତନ ଆନନ୍ଦ ପ୍ରଦାନ କରେ ଏବଂ ସାହିତ୍ୟିକ ଏହି ଭାବଗୁଡ଼ିକ ଆଶ୍ରୟ କରି ନିଜର ବର୍ଣ୍ଣନା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏହି ଆନନ୍ଦର ପ୍ରସାର କରିବାକୁ ଚେଷ୍ଟା କରେ । ପୁଣି ପିତାଙ୍କ ପ୍ରତି ପୁତ୍ରର ପ୍ରଗାଢ଼ ଭକ୍ତି, ଭ୍ରାତାଙ୍କ ପ୍ରତି ଭ୍ରାତାଙ୍କର ସ୍ନେହ, ପ୍ରଜାନୁରଞ୍ଜନ ବ୍ରତ ଗ୍ରହଣ କରି ରାଜାଙ୍କର କଠୋର କର୍ତ୍ତବ୍ୟ ପାଳନ ପ୍ରଚେଷ୍ଟା, ଆଶ୍ରିତ ଲୋକପ୍ରତି ଆଶ୍ରୟଦାତାର କରୁଣା, ସ୍ନେହର ପାତ୍ରୀ ତନୟାକୁ ଅନ୍ୟ ସହିତ ବିବାହିତ କରାଇ ପିତାର ତନୟା ବିଶ୍ଳେଷ ଦୁଃଖର ବ୍ୟଥା ଏହିପରି ନାନାଭାବକୁ କଳ୍ପନା ଦ୍ୱାରା ମୂର୍ତ୍ତ କରି ସାହିତ୍ୟିକ ନିଜର ଚିତ୍ର ଦ୍ୱାରା ଅନ୍ୟର ଆନନ୍ଦ ଉତ୍ପାଦନ କରିବାରେ ସାହାଯ୍ୟ କରେ ଓ ପାଠକ ମଧ୍ୟ ନିଜ ହୃଦୟର ଗଭୀରତମ ପ୍ରଦେଶସ୍ଥ ଭାବମାନଙ୍କୁ ଏହିପରି ଭାବରେ ବିଶ୍ଳେଷିତ ହେବାର ଦେଖି ଆନନ୍ଦିତ ହୁଏ ଓ ଏହିପରି ଚିତ୍ରପ୍ରତି ହୃଦୟର ଆକର୍ଷଣ ଅନୁଭବ କରେ । ପୁଣି ଦୁଃଖୀ ଲୋକ ପ୍ରତି ହୃଦୟର ଗଭୀର ଅନୁରାଗ ଓ ସମବେଦନା ପ୍ରଦର୍ଶନ ଦ୍ୱାରା, ଅପାରଗ ଅକୃତକାର୍ଯ୍ୟ ଦୁଃଖ ଦାରିଦ୍ର୍ୟ କ୍ଳିଷ୍ଟ ଲୋକର ଜୀବନ ମଧ୍ୟରେ ସୌନ୍ଦର୍ଯ୍ୟର ଆଭାସ ଅନୁଭବ କରି ଲୋକ ସମାଜର ଚକ୍ଷୁରେ ତାହା ପ୍ରତିଫଳିତ କରାଇବା ଦ୍ୱାରା ଓ ପାପୀର ପାପକାର୍ଯ୍ୟ ମଧ୍ୟରେ ସୌନ୍ଦର୍ଯ୍ୟର କଣା ଅନୁଭବ କରି ମାନବ ସମାଜର ପ୍ରତ୍ୟେକ ସ୍ତର ସହିତ ଲେଖକ ନିଜର ପ୍ରାଣର ଐକ୍ୟ ସ୍ଥାପିତ କରିଥାଏ ଏବଂ ସାହିତ୍ୟରେ ଏହିପରି ନାନାଭାବର ବିକାଶ ହେଉଥିବାରୁ ଲୋକ ସମାଜ ସହିତ ସାହିତ୍ୟିକର ଆନ୍ତରିକ ଅନୁରାଗ ପ୍ରତିଷ୍ଠିତ ହୋଇଥାଏ ।

 

ପ୍ରକୃତିକୁ ଆଶ୍ରୟ କରି ମଧ୍ୟ ସାହିତ୍ୟର ଭାବ ନାନାପ୍ରକାରରେ ବିକାଶ ଲାଭ କରିଥାଏ-। ମନୁଷ୍ୟମାନେ ପ୍ରକୃତି ମଧ୍ୟରେ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୁଅନ୍ତି । ପୁଷ୍ପର ସୌରଭ, ବିହଗର କାକଳି, ସୂର୍ଯ୍ୟୋଦୟର ରକ୍ତାଭ କିରଣମାଳା, ସୂର୍ଯ୍ୟାସ୍ତର ରକ୍ତିମଛଟା, ଜୋତ୍ସ୍ନାର ରୌପ୍ୟବର୍ଣ୍ଣ ଆଲୋକରାଶି, ବିଭିନ୍ନ ଋତୁରେ ପ୍ରକୃତିର ନିତ୍ୟ ନୂତନ ବେଶଭୂଷା, ନଦୀ ପର୍ବତ ସମୁଦ୍ର ଓ ବନାନୀର ବିଚିତ୍ର ଶୋଭା ଏହି ସବୁ ମନୁଷ୍ୟମାନଙ୍କୁ ପ୍ରଥମେ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ କରେ ଓ ପ୍ରକୃତିର ଆନନ୍ଦ ଉପଭୋଗ କରିବା ନିମନ୍ତେ ସେମାନଙ୍କୁ ସଚେଷ୍ଟ କରେ । ସାହିତ୍ୟିକ ମଧ୍ୟ ପ୍ରଥମେ ଏହି ଭାବମାନ ସାହିତ୍ୟରେ ଉପସ୍ଥାପିତ କରେ ଓ ଏହି ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନା ଦ୍ୱାରା ଲୋକମାନଙ୍କ ଚିତ୍ତ ବିନୋଦନ କରେ । ମାତ୍ର ସାହିତ୍ୟିକର ଚେଷ୍ଟା କେବଳ ଏତିକିରେ ପର୍ଯ୍ୟବସିତ ରହେ ନାହିଁ । ସେ କ୍ରମଶଃ ପ୍ରକୃତିକୁ ଜନନୀ ସହିତ ତୁଳନା କରିବାକୁ ଶିଖେ । ମନୁଷ୍ୟ ପ୍ରକୃତିର କ୍ରୋଡ଼ରେ ଜନ୍ମଗ୍ରହଣ କରି ପ୍ରକୃତି ଦତ୍ତ ଆହାର୍ଯ୍ୟରେ ନିଜର ଉଦର ପୂର୍ଣ୍ଣ କରି ପୁନରାୟ ପ୍ରକୃତିର ସ୍ନେହମୟ କ୍ରୋଡ଼ରେ ଆଶ୍ରୟ ଲାଭକରେ । ଏଣୁ ପ୍ରକୃତି ମାନବର ଜନନୀ ତୁଲ୍ୟ ଏବଂ ପ୍ରକୃତିର କ୍ରୋଡ଼ରେ ମନୁଷ୍ୟ ବିଶେଷ ଶାନ୍ତି ଓ ସୁଖଲାଭ କରିଥାଏ-। ସାହିତ୍ୟିକ କ୍ରମଶଃ ପ୍ରକୃତିର ଏହି ଚିତ୍ର ପାଠକ ସମାଜର ସମ୍ମୁଖରେ ଧାରଣ କରେ । ବର୍ତ୍ତମାନ ସାହିତ୍ୟିକ ଆଉ କେବଳ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁସରଣ କରେ ନାହିଁ କାରଣ ପ୍ରକୃତିର ପ୍ରତ୍ୟେକ ପଦାର୍ଥ ତାହାର ଆନନ୍ଦକର ଓ ପ୍ରୀତିକର ହୋଇଥାଏ । ଅବଶେଷରେ ପ୍ରକୃତି ମଧ୍ୟରେ ସାହିତ୍ୟିକ ଗଭୀର ଉଦ୍ଦେଶ୍ୟ ଦେଖିବାକୁ ଶିଖେ । ହୁଏତ ସେ ଦେଖେ ଯେ ପ୍ରକୃତି ମଧ୍ୟରେ ଏକ ଅପୂର୍ବ ଆନନ୍ଦର ସ୍ରୋତ ପ୍ରବାହିତ ହେଉଅଛି ଓ ଏହି ଆନନ୍ଦ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହୋଇ ସମସ୍ତ ପ୍ରାକୃତିକ ଜଗତକୁ ଅଭିଭୂତ କରୁଅଛି । କେବଳ ମନୁଷ୍ୟ ଅପ୍ରାକୃତିକ ଜୀବନ ଅତିବାହିତ କରୁଥିବାରୁ ଏହି ଆନନ୍ଦର ଅଧିକାରୀ ହୋଇପାରୁନାହିଁ । ଏହି ଆନନ୍ଦର ସନ୍ଧାନ ଲାଭ କରି ସାହିତ୍ୟିକ ତାହା ମନୁଷ୍ୟମାନଙ୍କୁ ଦେବାକୁ ବ୍ରତୀ ହୁଏ ଓ ସେମାନଙ୍କ ମନରେ ପ୍ରକୃତିର ଅନୁକୂଳ ଜୀବନ ଯାପନ କରିବାର ପ୍ରବର୍ତ୍ତନା ପ୍ରକଟିତ କରାଏ । ହୁଏତ କେତେବେଳେ ସାହିତ୍ୟିକ ପ୍ରକୃତି ମଧ୍ୟରେ ମାନବ ଜୀବନର ଭାବମାନଙ୍କର ବିକାଶ ଦେଖି ବିମୋହିତ ହୁଏ ଓ କଳ୍ପନା ଚକ୍ଷୁରେ ବୃଷ୍ଟିର ଧାରାକୁ ମାତାଙ୍କ ସ୍ନେହରଧାରା ସଙ୍ଗେ ତୁଳନା କରେ, ଜ୍ୟୋତ୍ସ୍ନା ପୃଥିବୀକୁ ଚୁମ୍ୱନ କରି ଆନନ୍ଦିତ କରୁଅଛି ବୋଲି କଳ୍ପନା କରେ ଓ ନଦୀ କ୍ଷୀଣଭାବରେ ପର୍ବତ କନ୍ଦରରୁ ଜନ୍ମ ନେଇ ସୁବିସ୍ତୃତ ଭୂମି ଉପରେ ପ୍ରବାହିତ ହୋଇ ଶେଷରେ ସାଗର ସହିତ ସଂଶ୍ଳିଷ୍ଟ ହେବାର ଚିତ୍ରକୁ ମନୁଷ୍ୟର ଜୀବନ ପ୍ରବାହ ସହିତ ତୁଳନା କରେ ଓ ଏହିପ୍ରକାର ନାନାବିଧି ଚେଷ୍ଟା ଦ୍ୱାରା ମାନବ ସମାଜ ଓ ପ୍ରକୃତି ମଧ୍ୟରେ ଐକ୍ୟ ବା ବନ୍ଧନ ଅନୁଭବ କରିପାରେ ।

 

ପରିଶେଷରେ ସାହିତ୍ୟିକ ଭଗବାନଙ୍କ ସହିତ ମଧ୍ୟ ମାନବ ସମାଜର ଯୋଗ ସାଧିତ କରିପାରେ । ପ୍ରକୃତି ମଧ୍ୟରେ ପରମେଶ୍ୱରଙ୍କର ମଙ୍ଗଳମୟ ବିଧାନରେ ଇଙ୍ଗିତ ଅନେକ ସମୟରେ ସାହିତ୍ୟିକ ପାଇଥାନ୍ତି । ମାନବ ସମାଜର ଆନନ୍ଦ ବୃଦ୍ଧି କରିବା ନିମନ୍ତେ ପରମେଶ୍ୱରଙ୍କର ବିଶେଷ ଚେଷ୍ଟା, ସର୍ବବ୍ୟାପୀ ପରମେଶ୍ୱରଙ୍କର ହସ୍ତରେ ନିଜର ଜୀବନକୁ ଛାଡ଼ିଦେଇ ଅପାର ଶାନ୍ତି ଲାଭ, ଏହି ସବୁ ସାହିତ୍ୟିକ ଅନୁଭବ କରି ମନୁଷ୍ୟ ସମାଜକୁ ପରମେଶ୍ୱରଙ୍କର କଥା ଭାବିବାକୁ ଉବ୍ଦୁଦ୍ଧ କରାଏ ଓ ପରମେଶ୍ୱରଙ୍କ ସୃଷ୍ଟ ଜ୍ଞାତଅଜ୍ଞାତ ସମସ୍ତ ଜଗତ୍‌ ମଧ୍ୟରେ ସମସ୍ତଙ୍କୁ ଭ୍ରାତୃଭାବରେ ରହିବାକୁ ଅନୁପ୍ରାଣିତ କରେ । ମାତ୍ର ସମୟ ସମୟରେ କୌଣସି କୌଣସି ସାହିତ୍ୟିକ ଏହି ଭାବକୁ ଅତିକ୍ରମ କରି ଅନ୍ୟ ମହତ୍ତର ଭାବର ଆଶ୍ରୟ ଗ୍ରହଣ କରଥାନ୍ତି । ମନୁଷ୍ୟ ବ୍ୟାକୁଳ ହୋଇ ପରମେଶ୍ୱରଙ୍କୁ ଖୋଜିବୁଲେ ଓ ଦୁଃଖ କଷ୍ଟ ମଧ୍ୟରେ ତାଙ୍କର ନାମ ସ୍ମରଣ କରି ଶାନ୍ତି ପାଇବାକୁ ସଚେଷ୍ଟ ହୁଏ । କିନ୍ତୁ ପରମେଶ୍ୱର ମଧ୍ୟ ମନୁଷ୍ୟ ଜଗତକୁ ନିଜର ଇଚ୍ଛା ଅନୁସାରେ ସୃଷ୍ଟି କରି ନିଜକୁ ସେହି ଜଗତ୍ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଅଛନ୍ତି ଓ ମନୁଷ୍ୟର ଅନ୍ତରରେ ନିଜର ଆସନ ବିସ୍ତାର କରି ମାନବ ସମାଜକୁ ଆକୃଷ୍ଟ କରିବାର ଚେଷ୍ଟା କରୁ ଅଛନ୍ତି ଏହି କଳ୍ପନା ମଧ୍ୟ ଦେଖାଯାଏ । ମନୁଷ୍ୟର ହୃଦୟ ସହିତ ଭଗବାନଙ୍କର ପ୍ରେମର ସମ୍ୱନ୍ଧ ଏହିପରି ବୈଷ୍ଣବ ସାହିତ୍ୟରେ ଆରବ୍ଧ ହୋଇ ବର୍ତ୍ତମାନ ଅନେକ ସାହିତ୍ୟିକଙ୍କର ଲେଖାରେ ଦେଖାଯାଇଥାଏ ଓ ଏହିପରି ପ୍ରେମର ସମ୍ୱନ୍ଧ ଥିବାରୁ ମନୁଷ୍ୟ କ୍ରମଶଃ ଭଗବାନଙ୍କ ସମ୍ମୁଖୀନ ହୋଇପାରେ ଓ ନିଜର ହୃଦୟ ମଧ୍ୟରେ ଭଗବାନଙ୍କ ବଂଶୀଧ୍ୱନି ଶୁଣିପାରି ହୃଦୟ ରାଜ୍ୟରେ ତାଙ୍କର ଆସନ ସୁପ୍ରତିଷ୍ଠିତ କରେ । ଏହିପରି ନାନା ଭାବର ବିକାଶ ଦ୍ୱାରା ସାହିତ୍ୟରେ ଭଗବାନଙ୍କ ସହିତ ମାନବସମାଜର ଐକ୍ୟ ସଂସ୍ଥାପିତ ହୋଇଥାଏ ।

 

ସାହିତ୍ୟରେ ଏହିପରି ନାନାଭାବର ବିକାଶ ନାନା ସମୟରେ ଦେଖାଯାଏ ଓ ଏହି ଭାବଗୁଡ଼ିକ ମଧ୍ୟ ଆଜିପର୍ଯ୍ୟନ୍ତ ନାନା ଅଜ୍ଞାତ ଦିଗରେ ସମ୍ପ୍ରସାରିତ ହେଉଅଛି ଓ ଭବିଷ୍ୟତରେ ମଧ୍ୟ ଏହିପରି ଭାବରେ ବିସ୍ତାର ଲାଭ କରିବ । ସାହିତ୍ୟିକ ନିଜର ହୃଦୟସ୍ଥ ଭାବମାନଙ୍କୁ ପାଠକ ସମାଜ ସମ୍ମୁଖରେ ସ୍ଥାପନ କରି ତାଙ୍କ ମନରେ ଆନନ୍ଦ ଜନ୍ମାଏ ଓ ନିଜେ ମଧ୍ୟ ଆନନ୍ଦ ପାଇବାକୁ ବ୍ରତୀ ହୁଏ-। କଳ୍ପନାଦ୍ୱାରା ଏହିପ୍ରକାରେ ନାନା ଭାବ ନାନା ସମୟରେ ଉପସ୍ଥିତ ହୋଇଥାଏ ଏବଂ ନାନାପ୍ରକାର ଭାବମାନଙ୍କ ମଧ୍ୟରୁ ଯେଉଁଗୁଡ଼ିକ ପ୍ରୀତିକର ସେ ଗୁଡ଼ିକ ସ୍ଥାୟୀ ହୁଅନ୍ତି । ସବିଶେଷ ସ୍ଥଳରେ ସାହିତ୍ୟିକ ଭାବଧାରା ଏକ ନୂତନ ସାହିତ୍ୟିକ ଯୁଗର ପ୍ରତିଷ୍ଠା ମଧ୍ୟ କରିପାରେ । ସାହିତ୍ୟ ଏହିପରି ନାନା ପ୍ରକାରରେ ସୃଷ୍ଟି ଓ ବିସ୍ତୃତି ଲାଭ କରୁଅଛି ଓ ନାନା ଭାବରେ ଏହାର ଭାବଧାରା ବିକଶିତ ହେଉଅଛି । ଏହି ପ୍ରଚେଷ୍ଟାର ଶେଷ କେଉଁ ଠାରେ ଓ ବର୍ତ୍ତମାନ ଚିନ୍ତାଧାରା ପରେ ପୁଣି କିପ୍ରକାର ସାହିତ୍ୟ ସୃଷ୍ଟହୋଇ ମନୁଷ୍ୟ ସମାଜର କଲ୍ୟାଣ ସାଧନରେ ବ୍ରତୀ ହେବ ଏହା କିଏ କହିପାରେ ?

Image

 

ସାହିତ୍ୟର ଆନନ୍ଦ

 

ସାହିତ୍ୟରେ ଲେଖକ ଓ ପାଠକ ଉଭୟ ଆନନ୍ଦ ଅନୁଭବକରନ୍ତି ଓ ଏହି ଆନନ୍ଦର ମଧ୍ୟ ଦେଇ ଉଭୟ ହୃଦୟର ସଂଯୋଗ ଘଟେ ବୋଲି ସାହିତ୍ୟର ସ୍ଥାନ ଅନ୍ୟାନ୍ୟ ଶିକ୍ଷଣୀୟ ବିଷୟ ଅପେକ୍ଷା ଉଚ୍ଚତର । କଳ୍ପନାକୁ ଆଶ୍ରୟ କରି ମାନବ ମନରେ ଉଚ୍ଚତର ଭାବଧାରାକୁ ଉଠିବାର ଯେଉଁ ପ୍ରୟାସ ତାହା କେବଳ ସାହିତ୍ୟ ଦ୍ୱାରା ତୃପ୍ତ ହୋଇଥାଏ । ଏଣୁ ସାହିତ୍ୟ ଅନ୍ୟାନ୍ୟ ଶିକ୍ଷଣୀୟ ସମସ୍ତ ବିଷୟମାନଙ୍କଠାରୁ ପୃଥକ୍‌ । ତାହାର ସୃଷ୍ଟି ଉପଭୋଗ କରିବା ନିମନ୍ତେ ଓ ଏହି ଉପଭୋଗର ସ୍ଥାୟିତ୍ୱ ଓ ପବିତ୍ରତା ଉପରେ ସାହିତ୍ୟର ଉତ୍କର୍ଷ ଓ ଅପକର୍ଷ ନିର୍ଭର କରେ । ବିଶ୍ୱସଂସାର ମଧ୍ୟରେ ଏକ ଅସୀମ ଓ ଅପାର ଆନନ୍ଦ ପରିବ୍ୟାପ୍ତ ରହିଅଛି । ଏହି ଆନନ୍ଦର କଣାମାତ୍ର ଗ୍ରହଣ କରି ମନୁଷ୍ୟର ମନ ଆନନ୍ଦ ରସରେ ଆପ୍ଳୁତ ହୁଏ । ଭଗବାନ ଏହି ବିଶ୍ୱବ୍ୟାପୀ ଆନନ୍ଦ ରସର ଆକର ଓ ଏହି ରସର ନାନାପ୍ରକାର ଅଭିବ୍ୟକ୍ତି ସଂସାରରେ ସର୍ବଦା ପରିଦୃଶ୍ୟମାନ ହୋଇଥାଏ । ସାହିତ୍ୟ ଏହି ରସର ଓ ଆନନ୍ଦର ସନ୍ଧାନ ମନୁଷ୍ୟକୁ ଆଣିଦିଏ, ଓ ବିଶ୍ୱର ଅନନ୍ତ ଆନନ୍ଦରସର ସନ୍ଧାନ ମନୁଷ୍ୟକୁ ଦେଇ ମନୁଷ୍ୟକୁ ଏହି ଆନନ୍ଦଲାଭ ନିମନ୍ତେ ବ୍ୟାକୁଳ କରେ । ଆମ୍ଭମାନଙ୍କର ମନ ଯେତେବେଳେ ସାଧାରଣ ପାର୍ଥିବ ଜଗତର ଏକମୁଖୀ ଜ୍ଞାନରେ ସୀମାବଦ୍ଧ ହେବାକୁ ଅନିଛୁକ ହୋଇ ଆନନ୍ଦ ରସର ସନ୍ଧାନରେ ଅମର ଲୋକକୁ ଯିବାର ଚେଷ୍ଟାକରେ ଓ ଉଚ୍ଚତର ଭାବରାଜ୍ୟରେ ବିଚରଣକରି ସଂସାରର ଦୁଃଖକଷ୍ଟ ପ୍ରଭୃତିକୁ ହେୟଜ୍ଞାନ କରିବାର ପ୍ରୟାସ କରେ ସେତେବେଳେ ଆମ୍ଭେମାନେ ସାହିତ୍ୟର ଆଶ୍ରୟ ଘେନିଥାଉଁ । ପୁଣି ସଂସାରର ଦୀନାତିଦୀନ, ଅନୀତିପରାୟଣ, ଦୁଃଖମୋହ କ୍ଳିଷ୍ଟ ନର ନାରୀର ଦୁଃସହ କଷ୍ଟକର ଜୀବନର ଚିତ୍ରରେ ଯେତେ ବେଳେ ଆମ୍ଭମାନଙ୍କର ମନ ବ୍ୟଥିତ ହୁଏ ତେତେବେଳେ ସାଧାରଣ ନୟନ ଅଗୋଚର ଘଟନା ରାଶିର ସୃଷ୍ଟିକରି ତହିଁରେ ଆନନ୍ଦର ରଶ୍ମି ଉପଭୋଗ କରିବାର ପ୍ରୟାସରେ ଆମ୍ଭେମାନେ ସାହିତ୍ୟର ସୃଷ୍ଟି କରି ଥାଉଁ । ସାହିତ୍ୟିକ ନିଜର କଳ୍ପନା ବଳରେ ଚରାଚର ସକଳ ପ୍ରକାର ପଦାର୍ଥ ସହିତ ନିଜର ହୃଦୟରେ ଐକ୍ୟ ସଂସ୍ଥାପିତ କରେ ଓ ଏହି ଐକ୍ୟରେ ବିଶେଷ ଆନନ୍ଦ ଉପଭୋଗ କରିପାରେ । ନିଜର ଜୀବନରେ ଯେଉଁ ଲୋକ ଏହିପରି ଆନନ୍ଦ ଉପଭୋଗ କରିନାହିଁ ସେ କେବେହେଁ ପ୍ରକୃଷ୍ଟ ସାହିତ୍ୟିକ ହୋଇ ନ ପାରେ ।

 

ସାହିତ୍ୟରେ ଏହି ଆନନ୍ଦର ସ୍ୱରୂପ ଓ ଅଭିବ୍ୟକ୍ତି ମୂଳତଃ କଣ ତାହା ସହଜରେ ବିଶ୍ଳେଷଣ କରା ଯାଇପାରେ, ସାଧାରଣତଃ ଆମ୍ଭେମାନେ ଯେଉଁ ଆନନ୍ଦ ଉପଭୋଗ କରୁଁ ତାହା ପାର୍ଥିବ ଓ କ୍ଷଣସ୍ଥାୟୀ । କୌଣସି ଗୋଟିଏ ପ୍ରବୃତ୍ତି ବା ଆଶାର ଚରିତାର୍ଥତାରେ ଆମ୍ଭେମାନେ ଏହି ପ୍ରକାର ଆନନ୍ଦ ପାଉ, ମାତ୍ର ଏହା ଅନେକ ସମୟରେ ଭବିଷ୍ୟତରେ ନିରାନନ୍ଦର କାରଣ ହୋଇଥାଏ ଏବଂ ଅନ୍ୟ ଲୋକର କଷ୍ଟକୁ ଉପେକ୍ଷାକରି ଅନେକ ସମୟରେ ଆମ୍ଭେମାନେ ଏହିପରି ଆନନ୍ଦରେ ମତ୍ତ ହେଉ । ଏହି ଆନନ୍ଦ ଅତ୍ୟନ୍ତ କ୍ଷଣସ୍ଥାୟୀ । କୌଣସି ବିଶେଷ ମୁହୂର୍ତ୍ତର ଉତ୍ତେଜନା ଚାଲିଗଲେ ମନୁଷ୍ୟ ପୁନରାୟ ନିଜର ଦୁଃଖକୁ ଅନୁଭବ କରିପାରେ ଓ ତାହାର ଆନନ୍ଦ ଅତି ଅଳ୍ପକାଳ ନିମନ୍ତେ ହୃଦୟକୁ ଆଶ୍ରୟ କରି ଚିରକାଳ ସକାଶେ ବିଲୟ ପ୍ରାପ୍ତ ହୁଏ, ମାତ୍ର ସାହିତ୍ୟର ଆନନ୍ଦ ଏହିପରି ଅଳ୍ପକାଳସ୍ଥାୟୀ ବା କ୍ଷଣିକ ଉତ୍ତେଜନାରୁ ସମ୍ଭୂତ ନୁହେଁ । ଏହା ଲେଖକ ଓ ପାଠକ ଉଭୟର ମନରେ ଏକ ବିମଳ ଆନନ୍ଦର ସୃଷ୍ଟିକରେ ଓ ଏହି ଆନନ୍ଦ ମାନବ ସମାଜର ସର୍ବତୋମୁଖୀ ବିକାଶ ସହିତ ସହାନୁଭୂତିରୁ ସଞ୍ଜାତ ହୋଇ ଥିବାରୁ ବହୁକାଳ ସ୍ଥାୟୀ ହୋଇଥାଏ ।

 

ମାନବସମାଜ ପ୍ରକୃତି ଓ ପରମେଶ୍ୱର ଏହି ତିନିଙ୍କ ମଧ୍ୟରେ ଐକ୍ୟ ଅନୁଭବ କରୁଥିବାରୁ ସାହିତ୍ୟିକ ଏକ ନୈସର୍ଗିକ ଆନନ୍ଦର ଅଧିକାରୀ ହୁଏ । କୌଣସି ପଦାର୍ଥ ସହିତ ତାହାର ବିରୋଧ ନାହିଁ । କୌଣସି ପଦାର୍ଥକୁ ସେ ହେୟ ମଣେନାହିଁ । ମନୁଷ୍ୟର ଦୁଃଖ କଷ୍ଟକୁ ସେ ସ୍ୱତଃ ବରଣ କରିନିଏ, ସଂସାରମଧ୍ୟରେ ଜଗନ୍ନିୟନ୍ତାଙ୍କର ମଙ୍ଗଳ ବିଧାନ ଅନୁଭବ କରେ, ଏଣୁ ତାହାର ଆନନ୍ଦ କେବେହେଁ ନଷ୍ଟ ହୁଏନାହିଁ । ପରନ୍ତୁ ମାନବ ସମାଜରେ ଯାହା ହେୟ ବା ଅକିଞ୍ଚିତ୍‌କର ସେଥି ମଧ୍ୟରେ କୌଣସି ମହାନ୍‌ ଉଦ୍ଦେଶ୍ୟ ଦେଖି ବା ମହାମାନବିକତାର ବିକାଶ ଦେଖି ତାହାର ଆନନ୍ଦ ଜାତ ହୋଇଥାଏ । ଜଣେଲୋକ ଯଦି ଚୋରିକରେ ତାହାହେଲେ ସଂସାର ତାହାକୁ ଘୃଣାକରେ ଓ ତାହାର କାର୍ଯ୍ୟକୁ ନିତାନ୍ତ କଠୋର ଭାବରେ ଦେଖେ, ମାତ୍ର, ସାହିତ୍ୟିକ ଉକ୍ତ କାର୍ଯ୍ୟ ମଧ୍ୟରେ ତାହାର ଅନ୍ତଃସ୍ଥଳର ସ୍ପନ୍ଦନ ଅନୁଭବ କରି ସେହି କାର୍ଯ୍ୟର ପଶ୍ଚାତ୍‌ରେ ଥିବା କୌଣସି ମହାନ୍‌ ଉଦ୍ଦେଶ୍ୟ ବା ପ୍ରବୃତ୍ତି ପ୍ରତି ଲୋକଙ୍କର ମନୋଯୋଗ ଆକର୍ଷଣ କରେ । ହୁଏତ ସେହି ଲୋକ ନିଜର ବୃଦ୍ଧ ପିତା ମାତାର କ୍ଷୁନ୍ନିବୃତ୍ତି କରିବା ସକାଶେ ଏହିପରି ହୀନ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛି । ହୁଏତ ତାହାର ଇଚ୍ଛାର ବିରୁଦ୍ଧରେ ଅନେକ କାଳ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱକରି ଶେଷରେ ଅନନ୍ୟୋପାୟ ହୋଇ ତାକୁ ଏପରି ଘୃଣ୍ୟକାର୍ଯ୍ୟ କରିବାକୁ ପଡ଼ିଅଛି, ଅଥବା କୌଣସି ଘଟଣା ସ୍ରୋତର ବେଗଦ୍ୱାରା ଚାଳିତ ହୋଇ ଜଗତର ଅଶ୍ରଦ୍ଧା ବାଧ୍ୟ ହୋଇ ସହ୍ୟ କରିବାକୁ ହେଉଅଛି । ଯେଉଁ ଲୋକ ଅନେକ ଦିନ ପର୍ଯ୍ୟନ୍ତ ସମାଜର ଅଭାବକୁ ଉପେକ୍ଷା କରି, ନିଜର ଚତୁର୍ଦ୍ଦିଗରେ ଥିବା ଜରାମୃତ୍ୟୁ କଷ୍ଟକୁ ଅବହେଳା କରି ଅନ୍ୟ ଲୋକର ସୁଖ ବା ସୁବିଧା ପ୍ରତି ଦୃଷ୍ଟି ନ ଦେଇ ନାନା ଉପାୟରେ ଅର୍ଥ ସଞ୍ଚୟ କରୁଅଛି ତାହାର ପାଷାଣ ହୃଦୟ ଅପେକ୍ଷା କ୍ଷଣିକ ଅଭାବର ତାଡ଼ନାରେ ଉକ୍ତ ସଞ୍ଚିତ ଅର୍ଥର କଣାମାତ୍ର ଯେଉଁ ଲୋକ ନିଜର ବ୍ୟବହାର ସକାଶେ ଗ୍ରହଣ କରେ ସେ କାହିଁକି ଜଗତରେ ଘୃଣ୍ୟ ଓ ହେୟ ହେବ ? ଏହିପରି ଭାବରେ ସାହିତ୍ୟିକ ସେହି କାର୍ଯ୍ୟଟିକୁ ବିଶ୍ଳେଷଣ କରି ଜଗଦ୍‌ବାସୀ ମନରେ ଉକ୍ତ ଲୋକପ୍ରତି ସହାନୁଭୂତି ଆନୟନ କରିବାର ଚେଷ୍ଟାକରେ । କୌଣସି ନାରୀ ପତିତା ହେଲେ, କୌଣସି ଲୋକ ସାଧାରଣ ନୀତି ବିଗର୍ହିତ କାର୍ଯ୍ୟ କଲେ ସାହିତ୍ୟିକ ଉକ୍ତ କାର୍ଯ୍ୟକୁ ଘୃଣା ନ କରି ଲୋକଙ୍କ ମନରେ ସେହି କାର୍ଯ୍ୟର ପଶ୍ଚାତରେ ଥିବା ମାନବିକତାକୁ ପ୍ରତିଷ୍ଠା କରେ । ସଂସାରରେ କୌଣସି ମନ୍ଦ କାର୍ଯ୍ୟ ହେବାର ଦେଖିଲେ, କୌଣସି ଲୋକ ଦୁଃଖରେ ପତିତ ହେଲେ ଆମ୍ଭମାନଙ୍କ ମନରେ ସ୍ୱତଃ ଦୁଃଖ ଜାତ ହୁଏ । ଈଶ୍ୱରଙ୍କର ସଂସାର ଆନନ୍ଦ ଓ ଧର୍ମ୍ମରେ ପ୍ରତିଷ୍ଠିତ ହେବା ସ୍ୱାଭାବିକ, ଏଣୁ ମନ୍ଦ କାର୍ଯ୍ୟ ଆମ୍ଭମାନଙ୍କର କ୍ଳେଶ ଜନକ ହୋଇଥାଏ ମାତ୍ର ସାହିତ୍ୟିକ ସେହି ମନ୍ଦ କାର୍ଯ୍ୟ ମଧ୍ୟରେ ଥିବା ଉତ୍ତମ ପ୍ରବୃତ୍ତି ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରି ଆମ୍ଭମାନଙ୍କର ମନରୁ ଘୃଣାର ଭାବ ଓ କଷ୍ଟକୁ ଦୂର କରାଇ ଆନନ୍ଦ ପ୍ରଦାନ କରିଥାଏ ।

 

ସାହିତ୍ୟିକ ଏହିପରି ଦୁଃଖ ଦାରିଦ୍ର୍ୟ କ୍ଳେଶ ଓ ଅପବାଦ ମଧ୍ୟରେ ଆନନ୍ଦର ସନ୍ଧାନ ଲାଭ କରିବାରେ ବ୍ୟସ୍ତ । ସାଧାରଣତଃ ଜଗତରେ ଦୁଃଖର ଅସ୍ତିତ୍ୱ ଦେଖି ଆମ୍ଭମାନଙ୍କ ମନ ଦୁଃଖରେ ପୂର୍ଣ୍ଣ ହୋଇଥାଏ ଓ ଆମ୍ଭେମାନେ ଭଗବାନଙ୍କ ମଙ୍ଗଳମୟ ବିଧାନରେ ବିଶ୍ୱାସ ରଖିପାରୁ ନାହିଁ । ଶତଶତ ଲୋକେ ଦାରିଦ୍ର୍ୟର କଠୋର ପ୍ରଭାବରେ ନିଷ୍ପେଷିତ, ରୋଗ ଶୋକରେ ଜର୍ଜ୍ଜରିତ, ମୃତ୍ୟୁର କରାଳଛାୟା ଦ୍ୱାରା ସେମାନଙ୍କ ମନରୁ ସମସ୍ତ ଆନନ୍ଦ ଲୁପ୍ତ, ନାନାପ୍ରକାର କ୍ଳେଶ ଭୋଗ କରି ସେମାନଙ୍କର ଜୀବନ ସର୍ବଦା ଦୁଃଖମୟ । ଏପରି ସଂସାରରେ ଆନନ୍ଦର ଅବସର କାହିଁ ବା ପରମେଶ୍ୱରଙ୍କର ମଙ୍ଗଳମୟ ବିଧାନର ପରିଚୟ କେଉଁଠାରେ ? ମାତ୍ର ସାହିତ୍ୟିକ ଏହି ବିଷୟମାନଙ୍କୁ ସ୍ଥିର ଭାବରେ ଦେଖି ଦୁଃଖ କଷ୍ଟମୟ ସଂସାର ମଧ୍ୟରେ ଓ ମୃତ୍ୟୁର ଛାୟା ମଧ୍ୟରେ ଆନନ୍ଦ ଓ ଅମରତ୍ୱର ସନ୍ଧାନ ପାଠକ ସମ୍ମୁଖରେ ଉପସ୍ଥାପିତ କରିପାରେ । ପର୍ଣ୍ଣକୁଟୀରର ଦୁଃଖ କଷ୍ଟ ମଧ୍ୟରେ ସାଧାରଣ ଗୃହସ୍ଥ ଯେଉଁ ଅନାବିଳ ପାରିବାରିକ ସୁଖ ଶାନ୍ତି ଭୋଗକରେ, ତାହାର ରୋଗ ଯେପରି ଭାବରେ ନିଜର ପ୍ରିୟଲୋକମାନଙ୍କ ସ୍ନେହବାରିଦ୍ୱାରା ସିଞ୍ଚିତ ହୋଇ କଷ୍ଟଦାୟକ ହୁଏ ନାହିଁ, ବରଂ ପ୍ରିୟଜନମାନଙ୍କୁ ଘନିଷ୍ଠ ଭାବରେ ତାହାର ଚତୁର୍ଦ୍ଦିଗକୁ ଆକୃଷ୍ଟ କରାଏ କିମ୍ୱା ଅନେକ ଦିନ ବ୍ୟାପୀ କଳହର ଅବସାନ କରାଏ ଏ ସମସ୍ତର ବର୍ଣ୍ଣନା ଦ୍ୱାରା ସାହିତ୍ୟିକ ଦୁଃଖ କଷ୍ଟ ମଧ୍ୟରେ ଆନନ୍ଦର ସନ୍ଧାନ ଦିଏ । ରୋଗୀର ବେଦନା କ୍ଳିଷ୍ଟ ପାଣ୍ଡୁର ମୁଖବିକୃତି ଦେଖି ଆମ୍ଭମାନଙ୍କର ମନ କ୍ଳିଷ୍ଟ ହେଲେହେଁ ସେହି ରୋଗର ପାରିପାର୍ଶ୍ୱିକ ଘଟନା ମଧ୍ୟରେ ଯେଉଁ ଆନନ୍ଦର କଣା ନିହିତ ଅଛି ସାହିତ୍ୟିକ ତାହାହିଁ ଆମ୍ଭମାନଙ୍କ ସମ୍ମୁଖର ଚିତ୍ରିତ କରିବାର ପ୍ରୟାସ କରେ । ସାଧାରଣତଃ ଲୋକେ ମୃତ୍ୟୁକୁ ସର୍ବଦା ଦୁଃଖଜନକ ଭାବରେ ଚିତ୍ରିତ କରନ୍ତି ଓ ମୃତ୍ୟୁର ଆତଙ୍କରେ ସର୍ବଦା ଭୀତ ଓ ତ୍ରସ୍ତ ହୁଅନ୍ତି; ମାତ୍ର ସାହିତ୍ୟିକ ମୃତ୍ୟୁ ମଧ୍ୟରେ ଦୁଃଖ କ୍ଳେଶର ଅବସାନ ଓ ଅପୂର୍ଣ୍ଣ ପାର୍ଥିବ ଜୀବନର ପୂର୍ଣ୍ଣତା ପ୍ରାପ୍ତିର ପ୍ରୟାସ ଦେଖି ଆନନ୍ଦ ଅନୁଭବ କରେ ।

 

ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଆନନ୍ଦର ବନ୍ଧନ ସୃଷ୍ଟି କରେ ତାହାହଁ ସାହିତ୍ୟ । ମନୁଷ୍ୟମାନଙ୍କ ମଧ୍ୟରେ ଆନ୍ତରିକ ଐକ୍ୟ ଦେଖିବା ସାହିତ୍ୟିକର ପ୍ରଧାନ କାର୍ଯ୍ୟ । ମନୁଷ୍ୟମାନଙ୍କ ମଧ୍ୟରେ ଦୁଃଖ କଷ୍ଟ ମଧ୍ୟ ଦେଇ ହୃଦୟର ଯୋଗ ଜାତ ହୋଇଥାଏ । ଯେତେବେଳେ ଆମ୍ଭେମାନେ ସାଧାରଣ ଲୋକଙ୍କ ପରି ଆନନ୍ଦ ଭୋଗକରୁଁ ସେତେବେଳେ ଅନ୍ୟ ଲୋକ ସହିତ ଆମ୍ଭମାନଙ୍କ ପ୍ରାଣର ସଂଯୋଗ ଘଟେ ନାହିଁ ଏବଂ ବାହ୍ୟତଃ ଅନ୍ୟ ଲୋକଙ୍କୁ ଆମ୍ଭମାନଙ୍କର ବନ୍ଧୁ ପ୍ରିୟ ବା ହିତକାରୀ ବୋଲି ଭାବିଲେହେଁ ଅନ୍ତରର ଅନ୍ତରତମ ପ୍ରଦେଶରେ ସେମାନଙ୍କ ପ୍ରତି ପ୍ରଗାଢ଼ ସ୍ନେହ ବା ବନ୍ଧୁତ୍ୱ ଆମ୍ଭମାନଙ୍କ ମନରେ ଉଦିତ ହୁଏ ନାହିଁ । କିନ୍ତୁ ଯେତେବେଳେ ଦୁଃଖ କଷ୍ଟ ଦ୍ୱାରା ଆମ୍ଭେମାନେ ଅଭିଭୂତ ହୋଇ ପଡ଼ୁଁ, ସଂସାର ଯେତେବେଳେ ଆମ୍ଭମାନଙ୍କ ପକ୍ଷରେ ଦୁଃସହ ଓ ଦୁଃଖମୟ ହୋଇ ପଡ଼େ ତେତେବେଳେ ଅନ୍ୟମାନଙ୍କର ସ୍ନେହ ଓ ପ୍ରୀତି ଆମ୍ଭମାନଙ୍କର ପ୍ରଧାନ ଅବଲମ୍ୱନ ଓ ଆଶ୍ରୟ ହୁଏ ଓ ଆମ୍ଭମାନଙ୍କ ମନରେ ସ୍ନେହର ଆକାଙ୍କ୍ଷା ଅତ୍ୟନ୍ତ ତୀବ୍ର ହୋଇ ଉଠେ-। ସେ ସମୟରେ ଅନ୍ୟ ମାନଙ୍କର ସହାନୁଭୂତି ଆମ୍ଭମାନଙ୍କ ସହିତ ତାଙ୍କ ହୃଦୟର ଯୋଗ ପ୍ରତିଷ୍ଠା କରେ ଓ ସେମାନଙ୍କର ପ୍ରୀତିର ସାମାନ୍ୟ ନିଦର୍ଶନ ଆମ୍ଭମାନଙ୍କର ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାଏ । ଏହି ଆନନ୍ଦ ନାନାସ୍ତରର ହୋଇପାରେ କିନ୍ତୁ ସର୍ବହରାର ଯେଉଁ ଆନନ୍ଦ, ସମସ୍ତ ନଷ୍ଟ ହୋଇଗଲେ ଆମ୍ଭମାନଙ୍କ ମନରେ ଯେଉଁ ବିକଟ ଆନନ୍ଦ ଜାତ ହୁଏ, ଭଗବାନଙ୍କ ନିକଟରେ ଆତ୍ମ ସମର୍ପଣ କରି ଆମ୍ଭେମାନେ ଦୁଃଖ କଷ୍ଟକୁ ଅବହେଳା କରିବାର ଯେଉଁ ଶକ୍ତି ପାଉଁ ସେ ସମସ୍ତ ଆନନ୍ଦର ସନ୍ଧାନ ସାହିତ୍ୟିକ ଆମ୍ଭମାନଙ୍କ ନିକଟକୁ ଆଣିଦିଏ । ଦୁଃଖ ମୃତ୍ୟୁ ପାପ ଏ ସମସ୍ତକୁ ବିଶ୍ଳେଷଣ କରି ସାହିତ୍ୟିକ ପାଠକମାନଙ୍କ ସହିତ ଦୁଃଖକ୍ଳିଷ୍ଟ ନରନାରୀମାନଙ୍କର ଅନ୍ତରର ପରିଚୟ କରାଇ ଦେଇ ବିଶ୍ୱମାନବ ମାନଙ୍କ ମଧ୍ୟରେ ଯେଉଁ ଐକ୍ୟ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରେ ଓ କଷ୍ଟର ବନ୍ଧନ ଦ୍ୱାରା ସମଗ୍ର ଲୋକମାନଙ୍କ ମଧ୍ୟରେ ଯେଉଁ ଐକ୍ୟ ଆଣିବାର ଚେଷ୍ଟା କରେ ତାହାର ତୁଳନା କେଉଁଠାରେ ? ନିରାନନ୍ଦ ମଧ୍ୟରେ ଏହି ପ୍ରକାର ଐକ୍ୟର ସନ୍ଧାନ ପାଇବା ସାଧାରଣ ମନୁଷ୍ୟ ପକ୍ଷରେ ଅସମ୍ଭବ ।

 

ସାହିତ୍ୟରେ ଆଉ ଏକପ୍ରକାର ଆନନ୍ଦ ଅଛି ତାହା ସୃଷ୍ଟିର ଆନନ୍ଦ । ସାହିତ୍ୟିକ କେବଳ ପ୍ରକୃତିର ଅନୁଲେଖ କରେ ନାହିଁ, ଗତାନୁଗତିକ ଭାବରେ ଛାୟାଚିତ୍ର ନିଏ ନାହିଁ ମାତ୍ର କଳ୍ପନାର ଆଶ୍ରୟରେ ସେ ନୂତନ ଜଗତ୍‌ ସୃଷ୍ଟି କରିବାକୁ ପ୍ରୟାସ କରେ ଓ ଏହି ପ୍ରୟାସ ଦ୍ୱାରା ନିଜେ ଆନନ୍ଦ ପାଇ ପାଠକମାନଙ୍କୁ ଆନନ୍ଦ ରସର ସନ୍ଧାନ ଦେଇଥାଏ । ଶିଳ୍ପୀ ଯେପରି ଅସୀମ କଷ୍ଟ ସ୍ୱୀକାର କରି ନିଜର କଳ୍ପନା ଅନୁଯାୟୀ ମୂର୍ତ୍ତି ଗଠନ କରେ, ଭାସ୍କର ଯେପରି ଅସୀମ ଧୈର୍ଯ୍ୟ ଦ୍ୱାରା ପ୍ରତିଦିନ ମର୍ମ୍ମର ପ୍ରସ୍ତରକୁ ଖୋଦିତ କରି ନିଜର ପ୍ରିୟ ମୂର୍ତ୍ତିମାନ ପ୍ରସ୍ତୁତ କରି ନିଜେ ଆନନ୍ଦିତ ହୁଏ, ସାହିତ୍ୟିକ ସେହିପରି କଥାଶିଳ୍ପ ଦ୍ୱାରା ନିଜର କଳ୍ପନାକୁ ଭାଷା ଦେଇ ନୂତନ ସୃଷ୍ଟିର ବିମଳ ଆନନ୍ଦ ଭୋଗ କରିଥାଏ । ଗାନର ଆନନ୍ଦ ଯେପରି ଗାୟକକୁ ଦେଶକାଳ ପାତ୍ର ଭୁଲାଇ ଦିଏ ଓ ତାହାର ମନରୁ କ୍ଷଣକ ସକାଶେ ସମସ୍ତ ଦୁଃଖ ଅପନୋଦିତ କରିପାରେ ସାହିତ୍ୟିକ ସେହିପରି ନିଜର ଅସ୍ତିତ୍ୱ ଭୁଲି ଯାଇ ନିରାନନ୍ଦ ସଂସାରକୁ ନିଜର ମନରୁ ଅପସାରିତ କରି ନିଜର ସୃଷ୍ଟିରେ ବିହ୍ୱଳ ହୋଇ ସ୍ଥାନ କାଳ ପାତ୍ର ବିସ୍ମୃତ ହୋଇ ନିଜେ ଆନନ୍ଦ ପାଏ ଓ ପାଠକଙ୍କୁ ବିମଳ କାବ୍ୟାନନ୍ଦ ଦାନ କରି ଆନନ୍ଦିତ କରେ ।

 

ଏହି ଆନନ୍ଦ ଉପଭୋଗ କରିବା ସମସ୍ତଙ୍କର ସାଧ୍ୟାୟତ୍ତ ନୁହେଁ । ଏଥିରେ ପାଠକର ରସ ଗ୍ରହଣ ଶକ୍ତିର ପ୍ରୟୋଜନ ଓ ଲେଖକର ରସ ବିତରଣ କରିବାର କ୍ଷମତା ଥିବା ଆବଶ୍ୟକ । କବି ଯାହା ଲେଖେ ତାହା ତାହାର ମାନସ ଦୃଷ୍ଟିଦ୍ୱାରା ସୃଷ୍ଟ ଓ ପାଠକମାନଙ୍କ ମଧ୍ୟରେ କଳ୍ପନାର ଆଭା ନଥିଲେ ସେମାନେ ଲେଖାର ରସ ଆସ୍ୱାଦନ କରିବାକୁ ଅପାରଗ ହେବେ । ପାଠକ ସାହିତ୍ୟିକର ଲେଖା ପାଠ କରିବା ସମୟରେ ନିଜର ମନୋବୃତ୍ତି ଅନୁଯାୟୀ ନୂତନ ସୃଷ୍ଟି କରି କବିର ସୃଷ୍ଟିକୁ ବିଶ୍ଳେଷଣ କରି ଦେଖେ । ତେଣୁ ଏକପ୍ରକାର ଲେଖା ବିଭିନ୍ନ ପାଠକ ନିକଟରେ ବିଭିନ୍ନ ମୂର୍ତ୍ତି ପରିଗ୍ରହ କରି ଅନେକ ପ୍ରକାରରେ ନିଜକୁ ବ୍ୟକ୍ତ କରେ । ଏହି କାରଣରୁ ସାହିତ୍ୟର ଆନନ୍ଦ କେବେହେଁ ନଷ୍ଟ ହୁଏ ନାହିଁ ଏବଂ ସାହିତ୍ୟର ସୃଷ୍ଟି କେବେହେଁ କ୍ଷୀଣ ହୋଇ ବିଳୟ ପ୍ରାପ୍ତ ହୁଏ ନାହିଁ । ନାନାପ୍ରକାରରେ ପାଠକର ପ୍ରାଣର ତନ୍ତ୍ରୀରେ ନାନାପ୍ରକାର ଆଘାତ କରି ପାଠକର ମନରେ ନାନାପ୍ରକାରର ମୂର୍ତ୍ତି ଉଦ୍ଭାସିତ କରି ସାହିତ୍ୟିକ ସୃଷ୍ଟି ଚିରକାଳ ନିମନ୍ତେ ସଂସାରରେ ନୂତନ ହୋଇ ରହେ । ସୌନ୍ଦର୍ଯ୍ୟ ସୃଷ୍ଟି ସାହିତ୍ୟିକର ଲକ୍ଷ୍ୟ, ସୁନ୍ଦରରେ ତୃପ୍ତିର ଅବସାଦ ନାହିଁ ଏବଂ ସମୟର ପ୍ରଗତିଦ୍ୱାରା ଏହି ସୌନ୍ଦର୍ଯ୍ୟ ମଳିନ ବା ଧ୍ୱଂସପ୍ରାପ୍ତ ହୋଇ ନପାରେ ।

 

ଆନନ୍ଦହିଁ ସାହିତ୍ୟ ସୃଷ୍ଟିର କାରଣ । ଆନନ୍ଦରେହିଁ ସାହିତ୍ୟ ସୃଷ୍ଟିର ପର୍ଯ୍ୟବସତି । ‘‘ଆନନ୍ଦାଦେବ ଇମାନି ଭୂତାନି ଜାୟନ୍ତେ ଅନନ୍ଦେଚ ବିଲୀୟନ୍ତେ’’ ଏକଥା ସାହିତ୍ୟିକ ନିଜର ହୃଦୟ ମଧ୍ୟରେ ଏକାନ୍ତ ସତ୍ୟ ବୋଲି ଗ୍ରହଣ କରେ । ଆନନ୍ଦ ଭିନ୍ନ ସାହିତ୍ୟର ସୃଷ୍ଟି ଅସମ୍ଭବ ଏବଂ ସାହିତ୍ୟରେ ଆନନ୍ଦର ସନ୍ଧାନ ନଥିଲେ ତାହା ଅନ୍ୟ ଲୋକର ପ୍ରୀତିକର ହୋଇପାରନ୍ତା ନାହିଁ । ସାହିତ୍ୟର ଏହି ଆନନ୍ଦ କଳ୍ପନାର ଆନନ୍ଦ, ନୂତନ ସୃଷ୍ଟିର ଆନନ୍ଦ । ଏହି ଆନନ୍ଦର ବିରାମ ନାହିଁ; ବିଲୟନାହିଁ । ଏହା ଚିରକାଳ ନିମନ୍ତେ ନାନା ମୂର୍ତ୍ତିରେ ପାଠକ ମନରେ ଆନନ୍ଦର କଣା ବିକୀରଣ କରେ ଓ ଅନ୍ୟକୁ ବିମଳ ଆନନ୍ଦ ଦାନ କରି ନିଜର ବିକାଶ ସାଧନ କରିଥାଏ ।

Image

 

ସାହିତ୍ୟର ଭାବ

 

ସାଧାରଣତଃ ଯେଉଁ ଭାଷା ଆମ୍ଭେମାନେ ବ୍ୟବହାର କରୁଁ, କିମ୍ୱା ଯେଉଁ ସବୁ ଭାବ ସବୁସମୟରେ ଆମ୍ଭମାନଙ୍କ ମନରେ ଉଦିତ ହୁଏ ସେ ସମସ୍ତ କେବେହେଁ ସାହିତ୍ୟର ଅଙ୍ଗୀଭୂତ ହୋଇପାରେ ନାହିଁ, ସାହିତ୍ୟିକ ଏହି ସାଧାରଣ ଭାବମାନଙ୍କ ମଧ୍ୟରୁ ନିଜର କଳ୍ପନା ବଳରେ ପାଠକର ରୁଚିକର କିମ୍ୱା ତୃପ୍ତିକର ଭାବମାନଙ୍କୁ ନେଇ ଆନନ୍ଦ ଦାୟକ ଭାଷାର ମଧ୍ୟଦେଇ ସୁନ୍ଦରରୂପେ ପ୍ରକାଶ କରିବାକୁ ସଚେଷ୍ଟ । ସାହିତ୍ୟିକର ପ୍ରଥମ ଲକ୍ଷ୍ୟ ଅନ୍ୟକୁ ଆନନ୍ଦଦାନ ଓ ସେଥି ମଧ୍ୟରେ ନିଜର ଆନନ୍ଦଲାଭ, ସାହିତ୍ୟିକ ଏକ ବିରାଟ ଆନନ୍ଦର କାରବାରରେ ପ୍ରବୃତ୍ତ ହୁଏ ଓ ଏହିପରି ଆନନ୍ଦଦାନକୁ ନିଜର କର୍ତ୍ତବ୍ୟ ମଧ୍ୟରେ ପରିଗଣିତ କରେ । ଏଣୁ ସାଧାରଣ ଭାବ ଓ ଭାଷାଠାରୁ ତାହାର ଭାବ ଓ ଭାଷାର ପାର୍ଥକ୍ୟ ଅନେକ ପ୍ରକାରରେ ଲକ୍ଷିତ ହୋଇଥାଏ । ଏହି ଆନନ୍ଦର ମଧ୍ୟଦେଇ ଆମ୍ଭେମାନେ କଳ୍ପନାକୁ ସତ୍ୟବୋଲି ଗ୍ରହଣକରୁଁ ଓ କଳ୍ପନା ମଧ୍ୟରେ ଯେ ସବୁ ଅବାସ୍ତବ ଓ ଅନ୍ୟର ଅଭିଜ୍ଞତା ବହିର୍ଭୂତ ଘଟଣା ବିସ୍ତାର ଥାଏ ତାହାଦ୍ୱାରା ବିଚଳିତ ହୋଇଥାଉଁ ।

 

କିନ୍ତୁ ସବୁ ପାଠକର ଆନନ୍ଦର ଅନୁଭୂତି ସମାନ ନୁହେଁ ଓ ସମସ୍ତେ ସମାନଭାବରାଜିଦ୍ୱାରା ଆନନ୍ଦ ପାଇ ନ ପାରନ୍ତି । କେଉଁ କେଉଁ ପାଠକ କେବଳ ଅଶ୍ଳୀଳ ଭାବକୁ ଆନନ୍ଦ ସହକାରେ ଗ୍ରହଣ କରନ୍ତି, କେହି କେହି ଉଚ୍ଚ ଭାବପୂର୍ଣ୍ଣ ଘଟନାକୁ ଆଶ୍ରୟକରି କଳ୍ପନା ଲୋକରେ ବିଚରଣ କରିବାକୁ ଇଚ୍ଛା କରନ୍ତି । କେହି ପ୍ରେମର ଗଳ୍ପ ଚାହାନ୍ତି, କେହି ପ୍ରକୃତିର ବର୍ଣ୍ଣନା ଚାହାନ୍ତି । କେହି ପରମେଶ୍ୱରଙ୍କର ବିଷୟ ଶୁଣିବାକୁ ଇଛୁକ, କେହି ଅବା ସମାଜର କୌଣସି ବୈଷମ୍ୟ ବିଷୟରେ ଚିନ୍ତାକରି ତାହାର କୌଣସି ସମୁଚିତ ବ୍ୟବସ୍ଥା କରିବାପାଇଁ ସଚେଷ୍ଟ । ଏଣୁ କୌଣସି ଗୋଟିଏ ପ୍ରକାର ସାହିତ୍ୟ କିମ୍ୱା ଗୋଟିଏ ଭାବପୂର୍ଣ୍ଣ କବିତା ସମସ୍ତ ପାଠକ ସମାଜକୁ ତୃପ୍ତ କରିବାକୁ ସକ୍ଷମ ହୋଇ ନ ପାରେ । ସାହିତ୍ୟ ସେଥିସକାଶେ ନାନା ସମୟରେ ନାନା ପ୍ରକାରରେ ଗତି କରିଥାଏ ଓ ସାହିତ୍ୟିକ ଦେଶକାଳପାତ୍ର ବିଷୟରେ ଲକ୍ଷ୍ୟ ରଖି ନିଜର କଳ୍ପନାକୁ ପ୍ରସାରିତ କରିବାକୁ ଚେଷ୍ଟାକରେ । ଏହି କାରଣରୁ ବିଭିନ୍ନ ସମୟରେ ବିଭିନ୍ନ ଭାବପୂର୍ଣ୍ଣ ସାହିତ୍ୟର ବହୁଳ ପ୍ରଚାର ଲକ୍ଷିତ ହୋଇଥାଏ ଓ ସାହିତ୍ୟର ଭିନ୍ନ ଭିନ୍ନ ସ୍ତର ବା ଯୁଗର ମଧ୍ୟ ସୃଷ୍ଟି ହୁଏ ।

 

ମାତ୍ର ସାହିତ୍ୟ ମଧ୍ୟରେ ଏହିପରି ନାନାଯୁଗ ଦେଖାଗଲେ ମଧ୍ୟ କେତେକ ସାଧାରଣ ବିଷୟରେ ପ୍ରାୟ ପ୍ରତ୍ୟେକ ଦେଶର ବା ଯୁଗର ସାହିତ୍ୟରେ ଏକପ୍ରକାର ସମତା ଦେଖାଯାଇ ଥାଏ-। ସାଧାରଣ ଆନନ୍ଦ ଦେବା ସାହିତ୍ୟିକର ଉଦ୍ଦେଶ୍ୟ ନୁହେଁ କିମ୍ୱା କୌଣସି ନୀଚ ଆପାତସୁଖକର ଭାବକୁ ପ୍ରଶ୍ରୟ ଦେଇ ମାନବର ମନକୁ କ୍ଷୁଦ୍ର ଓ ନୀଚ କରିବାରେ ତାହାର ଆନନ୍ଦ ହୋଇ ନ ପାରେ-। ମାନବିକତାର କୌଣସି ବିଶେଷ ବିକାଶ ଦେଖି ଯେତେବେଳେ ଆମ୍ଭମାନଙ୍କର ମନ ଆନନ୍ଦ ଓ ଗର୍ବରେ ଉତ୍ଫୁଲ୍ଲ ହୋଇ ଉଠେ କିମ୍ୱା ସଂସାରର କୌଣସି ବିଶେଷ ଭାବରାଜି ପର୍ଯ୍ୟାଲୋଚନାକରି ଉଚ୍ଚତର ଭାବର ଆଶ୍ରୟ ନେଇ ଯେତେବେଳେ ଆମ୍ଭମାନଙ୍କର ମନ ଅବିମିଶ୍ର ଆନନ୍ଦ ଲାଭକରେ, ତେତେବେଳେ ସାହିତ୍ୟିକ ସେହି ଭାବ ମାନଙ୍କୁ ଆଶ୍ରୟ କରି ଆମ୍ଭମାନଙ୍କ ମନରେ ବିମଳ ତୃପ୍ତି ସୃଷ୍ଟି କରିବାକୁ ପ୍ରୟାସୀ ହୁଏ । ପ୍ରତ୍ୟେକ ମନୁଷ୍ୟ ସମାଜସ୍ଥ ଅନ୍ୟାନ୍ୟ ଲୋକମାନଙ୍କ ସହିତ ନିଜର ପ୍ରେମ ଜନିତ ଯୋଗ ବୁଝିପାରି ଆନନ୍ଦିତ ହୁଏ ଏବଂ ଏହି କାରଣରୁ ସାହିତ୍ୟରେ ମନୁଷ୍ୟ ସମାଜର ଚିତ୍ର ଅଙ୍କିତ କରିବା ସମୟରେ ଆଦର୍ଶ ଭ୍ରାତୃଭାବ, ସାମ୍ୟ ମୈତ୍ରୀ ପ୍ରଭୃତି ମନୁଷ୍ୟମାନଙ୍କର ଐକ୍ୟ ସମ୍ପାଦକ ଉଚ୍ଚ ଭାବମାନଙ୍କର ଆଶ୍ରୟ ସାହିତ୍ୟିକ ନେଇଥାଏ । ନୀଚ କଳହ, ସ୍ୱାର୍ଥାନ୍ୱେଷ, ଈର୍ଷା, ଦ୍ୱେଷ ପ୍ରଭୃତି ମନୁଷ୍ୟର ସାଧାରଣ ଓ ନୀଚ ଗୁଣ ଗୁଡ଼ିକ ସାହିତ୍ୟରେ ସର୍ବଥା ନିନ୍ଦିତ ହୋଇଥାଏ ଓ ସାହିତ୍ୟିକ ନିଜର ବିଦ୍ରୂପବାଣ ଦ୍ୱାରା ଏ ସମସ୍ତକୁ ସଂସାରରୁ ଦୂରକରିବାର ଚେଷ୍ଟାକରେ । କୃପଣର ଧନ ସଞ୍ଚୟରେ ଯେଉଁ ଆନନ୍ଦ ସାହିତ୍ୟିକ ତାହାକୁ ସର୍ବଦା କଷାଘାତ କରେ । ମତ୍ତଲୋକର ମାଦକ ପାନରେ ଯେଉଁ ବିଭତ୍ସ ଆନନ୍ଦ ତାହା ମଧ୍ୟ ଯଥାଯଥ ଅଙ୍କିତକରି ଲୋକମାନଙ୍କ ମନରେ ତାହା ପ୍ରତି ଘୃଣା ଜାଗରୁକ କରାଏ । କାମୁକର ଆସକ୍ତି, ପରଶ୍ରୀକାତର ଲୋକର ଈର୍ଷା, ଅନ୍ୟର ଅପକାର କରି ତୃପ୍ତି, ବିଷୟୀ ଲୋକର ଅର୍ଥାଗମ ଚିନ୍ତାରେ ବୁଡ଼ି ରହିବା ପ୍ରଭୃତି ସକଳ ପ୍ରକାର କ୍ଷୁଦ୍ର ଓ କ୍ଷଣିକ ଆନନ୍ଦକୁ ସାହିତ୍ୟିକ ହେୟ ପ୍ରତିପନ୍ନ କରେ ଓ ମନୁଷ୍ୟକୁ ଉଚ୍ଚତର ଆନନ୍ଦ ଲାଭ କରିବାରେ ଉବ୍ଦୁଦ୍ଧ କରାଇ ତାହାର ମନରେ ଏ ସମସ୍ତ ପ୍ରତି ଘୃଣା ଉପଜାତ କରାଏ ।

 

ମାନବିକତାର ପ୍ରଥମ ବିକାଶ ନିଜ ନିଜ ମଧ୍ୟରେ ପ୍ରେମର ବନ୍ଧନରେ ଆନନ୍ଦ । ଏହି ଆନନ୍ଦ ନାନା ପ୍ରକାରରେ ସାହିତ୍ୟ ମଧ୍ୟରେ ସ୍ଥାନ ପାଇଥାଏ । ଜଣେ ଲୋକ ନାନା ପ୍ରକାର ଦୁଷ୍କାର୍ଯ୍ୟ କଲେ ମଧ୍ୟ ନିଜର ପିତା ମାତା ଭ୍ରାତା ବା ପତ୍ନୀ ନିକଟରେ ଘୃଣ୍ୟ ହୁଏ ନାହିଁ, ଏବଂ ଅନେକ ସମୟରେ ଏହି ପ୍ରେମର ବନ୍ଧନ ତାକୁ ପାପରୁ ରକ୍ଷାକରେ ଓ ତାହାର ଜୀବନକୁ ଧର୍ମ୍ମ ଆଡ଼େ ପ୍ରବର୍ତ୍ତାଏ । ଏହି ଚିତ୍ର ଆମ୍ଭମାନଙ୍କ ମନରେ ଅପୂର୍ବ ଆନନ୍ଦ ପ୍ରଦାନ କରେ ଓ ଆମ୍ଭେମାନେ ମଧ୍ୟ ଅନ୍ୟର ପ୍ରୀତିଦ୍ୱାରା ପାପର ପ୍ରଲୋଭନକୁ ଜୟକରି ପାରିବୁ ଏହି ଭାବ ଆମ୍ଭମାନଙ୍କ ମନରେ ଆସି ଆମ୍ଭମାନଙ୍କୁ ଉତ୍ସାହିତ କରେ ।

 

ଏହି ଆନନ୍ଦ ସାହିତ୍ୟର ବର୍ଣ୍ଣିତ ବିଷୟ ମଧ୍ୟରେ ପରିଗଣିତ ହୁଏ । ସଂସାରର ଦୁଃଖ କଷ୍ଟଦ୍ୱାରା ତାଡ଼ିତ ହୋଇ ମଧ୍ୟ ଜଣେ ଲୋକ ଯେତେବେଳେ ନିଜର କର୍ତ୍ତବ୍ୟ ପଥରୁ ଆଦୌ ବିଚଳିତ ନ ହୋଇ ଅନ୍ୟର କାମ୍ୟ ଆପାତମଧୁର ସୁଖକୁ ଉପେକ୍ଷାକରି ନିଜର କର୍ତ୍ତବ୍ୟ କରିବାରେ ପ୍ରୟାସୀ ହୁଏ ଓ ଶେଷରେ ଭଗବାନଙ୍କ ନିକଟରେ ପୁରସ୍କାର ଲାଭକରେ ତେତେବେଳେ ଲୋକସମାଜ ମଧ୍ୟ ଉକ୍ତ ପ୍ରକାର କର୍ତ୍ତବ୍ୟ କରିବାର ଆକାଙ୍କ୍ଷା ଦେଖି ଆନନ୍ଦିତ ହୁଅନ୍ତି ଓ ଉକ୍ତ ଆନନ୍ଦ ସାହିତ୍ୟ ମଧ୍ୟରେ ସ୍ଥାନ ପାଏ । ନିଜର ଜୀବନକୁ ବିପନ୍ନକରି ଅନ୍ୟକୁ ରକ୍ଷା କରିବାର ପ୍ରୟାସ, ଗୌରବମୟ କାର୍ଯ୍ୟର ସାଧନାରେ କିମ୍ୱା ନୀତିର ଆଦର୍ଶ ପ୍ରତିଷ୍ଠାପିତ କରିବାରେ ଅକ୍ଳାନ୍ତ ଚେଷ୍ଟା, ନିଜର ଚିରାଚରିତ ନୀତିକୁ ବିସର୍ଜ୍ଜନ ଦେଇ ଅନ୍ୟର ସାହାଯ୍ୟରେ ପ୍ରବୃତ୍ତ ହେବାର ଆକାଙ୍କ୍ଷା ଏ ସମସ୍ତ ମଧ୍ୟ ସମାଜ ସହିତ ଆମ୍ଭମାନଙ୍କର ହୃଦୟର ଯୋଗ ସ୍ଥାପନ କରେ ଓ ସାହିତ୍ୟିକ ଏହିସବୁ ଭାବର ଆଶ୍ରୟ ନେଇ ନିଜର ଗଳ୍ପ ବା କବିତା ରଚନା କରିଥାନ୍ତି । ଯେ କୌଣସି ଭାବଦ୍ୱାରା ମନୁଷ୍ୟର ଆତ୍ମା କୌଣସି ଉଚ୍ଚତରସ୍ତରକୁ ନୀତ ହୁଏ କିମ୍ୱା ସମାଜ ମଧ୍ୟରେ ପ୍ରୀତି ବା ସ୍ନେହର ବନ୍ଧନ ପ୍ରତିଷ୍ଠିତ ହୁଏ ତାହାହିଁ ସାହିତ୍ୟିକର ଆଶ୍ରୟ ହୋଇପାରେ । ସାଧାରଣତଃ ସାହିତ୍ୟରେ ଆମ୍ଭେମାନେ ପ୍ରେମର ଚିତ୍ର ପାଇଥାଉ । ଦୁଇଜଣ ଲୋକମଧ୍ୟରେ ବିମଳ ପ୍ରେମ ସେମାନଙ୍କ ହୃଦୟକୁ କିପରି ଭାବରେ ଆକୃଷ୍ଟକରି ସଂସାର ପ୍ରତି ସେମାନଙ୍କୁ ଅନ୍ଧ କରାଏ ଏବଂ ସେହି ପ୍ରୀତି ପରେ କିପରି ଅଶେଷ ଦୁଃଖ ବା ସୁଖର କାରଣ ହୁଏ ସାହିତ୍ୟିକ ଗ୍ରନ୍ଥମାନଙ୍କରେ ତାହାର ଅନେକ ପ୍ରକାର ଚିତ୍ର ପରିଦୃଷ୍ଟ ହୁଏ । କାରଣ ଏହି ପ୍ରୀତି ମାନବିକତାର ଏକପ୍ରକାର ବିକାଶ ଓ ଏହା ଆତ୍ମାର ଆନନ୍ଦର ଏବଂ ଏହି ପ୍ରୀତିକୁ ଭିତ୍ତିକରି ମନୁଷ୍ୟ ସମାଜ ସହିତ ଜଣେ ମନୁଷ୍ୟର ହୃଦୟର ବନ୍ଧନ ସୁପ୍ରତିଷ୍ଠିତ ହୋଇଥାଏ । ପ୍ରେମର ଦୁଃଖମୟ ପରିଣତିକୁ କରୁଣ ଭାବରେ ଚିତ୍ରିତକରି ତାହାର ସୁଖକୁ ଲେଖକ ଅହରହଃ ଆମ୍ଭମାନଙ୍କ ମନରେ ଜାଗରୁକ କରିବାର ପ୍ରୟାସ କରେ । କୌଣସି କୌଣସି ସାହିତ୍ୟିକ ପ୍ରେମର ଉଚ୍ଛ୍ୱାସକୁ ଅଯଥା ଉଚ୍ଚସ୍ଥାନ ଦେଇଥାନ୍ତି, କେହି କେହି ବା ତାହାକୁ କର୍ତ୍ତବ୍ୟ କାର୍ଯ୍ୟର ହାନିକର ରୂପେ ଚିତ୍ରିତ କରିଥାନ୍ତି ମାତ୍ର ସାଧାରଣତଃ ପ୍ରେମକୁ ଉଚ୍ଚତର ଭାବର ଆଶ୍ରୟ ଦେଇ ଚିତ୍ରିତ କରିବାରେ ସାହିତ୍ୟିକମାନେ ଯତ୍ନ କରନ୍ତି । ପ୍ରେମର ଉତ୍ପତ୍ତି, ପରିଣତି ସ୍ଥିତି ଓ ଲୟ ପ୍ରଭୃତିର ନାନା ପ୍ରକାର ଚିତ୍ର ସାହିତ୍ୟରେ ଆମ୍ଭେମାନେ ପାଇଥାଉଁ ଏବଂ ପ୍ରାୟ ପ୍ରତ୍ୟେକ ଉପନ୍ୟାସ ବା କବିତାରେ ଆମ୍ଭେମାନେ ପ୍ରେମର ଆଭାସ ପାଇଥାଉଁ । ଏହାର କାରଣ, ପ୍ରୀତି ପ୍ରାଣୀ ହୃଦୟର ଏକ ପ୍ରବଳ ଅନୁଭୂତି ଏବଂ ଏହି ଅନୁଭୂତି ଦ୍ୱାରା ନିୟନ୍ତ୍ରିତ ହୋଇ ପ୍ରାଣୀ ନାନାପ୍ରକାର ସାମାଜିକ ବିପର୍ଯ୍ୟୟ ସୃଷ୍ଟି କରେ । ଏହି କାରଣରୁ ସାହିତ୍ୟିକମାନେ ନାନା ଦିଗରୁ ପ୍ରେମକୁ ବିଶ୍ଳେଷଣ କରି ପ୍ରାଣୀ ଜଗତ ମଧ୍ୟରେ ଏହାର ସ୍ଥାନ ନିରୂପଣ କରିବାକୁ ଓ ଅନ୍ୟାନ୍ୟ ଅନୁଭୂତି ସଙ୍ଗରେ ଏହାର ସାମଞ୍ଜସ୍ୟ ବିଧାନ କରିବାକୁ ଚେଷ୍ଟା କରିଥାନ୍ତି । ନିଜର ଦେଶ ନିମନ୍ତେ ଯୋଦ୍ଧାର ଅପୂର୍ବ ସାହସ ସହିତ ଯୁଦ୍ଧ ଓ ପ୍ରାଣଦାନ, ନିଜର ଅନ୍ତରଙ୍ଗ ବନ୍ଧୁ ନିମନ୍ତେ ପ୍ରାଣ ତ୍ୟାଗ ସ୍ୱୀକାର, ନିଜର କର୍ତ୍ତବ୍ୟ କରିବାକୁ ଯାଇ ଅଶେଷ ଦୁଃଖକୁ ବରଣ କରିବା ଏସବୁ ମଧ୍ୟ ମାନବିକତାର ବିକାଶ ଓ ଏଗୁଡ଼ିକର ନାୟକ ଦୁଃଖ ବା ମୃତ୍ୟୁକୁ ବରଣ କଲେ ମଧ୍ୟ ମାନବ ସମାଜ ଏହି ଦୁଃଖକୁ କାମ୍ୟ ବୋଲି ମନେକରେ ଏବଂ ସାହିତ୍ୟିକ ଏହିସବୁ ଭାବଦ୍ୱାରା ନିଜର ଲେଖାକୁ ପୁଷ୍ଟ କରିଥାଏ । ଯେଉଁ ଲୋକମାନଙ୍କୁ ଅନ୍ୟମାନେ ନୀଚ ବୋଲି ମନେ କରନ୍ତି ତାଙ୍କ ପ୍ରତି ସହାନୁଭୂତି, କଦାଚାରୀର କାର୍ଯ୍ୟ ମଧ୍ୟରେ ସୁନ୍ଦର ଭାବର ପ୍ରେରଣା କିମ୍ୱା ମନୁଷ୍ୟର ଦୁଃଖ କଷ୍ଟ ମଧ୍ୟରେ ଆନନ୍ଦର ଦ୍ୟୋତନା ଏସବୁ ମଧ୍ୟ ସାହିତ୍ୟର ଅଙ୍ଗୀଭୂତ ହୋଇଥାଏ, କାରଣ ଏସବୁ ମନୁଷ୍ୟର ଆନ୍ତରିକ ସହାନୁଭାବ ପ୍ରତି ଆମ୍ଭମାନଙ୍କୁ ଅନୁପ୍ରାଣିତ କରାଏ ।

 

ଅନେକ ସମୟରେ ଆମ୍ଭେମାନେ ଏକ ଅଦୃଷ୍ଟ ଶକ୍ତି ଉପରେ ବିଶ୍ୱାସ ସ୍ଥାପନ କରିବାକୁ ବାଧ୍ୟ ହେଉ, କାରଣ ଅନେକ ସମୟରେ ଆମ୍ଭମାନଙ୍କ ଇଚ୍ଛା ବିରୁଦ୍ଧରେ ନାନା ପ୍ରକାର କାର୍ଯ୍ୟ ସଂଘଟିତ ହୋଇଥାଏ ଏବଂ ଆମ୍ଭେମାନେ ଶତ ପ୍ରଚେଷ୍ଟାରେ ମଧ୍ୟ ଉକ୍ତ କାର୍ଯ୍ୟକୁ ବା ଘଟଣାସମାବେଶକୁ ବାଧା ଦେଇ ପାରୁ ନାହିଁ । ପୁରାକାଳରେ ସାହିତ୍ୟରେ ଏହି ଅଦୃଶ୍ୟ ଶକ୍ତିକୁ ଭୟଙ୍କର ଓ ମନୁଷ୍ୟର କ୍ଷତିକର ଭାବରେ ଚିତ୍ରିତ କରାଯାଉ ଥିଲା ଏବଂ ମନୁଷ୍ୟ ସେହି ଶକ୍ତି ନିକଟରେ ଆତ୍ମସମର୍ପଣ କରି ଓ ନିଜର ପ୍ରଚେଷ୍ଟାକୁ ଦୁର୍ବଳ ବୋଲି ସ୍ୱୀକାର କରି ଅଦୃଶ୍ୟ ଶକ୍ତିର ବଳକୁ ସ୍ୱୀକାର କରି ନେଉଥିଲା । ଏହି ସ୍ୱୀକୃତି ମଧ୍ୟରେ ଏକ ପ୍ରକାର ଆନନ୍ଦ ନିହିତ ଥିଲା ସତ୍ୟ, ମାତ୍ର ଏହା ମନୁଷ୍ୟର ଚିତ୍ତକୁ ସବୁବେଳେ ବିକ୍ରସ୍ତ କରୁଥିଲା । ହଠାତ୍‌ ଯେତେବେଳେ ଆମ୍ଭେମାନେ ଦେଖୁଁ ଯେ ଆମ୍ଭମାନଙ୍କର ନାନା ମଙ୍ଗଳେଚ୍ଛା ସତ୍ତ୍ୱେ ମାନବ ଶକ୍ତିର ବହିର୍ଭୂତ କୌଣସି ଅଦୃଶ୍ୟ ଶକ୍ତି ବଳରେ ମନୁଷ୍ୟଇଚ୍ଛାର ବିପରୀତ କୌଣସି ଘଟନା ଘଟେ ତେତେବେଳେ ଅଘଟନଘଟନପଟୀୟସୀ ଐଶୀ ଶକ୍ତି ଦ୍ୱାରା ଅଦୃଷ୍ଟର ପରିହାସ ହୃଦୟରେ ଉପଲବ୍ଧ ହୋଇପାରେ, ମାତ୍ର କ୍ରମଶଃ ଅଦୃଷ୍ଟର ଏହି ବିଭୀଷିକାମୟ ମୂର୍ତ୍ତି ପରିବର୍ତ୍ତରେ ଭଗବାନଙ୍କର ମଙ୍ଗଳମୟ ଇଚ୍ଛା ପ୍ରତିଷ୍ଠାପିତକରି ମନୁଷ୍ୟ ଆନନ୍ଦ ଲାଭକରେ । ସାହିତ୍ୟରେ ଅଦୃଷ୍ଟ ଏହିପରି ନାନା ରୂପରେ ଚିତ୍ରିତ ହୋଇଥାଏ । କେତେବେଳେ ଅବା ଅତିପ୍ରାକୃତ ଘଟଣାରାଜି ମନୁଷ୍ୟର କାର୍ଯ୍ୟକୁ ନିୟନ୍ତ୍ରିତକରେ, କେତେବେଳେ ବା ଅନ୍ୟ ଶକ୍ତି ଦ୍ୱାରା ମନୁଷ୍ୟ ପରିଚାଳିତ ହୁଏ, କେତେବେଳେ ବା ଘଟନା ସମାବେଶର ଅବେଷ୍ଟନୀକୁ ନିଜର ଶତଚେଷ୍ଟାଦ୍ୱାରା ମନୁଷ୍ୟ ଜୟକରିପାରେ ନାହିଁ ଏବଂ କେତେବେଳେ କ୍ଷୁଦ୍ର ଓ ଅବହେଳିତ କାରଣମାନଙ୍କରୁ ଅତି ବିଷମୟଫଳ ସଞ୍ଜାତ ହୋଇଥାଏ । ଏହି ସମସ୍ତ ସତ୍ତ୍ୱେ ସାହିତ୍ୟିକ ସର୍ବଦା ଭଗବାନଙ୍କର ମଙ୍ଗଳମୟ ଇଚ୍ଛା ନିକଟରେ ମନୁଷ୍ୟକୁ ଆତ୍ମ ସମର୍ପଣ କରିବାକୁ ଶିଖାଇ ଓ ଜନ୍ମାନ୍ତରର ସୁଖଦ୍ୱାରା ତାହାର ମନକୁ ପ୍ରଲୋଭିତ କରାଇ ତାକୁ ମନନ୍ଦ ଓ ଶାନ୍ତି ଦେବାର ପ୍ରୟାସ କରେ ।

 

ସାହିତ୍ୟିକ ଏହିପ୍ରକାରେ ମୃତ୍ୟୁର ବିଭୀଷିକାକୁ ମଧ୍ୟ ଜୟ କରିବାକୁ ସମର୍ଥ ହୋଇଅଛି-। ମୃତ୍ୟୁ ସଂସାରରେ ସର୍ବଥା ଭୟପ୍ରଦ ଓ ମନୁଷ୍ୟ ମୃତ୍ୟୁର କଳ୍ପନାରେ ଭୀତ ଓ ସଂତ୍ରସ୍ତ । ମୃତ୍ୟୁର ଆକର୍ଷଣୀରେ ଆମ୍ଭେମାନେ ସଂସାରର କାର୍ଯ୍ୟକୁ ଅପୂର୍ଣ୍ଣ ରଖି ପରଲୋକ ଯାତ୍ରା କରୁ, ହଠାତ୍‌ ଆମ୍ଭମାନଙ୍କର କ୍ଷୁଦ୍ର ସଂସାରରେ ବିପର୍ଯ୍ୟୟ ସଂଘଟିତ ହୁଏ । ପ୍ରୀତିର ବନ୍ଧନମାନ ଛିନ୍ନ ହୋଇଯାଏ ଏବଂ ଏଥିରେ ସାନ୍ତ୍ୱନା ପାଇବାର କୌଣସି ପଦାର୍ଥ ଆମ୍ଭମାନଙ୍କର ଗୋଚରୀଭୂତ ହୁଏ ନାହିଁ । କିନ୍ତୁ ମୃତ୍ୟୁ ଏହିପ୍ରକାରେ ମନୁଷ୍ୟର ଦୁଃଖକର ହେଲେହେଁ ସାହିତ୍ୟିକମାନେ ତାହାର ବିଭୀଷିକା ମଧ୍ୟରେ ଆନନ୍ଦର ରଶ୍ମି ପାଇବାପାଇଁ ବ୍ୟସ୍ତ । ମୃତ୍ୟୁଦ୍ୱାରା ସଂସାରର ଦୁଃଖ କଷ୍ଟ ଅବସାନ ହୁଏ, ପ୍ରେମିକ ପ୍ରେମିକାର ବିରହ ମୃତ୍ୟୁର ଅତୀତ ରାଜ୍ୟରେ ଚିରମିଳନରେ ପର୍ଯ୍ୟବସିତ ହୁଏ । ମୃତ୍ୟୁଦ୍ୱାରା ଧନୀ ଦରିଦ୍ରର ଐକ୍ୟ ପ୍ରତିଷ୍ଠାପିତ ହୁଏ, ଏବଂ ସଂକୀର୍ଣ୍ଣଭାବ ଗୁଡ଼ିକ ମନୁଷ୍ୟ ମନରୁ ଚାଲିଯାଇ ତାକୁ ମଦାଭାବର ପ୍ରେରଣା ଦିଏ । ଏହିପରି ନାନାପ୍ରକାର କଳ୍ପନା ଦ୍ୱାରା ସାହିତ୍ୟିକ ମୃତ୍ୟୁକୁ ଆନନ୍ଦକର ରୂପେ ଚିତ୍ରିତ କରେ । କୌଣସି କୌଣସି ସାହିତ୍ୟରେ ମୃତ୍ୟୁକୁ ଜୀବନର ପୂର୍ଣ୍ଣ ପରିଣତି ସ୍ୱରୂପ ମଧ୍ୟ କଳ୍ପନା କରାଯାଇ ଥାଏ । ଯେପରି ଫଳର ପୂର୍ଣ୍ଣପରିଣତି ସୁପକ୍ୱ ହୋଇ ଝଡ଼ି ପଡ଼ିବା ସେହିପରି ମନୁଷ୍ୟ ଜୀବନରେ ପରିଣତି ବୃଦ୍ଧ ଅବସ୍ଥାରେ ମୃତ୍ୟୁର ଆଶ୍ରୟ ନେବା । ଏଥିରେ ଭୟ କରିବାର କିଛିନାହିଁ ଏବଂ ଫଳ ଯେପରି ନିଜର ଆଶ୍ରୟସ୍ଥଳ ବୃନ୍ତ ବା ବୃକ୍ଷକୁ ପରିତ୍ୟାଗ କରି ନୂତନ ଆବେଷ୍ଟନୀ ମଧ୍ୟରେ ନୂତନ ପ୍ରକାର ପ୍ରୟୋଜନରେ ବ୍ୟବହୃତ ହୁଏ ସେହି ପ୍ରକାରେ ମନୁଷ୍ୟ ଜୀବନ ମଧ୍ୟ ସଂସାରର ଆବେଷ୍ଟନୀକୁ ଛାଡ଼ି ଲୋକୋତ୍ତର ରାଜ୍ୟରେ ନୂତନ ପ୍ରକାର କାର୍ଯ୍ୟରେ ନିଯୁକ୍ତ ହୁଏ । ଏହି ପ୍ରକାର କଳ୍ପନା ଦ୍ୱାରା ମୃତ୍ୟୁର ବିଭୀଷିକା ସାହିତ୍ୟରୁ ସମ୍ପୂର୍ଣ୍ଣରୂପେ ଦୂରହୋଇ ଯାଇଅଛି ଏବଂ ସାହିତ୍ୟିକ ମୃତ୍ୟୁ ସତ୍ୱେ ଆନନ୍ଦମୟ ଜଗତର ପରିକଳ୍ପନା କରିବାକୁ ସକ୍ଷମ ହୋଇଅଛି ।

 

ସଂସାରରେ ସମସ୍ତେ ସବୁ କାର୍ଯ୍ୟରେ ସଫଳକାମ ହୁଅନ୍ତି ନାହିଁ ଏବଂ କୌଣସି କାର୍ଯ୍ୟ କରି ବିଫଳ ହେଲେ ମନୁଷ୍ୟମନରେ ସ୍ୱତଃ ଦୁଃଖ ଜାତ ହୋଇଥାଏ । ମାତ୍ର ସାହିତ୍ୟିକମାନେ ଏ କ୍ଷେତ୍ରରେ ମଧ୍ୟ ବିଫଳପ୍ରଯତ୍ନର ନିରାନନ୍ଦକୁ ଜୟକରି ଆନନ୍ଦ ରାଜ୍ୟ ପ୍ରତିଷ୍ଠା କରିବାରେ ସଚେଷ୍ଟ ହୁଅନ୍ତି । କେବଳ ସାଂସାରିକ ସାଫଲ୍ୟ ପୂର୍ଣ୍ଣ ସାଫଲ୍ୟ ନୁହେଁ, ଭଗବାନ ଆମ୍ଭମାନଙ୍କ ସାଫଲ୍ୟଦ୍ୱାରା ବିଚାର ନ କରି ଆମ୍ଭମାନଙ୍କ ମନରେ ଥିବା ଭାବରାଜି ପ୍ରୟାସ ଓ ପ୍ରଯତ୍ନଦ୍ୱାରା ବିଚାର କରନ୍ତି । ଯେଉଁ ଫୁଲ ଫୁଟିବା ପୂର୍ବରୁ ଝଡ଼ିପଡ଼େ, ଯେଉଁ ନଦୀ ମରୁଭୂମି ମଧ୍ୟରେ ନିଜର ଅସ୍ତିତ୍ୱ ଲୋପକରି ସାଗର ସଂଗମରେ ପହଞ୍ଚି ନ ପାରେ ସେ ସମସ୍ତ ଭଗବାନଙ୍କ ନିକଟରେ ହେୟ ନୁହେଁ ଓ ଭଗବାନଙ୍କର ମଙ୍ଗଳମୟ ଇଚ୍ଛା ସେମାନଙ୍କ ମଧ୍ୟରେ ପୂର୍ଣ୍ଣରୂପେ ବିକଶିତ ହୋଇଅଛି ଏହା ଚିନ୍ତା କରି ଆମ୍ଭେମାନେ ଆନନ୍ଦ ପାଇପାରୁଁ । ଯୋଦ୍ଧାର ଦିଗ୍ବିଜୟ ଯେପରି ଚିରସ୍ଥାୟୀ ନୁହେଁ କିମ୍ୱା ଗୋଟିଏ ସାମାନ୍ୟ ଫୁଲର ଫୁଟିବା ଅପେକ୍ଷା ଭଗବାନଙ୍କଠାରେ ତାହାର ବିଶେଷ କୌଣସି ମୂଲ୍ୟ ନାହିଁ, ସେହିପରି ସଂସାରରେ ଯାହା ସାଫଲ୍ୟ ବା ଅସାଫଲ୍ୟରୂପେ ଧରାଯାଏ ତାହା ମଧ୍ୟ ଭଗବାନଙ୍କଠାରେ ଅର୍ଥ ହୀନ । ଏହି ପ୍ରକାର ଭାବରାଜି ଦ୍ୱାରା ସଂସାରରେ ଯାହା କିଛି ଦୁଃଖମୟ ବୋଲି କେହି କେହି ମନେ କରନ୍ତି ସାହିତ୍ୟିକ ସେ ସମସ୍ତଙ୍କ ମଧ୍ୟରେ ଆନନ୍ଦର ରାଜ୍ୟ ପ୍ରତିଷ୍ଠା କରେ ।

 

ମାତ୍ର ମନୁଷ୍ୟ କେବଳ ମାନବ ସମାଜ ମଧ୍ୟରେ ରହେ ନାହିଁ । ସେ ପ୍ରକୃତି ମଧ୍ୟରେ ନିଜର ଜୀବନକୁ ଅତିବାହିତ କରିଥାଏ ଏଣୁ ପ୍ରକୃତି ସହିତ ମାନବର ସମ୍ୱନ୍ଧ ମଧ୍ୟ ସାହିତ୍ୟର ଅଙ୍ଗୀଭୂତ ହୁଏ । ଏଠାରେ ମଧ୍ୟ ଏପରି ଅନେକ ଭାବ ଅଛି ଯାହାକି ସାଧାରଣତଃ ସାହିତ୍ୟର ଅଯୋଗ୍ୟ ଏବଂ ସେହିସବୁ ବର୍ଣ୍ଣନା ସାହିତ୍ୟରେ ସଚରାଚର ଦେଖାଯାଏ ନାହିଁ । ଅନେକେ ନିଜର ଆବେଷ୍ଟନୀରେ ଅସନ୍ତୁଷ୍ଟ ହୋଇ ବୃକ୍ଷ ପ୍ରଭୃତିକୁ ବିନଷ୍ଟକରି ଆନନ୍ଦ ପାନ୍ତି କିମ୍ୱା ଅତି ଦ୍ରୁତ ଗମନଶୀଳ ନାନାପ୍ରକାର ଯାନର ସୃଷ୍ଟି କରି ପ୍ରକୃତିକୁ ବିପର୍ଯ୍ୟସ୍ତ କରି ଦିଅନ୍ତି । ଏହି ପ୍ରକାରେ ଦ୍ରୁତ ଗମନର ଯେଉଁ ଆନନ୍ଦ ବା ଧ୍ୱଂସ କରିବାର ଯେଉଁ ଇଚ୍ଛା ତାହା କ୍ଷଣସ୍ଥାୟୀ ଏବଂ ସେହି କାରଣରୁ ଏ ପ୍ରକାର ଆନନ୍ଦରୁ ସାହିତ୍ୟିକ ଗ୍ରହଣ କରନ୍ତି ନାହିଁ । ମାନବ ପ୍ରକୃତିର ଶିଶୁ । ତାହାର ଗୃହସ୍ଥଳୀର ଚତୁର୍ଦ୍ଦିଗରେ ପ୍ରକୃତି ବିରାଜମାନ । ନାନା ଋତୁରେ ନାନା ପ୍ରକାର ଶୋଭା ଉପଭୋଗ କରି ସେ ଅହରହଃ ଆନନ୍ଦ ଉପଭୋଗ କରେ । ଏଣୁ ପ୍ରଥମେ ସେ ମାନବ ଜଗତର ପ୍ରତ୍ୟେକ କାର୍ଯ୍ୟର ପଶ୍ଚାତ୍‌ ପଟ ବା ଆବେଷ୍ଟନୀ ସ୍ୱରୂପ ପ୍ରକୃତିର ବର୍ଣ୍ଣନାରେ ସଚେଷ୍ଟ ହୁଏ । ଏହି କାରଣରୁ ପ୍ରକୃତିର ବର୍ଣ୍ଣନା ସାହିତ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ସ୍ୱରୂପ ହୋଇଥିଲା । ପ୍ରକୃତି କେବଳ ଚିତ୍ର ସମ୍ପଦ ଦେଇ ମାନବର ଭାବରାଜିକୁ ଚିତ୍ରିତ କରିବାରେ ସାହାଯ୍ୟ କରେ ଏହି ଧାରଣା ଲୋକଙ୍କ ମନରେ ଥିଲା ଓ ସାହିତ୍ୟିକ ଏହି ଭାବକୁ ପ୍ରଶ୍ରୟ ଦେଉ ଥିଲେ । କ୍ରମଶଃ ପ୍ରକୃତି ଲୋକମାନଙ୍କ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ସକ୍ଷମ ଏହିଭାବ ଲୋକମାନଙ୍କ ମନରେ ଜାଗରିତ ହେଲା । ତେଣୁ ଲୋକେ କ୍ରମଶଃ ପ୍ରକୃତିକୁ ବନ୍ଧୁ ରୂପେ ଓ ନିଜର ସହଚର ରୂପେ ଦେଖିବାକୁ ଶିଖିଲେ ଓ ପ୍ରକୃତିର ନାନା ପ୍ରକାର ରୂପକୁ ମନୁଷ୍ୟ ଜୀବନର ବୈଚିତ୍ର୍ୟ ସହିତ ତୁଳନା କରି ଆନନ୍ଦିତ ହେଲେ । ପ୍ରକୃତିର କ୍ଷୁଦ୍ରତମ ଓ ନୀଚତମ କାର୍ଯ୍ୟ ମଧ୍ୟରେ ଆନନ୍ଦର ଉପଲବ୍ଧିକ୍ରମଶଃ ସାହିତ୍ୟିକର ମନରେ ସ୍ଥାନ ପାଇଲା ଓ ମାନବ ସମାଜ ସହିତ ପ୍ରକୃତିର ଅନ୍ତରଙ୍ଗତା ସାହିତ୍ୟର ବିଷୟୀଭୂତ ହେଲା । ପ୍ରକୃତିର ସୌଦର୍ଯ୍ୟ ଉପଭୋଗ କରିବାକୁ ମନୁଷ୍ୟ ସଦାସଚେଷ୍ଟ । ସୁନ୍ଦର ଉପତ୍ୟକା, ଦୁର୍ଲ୍ଲଘ୍ୟଂ ଗିରିରାଜି, ଫେନୋଜ୍ଜ୍ୱଳ ନୀଳ ସାଗର; କାକଳିପୂର୍ଣ୍ଣ ବନରାଜି ପ୍ରତ୍ୟେକ ସ୍ଥାନରେ ମନୁଷ୍ୟ ପ୍ରକୃତିର ସୁଷମାରେ ମୁଗ୍ଧହୋଇ ଅନ୍ୟାନ୍ୟ ସୁନ୍ଦର ପଦାର୍ଥର ସନ୍ଧାନ କରିବା ନିମନ୍ତେ ଦେଶବିଦେଶକୁ ଗତାୟାତ କରେ । ସାହିତ୍ୟିକ ମଧ୍ୟ ଏହିସବୁ ସୌନ୍ଦର୍ଯ୍ୟର ବ୍ୟାଖ୍ୟାନ ନିଜର ଲେଖା ମଧ୍ୟରେ ଦିଏ ଓ ନିଜେ ଯେଉଁ ସ୍ଥାନରେ ଯେ ପ୍ରକାର ଆନନ୍ଦ ପାଇଅଛି ତାହାର ଯଥାଯଥ ବର୍ଣ୍ଣନାଦ୍ୱାରା ଅନ୍ୟକୁ ଆନନ୍ଦ ଦେବା ନିମନ୍ତେ ଚେଷ୍ଟାକରେ । ଏଥି ସକାଶେ ଦେଶ ବିଦେଶରେ ଭ୍ରମଣର ବୃତ୍ତାନ୍ତ ମଧ୍ୟ ସାହିତ୍ୟର ଅଙ୍ଗବୋଲି ଧରାଯାଏ । ଏହାଭିନ୍ନ ପ୍ରକୃତିସହିତ ମନୁଷ୍ୟର ଅହରହଃ ଯୁଦ୍ଧ ଓ ଉକ୍ତ ଯୁଦ୍ଧରେ ଜୟଲାଭ ମଧ୍ୟ ସାହିତ୍ୟରେ ନାନାସ୍ଥାନରେ ବର୍ଣ୍ଣିତ ହୋଇଥାଏ । ସମୁଦ୍ର ବକ୍ଷରେ ଘୋର ଝଞ୍ଜାବାୟୁର ବର୍ଣ୍ଣନା ଏହିପରି ଚିତ୍ରମାନଙ୍କ ମଧ୍ୟରେ ଅତି ସାଧାରଣ ଏବଂ ଏହି ବର୍ଣ୍ଣନାଦ୍ୱାରା ମନୁଷ୍ୟ ନିଜର ଉନ୍ନତି ଓ ମହତ୍ତ୍ୱ ଉପରେ ବିଶ୍ୱାସରଖି ନିଜେ ଉଚ୍ଚ ହେବାକୁ ଚେଷ୍ଟାକରେ ଓ ସୃଷ୍ଟି ମଧ୍ୟରେ ନିଜର ଉଚ୍ଚସ୍ଥାନର ଉପଲବ୍ଧି କରି ଆନନ୍ଦିତ ହୁଏ । ସାହିତ୍ୟରେ ମାନବ ସମାଜ ସହିତ ପ୍ରକୃତିର ସମ୍ୱନ୍ଧ ଏହିପରି ନାନା ଭାବରେ ଚିତ୍ରିତ ହୋଇଥାଏ ଓ ନାନାପ୍ରକାର ଚିତ୍ରଦେଇ ସାହିତ୍ୟିକ ପ୍ରକୃତିକୁ ମାନବ ଜୀବନର ନିକଟତମ କରିବାକୁ ପ୍ରଯତ୍ନକରେ ଏବଂ ପରିଶେଷରେ ପ୍ରକୃତିମଧ୍ୟରେ ଆତ୍ମାର କଳ୍ପନା କରି ଓ ମନୁଷ୍ୟର ଆତ୍ମା ସହିତ ସମ୍ୱନ୍ଧ ସ୍ଥାପନକରି ପ୍ରକୃତିମଧ୍ୟରେ ଆନନ୍ଦର ସ୍ପନ୍ଦନ ଅନୁଭବ ପୂର୍ବକ ମନୁଷ୍ୟମାନଙ୍କ ଜୀବନକୁ ପ୍ରଭାବିତ କରିବାର ଚେଷ୍ଟାକରେ । ପ୍ରକୃତି ସଦାଧୀର, ସର୍ବଦା ଉନ୍ନତିଶୀଳ ଏବଂ ମନୁଷ୍ୟ ଜୀବନର ସାଧାରଣ ବ୍ୟସ୍ତତା ପ୍ରକୃତିମଧ୍ୟରେ ଉପଲବ୍ଧ ହୁଏ ନାହିଁ । ଏଣୁ ପ୍ରକୃତିକୁ ଆଦର୍ଶଧରି ମନୁଷ୍ୟ ଯଦି ନିଜର ଜୀବନକୁ ଅତିବାହିତ କରିପାରେ ତାହାହେଲେ ସେ ନିରବଚ୍ଛିନ୍ନ ଶାନ୍ତି ଓ ସୁଖର ଅଧିକାରୀ ହୋଇପାରିବ । ଏହିସବୁ କଳ୍ପନାଦ୍ୱାରା ସାହିତ୍ୟିକ ମନୁଷ୍ୟ ଜୀବନ ସହିତ ପ୍ରକୃତିର ଆଧ୍ୟାତ୍ମିକ ଯୋଗ ସାଧନ କରିପାରେ ।

 

ସାହିତ୍ୟରେ ପରମେଶ୍ୱରଙ୍କ ସହିତ ମାନବ ଜୀବନର ସମ୍ୱନ୍ଧ ବିଷୟରେ ମଧ୍ୟ ନାନା ପ୍ରକାର ଭାବ ଦେଖାଯାଇଥାଏ, ମାତ୍ର ସାଧାରଣତଃ ଆଧ୍ୟାତ୍ମିକତା ସାହିତ୍ୟରୁ ବର୍ଜ୍ଜିତ ହୋଇଥାଏ । ଯାହା ଦେଖାଯାଏ ନାହିଁ, କିମ୍ୱା ଯାହା ସାଧାରଣ ଇନ୍ଦ୍ରିୟଗମ୍ୟ ନୁହେଁ ସେ ପ୍ରକାର ପଦାର୍ଥ ସାଧାରଣ ଲୋକେ କେବେହେଁ ଉପଭୋଗ କରିପାରନ୍ତିନାହିଁ ଓ ସେ ସମସ୍ତର ସ୍ୱରୂପ ଉପଲବ୍ଧି କରି ମନୁଷ୍ୟ କେବେହେଁ ଆନନ୍ଦ ପାଇ ପାରନ୍ତି ନାହିଁ; ଏଣୁ ଏ ସବୁ କେବଳ ବୁଦ୍ଧିଗମ୍ୟ ଓ ଦର୍ଶନ ଦ୍ୱାରା ଉପଭୋଗ୍ୟ ବୋଲି ଜ୍ଞାନ କରାଯାଇଥାଏ । ଏଣୁ ସାଧାରଣତଃ ସାହିତ୍ୟିକମାନେ ଏହି ଅତୀନ୍ଦ୍ରିୟ ରାଜ୍ୟକୁ ନିଜର ସାହିତ୍ୟରେ ବର୍ଣ୍ଣନା କରନ୍ତି ନାହିଁ ଓ ନିଜର କଳ୍ପନାକୁ ଏସବୁ ବସ୍ତୁମାନଙ୍କର ବର୍ଣ୍ଣନାରୁ ବିରତ ରଖିଥାନ୍ତି ଓ ଯେଉଁ ସାହିତ୍ୟିକମାନେ ନିଜର ଉତ୍ସାହଦ୍ୱାରା ଏହି ଅତୀନ୍ଦ୍ରିୟ ରାଜ୍ୟର ବାଧାକୁ ଲଙ୍ଘନ କରି ଆଧ୍ୟାତ୍ମିକ ଜଗତ ବିଷୟରେ ଲେଖନ୍ତି ସେମାନଙ୍କୁ ସାଧାରଣତଃ ଅତିପ୍ରାକୃତବାଦୀ ବା ‘ତାତ୍ତ୍ୱିକ’ ବୋଲି ଗଣାଯାଏ । ଅବଶ୍ୟ ଏହି ଆଧ୍ୟାତ୍ମିକ ଜଗତର ସ୍ୱରୂପ ବିଷୟରେ ସାହିତ୍ୟ ନୀରବ, କାରଣ ଏ ବିଷୟଟି ପୂର୍ଣ୍ଣମାତ୍ରାରେ ଦର୍ଶନର ଅଙ୍ଗୀଭୂତ । ମାତ୍ର ମନୁଷ୍ୟ ଜୀବନ ସହିତ ଆଧ୍ୟାତ୍ମିକତାର ଯେ ଓତଃପ୍ରୋତ ସମ୍ୱନ୍ଧ ରହିଅଛି ସେହି ସମ୍ବନ୍ଧ ସାହିତ୍ୟକୁ ଏବିଷୟରେ ସମ୍ପୂର୍ଣ୍ଣ ନୀରବ ରହିବାକୁ ଦିଏନାହିଁ । ପରମେଶ୍ୱରଙ୍କ ପ୍ରତି ଭକ୍ତି, ତାଙ୍କର ମୂର୍ତ୍ତପ୍ରତିନିଧି ଉପରେ ବିଶ୍ୱାସ ସ୍ଥାପନକରି ନିଜର କାର୍ଯ୍ୟରେ ଅଗ୍ରସର ହେବାର ପ୍ରୟାସ, ତାଙ୍କର ମଙ୍ଗଳମୟ ବିଧାନ ଉପରେ ନିର୍ଭର କରି ସମସ୍ତ ବାଧାବିଘ୍ନ ଅତିକ୍ରମ କରିବାର ଚେଷ୍ଟା, ଏସମସ୍ତ ମାନବିକତାର ବିକାଶମାତ୍ର ଓ ଏସମସ୍ତ ମଧ୍ୟ ସାହିତ୍ୟର ଭାବରାଜ୍ୟର ଅନ୍ତର୍ଗତ ବୋଲି ପରିଗଣିତ ହୋଇଥାଏ । କୌଣସି କୌଣସି ସାହିତ୍ୟିକ ପୁଣି ମନୁଷ୍ୟମାନଙ୍କଦ୍ୱାରା ସମାଜର ବନ୍ଧନ ସ୍ଥିର ରଖିବା ନିମନ୍ତେ ସ୍ପଷ୍ଟ ବିଧିନିଷେଧ ସହିତ ଭଗବାନଙ୍କ ଦ୍ୱାରା ସୃଷ୍ଟ ବିଧି ନିଷେଧମାନଙ୍କର ଦ୍ୱନ୍ଦ ଅନୁଭବକରି ନିଜର କଳନା ସାହାଯ୍ୟରେ ଏହି ଦ୍ୱନ୍ଦର ଯଥାଯଥ ଛବି ଅଙ୍କିତ କରି ଓ ପାଠକ ସମାଜ ସମ୍ମୁଖରେ ଉପସ୍ଥାପିତ କରି ସେମାନଙ୍କ କ୍ଷୁଦ୍ର ମାନବିକତାର ଗଣ୍ଡୀ ଅତିକ୍ରମ କରି ଭଗବାନଙ୍କର ନିୟମକୁ ଅନୁସରଣ କରିବାରେ ଉତ୍ସାହିତ କରନ୍ତି । ଭଗବାନ ସାହିତ୍ୟରେ ଦୟାଳୁ, ନ୍ୟାୟବାନ, ସାଧୁ ବ୍ୟକ୍ତିର ରକ୍ଷକ ଓ ଅସାଧୁ ବ୍ୟକ୍ତିର ଦଣ୍ଡଦାୟକରୂପେ ଚିତ୍ରିତ ହୋଇଥାନ୍ତି ଓ କେତେକ ସାହିତ୍ୟିକଙ୍କ ଚକ୍ଷୁରେ ଭଗବାନ ମନୁଷ୍ୟ ରୂପରେ ସଂସାରର ଲୀଳା ବିସ୍ତାର କରି ମନୁଷ୍ୟକୁ ନିଜ ସମୀପକୁ ଆଣିବାର ପ୍ରୟାସ କରୁଅଛନ୍ତି ଏ ବିଷୟ ମଧ୍ୟ ଉପସ୍ଥାପିତ କରାହୋଇଥାଏ । ଆମ୍ଭମାନଙ୍କ ପୁରାଣାଦିରେ ଅବତାରତତ୍ତ୍ୱର ଏହାହିଁ ଭିତ୍ତି ଓ ସେହି ସମସ୍ତଦ୍ୱାରା ମନୁଷ୍ୟର ଅବଶ୍ୟକର୍ତ୍ତବ୍ୟ କାର୍ଯ୍ୟମାନ ନିର୍ଦ୍ଦିଷ୍ଟ ହୋଇପାରେ । ରବୀନ୍ଦ୍ର ସାହିତ୍ୟରେ ପୁଣି ଭଗବାନ ମନୁଷ୍ୟକୁ ନିଜର ପ୍ରିୟ ସ୍ୱରୂପ ଉପଲବ୍ଧି କରି ସର୍ବଦା ମନୁଷ୍ୟର ଆତ୍ମା ସହିତ ମିଳିତ ହୋଇ ନିଜକୁ ଚିହ୍ନିବାକୁ ଓ ଆତ୍ମବୋଧ ନିମନ୍ତେ ସଚେଷ୍ଟ ଏହି ଅତି ଅଧ୍ୟାତ୍ମିକ ଛବି ବର୍ତ୍ତମାନ । ମାତ୍ର ପରମେଶ୍ୱରଙ୍କୁ ଏହିପରି ବିଚିତ୍ର ଭାବରେ ଚିତ୍ରିତ ବୋଲି ଆମ୍ଭେମାନେ ନିର୍ଦ୍ଦେଶ କଲେହେଁ ମୋଟରେ ମାନବ ସମାଜ ସହିତ ଯେଉଁ ଠାରେ ପରମେଶ୍ୱରଙ୍କର ଅସ୍ତିତ୍ୱ କୌଣସି ପ୍ରକାର ସମ୍ୱନ୍ଧଦ୍ୱାରା ନିର୍ଣ୍ଣୀତ ହୋଇପାରେ କେବଳ ତାହାହିଁ ସାହିତ୍ୟର ବିଷୟ । ମନୁଷ୍ୟ ସମାଜଭିନ୍ନ ପରମେଶ୍ୱରଙ୍କର ନିୟତ ଚିରନ୍ତନ ଅସ୍ତିତ୍ୱ ସାହିତ୍ୟର ବିଷୟୀଭୂତ ନୁହେଁ ଓ ସାହିତ୍ୟିକ ଏ ଦିଗରେ ନିଜର କଳ୍ପନାକୁ ପରିଚାଳିତ କରେ ନାହିଁ ।

Image

 

Unknown

ସାହିତ୍ୟର ଭାଷା

 

ସାହିତ୍ୟିକ ନିଜର ଭାବକୁ ପ୍ରକାଶ କରିବା ନିମନ୍ତେ ଭାଷାର ସାହାଯ୍ୟ ନେଇଥାଏ ଓ ଭାଷା ମଧ୍ୟଦେଇ ନିଜର ଭାବକୁ ଯଥାଯଥ ରୂପରେ ପ୍ରକାଶ କରିବାର ପ୍ରୟାସ କରେ । ମାତ୍ର ନାନା ବିଚିତ୍ର ଭାବକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ସାହିତ୍ୟିକମାନେ ନାନାପ୍ରକାର ଲିଖନ ଭଙ୍ଗୀ ବ୍ୟବହାର କରନ୍ତି । କୌଣସି ସାହିତ୍ୟିକର ଭାଷା ଲଳିତ ଓ ଶ୍ରୁତିମଧୁର, କାହାରି ଭାଷା ତୀକ୍ଷ୍ଣବିଦ୍ରୁତ ପୂର୍ଣ୍ଣ, କାହାରି ଗ୍ରାମ୍ୟ ଶବ୍ଦରେ ମୁଖର ଓ କାହାରି ଭାଷାରେ ପୁରାତନ ବ୍ୟାକରଣ-ବହୁଳ ଭାଷାର ଛାୟା ସୁସ୍ପଷ୍ଟ । ପୁଣି ଆମ୍ଭେମାନେ ଦେଖୁ ଯେ ଏକପ୍ରକାରର ଶବ୍ଦ ବ୍ୟବହାର କଲେ ମଧ୍ୟ କାହାରି କାହାରି ଭାଷା ଦୀର୍ଘବାକ୍ୟରାଶି ସମାକୁଳ, ଅନ୍ୟ କାହାରି ଅବା ସୁମଧୁର ଛନ୍ଦ ଆମୋଦିତ । କୌଣସି ସାହିତ୍ୟିକର ଭାଷା ଭାବ ଗମ୍ଭୀର ଓ ସମୁଦ୍ରର ନିର୍ଘୋଷ ତୁଲ୍ୟ, କାହାରି ଅବା କ୍ଷୁଦ୍ର ନଦୀର ମଧୁର କଳରବରେ ପୂର୍ଣ୍ଣ । ଏହିପରି ନାନାପ୍ରକାର ଭାଷା ବା ଲିଖନ ଭଙ୍ଗୀ ଆମ୍ଭେମାନେ ନାନା ସାହିତ୍ୟିକର ଲେଖାରେ ଦେଖୁଁ ଓ ସାହିତ୍ୟରେ କେଉଁ ଭାଷା ବ୍ୟବହାର୍ଯ୍ୟ ଓ କେଉଁ ଭାଷା ପରିହାର୍ଯ୍ୟ ସେ ବିଷୟରେ ନାନା ପ୍ରକାର ମତବାଦ ମଧ୍ୟ ଦୃଷ୍ଟ ହୋଇଥାଏ । ମାତ୍ର ବାସ୍ତବରେ ସାହିତ୍ୟିକମାନେ ନିଜର ପ୍ରତିଭା ଦ୍ୱାରା ପ୍ରାୟ ସବୁପ୍ରକାର ଭାଷା ବା ଲିଖନ ଭଙ୍ଗୀକୁ ଆୟତ୍ତକରି ନିଜର ଭାବକୁ ପାଠକ ସମାଜ ସମ୍ମୁଖରେ ଆନନ୍ଦକର ରୂପରେ ପ୍ରକାଶ କରିବାକୁ ସକ୍ଷମ ହୁଅନ୍ତି ଏବଂ ସାହିତ୍ୟିକ ମାନଙ୍କର ଲେଖାରେ ଏପରି ବୈଚିତ୍ର୍ୟ ଦେଖାଯାଏ ଯେ, କୌଣସି ଭାଷା ସାହିତ୍ୟର ଭାବ ପ୍ରକାଶରେ ଅକ୍ଷମ ବା ପାଠକମାନଙ୍କୁ ଆନନ୍ଦ ଦେବାରେ ଏକାନ୍ତ ଅପାରଗ ଏକଥା କେବେହେଁ କହି ନପାରୁ ।

 

କିନ୍ତୁ ସାହିତ୍ୟର ଭାଷା ସମ୍ୱନ୍ଧରେ କେତେଗୁଡ଼ିଏ ସାଧାରଣ ନିୟମ ମଧ୍ୟ ଆମ୍ଭମାନଙ୍କର ଦୃଷ୍ଟି ଗୋଚର ହୋଇଥାଏ । ପ୍ରଥମତଃ ସାହିତ୍ୟର ଭାଷାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ-। କୌଣସି କୌଣସି ସାହିତ୍ୟରେ ବାସ୍ତବତାର ଆଧିକ୍ୟ ଥାଏ ଓ ତାହାର ଭାଷା ମଧ୍ୟ ବାସ୍ତବ ହେବାକୁ ସଚେଷ୍ଟ ହୁଏ ଏବଂ କୌଣସି ସାହିତ୍ୟର ଭାଷା ଭାବ ପ୍ରବଣ ଓ ଆଦର୍ଶବାଦୀ ଓ ଗମ୍ଭୀର ହୋଇଥାଏ । ସାଧାରଣତଃ ଉପନ୍ୟାସ, ଗଳ୍ପ ବା ନାଟକରେ ଲେଖକ ବାସ୍ତବ ଭାଷା ବ୍ୟବହାର କରନ୍ତି । ମାତ୍ର କବିତାରେ କିମ୍ୱା ପ୍ରବନ୍ଧରେ ଅନେକ ସମୟରେ ଭାବ ପ୍ରବଣ ଭାଷାର ବ୍ୟବହାର ହୋଇଥାଏ । କବିତାର ଭାଷା ପୁଣି ଛନ୍ଦୋବଦ୍ଧ ଥିବାରୁ ତାହାମଧ୍ୟରେ ଭାବର ପ୍ରାଚୁର୍ଯ୍ୟ ଅପେକ୍ଷା ପ୍ରୟୋଗର ମାଧୁର୍ଯ୍ୟ ବିଶେଷ ଲକ୍ଷିତ ହୁଏ । ଏଣୁ ଅନ୍ୟପ୍ରକାର ସାହିତ୍ୟରେ ଲେଖକ ନିଜକୁ ସିଦ୍ଧ କଲେହେଁ କିମ୍ୱା ନିଜର ମନୋଗତ ଭାବକୁ ପ୍ରକାଶ କରିବାର ଅନୁରୂପ ଭାଷା ଉପରେ ଅଧିକାର ଥିଲେହେଁ ଐଶୀ ଶକ୍ତି ବା ପ୍ରେରଣା ନ ଥିଲେ କବିତା ଲେଖିବା ଅସମ୍ଭବ ହୋଇ ଉଠେ । ସାଧାରଣ ସାହିତ୍ୟର ଭାଷା ଓ କାବ୍ୟର ଭାଷା ଏ ଦୁଇଟି ମଧ୍ୟରେ ବିଶେଷ ପାର୍ଥକ୍ୟ ଲକ୍ଷିତ ହୋଇଥାଏ । ଗଦ୍ୟ କିମ୍ବା ନାଟ୍ୟ ସାହିତ୍ୟରେ ଲେଖକ ନିଜର ଭାବକୁ ଯଥାଯଥ ଭାବରେ ଓ ଯଥେଚ୍ଛ ଭାବରେ ପ୍ରକାଶ କରିପାରେ । କିନ୍ତୁ ପଦ୍ୟ ସାହିତ୍ୟରେ ଛନ୍ଦ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ତାହାର ବ୍ୟବହୃତ ଶବ୍ଦଗୁଡ଼ିକ ନିଜର ସାଧାରଣ ସ୍ଥାନରୁ ବିଚ୍ୟୁତ ହୋଇ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ନ୍ତି ଓ ଭାଷାର ଗତି ମଧ୍ୟ ଅନେକ ପ୍ରକାରରେ ଭିନ୍ନ ଭାବ ଧାରଣ କରି ବିଚିତ୍ର ରୂପରେ ନିଜକୁ ପ୍ରକାଶ କରେ । କବି ଅନେକ ରୂପରେ ଛନ୍ଦର ସମତା ରଖିବାକୁ ପ୍ରୟାସ କରେ ଓ ନିଜର ଲେଖା ଭିତରେ ମାଧୁର୍ଯ୍ୟ ଆଣି ଲୋକଙ୍କର ଆନନ୍ଦର କାରଣ ହୋଇଥାଏ । ଏଣୁ ବାସ୍ତବରେ ଛନ୍ଦ ଅପ୍ରାକୃତ ଓ ଅସ୍ୱାଭାବିକ ହେଲେହେଁ ଆମ୍ଭେମାନେ ଉକ୍ତ ଲେଖା ପଢ଼ି ଯେଉଁ ଆନନ୍ଦ ପାଉଁ ସେହି ଆନନ୍ଦର ପ୍ରାଚୁର୍ଯ୍ୟରେ ଭାଷାର ଅସାଧାରଣତ୍ୱକୁ ଭୁଲିଯାଉଁ ଓ ଭାଷା ସର୍ବଥା ଆମ୍ଭମାନଙ୍କର ପ୍ରୀତିକର ହୋଇଥାଏ । ବାସ୍ତବିକ କବିତା ଉପଭୋଗ କରିବା ସମୟରେ ଭାଷାର କ୍ଳିଷ୍ଟତା, ଛନ୍ଦର ବ୍ୟବହାର ଜନିତ ସଞ୍ଜିତ ଭାବ ପ୍ରଭୃତିକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ପାଶୋରି ଯାଉଁ ଓ ମନର ଆନନ୍ଦ ଆମ୍ଭମାନଙ୍କୁ ଭାଷାର ବ୍ୟବହାର ସମ୍ୱନ୍ଧରେ ଅଚେତନ ରଖେ ।

 

ସାହିତ୍ୟର ଭାଷା ସମ୍ୱନ୍ଧରେ ଦୁଇଗୋଟି ପ୍ରଶ୍ନ ସ୍ୱତଃ ମନରେ ଉଦିତ ହୋଇଥାଏ । ସାହିତ୍ୟର ଭାଷା ସାଧାରଣ କଥିତ ଭାଷାଠାରୁ କେଉଁ ଭାବରେ ପୃଥକ୍‌ ଓ ପ୍ରାଦେଶିକ ଭାଷା ସାହିତ୍ୟର ଭାଷା ସ୍ୱରୂପ ବ୍ୟବହୃତ ହୋଇପାରିବ କି ନାହିଁ ? ଦ୍ୱିତୀୟ ପ୍ରଶ୍ନଟିର ଉତ୍ତର ଅତ୍ୟନ୍ତ ସହଜ, କାରଣ ଅନେକ ବଡ଼ ବଡ଼ ଲେଖକମାନଙ୍କ ପ୍ରତିଭା ଦ୍ୱାରା ପ୍ରାଦେଶିକ ଭାଷା ମଧ୍ୟ ଲିଖିତ ଭାଷାର ଆଦର୍ଶ ବୋଲି ଗଣ୍ୟ ହୋଇପାରିଅଛି ଏବଂ ମିଷ୍ଟ୍ରାଲ (Mistral) ପ୍ରଭୃତି ସାହିତ୍ୟିକମାନେ ଏହିପରି ଭାଷାର ବ୍ୟବହାର କରି ନୋବେଲ୍‌ ପ୍ରାଇଜ୍‌ ପାଇପାରି ଅଛନ୍ତି । ପ୍ରତ୍ୟେକ ଭାଷାର ଗୋଟିଏ ବ୍ୟବହାର ଗତ ଆଦର୍ଶ ଅଛି ଓ ସେହି ଆଦର୍ଶ ଅନୁସାରେ ସାହିତ୍ୟରେ ଭାଷାର ବ୍ୟବହାର ହୋଇଥାଏ । ଇଂଲଣ୍ଡରେ ଇଂରାଜି ଭାଷାର ନାନାପ୍ରକାର ଉଚ୍ଚାରଣ ବୈଷମ୍ୟ ଓ ପ୍ରାଦେଶିକ ବ୍ୟବହାର ରୀତି ପ୍ରଚଳିତ ଥିଲେହେଁ ଲଣ୍ଡନ ନଗରୀର କଥିତ ଭାଷାକୁ ସେଠାରେ ଆଦର୍ଶ ବୋଲି ଧରାଯାଏ । ଓଡ଼ିଆ ଭାଷା ମଧ୍ୟ ନାନାପ୍ରକାରରେ ବ୍ୟବହୃତ ହୋଇଥାଏ ଏବଂ ପୁରୀର ଲୋକେ ଯେପରି ଭାବରେ ଶବ୍ଦର ବ୍ୟବହାର କରନ୍ତି ସମ୍ୱଲପୁରର ଲୋକେ ସେ ପ୍ରକାର ବ୍ୟବହାର କରନ୍ତି ନାହିଁ ଏବଂ ପୁରୀରେ ଏପରି ଅନେକ ଶବ୍ଦର ପ୍ରଚଳନ ଅଛି ଯାହା କି ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ବ୍ୟବହୃତ ହୁଏନାହିଁ । ପୁରୀ କଟକ ଗଞ୍ଜାମ ସମ୍ୱଲପୁର ପ୍ରଭୃତି ପ୍ରାକୃତିକ ଉତ୍କଳର ବିଭିନ୍ନ ଅଂଶରେ ଓଡ଼ିଆ ଭାଷା ବିଭିନ୍ନ ଭାବରେ କଥିତ ହୋଇଥାଏ ଏବଂ ଏହି ବ୍ୟବହାରବିଧିରେ ନାନାପ୍ରକାର ବୈଷମ୍ୟ ଲକ୍ଷିତ ହୁଏ; ମାତ୍ର ସାହିତ୍ୟରେ ଅଦ୍ୟାବଧି ସାଧାରଣତଃ କେବଳ କଟକ ଅଞ୍ଚଳର ଭାଷା ବ୍ୟବହୃତ ହେଉଅଛି । ମାତ୍ର ଯଦି କୌଣସି ଶକ୍ତିଶାଳୀ ଲେଖକ ପୁରୀରେ ଉଦିତ ହୋଇ ପୁରୀ ଜିଲ୍ଲାର ବ୍ୟବହୃତ ଭାଷା ବ୍ୟବହାର କରନ୍ତି ଏବଂ ଏହି ଭାଷା ତାହାଙ୍କ ଲେଖାର ମାଧୁର୍ଯ୍ୟ ଦ୍ୱାରା ସାଧାରଣରେ ପ୍ରଚାରିତ ହୁଏ ତେବେ ସମୟରେ ପୁରୀର ଭାଷା ମଧ୍ୟ ଓଡ଼ିଆ ଭାଷାର ଆଦର୍ଶ ସ୍ୱରୂପ ଗଣ୍ୟ ହୋଇପାରିବ । ବାସ୍ତବରେ ଲେଖକର ଶକ୍ତି ଉପରେ ଏହିପରି ପ୍ରାଦେଶିକ ଭାଷାର ଉନ୍ନତି ନିର୍ଭର କରେ ଓ ପ୍ରଚଳିତ ଭାଷାରେ ଲେଖିବା ସହଜ ମଧ୍ୟ ହେଲେହେଁ କୌଣସି କୌଣସି ଲେଖକ ପ୍ରାଦେଶିକ ଭାଷାରେ ଗ୍ରନ୍ଥ ରଚନା କରି ନିଜକୁ ଯଶସ୍ୱୀ କରିପାରି ଅଛନ୍ତି । ଏହିପରି ସାହିତ୍ୟିକର ଲିଖନ ଶକ୍ତି ଦ୍ୱାରା ଭାଷା ଅନେକ ସମୟରେ ରୂପାନ୍ତରିତ ହୋଇଥାଏ ଓ ଶବ୍ଦର ଲିଖନ କ୍ରମ ମଧ୍ୟ ଭିନ୍ନ ଆକାର ଧାରଣ କରେ ।

 

ସାଧୁଭାଷା ଓ ପ୍ରଚଳିତ ଭାଷା ମଧ୍ୟରେ ଯେଉଁ ଦ୍ୱନ୍ଦ ତାହା ସମାଧାନ କରିବା ସହଜ ନୁହେଁ । ଯେଉଁ ଭାଷା ଶିକ୍ଷିତଲୋକେ ବ୍ୟବହାର କରନ୍ତି, ଯେଉଁ ଭାଷା ମାର୍ଜ୍ଜିତ ସଂସ୍କୃତ ଶବ୍ଦ ବହୁଳ ଓ ସାଧାରଣ ଗ୍ରାମ୍ୟ ଭାଷାଠାରୁ ପୃଥକ୍‌ ତାହାକୁ ସାଧୁ ଭାଷାବୋଲି ଧରାଯାଏ ଏବଂ ଯେଉଁ ଭାଷାରେ ଆମ୍ଭେମାନେ ସାଧାରଣତଃ କଥାବାର୍ତ୍ତା କରୁ ତାହା ପ୍ରଚଳିତ ଭାଷାରୂପେ ବିଖ୍ୟାତ । ଯେଉଁ ଭାଷାରେ ସାହିତ୍ୟିକ ସମ୍ପୂର୍ଣ୍ଣ ଓ ଯଥା ଯଥ ଭାବରେ ନିଜର ଭାବକୁ ପ୍ରକାଶ କରି ପାରେ ତାହାହିଁ ତାହାର ବ୍ୟବହାର କରିବା ଉଚିତ ଏବଂ ପାଠକ ମନରେ ଯେଉଁ ଭାଷା ସହଜରେ ଆଘାତ କରି ପାରିବ ଓ ତାହାର ମନର ଭାବମାନଙ୍କୁ ସହଜରେ ଉତ୍ତେଜିତ କରି ସହାନୁଭୂତି ଆକର୍ଷଣ କରିପାରିବ ସେହି ଭାଷାହିଁ ସାହିତ୍ୟରେ ବ୍ୟବହାର କରିବା ବାଞ୍ଛନୀୟ । ଏହି କାରଣରୁ ଅନେକେ ପ୍ରଚଳିତଭାଷା ସାହିତ୍ୟରେ ବ୍ୟବହାର କରିବା ଉଚିତ ବୋଲି ମନେ କରନ୍ତି, କାରଣ ସେହି ଭାଷା ସାଧାରଣ ମଧ୍ୟରେ ବ୍ୟବହୃତ ଓ ପାଠକ ଓ ଲେଖକ ଉଭୟଙ୍କର ଅନାୟାସରେ ବୋଧଗମ୍ୟ । ମାତ୍ର ଏହିପରି ଭାଷାର ବ୍ୟବହାର ଦ୍ୱାରା ଅନେକ ସମୟରେ ଭାବର ଗାମ୍ଭୀର୍ଯ୍ୟ ରକ୍ଷିତ ହୋଇ ପାରେ ନାହିଁ ଓ ଲେଖକର ମନୋଭାବ ପୂର୍ଣ୍ଣ ଭାବରେ ପାଠକ ମନରେ ପ୍ରଭାବ ବିସ୍ତାର କରିବାକୁ ସକ୍ଷମ ହୁଏନାହିଁ । କୌଣସି ନୂତନଭାବକୁ ପ୍ରକାଶ କରିବାରେ ସାଧାରଣ ବ୍ୟବହୃତ ଶବ୍ଦଗୁଡ଼ିକ ଆପାରଗ ହେଲେ ନୂତନ ଶବ୍ବ ବ୍ୟବହାର କରିବାରେ ପ୍ରଚଳିତ ଭାଷା ଅକ୍ଷମ ହୁଏ । ଗ୍ରାମ୍ୟ ଭାଷାରେ ଶବ୍ଦ ଆଡ଼ମ୍ୱର ନାହିଁ ନୂତନ ଶବ୍ଦର ସୃଷ୍ଟିମଧ୍ୟ ସମ୍ଭବ ନୁହେଁ । ଏଣୁ ସବୁ ସମୟରେ ଏପରି ଭାଷାର ବ୍ୟବହାର ଅସମ୍ଭବ ହୁଏ । ପୁଣି ଗ୍ରାମ୍ୟ ଶବ୍ଦମାନଙ୍କ ମଧ୍ୟରେ ଯଦି କୌଣସି ସାଧୁ ଭାଷାର ଶବ୍ଦ କିମ୍ୱା ସାଧୁ ଭାଷା ମଧ୍ୟରେ ଗ୍ରାମ୍ୟ ଶବ୍ଦ ରହିଯାଏ ତେବେ ତାହା ଆଦୌ ଶ୍ରୁତି ମଧୁର ହୁଏ ନାହିଁ ଓ ଅସାମଞ୍ଜମ୍ୟ ହେତୁରୁ ତାହା ଅପପ୍ରୟୋଗ ବୋଲି ଧରାଯାଏ । ସାଧାରଣତଃ ସାହିତ୍ୟିକମାନେ ଏହିସବୁ କାରଣରୁ ସାଧୁଭାଷା ବ୍ୟବହାର କରନ୍ତି । ବାସ୍ତବିକ ଭାଷାରେ ସାଧୁ ଓ ଅସାଧୁ ଏ ପ୍ରକାର କୌଣସି ପ୍ରୟୋଗ ନାହିଁ, ମାତ୍ର ସାଧାରଣ କଥିତ ଭାଷା ଓ ମାର୍ଜିତ ଭାଷା ମଧ୍ୟରେ କିଞ୍ଚିତ ପ୍ରଭେଦ ଦେଖାଯାଇଥାଏ । ସାହିତ୍ୟରେ ସାଧୁଭାଷାର ପ୍ରୟୋଗ ସାଧାରଣ ହେଲେହେଁ ଆଜିକାଲି ଅନେକ ଲେଖକ ଗ୍ରାମ୍ୟ ଓ ପ୍ରଚଳିତ ଭାଷାରେ ସାହିତ୍ୟ ରଚନା କରିବାକୁ ସଚେଷ୍ଟ ହୁଅନ୍ତି ଓ ଏଥି ଯୋଗୁ ଗ୍ରାମ୍ୟ ଭାଷା ମଧ୍ୟ ବିଶେଷ ପରିପୁଷ୍ଟି ଲାଭକରି କ୍ରମଶଃ ଉନ୍ନତ ହେଉଅଛି । ମାର୍ଜିତ ଓ ସାଧୁ ଭାଷାକୁ ଗ୍ରାମ୍ୟ ଭାଷା ସହିତ ମିଶ୍ରିତ କରି ଅନେକେ ବ୍ୟବହାର କରନ୍ତି, ମାତ୍ର ଏ ସମସ୍ତର ସାଫଲ୍ୟ ଲେଖକର ଶକ୍ତି ଉପରେ ନିର୍ଭର କରେ । ଲେଖକ ଶକ୍ତି ମାନ୍‌ ହେଲେ ନିତାନ୍ତ ସାଧାରଣ ଗ୍ରାମ୍ୟ ଭାଷାକୁ ମଧ୍ୟ ନିଜର ଭାବର ବାହକ ସ୍ୱରୂପ ବ୍ୟବହାର କରିପାରେ ଓ ଏହିପରି ଲେଖା ଅନ୍ୟର ଶ୍ରୁତିମଧୁର ହୋଇଥାଏ କିନ୍ତୁ ଲେଖକର ଶକ୍ତିର ଅଳ୍ପତା ଥିଲେ ସେ ସାଧାରଣତଃ ଚିରାଚରିତ ପନ୍ଥାର ଅନୁସରଣ କରି ସାଧୁ ଭାଷାର ପ୍ରୟୋଗ କରେ । ଭକ୍ତ କବି ମଧୁସୂଦନଙ୍କର ଲେଖା ଓ ଭାଷାକୋଷକାର ଗୋପାଳ ଚନ୍ଦ୍ରଙ୍କର ଲେଖାକୁ ତୁଳନା କଲେ ପାଠକ ଏହି ଉଭୟ ପ୍ରକାର ଭାଷାର ପାର୍ଥକ୍ୟ ବୁଝି ପାରିବେ । ମାତ୍ର ଉଭୟ ଲେଖକଙ୍କର ଲେଖା ଓଡ଼ିଶାରେ ସମାନ ଭାବରେ ଆଦୃତ ଓ ଉତ୍କଳ ସାହିତ୍ୟର ଅମୂଲ୍ୟ ସମ୍ପଦ । ଏଣୁ କୌଣସି ପ୍ରକାର ଲେଖା ଯେ ସାହିତ୍ୟର ବାହନ ହୋଇ ନ ପାରେ ତାହା କହିବା ସମ୍ଭବ ନୁହେଁ । ଯେ କୌଣସି ପ୍ରକାର ଲେଖା ସାହିତ୍ୟରେ ବ୍ୟବହାର ହୋଇ ପାରେ, କେବଳ ଲେଖକର ଶକ୍ତି ଉପରେ ଲେଖାର ସାଫଲ୍ୟ ନିର୍ଭର କରେ ।

 

ସାହିତ୍ୟିକ ଭାଷାର କେତେଗୁଡ଼ିଏ ସାଧାରଣ ଲକ୍ଷଣ ଅଛି । ସାହିତ୍ୟରେ ଲେଖକ ଅନ୍ୟକୁ ଆନନ୍ଦ ଦେବାର ଇଚ୍ଛାକରେ, ଏଣୁ ତାହାର ଭାଷା ଓ ଲିଖନଭଙ୍ଗୀ ପାଠକର ପ୍ରୀତିକର ଭାବରେ ଲିଖିତହୋଇ ଥାଏ । ଅତ୍ୟନ୍ତ ବିଷାକ୍ତ ବିଦ୍ରୁପ, ମାର୍ଜିତ ରୁଚିର ଅପ୍ରୀତିକର କୁତ୍ସିତ ଭାଷା କିମ୍ୱା ଅତିରିକ୍ତ କରୁଣ ରସର ଦ୍ୟୋତକ ଶବ୍ଦରାଶି ସାଧାରଣତଃ ସାହିତ୍ୟିକ ମାନେ ବ୍ୟବହାର କରନ୍ତି ନାହିଁ । ପାଠକ ମାନଙ୍କୁ ଆନନ୍ଦ ଦେବା ନିମନ୍ତେ ସାହିତ୍ୟିକ କ୍ଳିଷ୍ଟ ଶବ୍ଦକୁ ପରିହାର କରନ୍ତି, ଭାଷାକୁ ମାର୍ଜିତ ଓ କୋମଳ କରିବାକୁ ଚେଷ୍ଟା କରନ୍ତି ଓ ପ୍ରାକୃତିକ ଘଟନାମାନଙ୍କ ସହିତ ତୁଳନା କରିବା ନିମନ୍ତେ କଳ୍ପନାର ଆଶ୍ରୟ ନେଇ ନାନାପ୍ରକାର ଉପମାର ପ୍ରୟୋଗ କରନ୍ତି । ଭାଷାମଧ୍ୟରେ ରସର ସାମଞ୍ଜସ୍ୟ ରଖି ସାହିତ୍ୟିକ ଅଳଙ୍କାରର ଆଶ୍ରୟ ନେଇ ତୁଳନା ଯମକ ଅନୁପ୍ରାସ ଏହିପରି ନାନାପ୍ରକାର ଅଳଙ୍କାର ଭାଷାରେ ପ୍ରଯୁକ୍ତ କରି ତାକୁ ଶ୍ରୁତିମଧୁର ଓ ସୁନ୍ଦର କରେ । ଅଳଙ୍କାର ସାହିତ୍ୟିକ ଭାଷାର ବିଶେଷତ୍ୱ ଏବଂ ଏହାର ସାହାଯ୍ୟରେ ଭାଷା ସରସ ହୋଇଥାଏ । କୌଣସି କୌଣସି ଲେଖକଙ୍କର ଭାଷାରେ ଅଳଙ୍କାରର ଅତ୍ୟଧିକ ବ୍ୟବହାର ଦେଖାଯାଏ ଏବଂ କାହାରି କାହାରି ଲେଖାରେ ଅତିଅଳ୍ପ ପରିମାଣରେ ଅଳଙ୍କାରର ପ୍ରୟୋଗ ହୋଇଥାଏ । କାହାରି ଲେଖାରେ ଅତିଅଳ୍ପ ପରିମାଣରେ ଅଳଙ୍କାରର ପ୍ରୟୋଗ ହୋଇଥାଏ । କାହାରି କାହାରି ମତରେ ଅନୁପ୍ରାସର ଅଟ୍ଟହାସଦ୍ୱାରା ଭାଷା ବିକୃତ ଓ କ୍ଳିଷ୍ଟ ହୁଏ ଓ ହୃଦୟର ଭାବକୁ ସହଜ ଭାବରେ ପ୍ରକାଶ କରିପାରେ ନାହିଁ । ଯେପରି ରୂପସୀ ସ୍ତ୍ରୀଲୋକର ଅଙ୍ଗ ସୌଷ୍ଠବ ଅଳଙ୍କାରର ଆଧିକ୍ୟ ଦ୍ୱାରା ସହଜରେ ଅନୁମିତ ହୁଏ ନାହିଁ ସେହିପରି ଭାଷାରେ ଅଳଙ୍କାରର ବହୁଳ ବ୍ୟବହାର ଦ୍ୱାରା ଭାବର ଗୌରବ ମଧ୍ୟ ପ୍ରକାଶିତ ହୋଇପାରେ ନାହିଁ । କିନ୍ତୁ ଅନ୍ୟ ଅନେକେ ଅଳଙ୍କାରର ବ୍ୟବହାରକୁ ଦୋଷାବହ ମନେ କରନ୍ତି ନାହିଁ ଏବଂ ପ୍ରାଚୀନ ଉତ୍କଳ ସାହିତ୍ୟରେ କବିମାନେ ଅଳଙ୍କାରର ବହୁଳ ବ୍ୟବହାର ଦ୍ୱାରା ଯେଉଁ ଲଳିତ ଶ୍ରୁତିମଧୁର ବର୍ଣ୍ଣନାରାଜି ପାଠକ ସମ୍ମୁଖରେ ଉପସ୍ଥାପିତ କରିଅଛନ୍ତି ତାହା ଏତେ ମଧୁର ଯେ ତାହା ପାଠକଲେ ଅଳଙ୍କାର ପ୍ରତି ଆମ୍ଭମାନଙ୍କର ବିଦ୍ୱେଷ ରହି ପାରେ ନାହିଁ । ପ୍ରାଚୀନ ସାହିତ୍ୟରେ ଏହି ପ୍ରକାର ଅଳଙ୍କାର ବାହୁଲ୍ୟ ଦୃଷ୍ଟ ହେଲେହେଁ ଆଧୁନିକ ସାହିତ୍ୟରେ ଅଳଙ୍କାର ଅତି ଅଳ୍ପମାତ୍ରାରେ ବ୍ୟବହୃତ ହୁଏ । ଭାଷାର ସୌଷ୍ଠବ ଓ ଭାବର ଗୌରବ ପ୍ରତି ଆଧୁନିକ ଲେଖକମାନଙ୍କର ବିଶେଷ ଦୃଷ୍ଟିଥାଏ ଓ ଆଧୁନିକ ସାହିତ୍ୟ ଲୋକମାନଙ୍କ ମନରେ ବିଶେଷ ଭାବରେ ନିଜର ପ୍ରଭାବ ବିସ୍ତାର କରିବାକୁ ସକ୍ଷମ ହୁଏ । ଅଳଙ୍କାରର ପ୍ରାଚୁର୍ଯ୍ୟଥିଲେ ସେହି ଅଳଙ୍କାର ବର୍ମ୍ମକୁ ଅତିକ୍ରମ କରି ଅନ୍ତର୍ନିହିତ ଭାବକୁ ଆୟତ୍ତ କରିବା ସାଧାରଣ ଲୋକ ପକ୍ଷେ ଅସମ୍ଭବ ହୁଏ ଓ ଲେଖକର ଲିପି କୌଶଳ ଓ ଭାଷାଜ୍ଞାନ ସେଥିରୁ ଉତ୍ତମରୂପେ ଅନୁମିତ ହେଲେ ମଧ୍ୟ ତାହା ଲୋକଙ୍କର ପ୍ରୀତିକର ହୋଇପାରେ ନାହିଁ । ବାସ୍ତବରେ ଭାଷାରେ ବହୁଳ ଅଳଙ୍କାରର ପ୍ରୟୋଗ ଅନେକ ସମୟରେ ଭାବର ଅଳ୍ପତାର ପରିଚାୟକ ହୋଇଥାଏ ଓ ଆଧୁନିକ ସାହିତ୍ୟରେ ନାନା ପ୍ରକାର ସାମାଜିକ ପ୍ରଶ୍ନର ସମାଧାନ କରିବାରେ ସାହିତ୍ୟିକ ଯେପରି ବ୍ୟସ୍ତ ହୋଇପଡ଼େ ସେଥିରେ ଅଳଙ୍କାରବହୁଳ ଭାଷା ବ୍ୟବହାର କରିବା ତାହା ପକ୍ଷରେ ସମ୍ଭବ ହୁଏ ନାହିଁ ।

 

ସାହିତ୍ୟିକ ଭାଷାରେ ଆନ୍ତରିକତା ଓ କଳ୍ପନାର ବିକାଶ ଉଭୟେ ଏକାନ୍ତ ପ୍ରୟୋଜନ, ଆନ୍ତରିକତାର ଅଭାବ ଥିଲେ ଭାଷା କିଛିକ୍ଷଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଚିତ୍ତବିନୋଦନ କରିପାରେ କିନ୍ତୁ ତାହା କଦାପି ଆମ୍ଭମାନଙ୍କ ମନରେ ସ୍ଥାୟୀ ପ୍ରଭାବ ବିସ୍ତାର କରି ପାରେ ନାହିଁ । କଳ୍ପନାର ଆଶ୍ରୟ ବିନା ସାହିତ୍ୟର ଭାଷା କେବେହେ ପ୍ରୀତିକର ହୋଇ ନ ପାରେ ଏବଂ ସାହିତ୍ୟିକ କଳ୍ପନାର ଆଶ୍ରୟନେଇ ଉପମା ପ୍ରଭୃତି ନାନାପ୍ରକାର ଅଳଙ୍କାର ପ୍ରୟୋଗ କରି ନିଜର ଭାଷାକୁ ମଧୁର କରିବାର ଚେଷ୍ଟା କରିଥାଏ । ଏହି ପ୍ରୟୋଗଦ୍ୱାରା ସାହିତ୍ୟର ଭାଷା ସାଧାରଣ ଭାଷାଠାରୁ ଭିନ୍ନ ଓ ସାହିତ୍ୟ ରଚନା କରିବା ଏତେ କଠିନ ।

Image

 

ପଦ୍ୟ ସାହିତ୍ୟ

 

ସାହିତ୍ୟରେ ପ୍ରଥମରେ ପଦ୍ୟର ଆବିର୍ଭାବ ହୋଇଥିଲା ଏବଂ ଲେଖକମାନେ ପଦ୍ୟକୁ ସାହିତ୍ୟର ଏକମାତ୍ର ଉପାଦାନ ବୋଲି ମନେକରି ଛନ୍ଦୋବଦ୍ଧଭାଷାରେ ନିଜର ଭାବକୁ ପ୍ରକାଶ କରିବାର ଚେଷ୍ଟାକରୁଥିଲେ । ଲୋକମାନଙ୍କର ପ୍ରଥମରେ ଧାରଣା ଥିଲା ଯେ ଯେଉଁ ଭାଷା ଆମ୍ଭେମାନେ ସାଧାରଣତଃ ବ୍ୟବହାର କରୁ ତାକୁ ଛନ୍ଦାନଯାୟୀ ବିକୃତ ନ କଲେ ତାହାର ମାଧୁର୍ଯ୍ୟ ପରିସ୍ଫୁଟ ହେବ ନାହିଁ ଏବଂ ତାହା ସାଧାରଣଙ୍କ ଶ୍ରୁତିମଧୁର ହେବ ନାହିଁ । କ୍ରମଶଃ ଏହି ଧାରଣା ଦୂରୀଭୂତ ହୋଇ ଗଦ୍ୟ ସାହିତ୍ୟର ବିଶେଷ ପ୍ରଚାର ହୋଇଥିଲେହେଁ କବି ଆଜିକାଲି ମଧ୍ୟ ସାହିତ୍ୟରେ ଅତି ଉଚ୍ଚ ଆସନ ଲାଭ କରିଥାଏ । ସାଧାରଣ ଭାବମାନଙ୍କଠାରୁ ଭିନ୍ନ କବିତ୍ୱମୟ ଭାବକୁ ଛନ୍ଦୋବଦ୍ଧ ଭାଷାରେ ପ୍ରକାଶକରି କବି ନିଜର ଭାବକୁ ଲୋକସମାଜର ଆଦରଣୀୟ କରିଥାଏ ଏବଂ ଏହି କାରଣରୁ ସାଧାରଣତଃ ଲୋକେ କବିଙ୍କୁ ସମାଜର ଶୀର୍ଷସ୍ଥାନରେ ବସାଇଥାନ୍ତି ।

 

ସାଧାରଣତଃ ଆମ୍ଭେମାନେ ଛନ୍ଦକୁ କାବ୍ୟର ପ୍ରଧାନ ଆଶ୍ରୟ ବୋଲି ଗଣ୍ୟକରୁ ଓ ଛନ୍ଦ ଭିନ୍ନ କବିତା ହୋଇପାରେ ନାହିଁ ଏହା ସମସ୍ତେ ସ୍ୱୀକାର କରନ୍ତି । ଛନ୍ଦ ନାନାପ୍ରକାରର ଦେଖାଯାଇଥାଏ । ଛନ୍ଦକୁ ପ୍ରଥମତଃ ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଏହି ଦୁଇ ବିଭାଗରେ ବିଭକ୍ତ କରାଯାଇପାରେ । ମିତ୍ରାକ୍ଷର ଛନ୍ଦରେ ଗୋଟିଏ ପଦର ଶେଷରେ ଥିବା ଶବ୍ଦ ସହିତ ଅନ୍ୟ ପଦର ଶେଷରେ ଥିବା ଶବ୍ଦର ସାମଞ୍ଜସ୍ୟ ଥାଏ ଓ ଅମିତ୍ରାକ୍ଷର ଛନ୍ଦରେ ଏହିପରି କୌଣସି ସାମଞ୍ଜସ୍ୟ ନ ଥାଏ । ମିତ୍ରାକ୍ଷର ଛନ୍ଦକୁ ମଧ୍ୟ ଆମ୍ଭେମାନେ ନାନାପ୍ରକାରରେ ବିଭାଗ କରିପାରୁ । କୌଣସି କୌଣସି ଛାନ୍ଦରେ ଉପଧା ମିଳନ ଲକ୍ଷିତ ହୋଇଥାଏ ଯଥା:–

 

‘‘ଖଞ୍ଜରୀଟ ଗରବ ଗଞ୍ଜନୀ ଜୀବିକାରେ

ସଞ୍ଚରୁ ତୋ ନେତ୍ର ଚିତ୍ର କେଳି ଶିବିକାରେ’’ ।

 

ମାତ୍ର ଅନେକ ସ୍ଥାନରେ ଏହିପରି ଉପଧା ମିଳନର ଅଭାବ ମଧ୍ୟ ଦେଖାଯାଇଥାଏ ଯଥା;–

 

‘‘ବାତାପୀ–ସୂଦନ ଆଶ୍ରମ

ବିପିନେ ପ୍ରବେଶ ଶ୍ରୀରାମ’’ ବୈ, ବି

‘‘ଭଙ୍ଗାନାବ ତୋର ଯାଉଛି ଫାଟି

ପାଣି ପଶୁଅଛି ବିବର ଫୁଟି ।’’ ନା, କେ,

 

ପୁଣି ଅନେକ ସମୟରେ ମିତ୍ରାକ୍ଷର ଛନ୍ଦରେ ଏକଶବ୍ଦ ନ ଥାଇ ଭିନ୍ନ ଭିନ୍ନ ଧ୍ୱନିର ପ୍ରୟୋଗ ମଧ୍ୟ ଦେଖାଯାଇ ଥାଏ ଯଥା –

 

‘‘ଗର୍ଭଲକ୍ଷଣ ଦେଖି ମୁନିପୁଙ୍ଗବ

ବିଶାଳ ଯଶା ବୀର ତନୟ ଲଭ ।’’ କ, ବ,

 

ପୁଣି ମିତ୍ରାକ୍ଷର ଛନ୍ଦରେ ଅନେକ ସମୟରେ ନାନାବିଧ ଛନ୍ଦବନ୍ଧନୀ ଲକ୍ଷିତ ହୋଇଥାଏ-। ଅମିତ୍ରାକ୍ଷର ଛନ୍ଦ ମିତ୍ରାକ୍ଷର ପରି ଅପ୍ରାକୃତ ଓ କ୍ଳିଷ୍ଟ ନୁହେଁ ଓ ସାଧାରଣତଃ ବଡ଼ ବଡ଼ କବିତାରେ ଧ୍ୱନିର ପୁନଃ ପୁନଃ ଉଲ୍ଲେଖ ଦ୍ୱାରା ସ୍ମୃତିମାଧୁର୍ଯ୍ୟ ନଷ୍ଟ ହେବା ଭୟରେ ଅମିତ୍ରାକ୍ଷର ଛନ୍ଦ ବ୍ୟବହୃତ ହୋଇଥାଏ । ସାହିତ୍ୟରେ ଅମିତ୍ରାକ୍ଷର ଛନ୍ଦର ବ୍ୟବହାର ମିତ୍ରାକ୍ଷରପରେ ଆରବ୍ଧ ହୋଇଥିଲେହେଁ ଆଧୁନିକ ସାହିତ୍ୟରେ ମିତ୍ରାକ୍ଷର ଅପେକ୍ଷା ଅମିତ୍ରାକ୍ଷରର ଆଦର ଅତ୍ୟଧିକ ଏବଂ ଅନେକ କବିତାରେ ଅନେକ ପ୍ରକାରର ଅମିତ୍ରାକ୍ଷର ଛନ୍ଦର ବ୍ୟବହାର ଦେଖାଯାଇଥାଏ ।

 

ଛନ୍ଦକୁ ଅନ୍ୟ ଏକ ଆଦର୍ଶ ଅନୁସାରେ ମଧ୍ୟ ଦୁଇ ଭାଗରେ ବିଭକ୍ତ କରା ଯାଇପାରେ । ଏକପ୍ରକାର ଛନ୍ଦ ଅକ୍ଷର ମାତ୍ରିକ ଓ ଅନ୍ୟଟି ଧ୍ୱନିମାତ୍ରିକ ଅର୍ଥାତ୍ ଏକ ପ୍ରକାରର ଛନ୍ଦରେ ଅକ୍ଷରମାନଙ୍କୁ ଗୋଟି ଗୋଟି କରି ଗଣାଯାଇ ପ୍ରତ୍ୟେକ ପଦରେ ସେମାନଙ୍କର ସଂଖ୍ୟାର ସାମଞ୍ଜସ୍ୟ ଲକ୍ଷିତ ହୋଇଥାଏ । ପୁଣି ଅକ୍ଷରର ସମଷ୍ଟିପ୍ରତି ଦୃଷ୍ଟି ଦିଆ ନଯାଇ ଅକ୍ଷରମାନଙ୍କର ଧ୍ୱନିର ଗୁରୁତା ଓ ଲଘୁତା ପ୍ରତି ଦୃଷ୍ଟିଦିଆଯାଇ ଛନ୍ଦ ରଚିତ ହୋଇପାରେ । ସାଧାରଣତଃ ଓଡ଼ିଆ ବା ବଙ୍ଗଳା ଭାଷାରେ ଏହିପରି ଅକ୍ଷରର ସଂଖ୍ୟାଦ୍ୱାରା କବିତାର ପଦ ନିୟନ୍ତ୍ରିତ ହୋଇଥାଏ । ମାତ୍ର ସଂସ୍କୃତ ସାହିତ୍ୟରେ ସାଧାରଣତଃ ଅକ୍ଷରର ସଂଖ୍ୟା ଓ ଗୁରୁଲଘୁ ଉଚ୍ଚାରଣଭେଦ ଉଦୟ ପ୍ରତି ଦୃଷ୍ଟିଦେଇ କବିତା ରଚିତ ହୁଏ । ଇଂରାଜି ସାହିତ୍ୟର (Syllable) ଅର୍ଥାତ ଧ୍ୱନ୍ୟଂଶ ଗୁଡ଼ିକ ଓଡ଼ିଆ ବା ସଂସ୍କୃତ ଭାଷାର ଅକ୍ଷର ସଙ୍ଗେ ସମାନ ଥିବାରୁ ସେଥିରେ (Syllable)ର ସଂଖ୍ୟା ଓ ସେମାନଙ୍କର ଧ୍ୱନିର ଗୁରୁଲଘୁ ଭେଦ ସୂଚକ (accent) ପ୍ରତି କବିତା ରଚନାରେ ଲକ୍ଷ ଦିଆଯାଏ ।

 

ଛନ୍ଦକୁ ଏହିପରି ଚାରୋଟି ବିଭାଗରେ ବିଭକ୍ତ କରାଗଲେ ମଧ୍ୟ (ମିତ୍ରାକ୍ଷର, ଅମିତ୍ରାକ୍ଷର, ଅକ୍ଷର ମାତ୍ରିକ ଓ ଧ୍ୱନିମାତ୍ରିକ) ସେମାନଙ୍କ ମଧ୍ୟରେ ଯେ ନାନା ଉପବିଭାଗ ଅଛି ତାହା ପୂର୍ବେ ସୂଚିତ ହୋଇଅଛି । କବିମାନେ ନୂତନ ନୂତନ ଛନ୍ଦ ରଚନା କରିବାର ପ୍ରୟାସ କରନ୍ତି, ଏହି କାରଣରୁ ଉପବିଭାଗ ଗୁଡ଼ିକର ସଂଖ୍ୟା ବା ସୀମା ନିର୍ଦ୍ଦେଶ କରିବା ସହଜସାଧ୍ୟନୁହେ ଏବଂ ଏହି କାରଣରୁ ଅସଂଖ୍ୟ ଛନ୍ଦ ପ୍ରତ୍ୟେକ କବିତାର ଅଙ୍ଗ ପରିପୁଷ୍ଟ କରୁଅଛି । ମାତ୍ର ଶବ୍ଦମାନଙ୍କର ଛନ୍ଦାନୁଯାୟୀ ମଧୁର ବିନ୍ୟାସ ଉପରେ କବିତାର ଉତ୍କର୍ଷ ବା ଅପକର୍ଷ ନିର୍ଭରକରେ ଓ ଏହି କାରଣରୁ କବିମାନେ ଛନ୍ଦର ମାଧୁର୍ଯ୍ୟ ରକ୍ଷାକରିବା ନିମନ୍ତେ ଏଡ଼େ ବ୍ୟସ୍ତ ।

 

କବିତାର ଭାଷା ସାଧାରଣତଃ ଗଦ୍ୟର ଭାଷାଠାରୁ ପୃଥକ ଓ କବିତାରେ ଅନୁପ୍ରାସ ପ୍ରଭୃତି ଅଳଙ୍କାର ମାନଙ୍କର ବିଶେଷ ପ୍ରୟୋଗ ଦେଖାଯାଏ ଏବଂ ଅଳଙ୍କାର ମାନଙ୍କର ଏହିପରି ପ୍ରୟୋଗ ଦ୍ୱାରା ଭାଷାର ଆହ୍ଲାଦିନୀ ଶକ୍ତି ବିଶେଷ ଭାବରେ ବର୍ଦ୍ଧିତ ହୁଏ । ଗଦ୍ୟରେ ଯେ ଅଳଙ୍କାର ବ୍ୟବହୃତ ହୁଏ ନାହିଁ ତାହାନୁହେଁ ମାତ୍ର ପଦ୍ୟରେ ତାହାର ବ୍ୟବହାର ଅତ୍ୟନ୍ତ ଅଧିକ ଓ ଅଳଙ୍କାରର ବ୍ୟବହାର ନଥାଇ ପ୍ରାୟ ପଦ୍ୟ ରଚିତ ହୁଏ ନାହିଁ । ଅଳଙ୍କାରକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଗୋଟିଏ ଭାଷାଗତ ଯଥା–ଅନୁପ୍ରାସ, ଯମକ, ଶ୍ଳେଷ ପ୍ରଭୃତି; ଅନ୍ୟଟି ଭାବଗତ ଯଥା, ଉପମା, ରୂପକ, ଉତ୍‌ପ୍ରେକ୍ଷା, ଅତିଶୟୋକ୍ତି ପ୍ରଭୃତି । କବିତାରେ ଏହି ଦୁଇ ପ୍ରକାର ଅଳଙ୍କାର ବିଶେଷ ରୂପେ ଦେଖାଯାଇଥାଏ । ମାତ୍ର ପ୍ରାଚୀନ କବିତାମାନଙ୍କରେ ଅଳଙ୍କାରର ବହୁଳ ବ୍ୟବହାର ଥିଲେହେଁ ଆଧୁନିକ ଭାଷାମାନଙ୍କରେ ଅଳଙ୍କାରକୁ ଉଚ୍ଚସ୍ଥାନ ଦିଆଯାଏନାହିଁ ଓ ତାହାର ପ୍ରାଚୁର୍ଯ୍ୟରେ କବିତା କ୍ଳିଷ୍ଟ ଓ ଆଡ଼ଷ୍ଟ ହୁଏ ନାହିଁ । ଛନ୍ଦାନୁଯାୟୀ ବିନ୍ୟାସ ଓ ଅଳଙ୍କାର ପ୍ରୟୋଗଜନିତ ବିକୃତିଦ୍ୱାରା ପଦ୍ୟର ଭାଷା ଏପରି ରୂପାନ୍ତର ପ୍ରାପ୍ତ ହୁଏ ଯେ ଗଦ୍ୟଠାରୁ ତାହା ପୃଥକ୍‌ ବୋଲି ସହଜରେ ଚିହ୍ନାଯାଏ ।

 

କବିତା ନାନା ପ୍ରକାର ଭାବକୁ ଆଶ୍ରୟକରି ରଚିତ ହୋଇଥାଏ ଓ ନାନା ପ୍ରକାର ବର୍ଣ୍ଣନା ଚାତୁରୀ ଦ୍ୱାରା ଅଳଙ୍କୃତ ହୁଏ । ଏହି ହେତୁରୁ କବିତାର ନାନା ଶ୍ରେଣୀ ବିଭାଗ ମଧ୍ୟ ଦେଖାଯାଏ । ପ୍ରଥମତଃ କାବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ । କେତେ ଗୁଡ଼ିଏ ପଦ୍ୟରେ କେବଳ ବର୍ଣ୍ଣନା କରିବାର ପ୍ରୟାସଥାଏ । କୌଣସି ଘଟନା, ସ୍ଥାନ ବା ପ୍ରକୃତିର ବିପର୍ଯ୍ୟକୁ କବି ବିଶଦ ରୂପେ ବର୍ଣ୍ଣନା କରନ୍ତି ଓ ସେଥିମଧ୍ୟରୁ କୌଣସି ଭାବ ବା ତଥ୍ୟ ଆବିଷ୍କାର କରିବାର ଭାର ପାଠକ ଉପରେ ନ୍ୟସ୍ତ କରି ତୃପ୍ତ ରହନ୍ତି । ଏହି ବର୍ଣ୍ଣନାତ୍ମକ କବିତା ପୁଣି ନାନା ଉପବିଭାଗରେ ବିଭକ୍ତ ହୋଇପାରେ, ମାତ୍ର ଏପରି କବିତାରେ ଲେଖକର ପରିଚୟ ଅତି ଅଳ୍ପ ପ୍ରଦର୍ଶିତ ହୋଇଥାଏ । ଅନ୍ୟପ୍ରକାର କବିତାରେ ଲେଖକ ନିଜର ଭାବମାନଙ୍କୁ ପ୍ରକାଶ କରିବାର ଚେଷ୍ଟା କରନ୍ତି । ଏ ପ୍ରକାର କବିତାରେ ଲେଖକର ବ୍ୟକ୍ତିତ୍ୱ ପୂର୍ଣ୍ଣମାତ୍ରାରେ ବିକଶିତ ହୁଏ ଓ ଲେଖକ କୌଣସି ଭାବଦ୍ୱାରା ଅଭିଭୂତ ହୋଇ ପାଠକ ମନରେ ସେହି ଭାବରାଶିର ଉନ୍ମେଷକରାଇ ତାକୁ ପ୍ରୀତ କରିବାର ଚେଷ୍ଟାକରେ । ଏହି ଦ୍ୱିତୀୟ ପ୍ରକାରର କବିତା ସାଧାରଣତଃ କ୍ଷୁଦ୍ରକାୟ ହୋଇଥାଏ । ପଦ୍ୟରେ ଏହି ଦୁଇଗୋଟି ବିଭାଗ ଦେଖାଗଲେ ମଧ୍ୟ ସାଧାରଣତଃ ପ୍ରତ୍ୟେକ ପଦ୍ୟ ବା କବିତାରେ ଭାବ ଓ ବର୍ଣ୍ଣନା ଓତଃପ୍ରୋତ ରୂପେ ମିଶ୍ରିତ ରହି ପାଠକ ମନରେ ଆନନ୍ଦର ସଞ୍ଚାର କରେ ।

 

ବର୍ଣ୍ଣନାତ୍ମକ ପଦ୍ୟମଧ୍ୟରେ ମହାକାବ୍ୟ ପ୍ରଧାନ । ସାହିତ୍ୟରେ ଆଦିମ ଯୁଗରେ ଯେତେବେଳେ ବୀର ପୁରୁଷମାନଙ୍କର ସମର ବିଜୟ ବର୍ଣ୍ଣନାତ୍ମକ ଗାଥା ସାହିତ୍ୟର ଏକମାତ୍ର ଉପାଦାନ ଥିଲା ତେତେବେଳେ କୌଣସି ମହାପୁରୁଷଙ୍କ କାର୍ଯ୍ୟାବଳୀକୁ ଭିତ୍ତିକରି ମହାକାବ୍ୟମାନ ରଚିତ ହୋଇଥିଲା । ପ୍ରତ୍ୟେକ ମହାକାବ୍ୟ ଅନେକ ଗୁଡ଼ିଏ ଉପାଦାନ ଓ ଅନେକ ଗୁଡ଼ିଏ କଥାବସ୍ତୁର ସମଷ୍ଟିରୁ ଗ୍ରଥିତ ଓ ପ୍ରତ୍ୟେକ ମହାକାବ୍ୟରେ ଅନେକ ଗୁଡ଼ିଏ ଭାବ ଓ ଘଟନା ପରମ୍ପରା ଏକତ୍ରୀଭୂତ ହୋଇ ତାହାର ଅଙ୍ଗସୌଷ୍ଠବ ସମ୍ପାଦନକରେ । ମାତ୍ର ଅନେକଗୁଡ଼ିଏ ଘଟନା ସଂବନ୍ଧଥିଲେହେଁ ତାହାର କଥାବସ୍ତୁ ଜଣେ ବୀର ପୁରୁଷର କାର୍ଯ୍ୟାବଳୀକୁ ଅବଲମ୍ୱନକରି ରଚିତ ହୋଇଥାଏ ଏବଂ ଏହି ବୀର ପୁରୁଷଙ୍କ ଜୀବନ ବିଷୟକ ଆଖ୍ୟାନ ବସ୍ତୁଦ୍ୱାରା ତାହାର କୈନ୍ଦ୍ରିକ ଏକତା ସାଧିତ ହୋଇଥାଏ । ମହାକାବ୍ୟରେ କବି କେବଳ କଥା ବସ୍ତୁର ବର୍ଣ୍ଣନାକରନ୍ତି । ନିଜ ବ୍ୟକ୍ତିତ୍ୱ ବା ଭାବକୁ ପ୍ରତ୍ୟକ୍ଷ ଭାବରେ ପ୍ରକାଶ କରନ୍ତିନାହିଁ ଏବଂ ପରବର୍ତ୍ତୀ ଯୁଗରେ ବିଭିନ୍ନ କବିମାନେ ସେହି ମହାକାବ୍ୟରେ ନାନାଦି ଅଂଶ ସଂଯୁକ୍ତ କରି ତାକୁ ଅଧିକତର ପରିପୁଷ୍ଟ କରିବାର ସୁଯୋଗ ଲାଭ କରନ୍ତି । ଏହିକାରଣରୁ ମହାକାବ୍ୟ କ୍ରମଶଃ ଆକାରରେ ବୃଦ୍ଧି ପ୍ରାପ୍ତ ହୋଇଥାଏ । ମହାକାବ୍ୟ ମଧ୍ୟରେ କୌଣସି ବିଶ୍ୱଭାବ ବା ଆଦର୍ଶର ବିକାଶଥିବା ଅତ୍ୟନ୍ତ ପ୍ରୟୋଜନ, କାରଣ ଏହିପରି ଆଦର୍ଶ ନଥିଲେ ମହାବାକ୍ୟ ଅଧିକଦିନ ଲୋକସମାଜରେ ଆଦୃତ ହୋଇ ପାରେନାହିଁ । ଲୋକମାନଙ୍କର ଅବକାଶ ଯେତେ କ୍ଷୁଣ୍ଣ ହେଉଅଛି ସାମାଜିକ ପ୍ରଶ୍ନମାନ ଅହରହ ଉଦିତ ହୋଇ ତାହାର ମନକୁ ତେତେ ବିକ୍ଷୁବ୍ଧ କରୁଅଛି । ବାସ୍ତବ ଜଗତ ସହିତ ତାହାର ବିରୋଧ ଯେତେ ପ୍ରବଳ ହୋଇ ତାହାର ମନରେ ନାନାପ୍ରକାର ଆଧ୍ୟାତ୍ମିକ ଓ ନୈତିକ ଭାବର ବିରୋଧ ସଞ୍ଜାତ ହେଉଅଛି ଏବଂ କୌଣସି ଆଦର୍ଶ ପ୍ରତି ତାହାର ମନରେ ବିଶ୍ୱାସ ଯେତେ କମି ଯାଉଅଛି ତେତେ ତାହାର ଜୀବନରୁ ମହାକାବ୍ୟର ଉପାଦାନମାନ ଲୋପ ପାଉଅଛି ଏବଂ ବର୍ତ୍ତମାନ ସାହିତ୍ୟରେ ମହାକାବ୍ୟର ରଚନା ବା ପାଠ କରିବାର ପ୍ରୟାସ ଆଦୌ ଦେଖା ଯାଏ ନାହିଁ । ପୁରାକାଳରେ ପ୍ରତ୍ୟେକ ମହାକାବ୍ୟରେ ନାନା ପ୍ରକାରର ଆଦର୍ଶ ପ୍ରଦର୍ଶିତ ହୋଇଅଛି ଓ ଏହି ସବୁ ଆଦର୍ଶର ସଜୀବତା ବର୍ତ୍ତମାନ ପର୍ଯ୍ୟନ୍ତ ଏ ସମସ୍ତଙ୍କ ସୁପାଠ୍ୟ ଓ କାବ୍ୟରରସଗ୍ରାହୀଙ୍କର ଆନନ୍ଦର ବସ୍ତୁ କରି ରଖିଅଛି । ମହାକାବ୍ୟ ମାନଙ୍କରେ ନାନା ଆଖ୍ୟାନ ବସ୍ତୁ ଥିବାରୁ ଓ ଏମାନଙ୍କରେ ଜୀବନର ଉଜ୍ଜ୍ୱଳ ଆଦର୍ଶମାନ ସରସ ଓ ମଧୁର ଭାବରେ ବର୍ଣ୍ଣିତ ହୋଇଥିବାରୁ ଏହି ସବୁ ମହାକାବ୍ୟମାନ ପରବର୍ତ୍ତୀ କବିମାନଙ୍କର ଆଶ୍ରୟସ୍ଥଳ ଏବଂ ଭାବ ଓ ଭାଷାର ଅଶେଷ ଭଣ୍ଡାର ରୂପେ ବ୍ୟବହୃତ ହେଉଅଛି । ଏହି ସବୁ ମହାକାବ୍ୟମାନଙ୍କ ମଧ୍ୟରେ ଭାରତର ରାମାୟଣ ମହାଭାରତ ଓ ଗ୍ରୀସୀୟ ଇଲିୟାଡ଼ ଓ ଅଡ଼ିସି ଓ ରୋମକ ଏନିଡ଼୍‌ ପ୍ରଭୃତି ସୁପ୍ରାଚୀନ ।

 

ମହାକାବ୍ୟ ଭିନ୍ନ ବର୍ଣ୍ଣନାତ୍ମକ ଖଣ୍ଡ କବିତା ମଧ୍ୟ ଅନେକ ପ୍ରକାରର ଦେଖାଯାଏ । ଏହିସବୁ କାବ୍ୟ ମଧ୍ୟରୁ କେତେ ଗୁଡ଼ିଏ କେବଳ ସୁନ୍ଦର ସ୍ଥାନମାନଙ୍କର ବର୍ଣ୍ଣନା କରନ୍ତି ଅନ୍ୟ କେତେ ଗୁଡ଼ିକରେ ପୁଣି କୌଣସି ଘଟନାର ବର୍ଣ୍ଣନା ଥାଏ । ସ୍ଥାନର ବର୍ଣ୍ଣନାରେ ନାନାପ୍ରକାର ଅଳଙ୍କାର ପ୍ରୟୋଗକରି କବି ବାସ୍ତବ ସୌନ୍ଦର୍ଯ୍ୟକୁ ଅତିମାତ୍ରାରେ ବର୍ଦ୍ଧିତ କରନ୍ତି ଓ ନିଜେ ସେହି ସୌନ୍ଦର୍ଯ୍ୟ ଦ୍ୱାରା ଏତେ ମୁଗ୍ଧ ହୁଅନ୍ତି ଯେ ଅନ୍ୟଲୋକ ତାଙ୍କର ବର୍ଣ୍ଣନା ପାଠକରି ସେହିସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରି ପାରନ୍ତି । ସ୍ଥାନର ଏହିପ୍ରକାର ସୌନ୍ଦର୍ଯ୍ୟର ପ୍ରସାରରେ ଐତିହାସିକ ତଥ୍ୟ କଳ୍ପନା ପ୍ରଭୃତିର ଆଶ୍ରୟ ନେଇ ଭାଷାର ସୌଷ୍ଠବ, ବାସ୍ତବଭାବର ସୌନ୍ଦର୍ଯ୍ୟ ଓ ବର୍ଣ୍ଣନାର କୌଶଳଦ୍ୱାରା ସାଧାରଣ ସୌନ୍ଦର୍ଯ୍ୟକୁ ନୈସର୍ଗିକ ଆନନ୍ଦମୟ କ୍ଷେତ୍ରରେ ପରିଣତ କରିଥାନ୍ତି । ବର୍ଣ୍ଣନାତ୍ମକ କାବ୍ୟରେ ଅତିରଞ୍ଜିତ କରିବାର ପ୍ରୟାସ ଅନେକ ସ୍ଥାନରେ ଦେଖାଯାଏ ଓ ବୀର କରୁଣ ବା ହାସ୍ୟରସର ମଧ୍ୟ ପ୍ରୟୋଗ ହୋଇଥାଏ । ବୀରରସାତ୍ମକ ଘଟନାର ବର୍ଣ୍ଣନାରେ ଅନେକ ସମୟରେ କବି ଅସ୍ତ୍ରଶସ୍ତ୍ରାଦିର ବିଷଦ ବର୍ଣ୍ଣନା ଦେଇ ଉଭୟପକ୍ଷର ବୀରତ୍ୱ ବର୍ଣ୍ଣନା କରି ନାୟକର ଅତିବୀରତ୍ୱ ଦ୍ୱାରା ଯୁଦ୍ଧ ଜୟର ବର୍ଣ୍ଣନା ଦେଇଥାନ୍ତି । ସମୟ ସମୟରେ ଯୁଦ୍ଧର ସ୍ଥାନ ଓ ଅନ୍ୟାନ୍ୟ ଅବାନ୍ତର ବିଷୟମାନଙ୍କର ବର୍ଣ୍ଣନା ମଧ୍ୟ ଉକ୍ତ ପ୍ରକାର କବିତାରେ ଥାଏ ଓ ପରାଜିତ ଶତ୍ରୁର ନୈତିକ ଦୁର୍ବଳତା ପ୍ରଦର୍ଶିତ ହୋଇ ଧର୍ମ୍ମରଜୟନୀତି ଉଦ୍‌ଘୋଷିତ ହୋଇଥାଏ । କରୁଣ ରସାତ୍ମକ ଘଟନାର ବର୍ଣ୍ଣନା ସାଧାରଣତଃ ବିରହର ବା ମୃତ୍ୟୁର ବର୍ଣ୍ଣନାରେ ପର୍ଯ୍ୟବସିତ ହୋଇଥାଏ । ଆସନ୍ନ ବିରହରେ ଊଭୟ ପକ୍ଷଙ୍କର ମନ ଶୋକୋଚ୍ଛ୍ୱାସରେ କିପରି ପୂର୍ଣ୍ଣ ହୁଏ, ପ୍ରେମିକ ପ୍ରେମିକା ବିରହରେ କ୍ଷୁବ୍ଧ ହୋଇ ଅତିଦୁଃଖ ଭୋଗ ବା ଆସନ୍ନ ମୃତ୍ୟୁ ମଧ୍ୟ ଦେଇ କିପରି ମିଳିତ ହୁଅନ୍ତି କିମ୍ୱା ମୃତ୍ୟୁ କିପରି ଭାବରେ ସମସ୍ତ ସ୍ନେହ ଓ ପ୍ରୀତିର ବନ୍ଧନକୁ ଛିନ୍ନ କରି ମନୁଷ୍ୟକୁ ଅଜ୍ଞାତ ରାଜ୍ୟକୁ ନେଇଯାଏ ଏହି ସମସ୍ତ ବିଷୟର ବର୍ଣ୍ଣନା ସାଧାରଣତଃ ଦେଖାଯାଏ । ସମୟ ସମୟରେ କରୁଣ ବିରହ ପରେ ମିଳନର ଆନନ୍ଦମଧ୍ୟ ପ୍ରଦର୍ଶିତ ହୋଇଥାଏ । ଅନେକ ସମୟରେ ପୁଣି ଅନ୍ତିମ ମୁହୂର୍ତ୍ତରେ ମିଳନ ବିରହ ଅପେକ୍ଷା ଅଧିକତର କରୁଣ ଓ ଦୁଃଖପ୍ରଦ ହୁଏ । ମୃତ୍ୟୁର ବର୍ଣ୍ଣନା ଘଟନା ସମାବେଶ ଦ୍ୱାରା ଏପରି କରୁଣ ଭାବରେ ଚିତ୍ରିତ ହୁଏ ଯେ ପାଠକର ମନ ଦୁଃଖରେ ଆପ୍ଳୁତ ହୋଇ ଉଠେ । ହାସ୍ୟରସାତ୍ମକ ଘଟନାର ଚିତ୍ରମାନଙ୍କରେ କବି ଅନ୍ୟର ଦୋଷକୁ ଅତିରଞ୍ଜିତ କରି ହାସ୍ୟକର ପରିଣତମାନ ବର୍ଣ୍ଣନା କରନ୍ତି ଓ ପାଠକ ସେହି ବର୍ଣ୍ଣନା ଗୁଡ଼ିକ ପଢ଼ି ହାସ୍ୟରସରେ ଅଭିଭୂତ ହୁଏ । ଏହି ସମସ୍ତ ଘଟନା ବର୍ଣ୍ଣନାରେ କବି ଅନେକ ସମୟରେ ଛନ୍ଦର ପ୍ରୟୋଗ ଚାତୁରୀ ପ୍ରଦର୍ଶନ କରିଥାଏ । ହାସ୍ୟରସାତ୍ମକ କବିତାରେ ଛନ୍ଦର ଗତି ଅତ୍ୟନ୍ତ ଦ୍ରୁତ । ପୁଣି କରୁଣରସରେ ତାହା ସାଧାରଣତଃ ଧୀର ଓ ବୀର ରସାତ୍ମିକା କାବ୍ୟରେ ଓଜଃ ବ୍ୟଞ୍ଜକ ବର୍ଣ୍ଣମାନଙ୍କର ଓ ସମାସ ବହୁଳ ବାକ୍ୟର ସମାବେଶ ଦେଖାଯାଏ ।

 

ବର୍ଣ୍ଣନାତ୍ମକ କବିତା ଭିନ୍ନ କବି ନିଜର ଭାବକୁ ଆଶ୍ରୟ କରି ଯେଉଁ କବିତାମାନ ରଚନା କରନ୍ତି ତାହା ମଧ୍ୟ ନାନାପ୍ରକାରର ଦେଖାଯାଏ ଓ ସେଗୁଡ଼ିକରେ କବି ପାଠକ ହୃଦୟରେ ନାନାପ୍ରକାର ଭାବ ସଞ୍ଚାର କରିବାକୁ ଚେଷ୍ଟା କରନ୍ତି; ସାଧାରଣତଃ ଏହି ପ୍ରକାର କବିତାମାନଙ୍କରେ ପ୍ରକୃତିର ଚିର ନୂତନ ରୂପ ଦେଖି କବିଙ୍କ ବିମୁଗ୍ଧ ଭାବ ଓ ପ୍ରକୃତି ମଧ୍ୟରେ ମାନବର ହିତକାରୀ ଆଦର୍ଶର ଆବିଷ୍କାର କିମ୍ୱା କୌଣସି ଆଧ୍ୟାତ୍ମିକ ଐକ୍ୟ ପ୍ରକାଶର ପ୍ରୟାସ ହୋଇଥାଏ । ମାନବ ସମାଜ ବିଷୟକ ନାନାପ୍ରକାର ଚିନ୍ତା କବିଙ୍କମନରେ ସ୍ୱତଃ ଉଦିତ ହୁଏ ଓ ଏହି ଚିନ୍ତା ଗୁଡ଼ିକ କବି ଲଳିତ ଭାଷାରେ ପାଠକ ମାନଙ୍କ ସମ୍ମୁଖରେ ସ୍ଥାପିତ କରି ସେମାନଙ୍କର ଚିତ୍ତରଞ୍ଜନ କରିଥାନ୍ତି । ସାଧାରଣତଃ ଏହି କବିତାମାନଙ୍କମଧ୍ୟରୁ ଅଧିକାଂଶ ପ୍ରେମ ବିଷୟକ । କେତେକ ସ୍ୱଦେଶ ପ୍ରେମଦ୍ୱାରା ଅନୁପ୍ରାଣିତ, କେତେକ କାଳର କରାଳ ପ୍ରଭାବ ଓ ସଂସାରର ଅନିତ୍ୟତା ବିଷୟରେ ରଚିତ । ଅନେକ ଗୁଡ଼ିଏ କବିତା ପ୍ରକୃତିର ବିଭିନ୍ନ ସୌନ୍ଦର୍ଯ୍ୟ ଦେଖି କବି ଚିତ୍ତର ନାନାପ୍ରକାର ଉଚ୍ଛ୍ୱାସ ଓ କେତେ ଗୁଡ଼ିଏ ଭଗବାନଙ୍କ ନିକଟରେ କବିଙ୍କର ଆତ୍ମସମର୍ପଣ ପ୍ରଭୃତି ଭାବମାନଙ୍କୁ ଅବଲମ୍ୱନ କରି ରଚିତ ହୋଇଥାଏ । ସଚରାଚର ଯେତେ ପ୍ରକାର କବିତା ଆମ୍ଭେମାନେ ଦେଖୁଁ ସେ ଗୁଡ଼ିକରେ ଭାବ ଓ ଭାଷାର ବୈଚିତ୍ର୍ୟ ଏତେ ଅଧିକ ଯେ ସେମାନଙ୍କର କୌଣସି ଶ୍ରେଣୀ ବିଭାଗ ସମ୍ଭବପର ହୁଏ ନାହିଁ, ତେବେ ଅଧିକାଂଶ ଖଣ୍ଡ କବିତା ପ୍ରେମ ବିଷୟରେ, ଭଗବାନଙ୍କ ବିଷୟରେ, ପ୍ରକୃତିର ସୌନ୍ଦର୍ଯ୍ୟ ବିଷୟରେ ଅଥବା ମୃତ୍ୟୁ ବିଷୟରେ ରଚିତ ହୋଇଥାଏ ।

 

ପ୍ରେମ କବିତାରେ ମିଳନର ଉଲ୍ଲାସ ଅପେକ୍ଷା ବିରହର କରୁଣ ସ୍ୱର ଅଧିକତର ଦେଖାଯାଏ, କାରଣ ବିରହ ହୃଦୟ ମଧ୍ୟରେ ଅଧିକତର ଭାବତରଙ୍ଗର ସୃଷ୍ଟି କରେ ଓ ନାୟକ ନାୟିକାର ହୃଦୟର ବିଭିନ୍ନ ଅବସ୍ଥା ବା ମନର ବିଭିନ୍ନ ଚିନ୍ତା ବର୍ଣ୍ଣନା କରିବା ସହଜ ହୁଏ । ନାୟିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ତାହାଠାରୁ ପ୍ରେମଭିକ୍ଷା, ନାୟକର ଆନ୍ତରିକ ବ୍ୟାକୁଳତା ଓ ପ୍ରକୃତିରେ ପ୍ରେମର ସ୍ଥାନ ନିରୂପଣ କରି ପ୍ରେମ ପ୍ରତି ଲୋକମାନଙ୍କର ଚିତ୍ତକୁ ଉତ୍ସାହିତ କରିବା ପ୍ରଭୃତି ନାନାପ୍ରକାରର ଭାବ ଓ ମିଳନର ଓ ବିରହର ନାନା ସାମୟିକ ଅବସ୍ଥାର ବର୍ଣ୍ଣନା କବିମାନଙ୍କ ପକ୍ଷରେ ସ୍ୱାଭାବିକ । ପ୍ରାୟ ପ୍ରତ୍ୟେକ ଯୁଗରେ ପ୍ରେମର ବିଭିନ୍ନ ସ୍ୱରୂପ ବା ଅବସ୍ଥା ଅବଲମ୍ୱନ କରି ନାନାପ୍ରକାର କବିତା ରଚିତ ହୋଇଥାଏ ଓ ପ୍ରେମକୁ ସଂସାରର ସାର ପଦାର୍ଥ ରୂପେ କଳ୍ପନା କରାଯାଇ ତାହାର ସମ୍ୟକ୍‌ ବିଶ୍ଳେଷଣ କରାଯାଏ । କୌଣସି କୌଣସି କବିତାରେ ଦୁଃସହ ବିରହାନ୍ତେ ମିଳନର ଉଲ୍ଲାସ ବର୍ଣ୍ଣିତ ହୋଇଥାଏ । କୌଣସି କୌଣସି କବି କେବଳ ବିରହର ଉତ୍କଟ ଦୁଃଖ ବର୍ଣ୍ଣନା କରିଥାନ୍ତି । କେତେକ କବି ପୁଣି ବିରହ ପରେ ମିଳନର ଆଭାସ ମାତ୍ର ଦେଇ ପାଠକର ମନକୁ ଉବ୍ଦେଳିତ କରି ପରବର୍ତ୍ତୀ ଚିତ୍ରମାନଙ୍କ ପ୍ରତି ପାଠକର କଳ୍ପନାକୁ ପ୍ରଧାବିତ କରିଥାନ୍ତି । ପ୍ରତ୍ୟେକ ଯୁଗର କବିତାରେ, ପ୍ରତ୍ୟେକ ଜାତିର କବିତାରେ ଏହି ପ୍ରକାର ନାନାବିଧ ପ୍ରେମ କବିତାର ଉଦାହରଣ ମିଳେ, ମାତ୍ର ଜାତିର ପ୍ରଥମ ଅବସ୍ଥାରେ ଯେତେବେଳେ ବୀରରସାତ୍ମକ କବିତାର ବାହୁଲ୍ୟ ଥାଏ ସେହି ସମୟରେ ଏ ପ୍ରକାର କବିତାର ଅଧିକ ପ୍ରଚଳନ ଦେଖାଯାଏନାହିଁ । ଭାରତରେ ମହାକାବ୍ୟ ଯୁଗରେ ପ୍ରେମ ବିଷୟକ କବିତାର ତେତେ ଆଦର ନ ଥିଲା ମାତ୍ର ବୈଷ୍ଣବ ସାହିତ୍ୟରେ ଏହି ପ୍ରେମ ଆଧ୍ୟାତ୍ମିକ ରାଜ୍ୟକୁ ଉନ୍ନୀତ ହୋଇ କାବ୍ୟର ଏକମାତ୍ର ବିଷୟ ସ୍ୱରୂପେ ବର୍ଣ୍ଣିତ ହେଉଅଛି ।

 

ଭଗବତ୍‌ ବିଷୟକ କବିତାଗୁଡ଼ିକ ମଧ୍ୟରୁ ଅଧିକାଂଶ କୌଣସି ସାଧାରଣ ଅବତାର ବା ଦେବ ଦେବୀ ରୂପେ ବିକାଶକୁ ଲକ୍ଷ କରି ରଚିତ ହୋଇଥାଏ । ବିଭିନ୍ନ ସାଧକ କବିମାନଙ୍କ ଦ୍ୱାରା ଅନେକ ସ୍ତୁତି ଜଣାଣ, କୀର୍ତ୍ତନ, ଗାଥା ପ୍ରଭୃତି ରଚିତ ହୋଇ ପରବର୍ତ୍ତୀ ଯୁଗରେ ଲୋକମାନଙ୍କ ମନରେ ଧର୍ମ୍ମଭାବ ଜାଗରୁକ କରିବାରେ ସାହାଯ୍ୟ କରୁଅଛି । କିନ୍ତୁ ଭଗବତ୍‌ ବିଷୟକ ଦର୍ଶନ ଅର୍ଥାତ୍‌ ମନୁଷ୍ୟର ଆତ୍ମା ସହିତ ପରମାତ୍ମାର ସମ୍ୱନ୍ଧ ନିରୂପଣ, ଭଗବାନଙ୍କ ବ୍ୟଷ୍ଟି ଭାବଦ୍ୱାରା ସମଗ୍ର ସଂସାର ମଧ୍ୟରେ ତାଙ୍କର ରୂପର କଳ୍ପନା ଓ ଭଗବାନଙ୍କ ଠାରେ ଭକ୍ତର ଏକାନ୍ତ ଆତ୍ମୋତ୍ସର୍ଗ ଏହି ସବୁ ବିଷୟରେ ମଧ୍ୟ ଅନେକ କବିତା ରଚିତ ହୋଇଅଛି । ସାଧାରଣତଃ ଏସବୁ ବିଷୟରେ ଅଧିକ କବିତା ଲିଖିତ ହୋଇପାରେନାହିଁ । କାରଣ ଏ ଦିଗରେ କଳ୍ପନାର ପ୍ରସାର ବିଶେଷ ସମ୍ଭବ ନୁହେଁ, ମାତ୍ର ବୈଷ୍ଣବ ପଦାବଳୀକୁ ଭିତ୍ତିକରି ରବୀନ୍ଦ୍ର ସାହିତ୍ୟରେ ଜୀବାତ୍ମା ସହିତ ପରମାତ୍ମାର ପ୍ରୀତି ଯେପରି ଭାବରେ କଳ୍ପିତ ହୋଇଅଛି ଓ ପ୍ରେମ କବିତା ମଧ୍ୟରେ ଆଧ୍ୟାତ୍ମିକ ଭାବର ବିକାଶ ବର୍ଣ୍ଣିତ ହୋଇଅଛି ତାହା ବିଶେଷ ଭାବରେ ଉପଭୋଗ୍ୟ ।

 

ପ୍ରକୃତି ସମ୍ୱନ୍ଧରେ ନାନା କବିଙ୍କର ନାନାପ୍ରକାର ବର୍ଣ୍ଣନା ଦେଖାଯାଏ । ପ୍ରାଚୀନ ଯୁଗରେ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରତି ତେତେ ମନ ବଳାଉ ନ ଥିଲେ ଓ ପ୍ରକୃତିର ଭୀଷଣତାରେ ଅନେକ ସମୟରେ ବିମୂଢ଼ ହେଉଥିଲେ । କ୍ରମଶଃ ପ୍ରକୃତିର ସୌନ୍ଦର୍ଯ୍ୟ ଉପଲବ୍ଧି କରି ତାହା ମଧ୍ୟରେ ମନୁଷ୍ୟର ଭାବମାନଙ୍କର ସତ୍ତା ଦେଖିବାର ପ୍ରୟାସ କରୁଥିଲେ ଓ ମନୁଷ୍ୟର ଜୀବନ ପ୍ରକୃତି କିପରି ଭାବରେ ପ୍ରଭାବିତ କରେ, ପ୍ରକୃତି ମନୁଷ୍ୟର କାର୍ଯ୍ୟାବଳୀ ସହିତ କିପରି ଭାବରେ ସହାନୁଭୂତି ଦେଖାଏ ଓ ପ୍ରକୃତି ମଧ୍ୟରେ ଭଗବାନଙ୍କର ସତ୍ତା କିପରି ଭାବରେ ଉପଲବ୍ଧ ହୋଇପାରେ ଏହିସବୁ ଭାବଦ୍ୱାରା ଅନୁପ୍ରାଣିତ ହୋଇ କବିମାନେ ପ୍ରକୃତିର ବର୍ଣ୍ଣନା କରିବାରେ ସଚେଷ୍ଟ ହେଲେ । ଆଧୁନିକ ଯୁଗରେ ପ୍ରକୃତି ପ୍ରତି ଅକୃତ୍ରିମ ପ୍ରୀତି ସାହିତ୍ୟର ଅଙ୍ଗୀଭୂତ ହୋଇଅଛି ଓ ନାନାପ୍ରକାର ସୌନ୍ଦର୍ଯ୍ୟର ଆକର ରୂପେ ପ୍ରକୃତି କଳ୍ପିତ ହେଉଅଛି । ରବୀନ୍ଦ୍ର ସାହିତ୍ୟରେ ପ୍ରକୃତିର ମଧ୍ୟଗତ ରୂପକକୁ ଉନ୍ମୋଚନ କରିବାର ପ୍ରଚେଷ୍ଟା ହୋଇଅଛି ଓ ପ୍ରକୃତିର ଜୀବନକୁ ବିଶ୍ଳେଷଣ କରି ତହିଁରୁ କୌଣସି ଗଭୀର ଶିକ୍ଷା ବା ଭାବର ଦ୍ୟୋତନା ପାଠକମାନଙ୍କର ହୃଦୟରେ ସଞ୍ଚାର କରିବାର ପ୍ରୟାସ ହୋଇଅଛି ।

 

ମୃତ୍ୟୁକୁ କବିମାନେ ନାନାପ୍ରକାରରେ ଦେଖିବାର ଚେଷ୍ଟା କରିଅଛନ୍ତି ଏବଂ ତାହାକୁ ଆକସ୍ମିକ ବିଭୀଷିକାମୟ ବ୍ୟାପାର ରୂପେ କିମ୍ୱା ଦୁର୍ବୃତ୍ତର ଦଣ୍ଡ ସ୍ୱରୂପ କିମ୍ୱା ଜୀବନର ଏକ ସାଧାରଣ ନିୟମ ରୂପେ କଳ୍ପନା କରି ନାନାପ୍ରକାରରେ କାବ୍ୟ ରଚନା କରିଅଛନ୍ତି । ବର୍ତ୍ତମାନ କବିମାନେ ମୃତ୍ୟୁ ମଧ୍ୟସ୍ଥିତ ସାମ୍ୟର ଆସ୍ୱାଦ ପାଇ ତୃପ୍ତ ଓ ଆନନ୍ଦିତ ହୁଅନ୍ତି ଏବଂ ଆଧୁନିକ ସାହିତ୍ୟରେ ମୃତ୍ୟୁ ଜୀବନର ପରିପୂର୍ଣ୍ଣତାର ଉପାଦାନ ଓ ମୃତ୍ୟୁ ମଧ୍ୟ ଦେଇ ଆମ୍ଭେମାନେ ସଂସାରର ଦୁଃଖ କଷ୍ଟକୁ ଏଡ଼ି ଆନନ୍ଦଧାମରେ ଭଗବାନଙ୍କ ସହିତ ମିଳିତ ହୋଇ ଚିର ସୁଖୀ ହେବୁ ଏହି ବିଶ୍ୱାସର ପରିକଳ୍ପନା ଦେଖାଯାଏ ।

 

ପଦ୍ୟ ସାହିତ୍ୟରେ ଏହିପରି ନାନାପ୍ରକାରର ଭାବମାନଙ୍କ ସହିତ ଆମ୍ଭମାନଙ୍କର ନିତ୍ୟ ପରିଚୟ ଘଟେ ଓ ଏହି ଭାବଗୁଡ଼ିକ ଭାଷାର ମାଧୁର୍ଯ୍ୟ ଦ୍ୱାରା ରଞ୍ଜିତ ହୋଇ ଆମ୍ଭମାନଙ୍କ ମନରେ ବିଶେଷ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଥାଏ । ଏହି କାରଣରୁ ପଦ୍ୟ ସାହିତ୍ୟରେ ଏତେ ପ୍ରସାର ଓ କବିଙ୍କର ସମାଜରେ ସ୍ଥାନ ଏତେ ଉଚ୍ଚ ।

Image

 

ଗଦ୍ୟସାହିତ୍ୟ

 

ସାଧାରଣତଃ ଆମ୍ଭେମାନେ ଯେଉଁ ଭାଷା ବ୍ୟବହାର କରୁଁ ତାହା ଗଦ୍ୟ ଏବଂ ଏହି ନିତ୍ୟ ବ୍ୟବହୃତ ଭାଷାରେ ଯେଉଁ ସବୁ ଲେଖା ରଚିତ ହୁଏ ତାହା ଗଦ୍ୟସାହିତ୍ୟ ନାମରେ ପ୍ରସିଦ୍ଧ । ପ୍ରଥମରେ ଯେତେବେଳେ ଲୋକେ ସାହିତ୍ୟର ଅନୁଶୀଳନ କଲେ ସେତେବେଳେ ସାଧାରଣ କଥିତ ଭାଷାଠାରୁ ସାହିତ୍ୟିକ ଭାଷାର ପ୍ରଭେଦ ରଖିବାକୁ ସଚେଷ୍ଟ ହୋଇଥିଲେ । ଏହି କାରଣରୁ ସାହିତ୍ୟରେ ପ୍ରଥମେ ପଦ୍ୟର ଉଦ୍ଭବ ହୋଇଥିଲା ଓ ପରେ ଲେଖକମାନେ ଯେତେବେଳେ ସାଧାରଣ କଥିତ ଭାଷାରେ ଅଳଙ୍କାର ଓ ଛନ୍ଦର ଆରୋପକରି ଲଳିତ ପଦବିନ୍ୟାସ କରିବାକୁ ଶିଖିଲେ ଓ ସାଧାରଣ ଭାଷାକୁ ସୌଷ୍ଠବ ପୂର୍ଣ୍ଣ କଲେ ତେତେବେଳେ କ୍ରମଶଃ ଗଦ୍ୟ ସାହିତ୍ୟ ଗଠିତ ହେଲା । ସାହିତ୍ୟର ପ୍ରଚାର ଓ ପ୍ରସାର ଯେତେ ଅଧିକ ହେବାକୁ ଲାଗିଲା, ଗଦ୍ୟସାହିତ୍ୟ ତେତେ ଅଧିକ ପରିମାଣରେ ଲୋକମାନଙ୍କ ମଧ୍ୟରେ ବିସ୍ତୃତି ଲାଭକଲା । ଏହି କାରଣରୁ ଗଦ୍ୟସାହିତ୍ୟ ବିଳମ୍ୱରେ ଆରବ୍ଧହେଲେ ମଧ୍ୟ ଅତିଶୀଘ୍ର ବର୍ଦ୍ଧିତ ଓ ବିକଶିତ ହୋଇ ଆଧୁନିକ ସାହିତ୍ୟର ଏକ ସୁବୃହତ୍‌ ଅଂଶ ଅଧିକାର କରି ପାରିଅଛି ।

 

ଗଦ୍ୟସାହିତ୍ୟର ନାନା ପ୍ରକାର ଶ୍ରେଣୀବିଭାଗ ଅଛି, ଯଥା– ଉପନ୍ୟାସ, କ୍ଷୁଦ୍ରଗଳ୍ପ, ସମାଲୋଚନା, ପ୍ରବନ୍ଧ, ଭ୍ରମଣ ବୃତ୍ତାନ୍ତ ପ୍ରଭୃତି । ଏହି ନାନାବିଧ ବିଭାଗରେ ଗଦ୍ୟସାହିତ୍ୟର ଭିନ୍ନ ଭିନ୍ନ ପ୍ରକାର ରୂପ ପ୍ରସ୍ଫୁଟିତ ହୁଏ । କେଉଁ ଥିରେ କଳ୍ପନାର ସାହାଯ୍ୟ ଅତି ମାତ୍ରାରେ ପ୍ରୟୋଜନ ହୁଏ, କେଉଁ ଥିରେ ଅବା ଯଥାଯଥ ବର୍ଣ୍ଣନା ଉପରେ ଲେଖାର ସୌନ୍ଦର୍ଯ୍ୟ ନିର୍ଭର କରେ, ପୁଣି ଅନ୍ୟ କେତେକ ପ୍ରକାର ଲେଖାରେ ଲେଖକର ଚିନ୍ତା ବା ଭାବର ପ୍ରକାଶ ଏକାନ୍ତ ପ୍ରୟୋଜନ ହୋଇଥାଏ-

 

ଉପନ୍ୟାସରେ ଲେଖକ କୌଣସି ପୂର୍ଣ୍ଣ ଓ ବୃହଦାକାର ଗଳ୍ପର ଅବତାରଣା କରନ୍ତି । ଗୋଟିଏ ସଂସାରର ବା ସମାଜର ପୂର୍ଣ୍ଣ ଛବି ଦେଇ ଯେଉଁ ସବୁ ପ୍ରଶ୍ନ ସମାଜରେ ସାଧାରଣତଃ ଜାତ ହୋଇଥାଏ ସେମାନଙ୍କର ସମାଧାନ କରିବା କିମ୍ୱା କୌଣସି ବିଷଦ ଚିତ୍ର ଦେଇ ବା ଘଟନା ସମାବେଶ ଅଙ୍କିତ କରି ଲୋକଙ୍କର ମନକୁ କୌଣସି ବିଶେଷ ଆଡ଼େ ଆକୃଷ୍ଟ କରିବା ବା ପାଠକର ମନରେ କୌଣସି ବିଶେଷ ପ୍ରକାରର ଚରିତ୍ର ପ୍ରତି ସହାନୁଭୂତି ଜାଗରୁକ କରିବା ଉପନ୍ୟାସ ଲେଖକର ଉଦ୍ଦେଶ୍ୟ । ଉପନ୍ୟାସରେ ବିଶେଷ ଭାବରେ ପ୍ରେମର ଚିତ୍ର ଅଙ୍କିତ ହୋଇଥାଏ । ସଂସାରରେ ପ୍ରେମ ନିମନ୍ତେ ନାନାପ୍ରକାର ଦ୍ୱନ୍ଦ ଓ ସମାଜରେ ନାରୀ ଓ ପୁରୁଷର ସ୍ଥାନ ଓ ଅଧିକାର ଘେନି ନାନାପ୍ରକାର ଜଟିଳପ୍ରଶ୍ନ ଉଦିତ ହୋଇଥାଏ ଓ ଔପନ୍ୟାସିକ ଏହି ବିଷୟର ଚିତ୍ର ଅଙ୍କିତ କରି ନାନା ପ୍ରକାରରେ ନିଜର ମତାନୁଯାୟୀ ଉକ୍ତ ପ୍ରଶ୍ନମାନଙ୍କର ସମାଧାନ କରିବାକୁ ଚେଷ୍ଟାକରେ-। ବାସ୍ତବରେ ଦୁଇଗୋଟି ନାୟିକାର ଗୋଟିଏ ନାୟକ ପ୍ରତି ପ୍ରେମ କିମ୍ୱା ଦୁଇଗୋଟି ନାୟକର ଗୋଟିଏ ନାୟିକାକୁ ଲାଭ କରିବାର ପ୍ରଚେଷ୍ଟା ପ୍ରତ୍ୟେକ ଉପନ୍ୟାସର ଗଳ୍ପବସ୍ତୁ । ବସ୍ତୁତଃ ପ୍ରାୟ ପ୍ରତ୍ୟେକ ଉପନ୍ୟାସରେ ଏହିପରି ତିନିଗୋଟି ଚରିତ୍ରର ପ୍ରୟୋଜନ ହୁଏ ଓ ଏହି ଦ୍ୱନ୍ଦର ବିଭିନ୍ନ ପ୍ରକାର ଚିତ୍ର ଓ ପରିଣତି ସାହିତ୍ୟିକମାନେ ଅଙ୍କିତ କରିଥାନ୍ତି । କେତେବେଳେ ପ୍ରକୃତ ଅପ୍ରକୃତ ପ୍ରେମମଧ୍ୟରେ ଦ୍ୱନ୍ଦ ଓ କେତେବେଳେ ଅବା ଦୁଇ ପ୍ରକାର ବିଭିନ୍ନ ଚରିତ୍ର ପ୍ରତି ନାରୀର ଆକର୍ଷଣ, କୌଣସି କୌଣସି ପୁସ୍ତକରେ ରୋଗ ବା ଶୋକର ମଧ୍ୟଦେଇ ପ୍ରକୃତ ପ୍ରେମର ଜୟ, କୌଣସି ପୁସ୍ତକରେ ପୁଣି ଏକର ଅନ୍ୟ ସକାଶେ ମହିମାମୟ ତ୍ୟାଗର ଚିତ୍ର ଏହି ପ୍ରକାର ନାନାବିଧ ଘଟନା ସମାବେଶ ଆମ୍ଭେମାନେ ଉପନ୍ୟାସରେ ସାଧାରଣତଃ ଦେଖିଥାଉଁ । ସମୟ ସମୟରେ ଲେଖକ ମାନେ ଅନ୍ୟ ପ୍ରକାର ପ୍ରେମ ବା ପ୍ରୀତିକୁ ଭିତ୍ତିକରି ଉପନ୍ୟାସ ରଚନା କରିଥାନ୍ତି, କିନ୍ତୁ ତାହା କେବଳ ପରୀକ୍ଷା ସ୍ୱରୂପ ମାତ୍ର । ଆଜି ପର୍ଯ୍ୟନ୍ତ ଯେତେ ଉପନ୍ୟାସ ଲିଖିତ ହୋଇଅଛି, ତାହା ମଧ୍ୟରୁ ଅଧିକାଂଶ ଯୁବକ ଯୁବତୀର ପ୍ରେମକୁ ଭିତ୍ତିକରି ଲେଖାଯାଇ ଅଛି । କ୍ୱଚିତ୍‌ ପିତା ମାତାଙ୍କ ପ୍ରତି ବାଳକର ଭକ୍ତି କିମ୍ୱା ସହୋଦର ସହୋଦରା ମଧ୍ୟରେ ପ୍ରୀତି କିମ୍ୱା କୌଣସି ବନ୍ଧୁ ପ୍ରତି ବାନ୍ଧବୀର ଆନ୍ତରିକ ସ୍ନେହ ଉପନ୍ୟାସର କଥାବସ୍ତୁ ସ୍ୱରୂପ ସ୍ଥାନ ପାଇଅଛି ।

 

ଉପନ୍ୟାସରେ ଲେଖକ ଚରିତ୍ର ଚିତ୍ରଣ କରିବାର ବିଶେଷଚେଷ୍ଟା କରନ୍ତି ଓ ଚରିତ୍ର ଗୁଡ଼ିକୁ ଯଥାଯଥ ଭାବରେ ଚିତ୍ରିତ କରି ଲୋକଙ୍କ ମନରେ ଘଟଣା ମାନଙ୍କର ସତ୍ୟତା ପ୍ରତି ବିଶ୍ୱାସ ଜାତ କରିବାର ପ୍ରୟାସ କରିଥାନ୍ତି । ଏହି କାରଣରୁ ଅନେକ ସମୟରେ ଘଟନା ଗୁଡ଼ିକ ବିଷଦ ଭାବରେ ଚିତ୍ରିତ ହୋଇଥାଏ ଓ ଚରିତ୍ରର ବିଶ୍ଳେଷଣ ଉପରେ ଓ ଘଟନା ସମାବେଶର ପାରିପାଟ୍ୟ ଓ ଯଥାଯଥ ବର୍ଣ୍ଣନା ଉପରେ ସାହିତ୍ୟରେ ଉପନ୍ୟାସଲେଖକର ସ୍ଥାନ ନିର୍ଭର କରେ । ସାଧାରଣତଃ ଉପନ୍ୟାସ ଲେଖକ ପ୍ରେମ ବିଷୟକ କୌଣସି ପ୍ରଶ୍ନର ଯେଉଁ ସମାଧାନ ଦେଇଥାନ୍ତି ସେଥିରେ ନାୟକ ନାୟିକାର ହୃଦୟର ଗଭୀର ପ୍ରେମକୁ ସମାଜ ବନ୍ଧନଠାରୁ ଉଚ୍ଚତର ଓ ପବିତ୍ରତର ବୋଲି ନିରୂପଣ କରିଥାନ୍ତି । ସମାଜ ସହିତ ପ୍ରେମର ନାନାପ୍ରକାର ବିରୋଧ ପ୍ରଦର୍ଶନ କରି ଲୋକଙ୍କ ମନରେ ପ୍ରେମପ୍ରତି ଏକ ଅଯଥା ଆକର୍ଷଣ ସୃଷ୍ଟି କରିଥାନ୍ତି । କୌଣସି କୌଣସି ଉପନ୍ୟାସରେ ଅବାଧ ପ୍ରେମର ବିଷମୟ ପରିଣାମ, କେଉଁ ଥିରେ ଅବା ସମାଜ ବନ୍ଧନର ନିର୍ମମ ଅତ୍ୟାଚାର, କୌଣସି ଉପନ୍ୟାସରେ ମୁହୂର୍ତ୍ତମାତ୍ର ପ୍ରେମ ପଥରୁ ବିଚ୍ୟୂତିରେ ଆଜୀବନ କଷ୍ଟ ଭୋଗ, ଅପର କୌଣସି ଉପନ୍ୟାସରେ ପ୍ରେମିକର ବିଫଳ ପ୍ରେମର ପ୍ରତିହିଂସା, ଏହିପରି ନାନାକଥା ବସ୍ତୁ ଅବଲମ୍ୱନ କରି ଲେଖକ ମନୁଷ୍ୟ ସମାଜର ଗୋଟିଏ ଚିତ୍ର ଦେବାକୁ ପ୍ରୟାସ କରନ୍ତି । କେତେକ ସମୟରେ ଉପନ୍ୟାସରେ ପ୍ରକୃତିର ବର୍ଣ୍ଣନା ଥିଲେହେଁ ମନୁଷ୍ୟ ସମାଜ ଓ ତାହାର ପ୍ରଶ୍ନ ବିଷୟରେ ଉପନ୍ୟାସ ଲେଖକ ଚିନ୍ତିତ ଓ ମନୁଷ୍ୟ ସମାଜ ଭିନ୍ନ ପ୍ରକୃତି ପରମେଶ୍ୱର ବା ଅନ୍ୟ କୌଣସି ବିଷୟ ପ୍ରତି ତାହାର ଆକର୍ଷଣ ନଥାଏ । ସାଧାରଣତଃ ମନୁଷ୍ୟ ସମାଜର ଅନ୍ତର୍ନିହିତ ଉଚ୍ଚ ଭାବ ଗୁଡ଼ିକ, ଦୟା, ପ୍ରୀତି, ସହାନୁଭୂତି ପ୍ରଭୃତି ମହତ୍‌ଭାବମାନଙ୍କ ଆଶ୍ରୟ କରି ସମାଜର ଅବାସ୍ତବ ବନ୍ଧନ ଦ୍ୱାରା ଏହି ମହତ୍‌ଭାବଗୁଡ଼ିକ କିପରି ଭାବରେ କ୍ଷୁଣ୍ଣ ହେଉଅଛି ଓ ସମାଜର କ୍ଷତଗୁଡ଼ିକ କିପରି ଭାବରେ ଦୂର ହେଲେ ମନୁଷ୍ୟ ନିଜର ସର୍ବାଙ୍ଗୀଣ ଉନ୍ନତି ସାଧନ କରିପାରେ ଏହି ସବୁର ଚିତ୍ର ଉପନ୍ୟାସ ଲେଖକ ଜୀବନ୍ତ ଭାବରେ ପାଠକ ସମାଜ ସମ୍ମୁଖରେ ଉପସ୍ଥାପିତ କରି ତାକୁ ସମାଜ ସଂସ୍କାରରେ ସାହାଯ୍ୟ କରେ । ଉପନ୍ୟାସର ଚରିତ୍ରଗୁଡ଼ିକ ଲେଖକ ନିଜର କଳ୍ପନାଦ୍ୱାରା ନିଜର ଅନୁଭୂତିରୁ ଓ ଚତୁପାର୍ଶ୍ୱସ୍ଥ ଲୋକମାନଙ୍କର ଗତିବିଧିରୁ କିମ୍ୱା ଇତିହାସ ପ୍ରସିଦ୍ଧ ଗଳ୍ପମାନଙ୍କରୁ ଆହରଣ କରିଥାଏ । ଇତିହାସରୁ ଯେଉଁ ଯେଉଁ ଗଳ୍ପବସ୍ତୁ ନିଆଯାଏ ଲେଖକ ତାକୁ ସ୍ଥାନେ ସ୍ଥାନେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ କରି ନିଜର ଉପଯୋଗୀ କରେ ଓ ପାଠକ ମଧ୍ୟ ତହିଁର ନୃତନତ୍ୱ ଉପଲବ୍ଧି କରିପାରେ । ଐତିହାସିକ ଉପନ୍ୟାସରେ ଇତିହାସାନୁମୋଦିତ କଥାବସ୍ତୁକୁ ଭିତ୍ତି କରି ଉପନ୍ୟାସ ରଚିତ ହେଲେହେଁ ତହିଁରେ ମାନବ ସମାଜର ସାଧାରଣ ଭାବ, ଚିନ୍ତା, ଅନୁଭୂତି ଓ ଆବେଗର ବିଶଦ ଚିତ୍ର ଦିଆଯାଏ ଓ ସେହି କାରଣରୁ ତାହା ପାଠକ ସମାଜର ହୃଦୟ ଗ୍ରାହୀ ହୁଏ । ନିଜର ଅନୁଭୂତିରୁ ବା ସାମାଜିକ ଅବସ୍ଥିତିରୁ ଯେଉଁ କଥା ବସ୍ତୁ ସଂଗୃହୀତ ହୁଏ ତାହାକୁ ମଧ୍ୟ ବାସ୍ତବ ଓ ଜୀବନ୍ତ କରିବାର ପ୍ରୟାସ ଲେଖକ କରିଥାଏ ଓ ଗୋଟିଏ ସମଗ୍ର ଛବି ପାଠକ ସମ୍ମୁଖରେ ଉପସ୍ଥିତ କରି ତାକୁ ସମାଜର କୌଣସି ଦୋଷ ପ୍ରତି ସଜାଗ କରେ । ଅନେକ ସମୟରେ ଲେଖକ ବର୍ଣ୍ଣନା କୌଶଳ ଦ୍ୱାରା ସମାଜରେ ସାଧାରଣତଃ ଯାହା ଘଟେ ନାହିଁ ତାକୁ ମଧ୍ୟ ବାସ୍ତବ ରୂପ ଦେଇପାରେ ଏବଂ ଏହି କାରଣରୁ ହିନ୍ଦୁ ସମାଜରେ ବିବାହ ପୂର୍ବବର୍ତ୍ତୀ ପ୍ରେମ ପ୍ରଚଳିତ ନ ଥିଲେହେଁ ସାହିତ୍ୟରେ ଏହାର ଭୂରି ଭୂରି ଉଦାହରଣ ଦେଖାଯାଏ । ଏଣୁ ଉପନ୍ୟାସର କଥାବସ୍ତୁ ଯେ କେବଳ ବାସ୍ତବ ସତ୍ୟ ବା ଅନୁଭୂତି ଉପରେ ପ୍ରତିଷ୍ଠିତ ତାହା ନୁହେଁ । ଯାହା ସତ୍ୟ ବୋଲି କଳ୍ପନା କରାଯାଇପାରେ ଓ ଯାହାର ବର୍ଣ୍ଣନା କୌଶଳରେ ମୁଗ୍ଧ ହୋଇ ପାଠକ ଅସତ୍ୟ ବୋଲି ବିରକ୍ତ ନ ହୁଏ ତାହାହିଁ ସାହିତ୍ୟିକ ସତ୍ୟ ଏବଂ ଏହି ସତ୍ୟ ଉପରେ ଉପନ୍ୟାସର ଭିତ୍ତି । ଏଣୁ ଉପନ୍ୟାସ ଗୁଡ଼ିକ ଏତେ ବିଚିତ୍ର, ଏତେ ମନୋହର ଓ ପାଠକର ଏତେ ଆନନ୍ଦକର ହୋଇଥାଏ ।

 

ଲେଖକ ନାନାପ୍ରକାରେ ଏହି କଥା ବସ୍ତୁକୁ ପାଠକ ସମ୍ମୁଖରେ ଉପସ୍ଥିତ କରେ । ଅଧିକାଂଶ ସମୟରେ ଲେଖକ ଘଟନା ଗୁଡ଼ିକର ବର୍ଣ୍ଣନାଦିଏ ଓ ଲେଖା ମଧ୍ୟରେ କଥୋପକଥନ ଅଂଶ ଗୁଡ଼ିକ ବିଭିନ୍ନ ଚରିତ୍ରମାନଙ୍କ ଦ୍ୱାରା ବ୍ୟକ୍ତ କରାଏ । ଅନ୍ୟ କେତେକ ଉପନ୍ୟାସରେ ପତ୍ର ଛଳରେ ପ୍ରତ୍ୟେକ ଚରିତ୍ର ନିଜ ନିଜର କଥା ବା ଅନୁଭୂତି ପ୍ରକାଶ କରିଥାନ୍ତି ଓ ଏଥିରେ ଚରିତ୍ରମାନଙ୍କର ମାନସିକ ଅବସ୍ଥା ପରିସ୍ଫୁଟ କରିବା ସହଜ ହୁଏ, କାରଣ ସାଧାରଣ ବର୍ଣ୍ଣନାରେ ଘଟଣା ସମାବେଶ ପ୍ରତି ଲେଖକ ଦୃଷ୍ଟି ଦେଇଥାଏ ମାତ୍ର ପତ୍ରମାନଙ୍କ ମଧ୍ୟରେ ଘଟନା ଗୁଡ଼ିକ ପତ୍ର ଲେଖକ ମନରେ କିପରି ଘାତ ପ୍ରତିଘାତ କରିଅଛି ତାହାର ଯଥାଯଥ ବର୍ଣ୍ଣନା ଦେଇ ନିଜର ମାନସିକ ଅବସ୍ଥାକୁ ପରିସ୍ଫୁଟ ଭାବରେ ବ୍ୟକ୍ତ କରନ୍ତି । ଅଳ୍ପ କେତେକ ଉପନ୍ୟାସରେ ଗୋଟିଏ ଚରିତ୍ର ମୁଖ ଦେଇ ସମସ୍ତ ଘଟନା ବର୍ଣ୍ଣିତ ହୋଇଥାଏ । ପୁଣି କୌଣସି କୌଣସି ଉପନ୍ୟାସ ନାଟକୀୟ ଭଙ୍ଗିରେ ଲିଖିତ ହୋଇଥିବାରୁ ସେଥିରେ କଥୋପକଥନର ବାହୁଲ୍ୟ ଦେଖାଯାଏ । ଏହିପରି ନାନା ଭାବରେ କଥା ବସ୍ତୁ ବର୍ଣ୍ଣିତ ହେଲେ ମଧ୍ୟ ଓ ଏହି ବର୍ଣ୍ଣନା ଚାତୁର୍ଯ୍ୟ ଉପରେ ଉପନ୍ୟାସର ଉତ୍କର୍ଷ ନିର୍ଭର କଲେହେଁ କେତେ ଗୁଡ଼ିକ ଚରିତ୍ର ଅଙ୍କିତ କରି ସେମାନଙ୍କର ବିଶେଷତ୍ୱ ପ୍ରତି ପାଠକର ମନୋଯୋଗ ଆକର୍ଷଣ କରି ଓ ସେହି ଚରିତ୍ର ଗୁଡ଼ିକ ବିଶେଷ ବିଶେଷ ଭାବରେ କିପରି କାର୍ଯ୍ୟ କରୁଅଛନ୍ତି ତାହା ପ୍ରଦର୍ଶନ କରି ପାଠକର ମନୋରଞ୍ଜନ କରିବା ଉପନ୍ୟାସର ମୂଳ ଉଦ୍ଦେଶ୍ୟ ।

 

ବସ୍ତୁତଃ ପାଠକର ମନୋରଞ୍ଜନହିଁ ଉପନ୍ୟାସର ସର୍ବପ୍ରଧାନ ଲକ୍ଷ୍ୟ, ଏଣୁ ଏହାର ଲିଖନ ଭଙ୍ଗୀ କେବେହେଁ କ୍ଳିଷ୍ଟ ବା ଦୁର୍ବୋଧ୍ୟ ହେବା ଉଚିତ ନୁହେଁ । ଲେଖକ ସହଜ ଭାବରେ ସାଧାରଣ ଦୈନନ୍ଦିନ ଘଟନାକୁ ପାଠକ ସମ୍ମୁଖରେ ସ୍ଥାପନ କରି ତାହାର ଚିତ୍ତବିନୋଦନର ପ୍ରୟାସ କରେ । ଏଣୁ ସାଧାରଣ ପାଠକର ଦୁର୍ବୋଧ୍ୟ କିମ୍ୱା ସାଧାରଣ ଜନ ସମାଜର ବିରକ୍ତିକର କୌଣସି ବିଷୟ ତାହାର ଲେଖାରେ ସ୍ଥାନ ପାଏ ନାହିଁ । ଅନେକ ଗୁଡ଼ିଏ ଉପନ୍ୟାସ ଲୋକ ସାଧାରଣଙ୍କୁ ଶିକ୍ଷା ଦେବାକୁ ପ୍ରୟାସ କରନ୍ତି ସତ୍ୟ, ମାତ୍ର ପାଠକ ସମାଜର ସାଧାରଣ ମତାମତ ପ୍ରତି ଲକ୍ଷ ରଖି ଲୋକଙ୍କର ପ୍ରୀତିକର ଗଳ୍ପ ବସ୍ତୁଟି ରଚିତ ହୋଇ ନ ଥାଏ । ଉପନ୍ୟାସରେ ଅନେକ ଗୁଡ଼ିଏ ଚରିତ୍ରର ଅବତାରଣା କରାଯାଇ ଅନେକ ଘଟନାକୁ ନାନାଭାବରେ ପାଠକ ସମ୍ମୁଖରେ ଉପସ୍ଥାପିତ କରାଗଲେହେଁ ସେଥିରେ ଗୋଟିଏ ଦୁଇଟି ପ୍ରଧାନ ଚରିତ୍ର ଓ ଘଟନା ସନ୍ନିବିଷ୍ଟ ହୋଇଥାଏ ଓ ଏହି ପ୍ରଧାନ ଚରିତ୍ରର ଚତୁର୍ଦ୍ଦିଗରେ ଅନ୍ୟାନ୍ୟ ଚରିତ୍ରମାନଙ୍କର ବିନ୍ୟାସ ଚାତୁର୍ଯ୍ୟରେ ସମସ୍ତ ପୁସ୍ତକଟି ସୁପାଠ୍ୟ ହୁଏ । ପୂର୍ବେ ଯେଉଁ ଉପନ୍ୟାସ ଗୁଡ଼ିକ ରଚିତ ହେଉଥିଲା ସେଥିରେ ପ୍ରଧାନତଃ ଘଟନା ସମାବେଶ ପ୍ରତି ଲେଖକର ଦୃଷ୍ଟି ଥିଲା, ମାତ୍ର ଆଧୁନିକ ଉପନ୍ୟାସମାନଙ୍କରେ ସାଧାରଣତଃ କୌଣସି ପ୍ରଧାନ ଚରିତ୍ରର ମାନସିକ ଅବସ୍ଥାର ବିଶଦ ବିଶ୍ଳେଷଣ ଲେଖକର ପ୍ରଧାନ ଲକ୍ଷ୍ୟ ହୋଇଅଛି ଓ ଗୋଟିଏ କ୍ଷଣିକ ଦୁର୍ବଳତାରୁ ଉତ୍ପନ୍ନ ପାପକାର୍ଯ୍ୟ ତାହାର ମନକୁ କି ପ୍ରକାରେ ଅଧିକାର କରେ, ନାନାବିଧ ଘଟନାରାଶିକୁ କି ପ୍ରକାରେ ପ୍ରଭାବିତ କରେ ଓ ତାହାର ଜୀବନକୁ କି ପ୍ରକାରେ ବିଭିନ୍ନ ମାର୍ଗରେ ପ୍ରବାହିତ କରେ ଏହି ବିଷୟର ବର୍ଣ୍ଣନା ନାନା ଉପନ୍ୟାସରେ ସ୍ଥାନ ପାଉଅଛି । ପାଠକର ଚିତ୍ତବିନୋଦନ କରେ ବୋଲି ଉପନ୍ୟାସ ପାଠରେ ଅନେକେ ଅଯଥା କାଳକ୍ଷେପ କରି ଅନ୍ୟାନ୍ୟ କର୍ତ୍ତବ୍ୟ କାର୍ଯ୍ୟକୁ ବିସ୍ମୃତ ହୁଅନ୍ତି, ମାତ୍ର ନାନା ଦେଶର ଉପନ୍ୟାସ ପାଠ ଦ୍ୱାରା ଭିନ୍ନ ଭିନ୍ନ ସମାଜର ଯେଉଁ ବିଷଦ ଓ ବାସ୍ତବ ପ୍ରତିକୃତି ମିଳେ ତାହା ଅନ୍ୟ କୌଣସି ପ୍ରକାରେ ଲାଭ କରିବା ସମ୍ଭବ ନୁହେଁ । ଏଣୁ ବିଭିନ୍ନ ଦେଶ ସହିତ ଘନିଷ୍ଠ ଭାବରେ ପରିଚିତ ହେବା ନିମିତ୍ତ ଉପନ୍ୟାସ ପାଠ କରିବା ବିଶେଷ ପ୍ରୟୋଜନ ।

 

କ୍ଷୁଦ୍ର ଗଳ୍ପ ଉପନ୍ୟାସ ଠାରୁ ଅନେକ ପ୍ରକାରରେ ଭିନ୍ନ । ଉପନ୍ୟାସରେ ଅନେକ ଗୁଡ଼ିଏ ଘଟନା ଓ ଚରିତ୍ରର ଅବତାରଣା କରାଯାଇଥାଏ ଓ ପ୍ରେମଜନିତ କୌଣସି ଜଟିଳ ଅବସ୍ଥାର ବା ପ୍ରଶ୍ନର ସମାଧାନ କରିବାରେ ଲେଖକ ବ୍ରତୀ ହୁଏ; ମାତ୍ର କ୍ଷୁଦ୍ର ଗଳ୍ପରେ ଲେଖକ ଅଳ୍ପ କେତେକ ଚରିତ୍ରର ଅବତାରଣା କରି ଗୋଟିଏ ବିଶେଷ ଘଟନାକୁ ପାଠକମାନଙ୍କ ସମ୍ମୁଖରେ ସ୍ଥାପିତ କରେ ଓ ଗଳ୍ପରେ ମାନବ ସମାଜର ପ୍ରାୟ ପ୍ରତ୍ୟେକ ଅବସ୍ଥା ଓ ମାନସିକ ଅନୁଭୂତିର ବର୍ଣ୍ଣନା କରିବା ସମ୍ଭବପର ହୁଏ । ଅର୍ଥାତ୍‌ ଉପନ୍ୟାସ ପରି କେବଳ ପ୍ରେମର ଚିତ୍ର କ୍ଷୁଦ୍ର ଗଳ୍ପର କଥା ବସ୍ତୁର ଭିତ୍ତି ବୋଲି ଧରାଯାଏ ନାହିଁ । କ୍ଷୁଦ୍ର ଗଳ୍ପ ଉପନ୍ୟାସ ପରି ପାଠକର ଚିତ୍ତରଞ୍ଜନ କରିବାକୁ ବ୍ୟସ୍ତ ଓ ସାଧାରଣତଃ ସେଥିରେ ଦୁଇ ତିନୋଟି ନାୟକ ନାୟିକାର ଅବତାରଣା କରାଯାଏ; ମାତ୍ର ଏହା ଉପନ୍ୟାସ ଠାରୁ କ୍ଷୁଦ୍ରତର ଏବଂ ଏଥିରେ କେବଳ ଗୋଟିଏ ଘଟନାର ଚିତ୍ର ପ୍ରଦର୍ଶିତ ହୋଇଥାଏ । ଉପନ୍ୟାସରେ ଅନେକପ୍ରକାର ରସର ଅବତାରଣା କରିବା ସମ୍ଭବ ଓ ବିଭିନ୍ନ ପରିଚ୍ଛେଦରେ ବିଭିନ୍ନ ପ୍ରକାର ରସର ଆଶ୍ରୟ ନେଇ ଲେଖକ ପାଠକର ମନୋରଞ୍ଜନର ପ୍ରୟାସ କରେ । ମାତ୍ର ପ୍ରତ୍ୟେକ ଗଳ୍ପରେ କେବଳ ଗୋଟିଏ ମାତ୍ର ରସର ଅବତାରଣା କରିବା ସମ୍ଭବ ଏବଂ ସାଧାରଣତଃ କରୁଣ ବା ହାସ୍ୟ ରସର ଆଶ୍ରୟ ଲେଖକ ଗ୍ରହଣ କରିଥାଏ ।

 

ଗଳ୍ପ ଆକାରରେ କ୍ଷୁଦ୍ର ଥିବାରୁ ଏଥିରେ ଲେଖକର ଶିଳ୍ପ ଚାତୁର୍ଯ୍ୟ ପ୍ରଦର୍ଶନ କରିବା ବିଶେଷ କଠିନ ହୁଏ ଓ ଏହାର ଆଖ୍ୟାନ ବସ୍ତୁ ଗୋଟିଏ ବିଶେଷ ଘଟନା ସହିତ ଗ୍ରଥିତ ଥିବାର ଏହାର ଆରମ୍ଭ ଓ ଶେଷ କରିବାରେ ଲେଖକର ରଚନା ଶକ୍ତିର ବିଶେଷ ପରିଚୟ ମିଳେ । ପ୍ରାୟ ପ୍ରତ୍ୟେକ ବିଷୟ ଘେନି ଗଳ୍ପ ରଚିତ ହୋଇପାରେ ଏବଂ କୌଣସି ବିଷୟକୁ ସରସ ଭାବରେ ବର୍ଣ୍ଣନା କରି ଘଟନା ପ୍ରତି ଆମ୍ଭମାନଙ୍କର ମନକୁ ଆକୃଷ୍ଟ କଲେ ଆମ୍ଭେମାନେ ତାହା ଗଳ୍ପ ବୋଲି ଗ୍ରହଣ କରୁଁ । କେବଳ କଳ୍ପନାକୁ ଭିତ୍ତି କରି ଗଳ୍ପ ରଚିତ ହୋଇପାରେ ଏବଂ ଏହିପରି ଗଳ୍ପକୁ ସାଧାରଣତଃ ରୂପକଥା (Fairy tales) ଆଖ୍ୟା ଦିଆଯାଇଥାଏ । ଏଥିରେ ସତ୍ୟ ବସ୍ତୁ କିଛି ନାହି । ଏହା ଲେଖକର କଳ୍ପନା ପ୍ରସୃତ ଏବଂ ଏହାର ଉଦ୍ଦେଶ୍ୟ କେବଳ ବାଳକ ବାଳିକାର ଚିତ୍ତ ବିନୋଦନ । କେତେ ଗୁଡ଼ିଏ ଗଳ୍ପ କେବଳ ଶିକ୍ଷା ଦେବା ନିମନ୍ତେ ରଚିତ ହୋଇଥାଏ ଏବଂ ଏହି ଗଳ୍ପ ଗୁଡ଼ିକ ସାଧାରଣତଃ ସରସ ଭାବରେ କୌଣସି ବିଶେଷତ୍ୱକୁ ପ୍ରଚାର କରେ । ଇଶପଙ୍କ ରଚିତ ଗଳ୍ପ ଗୁଡ଼ିକ ଏହି ଶ୍ରେଣୀର ଅନ୍ତର୍ଗତ ଓ ପ୍ରତ୍ୟେକ ଗଳ୍ପରେ ଶିକ୍ଷଣୀୟ ନୀତି ପ୍ରଦର୍ଶନ କରିବା ନିମନ୍ତେ ଗୋଟିଏ କ୍ଷୁଦ୍ର ଗଳ୍ପର ଅବତାରଣା କରା ହୋଇଅଛି । ଏ ପ୍ରକାର ଗଳ୍ପ ହିତୋପଦେଶ ପ୍ରଭୃତି ଅନ୍ୟାନ୍ୟ ପୁସ୍ତକମାନଙ୍କରେ ମଧ୍ୟ ବହୁଳ ଭାବରେ ଦେଖାଯାଏ । ଅନ୍ୟ ଏକପ୍ରକାର ଶିକ୍ଷାପ୍ରଦ ଗଳ୍ପରେ ଅନ୍ତର୍ନିହିତ ଭାବ ଗଭୀର ଭାବରେ ଅଙ୍କିତ ଥାଏ ଓ ତାହା ପାଠକ ସାଧାରଣର ବୋଧଗମ୍ୟ ହୁଏ ନାହିଁ । ଉପନିଷଦରେ ଏହି ପ୍ରକାରର ଗଳ୍ପ ଅନେକ ଅଛି ଏବଂ ବାଇବେଲରେ ଥିବା parable ଏହି ଶ୍ରେଣୀର ଅନ୍ତର୍ଗତ । ଏହି ଗଳ୍ପମାନଙ୍କରେ ସାଧାରଣ ଘଟନାକୁ ଅବଲମ୍ୱନ କରି ନୈସର୍ଗିକ ବ୍ୟାପାର ବୁଝାଇବାର ବା ଆଧ୍ୟାତ୍ମିକ ନୀତିର ପ୍ରକାଶ କରିବାର ଚେଷ୍ଟା ହୋଇଅଛି-। ଅନେକ ଗଳ୍ପରେ ପୁଣି ଜଣେ ଲୋକର ବୁଦ୍ଧି ମତ୍ତା ଦ୍ୱାରା କିପରି ଚତୁର ଚୋର ବା ନରହନ୍ତା ଧରା ହୋଇ ଉଚିତ ଦଣ୍ଡ ଲାଭ କରେ ତାହାହିଁ ବର୍ଣ୍ଣିତ ହୋଇଥାଏ ଓ ଏ ପ୍ରକାର ଗଳ୍ପ ଡିଟେକ୍‌ଟିଭ୍‌ ଗଳ୍ପ ନାମରେ ପ୍ରସିଦ୍ଧ । ଏହିସବୁ ବିଶେଷଶ୍ରେଣୀର ଗଳ୍ପ ଭିନ୍ନ ମାସିକ ପତ୍ରିକା ପ୍ରଭୃତିରେ ନାନା ପ୍ରକାରର ଗଳ୍ପ ଦେଖାଯାଏ ଓ ସେହିସବୁ ଗଳ୍ପ ଲୋକଙ୍କର ମନକୁ ଆନନ୍ଦ ଦେବା ନିମିତ୍ତ ଲିଖିତ ହୁଏ ।

 

ଗଳ୍ପର କଥା ବସ୍ତୁକୁ ସାଧାରଣତଃ ଲେଖକ ବର୍ଣ୍ଣନା କରିଥାଏ; ମାତ୍ର ସମୟ ସମୟରେ କୌଣସି ପ୍ରଧାନ ଚରିତ୍ର ନିଜେ ନିଜର ଅନୁଭୂତି ବର୍ଣ୍ଣନା କରୁଅଛି ଏପରି ଭାବରେ ମଧ୍ୟ ଗଳ୍ପ ଲିଖିତ ହୁଏ । ପତ୍ର ବ୍ୟବହାର ଦ୍ୱାରା ଦୁଇ ତିନୋଟି ଚରିତ୍ର ନିଜ ନିଜର ଅନୁଭୂତି ବା ମାନସିକ ଅବସ୍ଥାର ପରମ୍ପରା ବର୍ଣ୍ଣନା କରି ଗଳ୍ପର ଆଖ୍ୟାନ ବସ୍ତୁକୁ ପାଠକ ସମ୍ମୁଖରେ ଉପସ୍ଥାପିତ କରି ପାରନ୍ତି । ବସ୍ତୁତଃ ଉପନ୍ୟାସ ଯେତେ ପ୍ରକାରେ ଲିଖିତ ହୋଇପାରେ ଗଳ୍ପ ମଧ୍ୟ ତେତେ ପ୍ରକାରେ ଲିଖିତ ହୋଇପାରେ । ବରଂ ଗଳ୍ପ ଆକାରରେ କ୍ଷୁଦ୍ର ଥିବାରୁ ଏଥିରେ ଲେଖକ ନିଜର ଶିଳ୍ପ କଳାକୁ ବିଶେଷ ଭାବରେ ପ୍ରଦର୍ଶିତ କରିବାର ସୁବିଧା ପାଏ । ଗଳ୍ପ ଲେଖିବାର ପ୍ରୟାସ ଆବହମାନକାଳରୁ ଚଳିଆସୁଅଛି ଓ ଉପନ୍ୟାସ ଲିଖିତ ହେବା ପୂର୍ବରୁ ଲୋକେ ଗଳ୍ପଲେଖିବାର ଚେଷ୍ଟାକରିଅଛନ୍ତି । ମାତ୍ର ଆଧୁନିକ ଯୁଗରେ ଗଳ୍ପ ସାହିତ୍ୟ-କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇଅଛି ଓ ମାସିକ ପତ୍ରର ବିଶେଷ ପ୍ରଚଳନ ଯୋଗୁଁ ଗଳ୍ପ ଲେଖିବା ଓ ପଢ଼ିବା ପ୍ରତି ଲୋକମାନଙ୍କର ଆଗ୍ରହ ଶତ ଗୁଣରେ ବୃଦ୍ଧି ଲାଭ କରିଅଛି । ଗଳ୍ପ ଲେଖକ ନାନା ଘଟନାର ବିଶ୍ଳେଷଣକରି ସେମାନଙ୍କର ପରିଣତି ଦେଖାଇବାକୁ ସୁବିଧା ପାଏନାହିଁ । କେବଳ ଗୋଟିଏ ଘଟନାକୁ ଅବଲମ୍ୱନକରି ବିଷଦଚିତ୍ର ଅଙ୍କନ କରିପାରେ; ଏଣୁ ଗଳ୍ପ ଲେଖିବା ସାଧାରଣତଃ କଠିନ । ମାତ୍ର ମାସିକ ପତ୍ରର ଏହା ପ୍ରଧାନ ଅବଲମ୍ୱନ ଥିବାରୁ ଏହାର ପ୍ରସାର ଆଜିକାଲି ଅତ୍ୟଧିକ ।

 

ଗଦ୍ୟ ସାହିତ୍ୟର ତୃତୀୟ ବିଭାଗ ସମାଲୋଚନା । ପୂର୍ବେ ସମାଲୋଚନା ସାହିତ୍ୟର ଅଙ୍ଗ ବୋଲି ଗଣ୍ୟ ହେଉ ନ ଥିଲା; କାରଣ ଲୋକଙ୍କର ଧାରଣା ଥିଲା ଯେ ସାହିତ୍ୟର ଉଦ୍ଦେଶ୍ୟ ରସ ସୃଷ୍ଟି ଓ ସମାଲୋଚନାରେ ରସର ସୃଷ୍ଟି ନ ହୋଇ ରସର ବିଶ୍ଳେଷଣ ହେଉଥିବାରୁ ଏହା ସାହିତ୍ୟର ଅଙ୍ଗ ନୁହେ । ପୂର୍ବେ ସାହିତ୍ୟ ରଚନା ବିଷୟରେ କେତେକ ନିୟମ ପ୍ରଚଳନ ଥିଲା ଓ ଅଳଙ୍କାର ପୁସ୍ତକମାନଙ୍କରେ ଏହି ନିୟମ ଗୁଡ଼ିକର ଯଥାଯଥ ବର୍ଣ୍ଣନା ଓ ବ୍ୟାଖ୍ୟା ଦିଆଯାଉଥିଲା । ଲେଖକମାନେ ଏହିନିୟମ ଗୁଡ଼ିକ ନିଜର ଲେଖାରେ ପାଳନକରିବାର ବିଶେଷ ଯତ୍ନ କରୁଥିଲେ ଏବଂ କୌଣସି ପୁସ୍ତକରେ ଯଥାଯଥ ଭାବରେ ଉକ୍ତ ନିୟମମାନ ପାଳିତ ହୋଇଅଛି କି ନାହିଁ ଏହି ବିଷୟକୁ ଆଲୋଚନା କରିବାହିଁ ସମାଲୋଚକର ଏକମାତ୍ର ଉଦ୍ଦେଶ୍ୟ ଥିଲା । ଏଣୁ ସମାଲୋଚକ ସାହିତ୍ୟିକମାନଙ୍କ ମଧ୍ୟରେ ସ୍ଥାନ ପାଉନଥିଲେ ଓ ସେମାନେ ନିନ୍ଦୁକ ଶ୍ରେଣୀର ଅନ୍ତର୍ଗତ ବୋଲି ତାଙ୍କ ପ୍ରତି ଘୃଣା ଓ ଦ୍ୱେଷ ପ୍ରଦର୍ଶିତ ହେଉଥିଲା । ସମାଲୋଚକମାନେ ମଧ୍ୟ କେବଳ ପୁସ୍ତକମାନଙ୍କର ଦୋଷ ନିରୂପଣକରି ଲେଖକମାନଙ୍କୁ ବିଦ୍ରୁପ କରିବାକୁ ସଚେଷ୍ଟ ହେଉଥିଲେ । ସାହିତ୍ୟର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଓ ସାହିତ୍ୟର ନାନା ବିଭାଗର ବିକାଶର ଫଳରୁ ସାହିତ୍ୟିକ ରଚନାମାନଙ୍କୁ ପାଠକମାନଙ୍କର ସମ୍ୟକ୍ ବୋଧଗମ୍ୟ କରିବା ଓ ସେମାନଙ୍କର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରିବା ଓ ସେମାନଙ୍କର ରସ ବସ୍ତୁକୁ ବିଶ୍ଳେଷଣକରି ରସବୋଧରେ ପାଠକକୁ ସାହାଯ୍ୟ କରିବା ସମାଲୋଚନାର ଉଦ୍ଦେଶ୍ୟ ହେଲା ଓ କ୍ରମେ ସମାଲୋଚନାରେ ମଧ୍ୟ ରସସୃଷ୍ଟି ସମ୍ଭବ ହେଲା । ଆଜିକାଲି ସମାଲୋଚକମାନେ ଲେଖକର ଆଖ୍ୟାନବସ୍ତୁ ବା ଲିଖନ ଭଙ୍ଗୀ ମଧ୍ୟରେ ଥିବା ରସକୁ ବିଶ୍ଳେଷଣକରି ଓ ତାଙ୍କର ଜୀବନୀ ସହିତ ରଚନାର ସମ୍ୱନ଼୍ଧ ନିର୍ଣ୍ଣୟକରି ପାଠକମାନଙ୍କୁ ଆନନ୍ଦଦେବାରେ ବ୍ରତୀ ହୁଅନ୍ତି ଓ ଏହା କରିବାଦ୍ୱାରା ରସର ସୃଷ୍ଟି କରନ୍ତି । ସମାଲୋଚନା ସାଧାରଣତଃ ଗମ୍ଭୀର ଭାବରେ ଲିଖିତ ହୋଇଥାଏ, ମାତ୍ର ସେଥିରେ ବିଦ୍ରୁପ ବା ହାସ୍ୟ ରସର ମଧ୍ୟ ଅବତାରଣା କରାଯାଏ । ଅନେକ ସମୟରେ ସମାଲୋଚକ ବଡ଼ବଡ଼ କବିମାନଙ୍କର ଲେଖାକୁ ଲୋକମାନଙ୍କର ସହଜବୋଧଗମ୍ୟ କରନ୍ତି ଓ ଏହିପରି କରିବାଦ୍ୱାରା ଅନଭିଜ୍ଞ ପାଠକର ରସାସ୍ପାଦନରେ ସାହାଯ୍ୟକରନ୍ତି । ସାହିତ୍ୟ ଯେତେ ପ୍ରସାର ଲାଭକରୁଅଛି ସମାଲୋଚକର ସ୍ଥାନ ତେତେ ଉଚ୍ଚହେଉଅଛି ଓ ନାନା ପ୍ରକାର ସମାଲୋଚନା ସାହିତ୍ୟରେ ସ୍ଥାନ ପାଉଅଛି । କୌଣସି କୌଣସି ଆଲୋଚନାରେ କେତେକ ସାହିତ୍ୟିକ ନିୟମକୁ ଚିତ୍ତସ୍ୱରୂପ ଗ୍ରହଣକରି ସମାଲୋଚକ ସାହିତ୍ୟିକ ପୁସ୍ତକରେ ସେହିସବୁ ନିୟମର ପ୍ରୟୋଗ ବା ବ୍ୟତିକ୍ରମ ଦେଖିବାକୁ ଚେଷ୍ଟା କରନ୍ତି । ଅନ୍ୟ କୌଣସି ସମାଲୋଚନାରେ ତାତ୍‍କାଳିକ ଯୁଗର ସାହିତ୍ୟିକ ଭାବକୁ ବିଶ୍ଳେଷଣକରି ଉକ୍ତ ଭାବପରମ୍ପରା ଲେଖକ କିପରି ଭାବରେ ନିଜ ଲେଖାମଧ୍ୟରେ ସଂସ୍ଥାପନ କରିଅଛନ୍ତି ତାହା ଦେଖାଇବା ନିମନ୍ତେ ସମାଲୋଚକ ଯତ୍ନକରନ୍ତି । ପୁଣି କୌଣସି କୌଣସି ସମାଲୋଚନାରେ ଲେଖକର ଜୀବନୀ ତାହାର ଲେଖାଉପରେ କିପରି ଭାବରେ ସମୂହ ପ୍ରଭାବ ବିସ୍ତାରକରିଅଛି ତାହାର ବିଶଦଚିତ୍ର ଓ ବ୍ୟାଖ୍ୟା ଦିଆଯାଇଥାଏ । ଅନେକ ସମାଲୋଚନାରେ ପୁଣି ଲେଖକର ଲେଖା ବିଶ୍ଳେଷଣ କରାଯାଇ ସେଥିରେ ଥିବା ରସ ବସ୍ତୁକୁ ପାଠକ ନିକଟରେ ପ୍ରକାଶ କରିବାରୁ ପ୍ରୟାସକରି ସମାଲୋଚକ ମନୁଷ୍ୟ ସମାଜର ବା ଜୀବନର ଅନ୍ତର୍ନିହିତ ଭାବ ନିଚୟକୁ ସମ୍ୟକ ବିଶ୍ଳେଷଣ କରିବାରେ ସମସ୍ତ ଶକ୍ତି ନିଯୋଗ କରିଥାନ୍ତି । ଏହି ଶେଷୋକ୍ତ ସମାଲୋଚନା ରସଗ୍ରାହିତାର ପରିଚୟଦିଏ ଓ ସମାଲୋଚକର ରସଜ୍ଞାନ ଉପରେ ପାଠକର ସମାଦର ନିର୍ଭର କରେ । ସମାଲୋଚନାରେ କ୍ୱଚିତ ବିଦ୍ରୁପ ବା ହାସ୍ୟରସ ଥିଲେ ମଧ୍ୟ ସାଧାରଣତଃ ଏହାର ଭାଷା ଗମ୍ଭୀର ଓ ଭାବ ତୁଳନା ମୂଳକ । ନାନା ପ୍ରକାର ରଚନାରୁ ନାନାପ୍ରକାର ଭାବନେଇ ସେ ସମସ୍ତକୁ ତୁଳନାକରି ସମାଲୋଚକ ନିଜର ମତାମତ ପ୍ରକାଶ କରନ୍ତି । ଏଣୁ ପାଠକମଧ୍ୟ ନାନାବିଧ ପୁସ୍ତକ ଚର୍ଚ୍ଚା ନ କଲେ କୌଣସି ତୁଳନାମୂଳକ ସମାଲୋଚନାକୁ ଆଦର ସହକାରେ ଗ୍ରହଣ କରିପାରେନାହିଁ । ଏଣୁ ସମାଲୋଚନାର ଆଦର ପାଠକର ରସଗ୍ରାହିତା, ବିସ୍ତୀର୍ଣ୍ଣଜ୍ଞାନ ଓ ଉଦାର ମତ ଉପରେ ନିର୍ଭର କରେ ।

 

ସମାଲୋଚନାଭିନ୍ନ ସାଧାରଣ ପ୍ରବନ୍ଧ ମଧ୍ୟ ଗଦ୍ୟ ସାହିତ୍ୟର ଅଙ୍ଗୀଭୂତ । ଲେଖକ ପ୍ରବନ୍ଧମାନଙ୍କ ଦ୍ୱାରା ନିଜର ଭାବକୁ ପ୍ରକାଶକରନ୍ତି ଓ ପ୍ରବନ୍ଧରେ ଲେଖକର ଚିନ୍ତା ଯେତେ ସୁବିନ୍ୟସ୍ତହୁଏ ତେତେ ତାହା ପାଠକର ରୁଚିକର ହୋଇଥାଏ । ଅନେକ ପ୍ରବନ୍ଧରେ ଲେଖକ କୌଣସି ନୂତନ ଭାବକୁ ପ୍ରତିଷ୍ଠା କରିବାର ଚେଷ୍ଟାକରେ ପୁଣି ଅନ୍ୟ କେତେକ ପ୍ରବନ୍ଧରେ ଗତାନୁଗତିକ ଭାବରେ ସରସବର୍ଣ୍ଣନା ଦେବାର ପ୍ରୟାସ କରିଥାଏ । ପ୍ରବନ୍ଧ ଗୁଡ଼ିକ ଯେତେ ବାସ୍ତବ, ନିଜର ଅନୁଭୂତିଦ୍ୱାରା ବ୍ୟାଖ୍ୟାତ, ସରସ ଓ ସଙ୍ଗତ ହୁଏ ତେତେ ତାହା ପାଠକର ମନୋଜ୍ଞ ହୋଇଥାଏ । ମାତ୍ର ଅତି ପାଣ୍ଡିତ୍ୟ ପୂର୍ଣ୍ଣ ଭାଷାରେ ନାନା ତଥ୍ୟ ପୂର୍ଣ୍ଣ ପ୍ରବନ୍ଧ ସାଧାରଣ ପାଠକର ରୁଚିକର ହୁଏନାହିଁ । ସାହିତ୍ୟର ବର୍ତ୍ତମାନ ଯୁଗକୁ ପ୍ରବନ୍ଧର ଯୁଗ ବୋଲି ବୋଲାଯାଇ ପାରେ କାରଣ ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ସାହିତ୍ୟିକ ପ୍ରବନ୍ଧ ଲେଖିବାରେ ବ୍ୟସ୍ତ । ପ୍ରବନ୍ଧରେ ସବୁପ୍ରକାର ଭାବ ଓ ଭାଷା ବ୍ୟବହାର କରାଯାଇ ପାରେ ଓ ପ୍ରବନ୍ଧ ଲେଖକ ଗଭୀର ଭାବ ମାନଙ୍କୁ ଯେତେ ସହଜ ଓ ପ୍ରତ୍ୟକ୍ଷ ଭାବରେ ବ୍ୟକ୍ତ କରି ପାରନ୍ତି ତେତେ ସେ ପାଠକର ପ୍ରିୟ ହୋଇପାରନ୍ତି । ତତ୍ତ୍ୱଜ୍ଞାନ ପୂର୍ଣ୍ଣ ଗଭୀରଭାବ ଭାବମୟ ଭାଷାରେ ପ୍ରକାଶିତ ହେଲେ ତାହା କେତେକ ପାଠକଙ୍କର ରୁଚିକର ହେଲେହେଁ ସାଧାରଣଙ୍କ ଦ୍ୱାରା ଅବହେଳିତ ହୋଇଥାଏ ।

 

ଗଦ୍ୟସାହିତ୍ୟର ଅନ୍ୟ ଏକ ପ୍ରକାର ବିକାଶ ଭ୍ରମଣ ବୃତ୍ତାନ୍ତ । ନାନାସ୍ଥାନରେ ଲୋକମାନେ ବୁଲି ଯେଉଁ ସବୁ ତଥ୍ୟ ସଂଗ୍ରହ କରନ୍ତି ସେ ସମସ୍ତଙ୍କୁ ସରସ ଭାବରେ ବ୍ୟକ୍ତ କରିବା ଭ୍ରମଣ ବୃତ୍ତାନ୍ତର ଉଦ୍ଦେଶ୍ୟ । ନାନା ଦେଶର ସଭ୍ୟତା ରୀତି, ନୀତି, ପ୍ରାଚୀନ ହର୍ମ୍ମ୍ୟ ରାଜିର ବର୍ଣ୍ଣନ ଦ୍ୱାରା ଓ ନିଜର ଦୈନନ୍ଦିନ ଅନୁଭୂତିର ଯଥାଯଥ ପ୍ରକାଶଦ୍ୱାରା ଭ୍ରମଣ ବୃତ୍ତାନ୍ତକୁ ସରସ କରାଯାଇପାରେ । ଲେଖକର ମନ ଯଦି ସରସ ନ ହୁଏ ତେବେ ତାହାର ବର୍ଣ୍ଣନା ନାନା ଐତିହାସିକ ତଥ୍ୟ ବା ଭୌଗୋଳିକ ବୃତ୍ତାନ୍ତଦ୍ୱାରା ପୂର୍ଣ୍ଣ ହେଲେହେଁ ସେପରି ବର୍ଣ୍ଣନା କେବେହେଁ ସାହିତ୍ୟର ଅନ୍ତର୍ଗତ ହୋଇ ନ ପାରେ । ଭ୍ରମଣ ବୃତ୍ତାନ୍ତ ବହୁକାଳରୁ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇ ଲିଖିତ ହେଉଅଛି । ପୂର୍ବେ ଏ ସମସ୍ତ ବୃତ୍ତାନ୍ତ କଳ୍ପନାର ସାହାଯ୍ୟରେ ଲିଖିତ ହେଉଥିଲା ମାତ୍ର ବର୍ତ୍ତମାନ ନିଜର ପ୍ରତ୍ୟକ୍ଷ ଅନୁଭୂତିକୁ ସରସ ଭାବରେ ପାଠକ ସମ୍ମୁଖରେ ଚିତ୍ରିତ କରି ସେମାନଙ୍କୁ ଏକାଧାରରେ ଜ୍ଞାନ ଓ ଆନନ୍ଦ ଦେବା ନିମନ୍ତେ ଲେଖକ ଚେଷ୍ଟା କରନ୍ତି ।

 

କେବଳ ଜ୍ଞାନ ଯେଉଁମାନଙ୍କର ଲକ୍ଷ୍ୟ ସେମାନେ ସାହିତ୍ୟରେ ପ୍ରତିଷ୍ଠା ଲାଭକରିବାକୁ ସକ୍ଷମ ହୁଅନ୍ତି ନାହିଁ । ଗଦ୍ୟ ସାହିତ୍ୟରେ ଜ୍ଞାନର ବିକାଶ ବା ତତ୍ତ୍ୱର ପ୍ରଚାର ଲେଖକର ଉଦ୍ଦେଶ୍ୟ ହୋଇ ପାରେ ମାତ୍ର ରସଗ୍ରହଣକ୍ଷମ ମନର ସରସ ବର୍ଣ୍ଣନାହିଁ ଗଦ୍ୟ ସାହିତ୍ୟର ଭିତ୍ତି । ରସର ସୃଷ୍ଟି ସାହିତ୍ୟର ଉଦ୍ଦେଶ୍ୟ ଏବଂ ଏହି କାରଣରୁ କେବଳ ଜ୍ଞାନର ପ୍ରଚାର ସାହିତ୍ୟରେ ସ୍ଥାନପାଇ ନ ପାରେ ।

Image

 

ନାଟ୍ୟ ସାହିତ୍ୟ

 

ଆମ୍ଭେମାନେ ନାଟ୍ୟସାହିତ୍ୟ ସହିତ ବର୍ତ୍ତମାନ ଅତି ଘନିଷ୍ଠ ଭାବରେ ପରିଚିତ ଏବଂ ପ୍ରତ୍ୟେକ ପର୍ବରେ ସୁଦୂର ପଲ୍ଲୀଗ୍ରାମରେ ମଧ୍ୟ ନାଟକର ଅଭିନୟ ହୋଇଥାଏ ମାତ୍ର ଏକ ସମୟରେ ଏ ପ୍ରକାର ସାହିତ୍ୟର ଆଦୌ ପ୍ରଚଳନ ନଥିଲା ଓ ସାହିତ୍ୟ ମଧ୍ୟରେ ଏହାର ସ୍ଥାନ ନ ଥିଲା । ଏହାର ସୃଷ୍ଟି ସାହିତ୍ୟିକର ପ୍ରୟାସରୁ ହୋଇନାହିଁ । ଭାରତରେ ଓ ଇଉରୋପରେ ଦେବ ପୂଜା ସମ୍ପର୍କୀୟ ନାଟ୍ୟଗୀତ ମାନଙ୍କରୁ ଏହି ସାହିତ୍ୟର ଆରମ୍ଭ ହୋଇଅଛି । ପୂଜା ସମୟରେ ଯେଉଁ ସବୁ ଗୀତ ଦେବତାଙ୍କୁ ଉଦ୍ଦେଶ୍ୟ କରି ବୋଲାଯାଏ ସେହି ଗୀତ ସହିତ କଥାବାର୍ତ୍ତା ଯୋଗକରି ଲୋକଙ୍କୁ ପ୍ରୀତ କରିବା ଏବଂ ଗୀତ ମଧ୍ୟରେ ବୈଚିତ୍ର୍ୟ ଆନୟନ କରିବା କିମ୍ୱା ଗୀତଦ୍ୱାରା ବାଦ ପ୍ରତିବାଦ କରି ଗଳ୍ପ ଛଳରେ ଦେବତାଙ୍କର ଶକ୍ତି ପ୍ରକାଶ କରିବା ଏବଂ ପୂଜାର୍ଥ ଉପସ୍ଥିତ ଦର୍ଶକ ମାନଙ୍କର ଚିତ୍ତ ବିନୋଦନ କରିବା ପ୍ରୟାସରେ ନାଟ୍ୟ ସାହିତ୍ୟର ସୃଷ୍ଟି ହୋଇଥିଲା-। କ୍ରମଶଃ ଏ ପ୍ରକାର ବାଦ ପ୍ରତିଦାଦ ବହୁଳ ଭାବରେ ପର୍ବାଦିରେ ପ୍ରଚଳିତ ହେଲା ଏବଂ କ୍ରମଶଃ ଉପସ୍ଥିତ ଲୋକମାନଙ୍କ ମଧ୍ୟରୁ କେତେକ ନାନାବିଧ ଭାବରେ ନିଜକୁ ନାଟକୀୟ ଚରିତ୍ର ରୂପେ ପ୍ରକାଶକରି ଦେବତାଙ୍କ ଲୀଳାର ସ୍ୱରୂପ ଚିତ୍ର ପ୍ରଦାନ କରିବାର ଚେଷ୍ଟା କରୁଥିଲେ । କ୍ରମଶଃ ଏହିପରି ଗୀତ ଓ ନାଟ୍ୟରୁ ଭାରତରେ ରାମଲୀଳା ଓ କୃଷ୍ଣଲୀଳାର ଆବିର୍ଭାବ ହେଲା । ଏହିସବୁ ଧର୍ମ ବିଷୟକ ଆଖ୍ୟାନ ମାନଙ୍କର ସମ୍ୟକ୍ ନାଟକୋଚିତ ପ୍ରଦର୍ଶନରେ ଲୋକମାନଙ୍କ ମନରେ ଧର୍ମଭାବ ବଢ଼ିବ ଏହା ଜାଣି ପୂଜକ ମାନେ ମଧ୍ୟ ଏହି ପ୍ରବୃତ୍ତିର ସାହାଯ୍ୟ କରୁଥିଲେ ଏବଂ ଲୋକମାନେ ବିଭିନ୍ନ ଚରିତ୍ରର ପ୍ରଦର୍ଶନରେ ନିଜ ନିଜର କୃତିତ୍ୱ ଦେଖାଇ ଅପରର ଚିତ୍ତ ରଞ୍ଜନ କରି ନିଜେ ସୁନାମ ଅର୍ଜନ କରିବାର ବିଶେଷ ଚେଷ୍ଟା କରୁଥିଲେ । କ୍ରମଶଃ ଏହିପରି ଭାବରେ ଧର୍ମ୍ମାନୁରାଗ ବାଦ ପ୍ରତିବାଦ ମଧ୍ୟରୁ ସାଧାରଣ ନାଟ୍ୟ ସାହିତ୍ୟ ଗଠିତ ହେଲା ଏବଂ ସେଥି ମଧ୍ୟରୁ ଧର୍ମ୍ମର ସତ୍ତା ଲୋପ ହୋଇ ତାହା ଲୋକମାନଙ୍କର ଚିତ୍ତ ବିନୋଦନର ଏକ ଉପାୟ ସ୍ୱରୂପ ଗଣ୍ୟହେଲା ।

 

ଲୋକମାନଙ୍କ ମଧ୍ୟରେ ଅନ୍ୟକୁ ଅନୁକରଣ କରିବା ରୂପ ଏକ ବିଶେଷ ପ୍ରବୃତ୍ତି ଅଛି ଓ ଏହି ପ୍ରବୃତ୍ତିର ତାଡ଼ନାରେ ଲୋକମାନେ ଅନ୍ୟର ବିଦ୍ରୁପାତ୍ମକ ଅନୁକରଣ କରନ୍ତି ଓ ଏହାଦ୍ୱାରା ନିଜେ ଆନନ୍ଦ ପାଇ ଅନ୍ୟକୁ ଆନନ୍ଦ ଦାନର ଚେଷ୍ଟା କରନ୍ତି । ପ୍ରଥମରେ ବିଚ୍ଛିନ୍ନ ଭାବରେ ଲୋକମାନେ ଏହିପରି ଭାବରେ ଅନ୍ୟକୁ ଅନୁକରଣ କରିବାର ଚେଷ୍ଟା କରୁଥିଲେ । ମାତ୍ର ଯେତେବେଳେ ନାଟ୍ୟ ସାହିତ୍ୟ କ୍ରମଶଃ ବୃଦ୍ଧିପ୍ରାପ୍ତ ହେଲା ତେତେବେଳେ ଲୋକଙ୍କର ଏହି ଅନୁକରଣ ପ୍ରଚେଷ୍ଟା ସଞ୍ଜତ ଓ ପରିପୃଷ୍ଟ ହୋଇ ନାଟକୀୟ କଳାରେ ପର୍ଯ୍ୟବସିତ ହେଲା ଓ ବିଶେଷ ବିଶେଷ ଦଳ ଗଠିତ ହୋଇ ବିଭିନ୍ନ ପ୍ରକାରର ନାଟକ ଅଭିନୟ କରି ଏବଂ ଅଭିନୟକୁ ନିଜର ବୃତ୍ତି ସ୍ୱରୂପ ମନେକରି ଲୋକେ ଅନ୍ୟର ଆନନ୍ଦ ବିଧାନରେ ଚେଷ୍ଟିତ ହେଲେ । ଆଜି କାଲି ନାଟକର ବହୁଳ ପ୍ରଚାର ଦେଖାଯାଏ ଏବଂ ସମସ୍ତ ପ୍ରକାର ସାହିତ୍ୟ ଅପେକ୍ଷା ଏହା ସମାଜର ସାଧାରଣ ଲୋକମାନଙ୍କର ଅଧିକ ପ୍ରୀତିକର ହୁଏ ।

 

ବାସ୍ତବରେ ନାଟକ ପାଠ୍ୟ ସାହିତ୍ୟ ନୁହେଁ । ଏହା ଦୃଶ୍ୟ ସାହିତ୍ୟ ଅର୍ଥାତ୍ ଅନ୍ୟାନ୍ୟ ସାହିତ୍ୟ ପରି ଏହା ପଢ଼ି ଏଥିରୁ ଆନନ୍ଦ ଲାଭ କରି ହେବନାହିଁ । ଏହାର ଅଭିନୟ ଦେଖି ଓ ଗୋଟିଏ ଘଟନାର ଯଥାଯଥ ଚିତ୍ର ଉପଭୋଗ କରି ଆନନ୍ଦ ପାଇବା ନାଟକର ଉଦ୍ଦେଶ୍ୟ । ଅବଶ୍ୟ ଏପରି ଅନେକ ନାଟକ ଅଛି ଯାହା ପ୍ରଧାନତଃ ପାଠ କରିବା ଉଦ୍ଦେଶ୍ୟରେ ରଚିତ ହୋଇଅଛି, ମାତ୍ର ସେ ସବୁରେ କେବଳ କଥୋପକଥନ ଥିବାରୁ ସେମାନଙ୍କୁ ନାଟକ ଆଖ୍ୟା ଦିଆଯାଏ । ବାସ୍ତବରେ ସେଗୁଡ଼ିକ ପଦ୍ୟ ସାହିତ୍ୟର ଅଙ୍ଗ । ମୂଳତଃ ନାଟକ ଦୃଶ୍ୟ ସାହିତ୍ୟ ହେବା ହେତୁଁ ତାହାର କେତେଗୁଡ଼ିଏ ବିଶେଷ ଗୁଣ ଅଛି ଯାହା ଅନ୍ୟାନ୍ୟ ସାହିତ୍ୟରେ ନାହିଁ । ପ୍ରଥମତଃ ଏହା ସାଧାରଣ ସାହିତ୍ୟ ପରି ଅତି ବୃହତ୍‍ ବା ଅତି କ୍ଷୁଦ୍ର ହୋଇ ନ ପାରେ, କାରଣ ଦର୍ଶକମାନେ ରଙ୍ଗମଞ୍ଚକୁ ଆସି କେତେକ ନିର୍ଦ୍ଦିଷ୍ଟ ସମୟ ନିମନ୍ତେ ନାଟକର ଅଭିନୟ ଉପଭୋଗ କରିବାକୁ ଚାହାଁନ୍ତି, ଏଣୁ ଉପନ୍ୟାସ ଯେପରି ଅତି ବୃହତ୍‍ ହେଲେ ମଧ୍ୟ ପାଠକ ତାହା ନିଜର ଅବସର ମୁହୂର୍ତ୍ତରେ କିଛି କିଛି ପାଠକରେ ଓ ଅନେକଦିନ ପର୍ଯ୍ୟନ୍ତ ତାହାର ଗଳ୍ପ ଉପଭୋଗ କରିପାରେ ନାକରେ ତାହା ସମ୍ଭବ ନୁହେଁ କାରଣ ଦର୍ଶକମାନେ ତିନି ଚାରି ଘଣ୍ଟାରୁ ଅଧିକ ବସି ରହି ସୁସ୍ଥିର ଭାବରେ ରଙ୍ଗମଞ୍ଚରେ ଅଭିନୀତ ନାଟକ ଉପଭୋଗ କରି ନ ପାରନ୍ତି । ଉପନ୍ୟାସ ବା କବିତା ନିଜ ଗୃହରେ ନିଜର ଅବସର ସମୟରେ ଓ ନିଜର ଇଚ୍ଛାନୁସାରେ ପାଠ କରାଯାଇପାରେ, ମାତ୍ର ନାଟକର ଅଭିନୟ ସାଧାରଣ ରଙ୍ଗମଞ୍ଚରେ କେତେକ ସମୟ ନିମନ୍ତେ ହୋଇଥାଏ । ଏଣୁ ଏହି ଅଭିନୟ ସମୟ ଦ୍ୱାରା ନାଟକର ଆକାର ନିର୍ଣ୍ଣୀତ ହୁଏ । ପୁଣି ନାଟକ ଅତି କ୍ଷୁଦ୍ରକାୟ ହେଲେ ଏବଂ ତାହାର ଅଭିନୟ ଅତ୍ୟଳ୍ପ କାଳବ୍ୟାପୀ ହେଲେ ତାହା ମଧ୍ୟ ସାଧାରଣଙ୍କର ପ୍ରୀତିକର ହୁଏନାହିଁ । ଏହିସବୁ କାରଣମାନଙ୍କରୁ ନାଟକର ଆକାର ଅନେକ ପ୍ରକାରରେ ସୀମାବଦ୍ଧ ହେବା ସ୍ୱାଭାବିକ । ଦ୍ୱିତୀୟରେ ନାଟକରେ ଲେଖକର ବ୍ୟକ୍ତିତ୍ୱ ଆଦୌ ପରିସ୍ଫୁଟ ହୁଏନାହିଁ, କାରଣ ଲେଖକ ନିଜେ ନାଟକରେ କିଛି ବର୍ଣ୍ଣନା କରେନାହିଁ । କେବଳ ଚରିତ୍ରମାନଙ୍କରେ କଥୋପକଥନ ମଧ୍ୟ ଦେଇ ସମସ୍ତ ବର୍ଣ୍ଣନାଗୁଡ଼ିକ ପ୍ରକାଶିତ ହୋଇଥାଏ । ନାଟକୀୟ ଚରିତ୍ରଗୁଡ଼ିକ ନିଜ ନିଜର ଚରିତ୍ର ଅନୁଯାୟୀ କଥାବାର୍ତ୍ତା କରନ୍ତି ଏବଂ ଏହି କାରଣରୁ ନାଟକ ସାଧାରଣ ସାହିତ୍ୟ ଠାରୁ ଅତି ମାତ୍ରାରେ ସ୍ୱାଭାବିକ ହେଲେହେଁ ଏଥିରେ ଲେଖକର ନିଜର ଲିଖନ ଭଙ୍ଗୀ ବା ବର୍ଣ୍ଣନା ଚାତୁରୀ ପୂର୍ଣ୍ଣରୂପେ ପ୍ରକାଶିତ ହୁଏନାହିଁ । ତୃତୀୟତଃ ଦର୍ଶକମାନଙ୍କର ଉପଭୋଗ ନିମନ୍ତେ ନାଟକ ରଚିତ ହେଉଥିବାରୁ ପ୍ରାୟ ପ୍ରତ୍ୟେକ ନାଟକରେ ହାସ୍ୟରସର ବ୍ୟବହାର ଦେଖାଯାଏ । ରଙ୍ଗମଞ୍ଚରେ ଉପସ୍ଥିତ ଆବାଳ ବୃଦ୍ଧବନିତା ସମସ୍ତଙ୍କୁ ପ୍ରୀତ କରିବା ଉଦ୍ଦେଶ୍ୟରେ ନାଟକରେ ଗୀତ, ନାଚ, ହାସ୍ୟ ଓ କୌତୁକର ବ୍ୟବହାର ଥାଏ । ଏଣୁ ନାଟ୍ୟକାର କଥାବସ୍ତୁକୁ ନାନାପ୍ରକାରରେ ପ୍ରୀତିକର ଆକାର ଦେଇଥାନ୍ତି । ଚତୁର୍ଥତଃ ନାଟକ ମଧ୍ୟରେ କୌଣସି ଅପ୍ରାକୃତ ପଦାର୍ଥ ରହିଲେ ତାହା ସାଧାରଣତଃ ଲୋକମାନଙ୍କର ପ୍ରୀତିକର ହୁଏନାହିଁ ଓ ଅଭିନୟ ସମୟରେ ମଧ୍ୟ ନିତାନ୍ତ ବିସଦୃଶ ହୁଏ । ଏଣୁ ଲୋକମାନେ ସାଧାରଣ ଜୀବନକୁ ଭିତ୍ତିକରି ନାଟକ ରଚନା ସମୟରେ ନିଜର କଳ୍ପନାକୁ ଯଥେଷ୍ଟ ସଞ୍ଜତ କରିବାର ଚେଷ୍ଟା କରନ୍ତି ।

 

ସାଧାରଣ ଜୀବନର ବାସ୍ତବ ଅନୁକରଣ ନାଟକ ରଚନାର ପ୍ରଧାନ ଉଦ୍ଦେଶ୍ୟ । ଏହି କାରଣରୁ ଅପ୍ରାକୃତ ବା ଅତି ପ୍ରାକୃତ ପଦାର୍ଥମାନଙ୍କୁ ନାଟକ ମଧ୍ୟରେ ସ୍ଥାନ ଦେବା ନିମନ୍ତେ ନାଟ୍ୟକାର ସ୍ୱତଃ କୁଣ୍ଠିତ ହୁଏ । ଅବଶ୍ୟ ଅନେକ ସମୟରେ ନାଟକମାନଙ୍କରେ ଅତି ପ୍ରାକୃତ ପଦାର୍ଥମାନ ଲିଖିତ ହୋଇଥାଏ କିନ୍ତୁ ସେ ସବୁ ବ୍ୟବହାରରେ ନାଟ୍ୟକାର ବିଶେଷ ସାବଧାନତା ଅବଲମ୍ୱନ କରନ୍ତି । ଭୂତ ପ୍ରେତ ପ୍ରଭୃତିର ଅବତାରଣା ଅନେକ ସମୟରେ ନାଟକରେ ଥାଏ, ମାତ୍ର ଲୋକମାନଙ୍କ ମନରେ ଭୁତ, ପ୍ରେତ ପ୍ରଭୃତିର ବିଶ୍ୱାସ ଥିଲେ ରଙ୍ଗମଞ୍ଚ ଉପରେ ଭୂତର ଆବିର୍ଭାବକୁ ଦର୍ଶକମାନେ ପ୍ରକୃତି ବିରୁଦ୍ଧ ମନେ କରନ୍ତି ନାହିଁ କିମ୍ୱା ସେଥିରେ ବିଚଳିତ ହୁଅନ୍ତି ନାହିଁ-। ଆଜିକାଲି ନାଟକରେ ଏହିସବୁ ଅତି ପ୍ରାକୃତ ଘଟନାମାନଙ୍କର ପ୍ରଚଳନ କ୍ରମଶଃ କମି ଯାଉଅଛି । ପୁଣି ଅନେକ ନାଟକରେ ଚରିତ୍ର ବିବରଣ ପଦ୍ୟ ଦ୍ୱାରା ଅଭିବ୍ୟକ୍ତ ହୁଏ, ଏହା ମଧ୍ୟ ଅପ୍ରାକୃତ କାରଣ ଲୋକେ କେବେହେଁ ପଦ୍ୟରେ କଥାବାର୍ତ୍ତା କହନ୍ତି ନାହିଁ ଓ ନାଟକରେ ବ୍ୟବହୃତ ପଦବିନ୍ୟାସ ବାସ୍ତବ ଜୀବନରେ ଆଦୌ ଦେଖାଯାଏ ନାହିଁ । କିନ୍ତୁ ଯେତେବେଳେ ଗଭୀର ଭାବଦ୍ୱାରା କୌଣସି ଲୋକ ଅଭିଭୂତ ହୁଏ ତେତେବେଳେ ସାଧାରଣ ଭାଷାଠାରୁ ତାହାର ଭାଷା ଭିନ୍ନ ଭାବ ଧାରଣ କରେ ଓ ଭାବଗଦ୍ଗଦ ଭାଷା ପଦ୍ୟ ନ ହେଲେହେଁ ସେଥିରେ ଛନ୍ଦର ଆଭାଷ ଅନେକ ସ୍ଥାନରେ ମିଳେ । ଦର୍ଶକମାନେ ଏହିପରି ପଦ୍ୟାନୁବର୍ତ୍ତୀ ଭାଷାରେ ଅଭ୍ୟସ୍ତ ହୋଇଥିବାରୁ ଓ ବହୁକାଳରୁ ନାଟକରେ ଏହାର ପ୍ରଚଳନ ଥିବାରୁ ଭାଷାର ବ୍ୟବହାରକୁ ଅସାଧାରଣ ବୋଲି ନିନ୍ଦା କରନ୍ତି ନାହିଁ ମାତ୍ର ଲେଖକମାନେ ଆଧୁନିକ ସାହିତ୍ୟରେ ଭଗ୍ନ ପଦ୍ୟ ବା ଗଦ୍ୟ ଅଧିକ ଭାବରେ ବ୍ୟବହାର କରି ବାସ୍ତବତାକୁ ସଜୀବ ରଖିଅଛନ୍ତି । ଅନ୍ୟ ଦିଗରେ ପୁଣି ନାଟକୀୟ କଥାବସ୍ତୁ ବାସ୍ତବ ଜଗତରେ ଅନେକଦିନ ବ୍ୟାପି ଆସ୍ତେ ଆସ୍ତେ ଘଟୁଥିଲେହେଁ ନାଟ୍ୟକାର ଉକ୍ତ ଘଟନାକୁ ସଙ୍କୁଚିତ କରି ୩।୪ ଘଣ୍ଟା ମଧ୍ୟରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରନ୍ତି । ଏଣୁ ପୌରାଣିକ ନାଟକମାନଙ୍କର ଅଭିନୟରେ କିମ୍ୱା କୌଣସି ବୀର ପୁରୁଷର ଜୀବନ ବିଷୟକ ନାଟ୍ୟରେ ନାୟକର ବାଲ୍ୟାବସ୍ଥା ଯୌବନ, ପ୍ରୌଢ଼ାବସ୍ଥା ଓ ମରଣ ପ୍ରଭୃତି ବିଭିନ୍ନ ଅଙ୍କରେ ନାଟକ ମଧ୍ୟରେ ପ୍ରଦର୍ଶିତ ହୁଏ ଓ ଅଳ୍ପସମୟ ମଧ୍ୟରେ ବିଭିନ୍ନ ଦେଶର ଚିତ୍ର ଅଙ୍କିତ ହେଉଥିବାରୁ ଏ ସମସ୍ତ ଦର୍ଶକମାନଙ୍କର ପ୍ରୀତିକର ହୁଏନାହିଁ ଓ ବିସଦୃଶ ଓ ଅପ୍ରାକୃତ ବୋଲି ନାଟକରେ ପରିତ୍ୟକ୍ତ ହେବା ଉଚିତ । ସାଧାରଣତଃ ଦର୍ଶକମାନେ ବହୁକାଳରୁ ଏହି ପ୍ରକାର ଅଭିନୟରେ ଅଭ୍ୟସ୍ତ ହୋଇଥିବାରୁ ଓ ନାଟକୀୟ କଥାବସ୍ତୁରେ ଅତି ପ୍ରାଚୀନକାଳରୁ ନାଟ୍ୟକାର ଏହିପରି ଅସ୍ୱାଭାବିକ ଘଟଣାମାନଙ୍କର ଅବତାରଣା କରୁଥିବାରୁ ଦର୍ଶକମାନେ ଏ ଦିଗରେ ବିଶେଷ ଆପତ୍ତି କରନ୍ତି ନାହିଁ-। ପୁରାତନ ଗ୍ରୀକ୍ ନାଟକରେ ନାଟକୀୟ କଥାବସ୍ତୁର ସ୍ୱାଭାବିକତା ପ୍ରତି ବିଶେଷ ଲକ୍ଷ ଦିଆଯାଇଥିଲା ଓ ସ୍ଥାନ କାଳ ପ୍ରଭୃତି ବିଷୟରେ କେତେକ ନିର୍ଦ୍ଦେଶ ନାଟ୍ୟକାରଙ୍କୁ ଅନୁସରଣ କରିବାକୁ ହେଉଥିଲା । ମଧ୍ୟବର୍ତ୍ତୀ ଯୁଗର ନାଟ୍ୟକାରମାନେ ସେ ସମସ୍ତ ନିୟମର ଯଥେଷ୍ଟ ବ୍ୟତିକ୍ରମ କରିଥିଲେହେଁ ଆଧୁନିକ ସାହିତ୍ୟରେ ଲେଖକମାନେ ଏ ଦିଗରେ ପୁନରାୟ ଦୃଷ୍ଟି ଦେଉଅଛନ୍ତି ଓ ଆଧୁନିକ ନାଟକମାନଙ୍କରେ ଅପ୍ରାକୃତ ବିଷୟମାନ ଯଥାସାଧ୍ୟ ପରିତ୍ୟକ୍ତ ହୋଇଥାଏ । ନାଟ୍ୟକାର ସ୍ୱରାତୋକ୍ତି ବା ଜନାନ୍ତିକେ ପ୍ରଭୃତି ନାଟକ ଅନ୍ତର୍ଗତ ନାନାପ୍ରକାର ଅପ୍ରାକୃତ ଲିଖନ ଭଙ୍ଗୀ ବ୍ୟବହାର କରନ୍ତି । ମାତ୍ର ଏ ସମସ୍ତ ମଧ୍ୟ କ୍ରମଶଃ ସାହିତ୍ୟିକମାନଙ୍କର ଦୃଷ୍ଟି ଆକର୍ଷଣ କରୁଅଛି ଓ ସାହିତ୍ୟ ମଧ୍ୟରୁ କ୍ରମଶଃ ଏଗୁଡ଼ିକ ଲୋପ ପାଉଅଛି । ଆଧୁନିକ ନାଟକମାନଙ୍କରେ ବାସ୍ତବତା ରକ୍ଷା କରିବା ନିମନ୍ତେ ଲେଖକ ଅତ୍ୟନ୍ତ ବ୍ୟଗ୍ର ଓ ନାଟକଗୁଡ଼ିକ ଏପରି ଭାବରେ ରଚିତ ହେଉଅଛି ଓ ପଟ ଓ ରଙ୍ଗମଞ୍ଚର ସାଜସଜ୍ଜାରେ ଘଟଣା ସମୂହ ଏପରି ପରିସ୍ଫୁଟ ହେଉଅଛି ଯେ ଅଭିନୟ ସମୟରେ କୌଣସି ଘଟଣା ଦର୍ଶକ ନିକଟରେ ଅପ୍ରାକୃତ ବୋଲି ମନେ ହୁଏନାହିଁ । ନାନା ସମୟରେ ଲେଖକମାନେ ନାନାପ୍ରକାର ସଂସ୍କାରଦ୍ୱାରା ନାଟକକୁ ବାସ୍ତବ କରିବାର ଚେଷ୍ଟା କରି ଅଛନ୍ତି ଓ ଆଜି କାଲି ମଧ୍ୟ ସଂସ୍କାରର ଚେଷ୍ଟା ଚାଲିଅଛି । ରଙ୍ଗମଞ୍ଚର ଚିତ୍ରପଟ ଓ ସାଜସଜ୍ଜାର ବିନ୍ୟାସ, ଅଭିନେତାମାନଙ୍କର କଳାନୈପୁଣ୍ୟ ଓ ଲେଖକର ରସବୋଧ ତିନିହେଁ ମିଳିତ ହୋଇ ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରୁ ଅଛନ୍ତି ।

 

ନାଟକ ନାନାପ୍ରକାରର ଦେଖାଯାଏ । ପ୍ରଥମତଃ କଥାବସ୍ତୁ ନେଇ ସାଧାରଣ ନାଟକକୁ ପୌରାଣିକ ନାଟକ, ସାମାଜିକ ନାଟକ, ଐତିହାସିକ ନାଟକ ଏହିପରି ଶ୍ରେଣୀମାନଙ୍କରେ ବିଭକ୍ତ କରାଯାଇ ପାରେ । ପୌରାଣିକ ନାଟକରେ ପୁରାଣର ବର୍ଣ୍ଣିତ କୌଣସି କଥାବସ୍ତୁକୁ ଅବଲମ୍ୱନ କରି ନାଟକ ରଚିତ ହୁଏ ମାତ୍ର ସେହି କଥା ବସ୍ତୁକୁ ଅନେକାଂଶରେ ବଦଳାଇ ଦିଆଯାଇ ତାହା ଚିତ୍ତାକର୍ଷକ କରିବାର ପ୍ରୟାସ ହୋଇଥାଏ । ମୂଳ କଥାଟିର କୌଣସି ପରିବର୍ତ୍ତନ ହୁଏନାହିଁ ସତ୍ୟ, ମାତ୍ର ନୂତନ ଚରିତ୍ର କଥାବସ୍ତୁ ଓ ହାସ୍ୟ କରୁଣ ପ୍ରଭୃତି ରସଯୋଗ କରାଯାଏ ଏବଂ ମୂଳ କଥାରୁ କେତେକ ଅଂଶ ମଧ୍ୟ ବାଦ୍ ଦିଆଯାଏ । ଐତିହାସିକ ନାଟକରେ ମଧ୍ୟ ଲେଖକ ଏହିପରି ଭାବରେ ମୂଳକଥାକୁ ଅବିକୃତ ରଖି ନିଜର ଇଚ୍ଛାନୁଯାୟୀ କଥାବସ୍ତୁକୁ ନାନାପ୍ରକାରରେ ବଦଳାଇ ନିଅନ୍ତି ଓ ଏହିପ୍ରକାର ରୂପାନ୍ତର ଦ୍ୱାରା ନାଟକୀୟ କଥାକୁ ସରସ ଓ ଚିତ୍ତାକର୍ଷକ କରନ୍ତି । ସାମାଜିକ ନାଟକର କଥାବସ୍ତୁ ଲେଖକର ସ୍ୱୀୟ କଳ୍ପନା ପ୍ରସୂତ । ସାମାଜିକ ଦୁର୍ନୀତିର ବର୍ଣ୍ଣନା କିମ୍ୱା ପାରିପାର୍ଶ୍ୱିକ କରୁଣ ସତ୍ୟ ଘଟନାକୁ ଅବଲମ୍ୱନ କରି ସାମାଜିକ ନାଟକ ରଚିତ ହୋଇଥାଏ ଓ ସମାଜର ରୀତି ନୀତି ପ୍ରତି ଦୃଷ୍ଟି ରଖି କଥାବସ୍ତୁ ରଚିତ ହୁଏ । ସାମାଜିକ ନାଟକରେ ଲେଖକ ପାଠକମାନଙ୍କ ସମ୍ମୁଖରେ ନିଜର ମତ ପ୍ରକାଶ କରିବାର ସୁବିଧା ପାଏ ଓ ଆମ୍ଭମାନଙ୍କର ସୁପରିଚିତ ଘଟନାମାନଙ୍କର ଛବି ଏପରି ନାଟକରେ ବହୁଳ ଭାବରେ ଥିବାରୁ ତାହା ଆମ୍ଭମାନଙ୍କର ଚିତ୍ତାକର୍ଷକ ହୁଏ । କୌଣସି ବିଶେଷ ସମାଜର ଛାୟା କଥାବସ୍ତୁରେ ପଡ଼ିଥିଲେ ମଧ୍ୟ ସାଧାରଣତଃ ସାମାଜିକ ନାଟକ ମାନବିକତାର କୌଣସି ବିଶେଷ ବିକାଶ ପ୍ରତି ଲକ୍ଷ ରଖି ରଚିତ ହୋଇଥିବାରୁ ତାହା ଯେ କୌଣସି ସମାଜର ଲୋକମାନଙ୍କର ସୁଖପାଠ୍ୟ ହୁଏ ।

 

ରଚନା ଭଙ୍ଗୀ ଦ୍ୱାରା ନାଟକ ବିଭିନ୍ନ ବିଭାଗରେ ବିଭକ୍ତ ହୋଇପାରେ । କୌଣସି କୌଣସି ନାଟକ ପୂର୍ଣ୍ଣାଙ୍ଗ ଅର୍ଥାତ୍‍ ଏଥିରେ ସାଧାରଣ ନିୟମାନୁଯାୟୀ ପାଞ୍ଚ ଗୋଟି ଅଙ୍କ ଓ ପ୍ରତି ଅଙ୍କରେ ଚାରି ପାଞ୍ଚ ଗୋଟି ଗର୍ଭାଙ୍କ ଥାଏ । ପୂର୍ଣ୍ଣାଙ୍ଗ ନାଟକମାନଙ୍କରେ ସମୟ ସମୟରେ ଅଙ୍କ ବା ଗର୍ଭାଙ୍କର ଊଣା ଆଧିକ୍ୟ ଦେଖାଗଲେ ମଧ୍ୟ ନାଟ୍ୟକାର ତିନି ଚାରି ଘଣ୍ଟା ମଧ୍ୟରେ ଅଭିନୀତ ହେବା ଉଦ୍ଦେଶ୍ୟରେ ଅଭିନୟ କାଳକୁ ଲକ୍ଷ୍ୟ ରଖି ଏଗୁଡ଼ିକ ରଚନା କରିଥାନ୍ତି । କୌଣସି କୌଣସି ନାଟକରେ ଏହାର ବ୍ୟତିକ୍ରମ ଦେଖାଯାଇ କେବଳ ଗୋଟିଏ ଅଙ୍କରେ ନାଟକର ପରିସମାପ୍ତି ଘଟିଥାଏ । ଏଗୁଡ଼ିକ ଆକାରରେ କ୍ଷୁଦ୍ର, ଏମାନଙ୍କର କଥାବସ୍ତୁ ସ୍ୱଳ୍ପ ପ୍ରସାରୀ ଏବଂ ଏହା ସାମୟିକ ଚିତ୍ତ ବିନୋଦନ ସକାଶେ ଲିଖିତ ହୁଏ ଏବଂ ସାମାଜିକ ମିଳନ କିମ୍ୱା ପ୍ରୀତିଭୋଜ ଇତ୍ୟାଦି ସମୟରେ ସାଧାରଣତଃ ଅଭିନୀତ ହୁଏ । ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ମଧ୍ୟରେ ଯେପରି ସମ୍ୱନ୍ଧ ଓ କଥାବସ୍ତୁ ଓ ଲିଖନ ଭଙ୍ଗିରେ ଯେ ପ୍ରକାର ବିଭିନ୍ନତା ଦେଖାଯାଏ ପୂର୍ଣ୍ଣାଙ୍ଗ ନାଟକ ଓ ଏକାଙ୍କ ନାଟକ ମଧ୍ୟରେ ସେହିପରି ସମ୍ୱନ୍ଧ ଥାଏ । କୌଣସି କୌଣସି ନାଟକରେ ସଙ୍ଗୀତ ଓ ନୃତ୍ୟର ପ୍ରାଚୁର୍ଯ୍ୟ ଦେଖାଯାଏ । ସାଧାରଣତଃ ଏଗୁଡ଼ିକ ଗୀତିନାଟ୍ୟ ନାମରେ ଖ୍ୟାତ ଓ ଦର୍ଶକମାନଙ୍କର ମନୋରଞ୍ଜନ ନିମନ୍ତେ ଏ ଗୁଡ଼ିକ ରଚିତ । ପୂର୍ଣ୍ଣାଙ୍ଗ ନାଟକ ମଧ୍ୟରେ ଲେଖକର ଶିକ୍ଷା ଦେବାର ପ୍ରୟାସ ଥାଏ ମାତ୍ର ଗୀତି ନାଟ୍ୟରେ କେବଳ କେତେକ ସମୟ ନିମନ୍ତେ ଅଭିନୟଦ୍ୱାରା ପାଠକର ମନୋହରଣ କରିବା ଲେଖକର ଉଦ୍ଦେଶ୍ୟ । କୌଣସି କୌଣସି ଗୀତିନାଟ୍ୟ ରଙ୍ଗମଞ୍ଚ ବିନା ଅଭିନୀତ ହୁଏ । ଏ ଗୁଡ଼ିକ ଯାତ୍ରା ନାମରେ ଖ୍ୟାତ ଏବଂ ଅଭିନୟ ସମୟରେ ବ୍ୟୟସାଧ୍ୟ ଚିତ୍ରପଟ ଓ ରଙ୍ଗମଞ୍ଚ ପ୍ରଭୃତିର ପ୍ରୟୋଜନ ନ ଥିବାରୁ ସାଧାରଣତଃ ଏଗୁଡ଼ିକ ଗ୍ରାମମାନଙ୍କରେ ଆଦୃତ ହୁଏ-। କେତେକ ନାଟକ ପୁଣି କେବଳ ହାସ୍ୟରସାତ୍ମକ କଥାରେ ପୂର୍ଣ୍ଣ ଥାଏ । ଦର୍ଶକର ଚିତ୍ତ ବିନୋଦନ ନାଟ୍ୟକାରର ଉଦ୍ଦେଶ୍ୟ ଥିବାରୁ କେବଳ କରୁଣ ରସ ଘେନି କୌଣସି ନାଟକ ରଚିତ ହୁଏନାହିଁ । ଲେଖକ କିଛି ହାସ୍ୟ ରସ ବା ବିଦ୍ରୁପ କଥାବସ୍ତୁ ମଧ୍ୟରେ ଅବତାରଣା କରି ଲୋକମାନଙ୍କୁ ଆନନ୍ଦ ଦେବାର ଚେଷ୍ଟା କରେ, ମାତ୍ର କେତେକ ନାଟକରେ କେବଳ ହାସ୍ୟ ରସ ଥାଏ ଓ ସେହି ହାସ୍ୟ ରସ ଦ୍ୱାରା ଲେଖକ ଶିକ୍ଷା ଓ ଆନନ୍ଦ ପୂର୍ଣ୍ଣଭାବରେ ବିତରଣ କରିବାର ପ୍ରୟାସ କରେ । ଏ ଗୁଡ଼ିକ ସାଧାରଣତଃ ଫାର୍ଶ ବା ପ୍ରହସନ ନାମରେ ଖ୍ୟାତ ଓ ପୂର୍ଣ୍ଣାଙ୍ଗ ନାଟକ ପରେ ଏଗୁଡ଼ିକ ସାଧାରଣତଃ ଅଭିନୀତ ହୁଏ । ଆଜିକାଲି ଆଉ ଏକପ୍ରକାର ନାଟକ ମଧ୍ୟ କଦାଚିତ୍‍ ଦେଖାଯାଏ ଓ ଏଗୁଡ଼ିକୁ ରୂପକ ନାଟ୍ୟ ଆଖ୍ୟା ଦିଆଯାଇପାରେ । ଯେଉଁ ନାଟକରେ ରୂପକର ମାତ୍ରା ଅଧିକ ବ୍ୟବହୃତ ହୁଏ ଓ କଥାବସ୍ତୁ ଦ୍ୱାରା ଅନ୍ୟ ଏକ ପ୍ରଚ୍ଛନ୍ନ ଭାବକୁ ପ୍ରକାଶ କରିବାକୁ ଲେଖକ ଚେଷ୍ଟା କରେ ସେଗୁଡ଼ିକ ଏହି ରୂପକ ନାଟକର ଅନ୍ତର୍ଗତ । ରବୀନ୍ଦ୍ରନାଥ ପ୍ରଭୃତି ଆଧୁନିକ ସାହିତ୍ୟ ରଥୀମାନେ ଏହି ଶ୍ରେଣୀରେ ରୂପକ ନାଟକ ଲେଖିବାରେ ସିଦ୍ଧହସ୍ତ ।

 

ପୂର୍ଣ୍ଣାଙ୍ଗ ନାଟକକୁ କରୁଣ ରସାତ୍ମକ ଓ ଆନନ୍ଦ ରସାତ୍ମକ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ବାସ୍ତବରେ ପ୍ରାୟ ପ୍ରତ୍ୟେକ ନାଟକରେ ହାସ୍ୟ ଓ କରୁଣ ରସ ସଂମିଶ୍ରିତ ରହିଥାଏ । ମାତ୍ର କୌଣସି କୌଣସି ନାଟକର ଶେଷ ଭାଗରେ ବିୟୋଗର କରୁଣ ଚିତ୍ର ପ୍ରଦର୍ଶିତ ହୋଇ ଦର୍ଶକର ମନକୁ କରୁଣ ରସରେ ଆପ୍ଳୁତ କରିଦିଏ । ପୁଣି କୌଣସି କୌଣସି ନାଟକର ଶେଷଭାଗରେ ମିଳନର ଚିତ୍ର ପ୍ରଦର୍ଶିତ ହୋଇଥାଏ । ବିୟୋଗାନ୍ତକ ନାଟକ ମଧ୍ୟରେ ଦର୍ଶକମାନେ ନିଜର ଅନୁଭୂତ ଦୁଃଖର ଛବି ଦେଖି ମନରେ ଈଷତ୍‍ ସାନ୍ତ୍ୱନା ଓ ଆନନ୍ଦ ଲାଭ କରନ୍ତି ଏବଂ ମିଳନାନ୍ତକ ନାଟକରେ ଦୁଃସହ ଦୁଃଖର ଅବସାନ ଦେଖି ନିଜର କ୍ଷୋଭ ଓ ଦୁଃଖ ଭୁଲିଯାଇ ସଂସାର ପଥରେ ଯାତ୍ରା କରିବା ନିମନ୍ତେ ନୂତନ ବଳରେ ବଳୀୟାନ୍‍ ହୁଅନ୍ତି ।

 

ନାଟ୍ୟକାରର ମୂଳ ଉଦ୍ଦେଶ୍ୟ ଚରିତ୍ର ଚିତ୍ରଣ ଏବଂ ଚରିତ୍ରଗୁଡ଼ିକର କଥାଭଙ୍ଗି ମଧ୍ୟ ଦେଇ ସେମାନଙ୍କର ଅନ୍ତର୍ନିହିତ ଭାବର ପ୍ରକାଶ । ଏଣୁ ଚରିତ୍ର ଚିତ୍ରଣରେ କୌଣସି ବୈସାଦୃଶ୍ୟ ଦେଖାଗଲେ ନାଟକ ଦର୍ଶକମାନଙ୍କର ହୃଦୟଗ୍ରାହୀ ହୁଏନାହିଁ । ଏଣୁ କଥାବାର୍ତ୍ତାର ମଧ୍ୟ ଦେଇ ଚରିତ୍ରର ନିଗୂଢ଼ ଭାବର ବ୍ୟାଖ୍ୟା ଦ୍ୱାରା ତାହାର ଅନ୍ତର୍ନିହିତ ଭାବରାଶିକୁ ଦର୍ଶକମାନଙ୍କ ନିକଟରେ ନାଟ୍ୟକାର ପରିସ୍ଫୁଟ କରେ ଓ କାର୍ଯ୍ୟାବଳୀର ବ୍ୟାଖ୍ୟାନ ଦ୍ୱାରା ସମାଲୋଚକ ଉକ୍ତ ଚରିତ୍ରମାନଙ୍କୁ ଆମ୍ଭମାନଙ୍କର ସୁପରିଚିତ କରିଦିଏ ଏବଂ ପାଠକ ଓ ଦର୍ଶକମାନେ ଏହି ଚରିତ୍ର ଚିତ୍ରଣର ସ୍ୱାଭାବିକତା ଦ୍ୱାରା ମୁଗ୍ଧ ହୋଇ ନିଜର ଅନୁଭୂତି ସଙ୍ଗେ ସେଗୁଡ଼ିକର ତୁଳନା କରି ପ୍ରୀତି ହୁଅନ୍ତି । ବାସ୍ତବରେ ମାନବଚରିତ୍ର ଜ୍ଞାନ, ଭୂୟୋଦର୍ଶିତା ଓ ଚରିତ୍ରାଙ୍କନ ପଟୁତା ଉପରେ ନାଟ୍ୟକାରର ଉତ୍କର୍ଷ ନିର୍ଭର କରେ ।

 

ନାଟକରେ ଗଦ୍ୟ ଓ ପଦ୍ୟ ଉଭୟ ବ୍ୟବହୃତ ହୁଏ ଓ କେଉଁ ଚରିତ୍ର କିପରି ଭାବରେ କଥା କହିଲେ ସାମଞ୍ଜସ୍ୟ ରକ୍ଷା ହେବ ଏଥିପ୍ରତି ଦୃଷ୍ଟି ରଖି ଲେଖକମାନେ ଗଦ୍ୟ ବା ପଦ୍ୟର ବ୍ୟବହାର କରନ୍ତି ଓ ନାଟକର କଥୋପକଥନଗୁଡ଼ିକ ଜୀବନ୍ତ କରିବାରେ ସଚେଷ୍ଟ ହୁଅନ୍ତି । ସମୟ ସମୟରେ ପଦ୍ୟ ବ୍ୟବହୃତ ହେଲେହେଁ ତାହା ସାଧାରଣତଃ ଖଣ୍ଡ ପଦ୍ୟ ବା ଗଦ୍ୟାଶ୍ରିତ ପଦ୍ୟରୂପେ ବ୍ୟବହୃତ ହୁଏ ଓ ପଦ୍ୟର କଳ୍ପନା ଓ ଅଳଙ୍କାର ପ୍ରଭୃତି ନାଟକୀୟ ପଦ୍ୟରେ ଦେଖାଯାଏ ନାହିଁ । ମିତ୍ରାକ୍ଷର ପଦ୍ୟ ଅପେକ୍ଷା ଅମିତ୍ରାକ୍ଷରର ବ୍ୟବହାର ନାଟ୍ୟ ସାହିତ୍ୟରେ ଅଧିକ, କାରଣ ମିତ୍ରାକ୍ଷର ଅଧିକତର ଅପ୍ରାକୃତ ଓ ତାହାର ଛନ୍ଦ କଥୋପକଥନକୁ ଏକସୁରା କରିଦିଏ ।

 

ଅନ୍ୟ ସାହିତ୍ୟ ଅପେକ୍ଷା ନାଟ୍ୟ ସାହିତ୍ୟ ଅନେକାଂଶରେ ଭିନ୍ନ, ଏହାର ଆଭାସ ପୂର୍ବେ ଦିଆଯାଇଅଛି । କିନ୍ତୁ ଅନ୍ୟ ସାହିତ୍ୟ ଅପେକ୍ଷା ନାଟ୍ୟ ସାହିତ୍ୟ ରଚନା କଷ୍ଟକର । କାରଣ ଅନ୍ୟ ସାହିତ୍ୟରେ ଲେଖକ ଓ ପାଠକ ଏହି ଦୁଇଗୋଟି ପକ୍ଷ ଥାନ୍ତି ମାତ୍ର ନାଟ୍ୟ ସାହିତ୍ୟରେ ଲେଖକର ଲେଖା ଅଭିନେତାର ବ୍ୟାଖ୍ୟାନ ଦ୍ୱାରା ଅନୁପ୍ରାଣିତ ହୋଇ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପିତ ହୁଏ । ଏଣୁ ଅଭିନେତା ଅନେକାଂଶରେ ନାଟ୍ୟବସ୍ତୁକୁ ରୂପଦାନ କରିଥାଏ । ଅଭିନେତା ନାଟକକୁ ବ୍ୟାଖ୍ୟା କରି ନୂତନ ଆକାରରେ ଦର୍ଶକମାନଙ୍କୁ ସମ୍ମୁଖରେ ଉପସ୍ଥାପିତ କରିପାରେ ଓ ତାହାର ଶକ୍ତି ଉପରେ ନାଟ୍ୟକାରର ନିନ୍ଦା ଓ ପ୍ରଶଂସା ଅନେକାଂଶରେ ନିର୍ଭର କରେ । ଏଣୁ ଅଭିନେତାର କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ୱ ପୂର୍ଣ୍ଣ ଓ ତାହାର କଳାଜ୍ଞାନ ଉପରେ ଦେଶର ସାହିତ୍ୟିକ ଅଭିବୃଦ୍ଧି ନିଭର କରେ ।

Image

 

ତରୁଣ ସାହିତ୍ୟ

 

ଆଜିକାଲି ଯେଉଁ ସାହିତ୍ୟ ଧାରା ବିଶେଷ ଭାବରେ ଲେଖକ ଓ ପାଠକମାନଙ୍କୁ ଆକୃଷ୍ଟକରି ସେମାନଙ୍କ ମନରେ ନିଜର ପ୍ରଭାବ ଗଭୀର ଭାବରେ ବିସ୍ତୃତ କରୁଅଛି ତାହା ତରୁଣ ସାହିତ୍ୟ ବା ସବୁଜ ସାହିତ୍ୟ । ଏହି ସାହିତ୍ୟ ଧାରାର କେତେକ ବିଶେଷତ୍ୱ ଅଛି ଓ ଏହା କାବ୍ୟ ନାଟକ ଗଦ୍ୟ ପ୍ରଭୃତି ସମସ୍ତ ପ୍ରକାର ସାହିତ୍ୟର ଉପାଦାନ ମଧ୍ୟଦେଇ ନିଜକୁ ପ୍ରକାଶକରେ । ଏଣୁ ଲୋକେ ଏହି ସାହିତ୍ୟ ଧାରା ଦ୍ୱାରା ଅତି ସହଜରେ ପ୍ରଭାବିତ ହୁଅନ୍ତି । ପ୍ରତ୍ୟେକ ଦେଶରେ ସାହିତ୍ୟରେ ନବ ନବ ଭାବଧାରା ବିକାଶ ଲାଭକରି ନୂତନ ଯୁଗର ସୃଷ୍ଟିକରେ ମାତ୍ର ଆଧୁନିକ ତରୁଣ ସାହିତ୍ୟର ପ୍ରଭାବ ପ୍ରାୟ ପ୍ରତ୍ୟେକ ସୁସଭ୍ୟ ଦେଶରେ ଅନୁଭୂତ ହେଉଅଛି । ବିଗତ ମହାଯୁଦ୍ଧ ଫଳରେ ତରୁଣମାନେ ନିଜର ଶକ୍ତି ଓ ସାମର୍ଥ୍ୟ ବିଷୟ ଉତ୍ତମରୂପେ ବୁଝିପାରି ପୁରାତନ ସାହିତ୍ୟଠାରୁ ଭିନ୍ନ ଏକ ନୂତନ ଭାବଧାରା ସୃଷ୍ଟିକଲେ ଏବଂ ତାହାହିଁ ଆଜିକାଲି ସବୁଜ ସାହିତ୍ୟ ନାମରେ ବିଶେଷ ଭାବରେ ପରିଚିତ । ପ୍ରାଚୀନ ସାହିତ୍ୟଠାରୁ ଏହା ଅନେକାଂଶରେ ଭିନ୍ନ ଓ ଏହି ସାହିତ୍ୟରେ ସ୍ୱାଧୀନ ଭାବର ବିକାଶ ଏତେ ଅଧିକ ଯେ ଏହାର ମର୍ମ୍ମ ଗ୍ରହଣ କରିବା ସହଜ ନୁହେଁ-

 

ଲୋକେ ଯେତେବେଳେ ପ୍ରୌଢ଼ତ୍ୱ ଅତିକ୍ରମ କରନ୍ତି ଓ ସେମାନଙ୍କର ଜୀବନୀଶକ୍ତି କ୍ରମଶଃ କ୍ଷୟପ୍ରାପ୍ତ ହୁଏ ତେତେବେଳେ କୌଣସି ବ୍ୟଭିଚାର ବା ଅନିୟମ ସେମାନେ ସହ୍ୟ କରି ପାରନ୍ତି ନାହିଁ ଓ ସଦା ଭୀତ ଅବସ୍ଥାରେ ରହି, କଠିନ ନିୟମମାନଙ୍କର ନିଗଡ଼ରେ ନିଜକୁ ଆବଦ୍ଧ କରି ନିଜର ଅବଶିଷ୍ଟ ଜୀବନୀ ଶକ୍ତିକୁ ରକ୍ଷା କରିବାର ଚେଷ୍ଟା କରନ୍ତି ଓ ସ୍ଫୂର୍ତ୍ତି, ଆନନ୍ଦ ଓ ଜୀବନର ବିକାଶ ଏକାବେଳକେ ଦୂରୀଭୂତ କରିଦେଇ କେବଳ ପୁରାତନ କଥାର ଚିନ୍ତାରେ କାଳ ଅତିବାହିତ କରନ୍ତି । କୌଣସି ପ୍ରକାର ବୈଚିତ୍ର୍ୟ ବା ନୂତନତ୍ୱକୁ ସେମାନେ ସନ୍ଦେହାକୁଳ ଓ ସଶଙ୍କ ଦୃଷ୍ଟିରେ ଦେଖନ୍ତି । ଦୈନନ୍ଦିନ ବ୍ୟାପାର ମଧ୍ୟରେ କୌଣସି ନିୟମକୁ ଅତିକ୍ରମ କରିବାର ସାହସ କରନ୍ତି ନାହିଁ ଏବଂ କୌଣସି ନୂତନ ସୃଷ୍ଟି କରିବାର ଇଚ୍ଛା ସେମାନଙ୍କ ମନରୁ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ହିତ ହୁଏ-। ଅନ୍ୟ ପକ୍ଷରେ ତରୁଣମାନେ କୌଣସି ପ୍ରକାର ନିୟମର ଅଧୀନ ରହିବାକୁ ଅନିଚ୍ଛୁକ । ଜୀବନକୁ ପୂର୍ଣ୍ଣଭାବରେ ଭୋଗ କରିବା ସେମାନଙ୍କର ଉଦ୍ଦେଶ୍ୟ । ଜୀବନର ବୈଚିତ୍ର୍ୟ ମଧ୍ୟ ଦେଇ ପୂର୍ଣ୍ଣଭାବରେ ସଂସାର ସହିତ ପରିଚିତ ହୋଇ ନୂତନ ସୃଷ୍ଟି କରିବା ସେମାନଙ୍କର ଆକାଙ୍କ୍ଷା । ତେଣୁ କୌଣସି ପ୍ରକାର ନିୟମ ବା ସୀମା ଦ୍ୱାରା ନିଜକୁ ଆବଦ୍ଧ ରଖି ଉଦ୍ଦାମ ପ୍ରବୃତ୍ତିମାନଙ୍କୁ ରୋଧ କରିବାକୁ ସେମାନେ କେବେହେଁ ସଚେଷ୍ଟ ହୁଅନ୍ତି ନାହିଁ । ପ୍ରାଚୀନମାନେ ଭୋଗର ଅବସାନରେ ଯେପରି ସଶଙ୍କ ତରୁଣମାନେ ଭୋଗ କରିବା ନିମନ୍ତେ ସେହିପରି ସର୍ବଦା ଉନ୍ମୁଖ । ପ୍ରାଚୀନମାନେ ନିଜର ଅନୁଭୂତିକୁ ଭିତ୍ତିକରି ଜୀବନକୁ ନିୟନ୍ତ୍ରିତ କରିବା ନିମନ୍ତେ ଯେପରି ବ୍ୟସ୍ତ, ତରୁଣମାନେ ଉଚ୍ଛୃଙ୍ଖଳ ଜୀବନ ଯାପନ କରି ଜୀବନକୁ ଚତୁର୍ଦ୍ଦିଗରୁ ପରୀକ୍ଷା କରିବା ନିମନ୍ତେ ସେହିପରି ସର୍ବଦା ସଚେଷ୍ଟ । ଜୀବନ ବିଷୟରେ ଏହି ପ୍ରକାର ଦୁଇଗୋଟି ବିଭିନ୍ନ ମତବାଦ ସମ୍ଭବ ହେବାରୁ ସାହିତ୍ୟରେ ଏହି ଦୁଇଗୋଟି ଚିନ୍ତାଧାରାର ଛବି ପ୍ରତିଫଳିତ ହୁଏ ।

 

ତରୁଣ ସାହିତ୍ୟରେ ଆମ୍ଭେମାନେ ଏହି ଉଦ୍ଦାମ ଉଚ୍ଛୃଙ୍ଖଳତାର ଛବି ସର୍ବଦା ପାଉଁ । ଜୀବନର ବୈଚିତ୍ର୍ୟ ଦେଖି ତରୁଣମାନେ ଏତେ ମୁଗ୍ଧ ଯେ ତାହା ଉପଭୋଗ କରିବା ଭିନ୍ନ ଜୀବନର ଅନ୍ୟ କୌଣସି ଆବଶ୍ୟକତା ସେମାନେ ସ୍ୱୀକାର କରନ୍ତି ନାହିଁ, ଭୋଗ କରିବାର ଇଚ୍ଛା ଓ ଜୀବନର ବୈଚିତ୍ର୍ୟ ମଧ୍ୟରେ ଆତ୍ମ ସମର୍ପଣ କରିବାର ପ୍ରୟାସ ଏକାନ୍ତ ପ୍ରବଳ ଥିବାରୁ ସେମାନେ କୌଣସି ବାଧା ବିଘ୍ନଦ୍ୱାରା କିମ୍ୱା ଭବିଷ୍ୟତ୍‍ ଦୁଃଖର ଆଶଙ୍କାରେ ଭୋଗ ପଥରୁ ନିବୃତ୍ତ ହୁଅନ୍ତି ନାହିଁ-। ଜୀବନର ଦୁଖ କଷ୍ଟକୁ ଅସ୍ୱୀକାର କରିବା ଅସମ୍ଭବ, ମାତ୍ର ତରୁଣମାନେ ଏ ସମସ୍ତଙ୍କୁ ସ୍ୱୀକାର କଲେହେଁ ଜୀବନର କେତେକ ମୁହୂର୍ତ୍ତର ଦୁଃଖ ତୁଳନାରେ ଯେଉଁ ଅନନ୍ତ ସୁଖଲାଭ କରିବା ସମ୍ଭବ ସେହି ସୁଖର ଧ୍ୟାନରେ ପ୍ରକୃତିର ବିମୋହନ ଛବିକୁ ଅନୁଧାବନ କରି ନିଜର ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି । ମନୁଷ୍ୟ ଜୀବନକୁ ତରଳ ଭାବରେ ଓ ଦାୟିତ୍ୱ ହୀନ ଭାବରେ ଦେଖିଲେ ମନରେ ସ୍ୱତଃ ଯେଉଁ ନିର୍ମଳ ଆନନ୍ଦ ଜାତ ହୁଏ, ବୈଚିତ୍ର୍ୟ ମଧ୍ୟରେ ଆତ୍ମସମର୍ପଣ କଲେ ସଂସାରର ଘାତ ପ୍ରତିଘାତରୁ ଯେପରି ଭାବରେ ନିଜକୁ ରକ୍ଷା କରାଯାଇ ପାରେ ସେ ସବୁର ତୁଳନାରେ କ୍ଷଣିକ ଦୁଃଖ କ୍ଳେଶକର ନୁହେଁ ବରଂ ପରବର୍ତ୍ତୀ ଆନନ୍ଦକୁ ଏହି ଦୁଃଖ ଅଧିକତର ଆନନ୍ଦମୟ କରେ ଏହା ଭାବି ଆମ୍ଭମାନଙ୍କ ମନରେ ଆନନ୍ଦ ଚିରସ୍ଥାୟୀ ହୋଇପାରେ । ବାସ୍ତବରେ ତରୁଣ ସାହିତ୍ୟର ଭିତ୍ତି ଏହି ଆନନ୍ଦରେ ଏବଂ ଏହି ଆନନ୍ଦ ତରୁଣମାନଙ୍କୁ ଏକ ନୂତନ ସାହିତ୍ୟ ସୃଷ୍ଟିରେ ପ୍ରବର୍ତ୍ତିତ କରିଅଛି ।

 

ତରୁଣମାନଙ୍କର ଏହି ଆନନ୍ଦ ପ୍ରାଚୀନ ଯୁଗର ଭୂମାନନ୍ଦଠାରୁ ଭିନ୍ନ । ଭଗବାନଙ୍କ ଉପରେ ଆସ୍ଥା ସ୍ଥାପନ କରି, ତାଙ୍କର ଚରଣରେ ଆତ୍ମସମର୍ପଣ କରି, ପବିତ୍ରତାର ବନ୍ଧନୀ ଚାରିଆଡ଼େ ସୃଷ୍ଟି କରି ସଂସାରର ଦୁଃଖ କଷ୍ଟ ପ୍ରଭୃତିରୁ ଲୋକେ ଯେପରି ନିଜକୁ ମୁକ୍ତ କରିବାର ଚେଷ୍ଟା କରୁଥିଲେ, ତରୁଣ ସାହିତ୍ୟର ଆନନ୍ଦ ସେଥିରୁ ସମ୍ପୂର୍ଣ୍ଣଭାବେ ବିଭିନ୍ନ । ତରୁଣମାନେ ଜଗତକୁ ସ୍ୱୀକାର କରନ୍ତି କିନ୍ତୁ ଜଗତର ଉଚ୍ଚତର କୌଣସି ମହାନ୍‍ ସତ୍ତା ବା ଈଶ୍ୱରଙ୍କୁ ମନରେ ସ୍ଥାନ ଦିଅନ୍ତି ନାହିଁ । ସେମାନେ ଜଗତର ବୈଚିତ୍ର୍ୟ ନିକଟରେ ଆତ୍ମସମର୍ପଣ କରନ୍ତି ଓ ଜଗତର ବୈଚିତ୍ର୍ୟକୁ ଅନୁଧାବନକରି ଦୁଃଖ କଷ୍ଟରୁ ମୁକ୍ତ ହେବାର ପ୍ରୟାସ କରନ୍ତି । ସେମାନଙ୍କର ଆନନ୍ଦର ଭିତ୍ତି ବାଧାହୀନତାରେ ଏବଂ ସେମାନଙ୍କର ଧାରଣା ଯେ ସମାଜର ପ୍ରତ୍ୟେକ ପ୍ରକାର ବାଧା ମନୁଷ୍ୟର ଶକ୍ତିକୁ ପଙ୍ଗୁ କରି ତାହାପକ୍ଷରେ ଦୁଃଖଦାୟକ ହୁଏ । ଯେ ମୁହୂର୍ତ୍ତରେ ଆମ୍ଭମାନଙ୍କର ଯାତ୍ରାପଥରେ କୌଣସି ବାଧା ଉପସ୍ଥିତହୋଇ ଆମ୍ଭମାନଙ୍କର ଅବାଧଗତିକୁ ବା ଉଦ୍ଦାମ ପ୍ରବୃତ୍ତିକୁ ନିୟନ୍ତ୍ରିତ କରିବାର ଚେଷ୍ଟାକରେ ସେହି ମୁହୂର୍ତ୍ତରେ ମନୁଷ୍ୟର ମନ ତିକ୍ତ ଓ ବିରକ୍ତହୋଇ ଉଠେ ଓ ତାହାର ଜୀବନକୁ ସେ ଦୁଃସହ ବୋଲି ମନେକରେ । ଆନନ୍ଦର ସନ୍ଧାନରେ ତରୁଣମାନେ ସକଳ ପ୍ରକାର ବାଧାବିଘ୍ନକୁ ଦୂରକରିଦେବାକୁ ସଚେଷ୍ଟ । ଭାଷା ବା ଭାବ, ବର୍ଣ୍ଣନା ବା ଛନ୍ଦ କୌଣସି ଦିଗରୁ କୌଣସି ପ୍ରକାର ବାଧା ବା ନିୟମ ସେମାନେ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଏବଂ ନିଜର ନୂତନ ମତ ପ୍ରବର୍ତ୍ତନ କରିବା ନିମନ୍ତେ ସେମାନେ ନିଜର ଭାବକୁ ଉଦ୍ଧତ ଭାବରେ ପ୍ରଚାର କରନ୍ତି । ଏହିକାରଣରୁ ପୁରାତନ ଛନ୍ଦକୁଭାଙ୍ଗି ସେମାନେ ନାନାପ୍ରକାର ନୂତନଛନ୍ଦ ରଚନାରେ ପ୍ରବୃତ୍ତ, ସୁରୁଚି ଓ କୁରୁଚିର ଦ୍ୱନ୍ଦକୁ ଅସ୍ୱୀକାରକରି ନିଜର ବର୍ଣ୍ଣନାକୁ ଜୀବନ୍ତ କରିବାରେ ସଚେଷ୍ଟ ଓ ସାହିତ୍ୟର ଆଡ଼ଷ୍ଟ ଭାଷାଦ୍ୱାରା ପ୍ରତିହତ ନ ହୋଇ ନୂତନ ଶବ୍ଦ ବିନ୍ୟାସ ଦ୍ୱାରା ନୂତନ କଳ୍ପନାକୁ ପ୍ରକାଶ କରିବାରେ ଯତ୍ନଶୀଳହୁଅନ୍ତି । ନୂତନତ୍ୱର ଏହି ଅଭିଯାନଦ୍ୱାରା ଭାଷାର କିପ୍ରକାର ଶ୍ରୀବୃଦ୍ଧି ହୋଇଅଛି ଓ କେଉଁଦିଗରେ କିପ୍ରକାର କ୍ଷତିହୋଇଅଛି ତାହା ଆଲୋଚନାକରି ତରୁଣସାହିତ୍ୟକୁ ଉତ୍ତମ ଓ ପ୍ରକୃତ ଦିଗରେ ଚଳାଇବା ଏକାନ୍ତ ପ୍ରୟୋଜନ ।

 

ପ୍ରଥମତଃ ଛନ୍ଦବିଷୟରେ ଆଲୋଚନାକଲେ ଆମ୍ଭେମାନେ ଦେଖୁଁ ଯେ ପୂର୍ବରୁ ଗଦ୍ୟ ଓ ପଦ୍ୟ ସାହିତ୍ୟର ପ୍ରଥାକୁ ତରୁଣ ସାହିତ୍ୟିକମାନେ ଭାଙ୍ଗି ନୂତନ ସାହିତ୍ୟ ରଚନାରେ ପ୍ରବୃତ୍ତ । ଗଦ୍ୟ ସାହିତ୍ୟରେ ପ୍ରାଚୀନ ସାହିତ୍ୟିକମାନେ ସାଧାରଣ କଥିତ ଭାଷାର ବ୍ୟବହାର କରୁଥିଲେ ମାତ୍ର ପଦ୍ୟସାହିତ୍ୟରେ ଛନ୍ଦସ୍ୱର ରାଗରାଗିଣୀ ଓ ଅଳଙ୍କାରବାହୁଲ୍ୟଦ୍ୱାରା ଭାଷାର କମନୀୟତା ସାଧିତ ହେଉଥିଲା ଓ ପଦ୍ୟର ଭାଷା ଅସ୍ୱାଭାବିକ ହେଲେହେଁ ନିଜର ମାଧୁର୍ଯ୍ୟଦ୍ୱାରା ତାହା ସାଧାରଣ ପାଠକମାନଙ୍କୁ ଆକୃଷ୍ଟ କରୁଥିଲା । କିନ୍ତୁ ଅନେକସମୟରେ ଗଦ୍ୟରେ ମଧ୍ୟ ଏହି ପ୍ରକାର ମାଧୁର୍ଯ୍ୟ କେତେକ ପରିମାଣରେ ଉପଲବ୍ଧ ହେଉଥିଲା । ପଦ୍ୟର ମାଧୁର୍ଯ୍ୟ ନାନା ପ୍ରକାର ଚିରାଚରିତ ପ୍ରଥାର ଆବେଷ୍ଟନୀ ଦ୍ୱାରା ବେଷ୍ଟିତ ହୋଇଥିବାରୁ ନଷ୍ଟ ହୋଇପାରେ ଏବଂ ଅତିରିକ୍ତ କମନୀୟତା ବା ମାଧୁର୍ଯ୍ୟଦ୍ୱାରା ତାହାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ନଷ୍ଟହୋଇ ପାଠକର ବିରକ୍ତିକର ହୋଇପାରେ । ଏଣୁ ଗଦ୍ୟ ଓ ପଦ୍ୟ ମଧ୍ୟରେ ନୂତନତ୍ୱର ଆଭାସ ସମସ୍ତେ କାମନା କରନ୍ତି ଏବଂ ଏହି ନୂତନତ୍ୱଦ୍ୱାରା ସାହିତ୍ୟକୁ ସରସ ଓ ଜୀବନ୍ତ କରିବାରେ ସାହିତ୍ୟିକର ଲିଖନ କ୍ଷମତାର ନିଦର୍ଶନ ମିଳେ । ପ୍ରତ୍ୟେକ ସାହିତ୍ୟରେ ସମୟ ବିଶେଷରେ ଏହିପରି ନୂତନଛନ୍ଦ ବା ରଚନାଭଙ୍ଗିର ଆଗମ ହୋଇଅଛି ଓ ପୁରାତନ ଭକ୍ତମାନେ ନୂତନତ୍ୱକୁ ସନ୍ଦେହ ଚକ୍ଷୁରେ ଦେଖି ତାହାର ବିରୋଧାଚରଣର ପ୍ରୟାସ କଲେହେଁ ଲେଖକର ଶକ୍ତିଦ୍ୱାରା ଏହି ନୂତନତ୍ୱ ସାହିତ୍ୟରେ ଅନପ୍ରବିଷ୍ଟହୋଇ ବିଶିଷ୍ଟସ୍ଥାନ ଅଧିକାରକରିପାରେ । ଉତ୍କଳ ସାହିତ୍ୟରେ ଏହିପରି ଏକ ସମୟରେ ଉପେନ୍ଦ୍ରଭଞ୍ଜ ପ୍ରଭୃତିଙ୍କ ଲିଖନ ଭଙ୍ଗି ପରିବର୍ତ୍ତରେ ରାଧାନାଥ ନୂତନ ଛନ୍ଦର ଅବତାରଣା କରିଥିଲେ ଓ ତାଙ୍କର କ୍ଷମତାରୁ ଓ ଦେଶର ପାରିପାର୍ଶ୍ୱିକ ଅବସ୍ଥାରୁ ଭଞ୍ଜକବିତାର ଲିଖନ ପଦ୍ଧତି ଓଡ଼ିଶାରୁ ବର୍ତ୍ତମାନ ଲୁପ୍ତହୋଇ ଯାଇଅଛି । ଏହିପରି ଅମିତ୍ରାକ୍ଷର ଯେତେବେଳେ ଭାଷାରେ ପ୍ରବେଶଲାଭକଲା ତାହା ବିରୁଦ୍ଧରେ ଅନେକ ଲୋକ ଉତ୍ତେଜିତ ହୋଇ ଉଠିଲେହେଁ କ୍ରମେ କ୍ରମେ ଭାଷା ମଧ୍ୟରେ ଏହା ନିଜର ସ୍ଥାନ କରିବାକୁ ସମର୍ଥ ହୋଇଅଛି । ଏହି ସମସ୍ତ କାରଣରୁ ତରୁଣସାହିତ୍ୟରେ ଯେଉଁ ନୂତନ ପ୍ରକାରର ଛନ୍ଦ ସଚରାଚର ଦେଖାଯାଏ ତାହା ପରିତ୍ୟାଗ କରିବା ଆଦୌ ଉଚିତ ନୁହେଁ କାରଣ ଭବିଷ୍ୟତରେ ଭାଷାରେ ଏହାର ପ୍ରଭାବ ଲକ୍ଷିତ ହୋଇପାରେ । ସମାଲୋଚକମାନେ ବର୍ତ୍ତମାନ ଏହିଲେଖାକୁ ଗଦ୍ୟ କବିତା ବା ‘କାବ୍ୟଗଦିତା’ ବୋଲି ବିଦ୍ରୁପ କରିପାରନ୍ତି, ମାତ୍ର କୌଣସି କ୍ଷମତାଶାଳୀ ଲେଖକରଲେଖାଦ୍ୱାରା ଏହିପରି ରଚନା ସାହିତ୍ୟର ଶୀର୍ଷସ୍ଥାନ ଅଧିକାର କରିପାରେ । ବର୍ତ୍ତମାନ ଏହିପରି କୌଣସି କ୍ଷମତାଶାଳୀ ଲେଖକର ଉଦୟହୋଇ ନାହିଁ ଓ ଦେଶର ପାରିପାର୍ଶ୍ୱିକ ଅବସ୍ଥାମଧ୍ୟ ଏପରିଲେଖାର ଅନୁକୂଳ ନୁହେ । ମାତ୍ର ତରୁଣ ସାହିତ୍ୟିକମାନେ ଛନ୍ଦର ବେଷ୍ଟନୀକୁ ଯେପରିଭାବରେ ଅସ୍ୱୀକାର କରୁଅଛନ୍ତି ଏବଂ କୌଣସିପ୍ରକାର ନିୟମ ବା ଛନ୍ଦର କ୍ରମକୁ ଅବହେଳା କରୁଅଛନ୍ତି ସେଥିରେ କୌଣସି ବିଶେଷଲିଖନଭଙ୍ଗି ସୁପ୍ରତିଷ୍ଠିତ ହେବା ଅସମ୍ଭବ । କାରଣ ଯଦି ପ୍ରତ୍ୟେକ ଲେଖକ ପୁରାତନ ପ୍ରତି ଅସହିଷ୍ଣୁଭାବରେ ନୂତନ ରଚନା କରିବାର ପ୍ରୟାସ କରନ୍ତି ତେବେ କୌଣସି ନିୟମର ପ୍ରତିଷ୍ଠା ଓ ଉକ୍ତ ନିୟମର ଅନୁଗତ ଲେଖାର ପ୍ରସାର ସମ୍ଭବହୋଇ ନପାରେ ।

 

ତରୁଣ ସାହିତ୍ୟର ଅନ୍ୟଗୋଟିଏ ଉପାଦାନ ବାସ୍ତବତା । ଲୋକ ସମାଜରେ ଯାହା ପ୍ରତ୍ୟହ ଘଟୁଅଛି ତାହାକୁ ଭିତ୍ତିକରି ତରୁଣମାନେ ନିଜର ସାହିତ୍ୟକୁ ସରସ କରିବାର ପ୍ରୟାସ କରନ୍ତି । ବାସ୍ତବିକ ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟର ଅନ୍ତରାଳରେ ଏତେ ପ୍ରକାରର ଚେଷ୍ଟାଚିନ୍ତା ଓ ଅବସ୍ଥା ବିପର୍ଯ୍ୟୟର ପରିଚୟମିଳେ ଓ ତାହାର ପ୍ରତ୍ୟେକକାର୍ଯ୍ୟ ଏଡ଼େ ବୈଚିତ୍ର୍ୟମୟ ଯେ କୌଣସି କାର୍ଯ୍ୟକୁ ବିଶେଷ ଭାବରେ ପୁଙ୍ଖାନୁପୁଙ୍ଖରୂପେ ଅନୁଶୀଳନକଲେ ଆମ୍ଭେମାନେ ସ୍ୱତଃ ବିସ୍ମିତ ଓ ବିମୁଗ୍ଧହେଉଁ; ଏଣୁ ଏହିସବୁ ବାସ୍ତବ ଦୈନନ୍ଦିନ ଘଟନା ଓ ଭାବରାଜିକୁ ଅବହେଳାକରି ଅବାସ୍ତବ ଅପ୍ରାକୃତ ଓ କଳ୍ପନା ପ୍ରସୂତ ଭାବମାନଙ୍କୁ କାହିଁକି ସାହିତ୍ୟ କ୍ଷେତ୍ରରେ ପ୍ରଶ୍ରୟଦେବୁ ? ସାଧାରଣତଃ ଯାହା ସମାଜରେ ରୁଚି ବୋଲି ପରିଚିତ ତାହା ମନୁଷ୍ୟର ସାଧାରଣ ପ୍ରବୃତ୍ତିର ନିରୋଧକାରୀ; ଅବାସ୍ତବ ଭାବଧାରୀ ଏବଂ ରୁଚିର ପ୍ରତିଷ୍ଠା ଦ୍ୱାରା ମନୁଷ୍ୟ ନିଜର ମନୋଭାବ ଓ କାର୍ଯ୍ୟପ୍ରଚେଷ୍ଟାକୁ ସଂଗୋପନକରି ସାମାଜିକ ଗତାନୁଗତିକ ମତ ପ୍ରତିଷ୍ଠା କରେ । ତରୁଣମାନେ ଗତାନୁଗତିକ ଭାବଧାରା ଓ ରୁଚିର ବିଲୋପ ସାଧନକରି ନିଜର ଅଭିଜ୍ଞତାକୁ ସେହିସ୍ଥାନରେ ଅଧିଷ୍ଠିତକରନ୍ତି ଓ ପୁରାତନ ସାହିତ୍ୟର ଭକ୍ତମାନେ ସୁରୁଚିର ଦ୍ୱାହିଦେଇ ବାସ୍ତବିକତାକୁ ଅସୁନ୍ଦର ଓ କୁରୁଚିପୂର୍ଣ୍ଣ ବୋଲି ସାହିତ୍ୟରୁ ବିତାଡ଼ିତ କରିବାର ପ୍ରୟାସକରନ୍ତି । ସୁରୁଚିର ସୀମାଲଙ୍ଘନକଲେ ବାସ୍ତବିକତା ନିତାନ୍ତ କଦର୍ଯ୍ୟହୁଏ ମାତ୍ର ରୁଚିର ସୀମା କେଉଁଠାରେ ସେ ବିଷୟରେ ମତଦ୍ୱୈଧଥିବା ଆଶ୍ଚର୍ଯ୍ୟ ନୁହେ । ପୂର୍ବେ ସମାଜରେ ଅବାଧ ପ୍ରେମ ପ୍ରଚଳିତ ନ ଥିଲା, ଏଣୁ ପୂର୍ବେ ଏହା ଘୃଣ୍ୟ ହେଉଥିଲେହେଁ ସମାଜରେ ଏହାର ପ୍ରସାର ହେଉଥିବା ସ୍ଥଳେ ଅନେକ କ୍ଷେତ୍ରରେ ଏହା ବିଗର୍ହିତ ବୋଲି ଘୃଣ୍ୟ ହେଉନାହିଁ । ବିଭିନ୍ନ ଯୁଗରେ ବିଭିନ୍ନ କାର୍ଯ୍ୟାବଳୀକୁ ସୁରୁଚିଯୁକ୍ତ ବା କୁରୁଚି ପୂର୍ଣ୍ଣବୋଲି ଲୋକେ ମନେକରନ୍ତି ଏବଂ ତରୁଣ ସାହିତ୍ୟର ବାସ୍ତବିକତାକୁ ଏକାବେଳକେ ଦୁଷ୍ୟ ଓ ରୁଚି ବିଗର୍ହିତ ବୋଲି ଆମ୍ଭେମାନେ କହିନପାରୁ । ରୁଚିର ସୀମାକୁ ତାହା ଅନେକ ସ୍ଥାନରେ ଲଙ୍ଘନକରେ ଏଥିରେ ମଧ୍ୟ ସନ୍ଦେହ ନାହିଁ । ବାସ୍ତବରେ ତରୁଣ ସାହିତ୍ୟିକମାନେ କୌଣସି ସୀମାକୁ ସ୍ୱୀକାର ନକରୁଥିବାସ୍ଥଳେ ତାଙ୍କର ଲେଖାରେ କୁରୁଚି ପୂର୍ଣ୍ଣ ଭାବ ଓ ଭାଷାର ଆବିର୍ଭାବ ଅସମ୍ଭବନୁହେ । ବାସ୍ତବ ଜୀବନ ମଧ୍ୟରେ ଅନେକ ଘଟନା ଘଟେ ଯାହାର ସରସ ବର୍ଣ୍ଣନା ସମ୍ଭବ ନୁହେଁ ଓ ପରିପୂର୍ଣ୍ଣ ଭାବରେ ବର୍ଣ୍ଣନାକଲେ ତାହା ବୀଭତ୍ସ ହୁଏ । ଜୀବନ ଯାପନ ନିମନ୍ତେ ଆମ୍ଭମାନଙ୍କର ସ୍ୱାଭାବିକ ଅନେକ ପ୍ରବୃତ୍ତିଥାଏ ମାତ୍ର ଦୈନନ୍ଦିନ ଜୀବନର ମଳମୂତ୍ରତ୍ୟାଗ ଅତ୍ୟନ୍ତ ବାସ୍ତବ ଓ ପ୍ରାକୃତ ଘଟନା ହେଲେହେଁ ତାହାର ବର୍ଣ୍ଣନା ଯେପରି କେବେହେଁ ସରସ ହୋଇ ନ ପାରେ ସେହିପରି ଅନ୍ୟ କେତେକ ପ୍ରବୃତ୍ତି ଓ ଦୈହିକ ଓ ମାନସିକ କାର୍ଯ୍ୟାବଳୀର ସରସ ଓ ସୁବିସ୍ତାର ବର୍ଣ୍ଣନା ସମ୍ଭବନୁହେଁ । ପୁରାତନ କାବ୍ୟମାନଙ୍କରେ ଶୃଙ୍ଗାର ରସର ଆଧିକ୍ୟ ଥିଲା ଏବଂ କେତେକ ବିଷୟରେ ଆଧୁନିକ ତରୁଣସାହିତ୍ୟ ପୁରାକାଳର ଶୃଙ୍ଗାର ରସର ବର୍ଣ୍ଣନାଠାରୁ ଅଧିକତର ସୁରୁଚିପୂର୍ଣ୍ଣ ହେଲେହେଁ ଅନ୍ୟକେତେକ ବିଷୟରେ ତାହା ପୁରାକାଳର ଆଦିରସଯୁକ୍ତ ବର୍ଣ୍ଣନାକୁ ଅତିକ୍ରମକରୁଅଛି । ସଂସାରରେ ନାନା ବୈଚିତ୍ର୍ୟ ପୂର୍ଣ୍ଣ ଓ ମନୋହର ପଦାର୍ଥମାନ ଥାଉଁ ଥାଉଁ ନଗ୍ନ ସାହିତ୍ୟର ନିତ୍ୟ ପରିକଳ୍ପନା ଅସ୍ୱାଭାବିକ ଅଟେ । ଯେପରି ଗୋଟିଏ ଫୁଲର ବାହ୍ୟ ସୌନ୍ଦର୍ଯ୍ୟକୁ ଉପେକ୍ଷା କରି ନିତ୍ୟ ଫୁଲର ବିଶ୍ଳେଷଣ କରିବାର ଚେଷ୍ଟା ଅସୁନ୍ଦର ସେହିପରି ନିତ୍ୟ ଶୃଙ୍ଗାର ରସର କଳ୍ପନା ଅସ୍ୱାଭାବିକା ବାସ୍ତବିକ ରୁଚିର ସୀମାକେଉଁଠାରେ ତାହା କହିବା କଠିନ ହେଲେହେଁ ଓ ବିଭିନ୍ନ ସମାଜରେ ରୁଚିର ବିଭିନ୍ନ ଅଦର୍ଶଥିଲେହେଁ ସୀମାର ନିର୍ଦ୍ଦେଶ ଯେ ଅଛି ସେଥିରେ ସନ୍ଦେହ ନାହିଁ ଓ ସୀମାର ଅସ୍ତିତ୍ୱକୁ ତରୁଣମାନେ ଏକାନ୍ତ ଅସ୍ୱୀକାର କରୁଥିବାରୁ ଓ କୌଣସି କୌଣସି କ୍ଷେତ୍ରରେ ସୀମାକୁ ଜଘନ୍ୟ ଭାବରେ ଅତିକ୍ରମ କରୁଥିବାରୁ ଏହି ସାହିତ୍ୟକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖନ୍ତି ।

 

ତରୁଣ ସାହିତ୍ୟର ଅଭିବ୍ୟକ୍ତି ଯେଉଁ ଭାଷାରେ ତାହା ମଧ୍ୟ ଅନେକେ ଦୂଷଣୀୟ ବୋଲି ମନେକରନ୍ତି । ଭାଷା ଏତେ ନମନୀୟ, ଓ କ୍ଷମତାଶାଳୀଲେଖକର ରଚନାରେ ଏହା ଏପରି ବିଭିନ୍ନ ଆକାର ଧାରଣ କରିପାରେ ଯେ ତରୁଣ ସାହିତ୍ୟକୁ ଏ ଦିଗରୁ ଆକ୍ରମଣକରିବା ସମୀଚୀନ ନୁହେଁ । ଆଜି ଯାହା ‘ହନୁକରଣ’ ବୋଲି ଦୂଷ୍ୟ କାଲି ତାହା ଭାଷାରେ ସ୍ଥାୟୀ ସ୍ଥାନ ଅଧିକାର କରିପାରେ । ଆଜି ଯାହା ଭାଷାନ୍ତରର ପ୍ରଭାବ ବୋଲି ଲୋକେ ନିଜ ଭାଷାରେ ଗ୍ରହଣ କରିବାକୁ କୁଣ୍ଠିତ ଓ ଅନିଚ୍ଛୁକ କେତେକ ବର୍ଷ ପରେ ତାହା ଭାଷା ମଧ୍ୟରେ ଓତଃପ୍ରୋତ ଭାବେ ଜଡ଼ିତହୋଇ ସାଧାରଣ ଭାଷାର ଅଙ୍ଗୀଭୂତ ହୋଇପାରେ । ଅନ୍ୟ ଭାଷାର ସାହାଯ୍ୟ ନନେବା ବା ଅନ୍ୟ ଭାଷାର ଭାବ ଗ୍ରହଣ ନକରିବା ସବୁ ସମୟରେ ସହଜ ସାଧ୍ୟ ନୁହେଁ । ବିଦେଶୀ ପଦର ବ୍ୟବହାରକୁ ଭାଷାରେ ସ୍ଥାନ ନଦେବା, ଯାହାକିଛି ପୁରାତନ ଓ ବହୁକାଳରୁ ବ୍ୟବହୃତ, ତାହାହିଁ ସୁନ୍ଦର ନୂତନ ଶବ୍ଦ ବା ଭାଷା ସବୁସମୟରେ ଦୂଷ୍ୟ ଏହିପରି ମନୋଭାବ ଦ୍ୱାରା ଭାଷାର ପୁଷ୍ଟି ନ ହୋଇ ବରଂ ଭାଷା ପଙ୍ଗୁହୋଇ ଉଠେ । ଆଧୁନିକ ଯୁଗରେ ଫୁଟବଲକୁ ଚର୍ମ୍ନ କନ୍ଦୁକ ବା ପଦବର୍ତ୍ତୁଳ ବୋଲିବା ଯେପରି ଅସ୍ୱାଭାବିକ ସେହିପରି କେବଳ ପୁରାତନ ଭାଷାଦ୍ୱାରା ନୂତନ ଭାବର ପ୍ରକାଶ ହାସ୍ୟକର ହୁଏ । ତରୁଣ ଲେଖକମାନେ ଭାଷାର ନିଗଡ଼କୁ ଅସ୍ୱୀକାର କରି ଭାଷାନ୍ତରରୁ ଶବ୍ଦ ବା ଲିଖନ ଭଙ୍ଗି ଆଣି ନିଜ ଭାଷାକୁ ସମୃଦ୍ଧ କରିବାକୁ ଇଚ୍ଛା କରନ୍ତି । ଏହି ଅନୁକରଣର ପ୍ରୟୋଜନ ଅଛି କି ନାହିଁ ଓ ଶବ୍ଦ ଚୟନ ଦ୍ୱାରା ଭାଷା ସମୃଦ୍ଧ ହୋଇଅଛି କି ନାହିଁ ଏସବୁ ବିଚାର କରାଯାଇପାରେ, ମାତ୍ର କୌଣସି ଲେଖକ ନିଜର ଭାବ ବ୍ୟକ୍ତ କରିବା ନିମନ୍ତେ ଯଥାଯଥ ଶବ୍ଦ ନ ପାଇ ଭାଷାନ୍ତରର ଶବ୍ଦ ବ୍ୟବହାର କଲେ କିମ୍ୱା ସମାଜରେ ପ୍ରଚଳିତ ଓ ବହୁଳ ବ୍ୟବହୃତ ଭାଷାନ୍ତରର ଶବ୍ଦ ବ୍ୟବହାର କରିବାରେ କୁଣ୍ଠିତ ନ ହେଲେ ଏହି କାରଣ ଯୋଗୁ ତାହାର ଲେଖା ଦୂଷଣୀୟ ହୋଇ ନ ପାରେ । ଲେଖକର ଯଦି ବାସ୍ତବିକ କ୍ଷମତା ଥାଏ ତେବେ ତାହାର ଭାଷା ନିଜର ପ୍ରଭାବ ବିସ୍ତାର କରି ଅନ୍ୟ ଲେଖକକୁ ସେ ଦିଗରେ ପ୍ରବର୍ତ୍ତାଏ, ତା ନ ହେଲେ ତା’ର ବ୍ୟବହୃତ ଭାଷା କ୍ରମଶଃ ବିସ୍ମୃତିର ଗର୍ଭରେ ବିଲୀନ ହୋଇଯାଏ । ଭାଷାର ବ୍ୟବହାର ଓ ଅଭିବୃଦ୍ଧି ଅନେକ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ-। ଯେପରି ଖାଇବାରେ କିମ୍ୱା ପୋଷାକ ପିନ୍ଧିବାରେ ଅହରହଃ ନାନାପ୍ରକାର ରୀତି ଦେଖାଯାଏ ଓ ସେହି ରୀତିମାନଙ୍କ ମଧ୍ୟରୁ କେତୋଟି ମାତ୍ର ସଚଳ ରହି ଅବଶିଷ୍ଟଗୁଡ଼ିକ ଅଚଳ ଓ ଲୁପ୍ତ ହୋଇଯାଏ ସେହିପରି ଭାଷା ରାଜ୍ୟରେ ମଧ୍ୟ ନାନାପ୍ରକାର ବ୍ୟବହାର ବ୍ୟତିକ୍ରମ ଦେଖାଯାଇ ସେହି ବ୍ୟତିକ୍ରମମାନଙ୍କ ମଧ୍ୟରୁ ଅନେକଗୁଡ଼ିଏ ଲୁପ୍ତ ହୋଇ କେତେଗୁଡ଼ିଏ ପ୍ରଚଳିତ ହୁଏ । ପ୍ରାଚୀନ ଯୁଗର ଜୀବନ ଯାତ୍ରା ପ୍ରଣାଳୀକୁ ଯେପରି ବର୍ତ୍ତମାନ ଫେରାଇ ଆଣିବା ସମ୍ଭବ ନୁହେଁ, ପ୍ରତ୍ୟେକ ବର୍ଷ ନୂତନ ନୂତନ ପ୍ରକାରର ପୋଷାକ ବ୍ୟବହାର କରିବା ଯେପରି ଆମ୍ଭମାନଙ୍କର ପ୍ରୟୋଜନ ହୁଏ ଓ ପ୍ରଚଳିତ ରୀତି ନୀତିମାନଙ୍କରେ ଯେପରି ଅବିରାମ ପରିବତ୍ତନ ଘଟେ, ସେହିପରି ପୁରାତନ ଭାଷା ପରିବର୍ତ୍ତିତ ହୋଇ ଜୀବନ୍ତ ସାହିତ୍ୟରେ ନୂତନ ଶବ୍ଦ ଓ ଲିଖନ ଭଙ୍ଗି ନିତ୍ୟ ଆବିର୍ଭିୂତ ହୁଏ । ଲିଖନ ଭଙ୍ଗୀ ବିଷୟରେ ସାହିତ୍ୟିକ ପାରିପାର୍ଶ୍ୱିକ ଆବେଷ୍ଟନୀ ଦ୍ୱାରା ପରିଚାଳିତ । କେବଳ ସାହିତ୍ୟିକ ମୁରବି ମାନଙ୍କର ବିଦ୍ରୂପ ବା ପୁରାତନ ବାଦୀଙ୍କର ଆସ୍ଫାଳନ ତାକୁ ସୀମାବଦ୍ଧ କରି ନ ପାରେ । ଏହିପରି ପାରିପାର୍ଶ୍ୱିକ ଅବସ୍ଥାରୁ ଇଂରାଜି ଭାଷାର ନାନାବିଧ ଉନ୍ନତି ହୋଇଅଛି ଓ ନାନା ଭାଷାରୁ ନାନା ଶବ୍ଦ ନିଆଯାଇ ଆଜି ମଧ୍ୟ ତାହାକୁ ପୁଷ୍ଟ କରାଯାଉଅଛି ଓ ନାନାପ୍ରକାରେ ଏହାର ବିବର୍ତ୍ତନ ସାଧିତ ହେଉଅଛି । ଏହି ପୁଷ୍ଟି ଓ ବିବର୍ତ୍ତନ ଭାଷାର ଜୀବନର ଲକ୍ଷଣ । ସହସ୍ର ସହସ୍ର ନୂତନ ଶବ୍ଦର ବ୍ୟବହାର କରାଯାଏ ମାତ୍ର ସେଥି ମଧ୍ୟରୁ କେତୋଟି ସ୍ଥାୟୀସ୍ଥାନ ଲାଭ କରିପାରେ । ଠିକ୍‍ କେଉଁ ଶବ୍ଦ ଆମ୍ଭମାନଙ୍କର ପ୍ରୟୋଜନ ଓ କେଉଁ ଶବ୍ଦର ବ୍ୟବହାର ସ୍ଥାୟୀ ହେବ ତାହା କେହି କହି ନ ପାରେ ଓ ସାହିତ୍ୟ କ୍ଷେତ୍ରରେ ଏପରି ପରୀକ୍ଷା ଦୂଷଣୀୟ ନୁହେଁ । ଅବଶ୍ୟ କେବଳ ନୂତନ ଶବ୍ଦ ବ୍ୟବହାରର ମୋହ କିମ୍ୱା ବିଚାର ଶୂନ୍ୟ ଭାବରେ ନୂତନ ଶବ୍ଦର ଅପବ୍ୟବହାର ନିନ୍ଦନୀୟ ଓ ଲେଖକରୁ ସୀମାଜ୍ଞାନ ଉପରେ ସାହିତ୍ୟର ଏ ପ୍ରକାର ବିବର୍ତ୍ତନର ସାଫଲ୍ୟ ନିର୍ଭର କରେ । ଅତ୍ୟୁତ୍କଟ ନୂତନ ଭାଷା ଯେପରି ବୀଭତ୍ସ, କେବଳ ପୁରାତନ ଭାଷାର ବ୍ୟବହାର ମଧ୍ୟ ସେହିପରି ଉନ୍ନତିର ପରିପନ୍ଥୀ । ପୁରାତନ ଲୁଗା ଥିଲେ ମଧ୍ୟ ଯେପରି ଲୋକେ ନୂତନ ଲୁଗା କିଣନ୍ତି ସେହିପରି ପୁରାତନ ଶବ୍ଦ ଥିଲେ ମଧ୍ୟ ଭାଷାରେ ନୂତନ ଶବ୍ଦର ବ୍ୟବହାର କରାଯାଇପାରେ । ହଠାତ୍‍ ଗାଉଁଳି ଲୋକକୁ କୋଟ୍‍ ପ୍ୟାଣ୍ଟଲୁନ୍‍ ପିନ୍ଧାଇ ଦେଲେ ସେ ଯେପରି ବାସ୍ତବିକ୍‍ ସେଥିରେ ଅସୁସ୍ଥ ବୋଧ କରେ ଓ ଅନ୍ୟର ହାସ୍ୟାସ୍ପଦ ହୁଏ ସେହିପରି ଏକ ଭାଷାକୁ ଜୋର କରି ଅନ୍ୟ ଭାଷାର ଆବରଣୀ ମଧ୍ୟରେ ଆଡ଼ଷ୍ଟ ଭାବରେ ପ୍ରକାଶ କଲେ ଭାଷାର ମାଧୁର୍ଯ୍ୟ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଏ ଏହା ସତ୍ୟ ମାତ୍ର ନୂତନତ୍ୱକୁ ଏକାବେଳକେ ପରିହାର କରିବା ମଧ୍ୟ ଅସମ୍ଭବ । ତରୁଣ ସାହିତ୍ୟିକମାନେ ଯେପରି ଭାଷାର ବ୍ୟବହାର କରୁଅଛନ୍ତି ସେଥିରେ ଭାଷାର ଶ୍ରୀବୃଦ୍ଧି କେତେକ ପରିମାଣରେ ସାଧିତ ହେଉଅଛି ମାତ୍ର ଭାଷାର ବ୍ୟବହାର ଗତ ଆଚାର ଆବେଷ୍ଟନୀ ମଧ୍ୟରେ ରହିବାକୁ ଅନିଚ୍ଛୁକ ହୋଇ ସେମାନେ ଅନେକ ସମୟରେ ଭାଷାର ବ୍ୟବହାରରେ ଶୈଥିଲ୍ୟ ଓ ଅନାଚାର ପ୍ରକାଶ କରନ୍ତି । ଅନେକ ସମୟରେ ଯେଉଁ ନୂତନ ଭାବ ବା ଭାଷାକୁ ସେମାନେ ସାହିତ୍ୟରେ ଅନୁପ୍ରବିଷ୍ଟ କରୁଅଛନ୍ତି ସେଥିନିମନ୍ତେ ସାହିତ୍ୟ ସେମାନଙ୍କ ନିକଟରେ ଋଣୀ ଏବଂ ଅନେକ ସମୟରେ ସେମାନଙ୍କର କଳ୍ପନା ଏତେଦୂର ବିସ୍ତୃତ ହୁଏ ଯେ ସାଧାରଣ ସାହିତ୍ୟରେ ବ୍ୟବହୃତ ଭାଷା ସେମାନଙ୍କର ଭାବକୁ ପ୍ରକାଶ କରିବାକୁ ଅକ୍ଷମ ହୁଏ । ଏଣୁ ନୂତନ ଶବ୍ଦର ବ୍ୟବହାର ଆବଶ୍ୟମ୍ଭାବୀ ହୋଇ ଉଠେ । ଯଦି ସାହିତ୍ୟକୁ ଅନାଚାର ଦ୍ୱାରା ବିକୃତ କରିବାର ଚେଷ୍ଟା ସେମାନଙ୍କର ନ ଥାଏ ତେବେ ତରୁଣ ସାହିତ୍ୟ ଦ୍ୱାରା ପ୍ରବର୍ତ୍ତିତ ଅନେକ ଶବ୍ଦ ବା ଲେଖାଭଙ୍ଗି ଭାଷାରେ ଚିରସ୍ଥାୟୀ ସ୍ଥାନ ଲାଭ କରି ଭାଷାର ଶ୍ରୀବୃଦ୍ଧି ସାଧନ କରିବ ।

 

ତରୁଣ ସାହିତ୍ୟର ବିଶେଷ ଅଭିବ୍ୟକ୍ତି ପ୍ରେମରେ । ପ୍ରେମକୁ ସେମାନେ ତରୁଣର ବିଶେଷ ଧର୍ମ୍ମ ବୋଲି ଗ୍ରହଣ କରି ଏହାର ଉଦ୍ଦାମ ବିକାଶରେ ସେମାନେ ନିଜର ସମସ୍ତ ଶକ୍ତିକୁ ନିୟୋଜିତ କରନ୍ତି । ମାତ୍ର ଏଥିରେ ମଧ୍ୟ ସେମାନଙ୍କର ଏକଦେଶ ଦର୍ଶିତା ସ୍ପଷ୍ଟ ପ୍ରକାଶ ପାଏ । ମନୁଷ୍ୟର ନାନାମୁଖୀ ପ୍ରତିଭା ଅଛି । ନାନାପ୍ରକାର କାର୍ଯ୍ୟରେ ନିଜକୁ ନିଯୁକ୍ତ କରି ମନୁଷ୍ୟ ସମାଜର ବା ଦେଶର ଉପକାର କରିପାରେ, ପ୍ରକୃତି ବା ପରମେଶ୍ୱରଙ୍କ ସହିତ ନିଜର ସମ୍ୱନ୍ଧ ଅନୁଭବ କରି ବିଶ୍ୱ ଜଗତ୍‍ ମଧ୍ୟରେ ନିଜର ପ୍ରତିଷ୍ଠା କରି ନିଜର ପ୍ରାଣରେ ବିଶ୍ୱର ପ୍ରାଣର ସ୍ପନ୍ଦନ ଅନୁଭବ କରି ଧନ୍ୟ ହୋଇପାରେ । ଏ ସମସ୍ତ ମହତ୍‍ ଉଦ୍ଦେଶ୍ୟ ଭୁଲିଯାଇ କେବଳ ଦୈହିକ ପ୍ରେମର ବିକାଶ ଓ ବର୍ଣ୍ଣନାରେ ନିଜର ସମସ୍ତ ଶକ୍ତି ବ୍ୟୟିତ କରିବା ପ୍ରତିଭାର ଅପବ୍ୟବହାର ମାତ୍ର-। ପ୍ରେମର ଗୋଟିଏ ସର୍ବଗ୍ରାସୀ ଶକ୍ତି ଅଛି ସତ୍ୟ ମାତ୍ର ତାହାଦ୍ୱାରା ଜୀବନକୁ ସର୍ବଦା ନିୟନ୍ତ୍ରିତ ବା ପରିଚାଳିତ କରାଯାଇ ନ ପାରେ ଏବଂ ତାରୁଣ୍ୟ ମନୁଷ୍ୟ ଜୀବନର ଏକମାତ୍ର ଚିରନ୍ତନ ସତ୍ୟ ବା ଅବସ୍ଥା ବୋଲି ଧାରଣା କରାଯାଇ ନ ପାରେ । ଶୈଶବ ପ୍ରୌଢ଼ାବସ୍ଥା ବାର୍ଦ୍ଧକ୍ୟ ପ୍ରଭୃତି ମଧ୍ୟ ମନୁଷ୍ୟ ଜୀବନରେ ଧର୍ମ୍ମ ଓ ତାରୁଣ୍ୟରେ ଯେଉଁ ଭୋଗ ପ୍ରବୃତ୍ତି ଉଦ୍ଦାମ ଭାବରେ ଆତ୍ମ ପ୍ରକାଶ କରେ ତାହା ନାନା ଭାବରେ ମନୁଷ୍ୟ ଜୀବନରେ ଜାତ ହୋଇ ବିକାଶ ଓ ବିଲୟ ପ୍ରାପ୍ତ ହୁଏ; ଏଣୁ କୌଣସି ଗୋଟିଏ ପ୍ରବୃତ୍ତିକୁ ଚିରନ୍ତନ ସତ୍ୟ ରୂପେ କଳ୍ପନା କରି ସେଥିରେ ପରିପୂର୍ଣ୍ଣ ଭାବରେ ନିଜକୁ ନିଯୁକ୍ତ କରିବା ସମୀଚୀନ ନୁହେଁ । ଯଦି ତରୁଣ ସାହିତ୍ୟ କ୍ରମଶଃ ଏହି ତରଳ ସଂକୀର୍ଣ୍ଣ ଭାବମାନଙ୍କୁ ତ୍ୟାଗ କରି ଉଚ୍ଚତର ଭାବରାଜ୍ୟରେ ବିଚରଣ କରିବାର ପ୍ରୟାସ କରେ, ତରୁଣ ଯଦି ନିଜର ସଦା ସ୍ନିଗ୍ଧ ହାସ୍ୟୋଜ୍ଜ୍ୱଳ ମନୋଭାବଦ୍ୱାରା ଓ ସ୍ୱାଭାବିକ ଆନନ୍ଦ ଗ୍ରହଣ ପ୍ରବୃତ୍ତି ଦ୍ୱାରା ଦୁଃଖଜରାକ୍ଳିଷ୍ଟ ଲୋକମାନଙ୍କୁ ଜୀବନ୍ତ ସତ୍ୟ ଦ୍ୱାରା ଅନୁପ୍ରାଣିତ କରି ସେମାନଙ୍କୁ ସାନ୍ତ୍ୱନା ଦେବାକୁ ସକ୍ଷମ ହୁଏ ଓ ମୃତ୍ୟୁର ବିଭୀଷିକାମୟ ଆବରଣ ଉନ୍ମୋଚନ କରି ଲୋକମାନଙ୍କ ମଧ୍ୟରେ ଆନନ୍ଦ କଣା ବିକୀରଣ କରିବାରେ ସମର୍ଥ ହୋଇପାରେ ତେବେ ତରୁଣ ସାହିତ୍ୟ ନିଜର ଅସ୍ତିତ୍ୱ ଦ୍ୱାରା ଲୋକମାନଙ୍କୁ ଏକ ନୂତନ ଐକ୍ୟ ଓ ନୂତନ ସତ୍ୟର ସନ୍ଧାନ ଦେଇ ପାରିବ । ତରୁଣ ସାହିତ୍ୟର ଏ ଦିଗରେ ପ୍ରସାର ହେଲେ ସାହିତ୍ୟର ଭାବ ରାଜ୍ୟରେ ଏକ ନୂତନ ସଂସାର ସୃଷ୍ଟ ହୋଇ ସଂସାରରେ ନୂତନ ଆନନ୍ଦମୟ ରାଜ୍ୟର ପ୍ରତିଷ୍ଠା ସମ୍ଭବ ହୋଇପାରେ । ମାତ୍ର ଉଚ୍ଚତର ଭାବ ରାଜ୍ୟର ରସଧାରାକୁ ଉପେକ୍ଷା କରି ପୂତିଗନ୍ଧମୟ ପଙ୍କିଳ ଜଳ ଦ୍ୱାରା ନିଜର ସବୁଜତ୍ୱକୁ ସଜୀବ ରଖିବାକୁ ଚେଷ୍ଟା କଲେ ତାହା କେବେହେଁ ଆନନ୍ଦକର ହୋଇ ନ ପାରେ ।

Image

 

ସାହିତ୍ୟର ସୌନ୍ଦର୍ଯ୍ୟ ତତ୍ତ୍ୱ

 

କଳାବିଦ୍ୟା ଯେ ଆମ୍ଭମାନଙ୍କର ଏତେଦୂର ପ୍ରିୟ, ତାହାର କାରଣ ତାହାଦ୍ୱାରା ଆମ୍ଭମାନଙ୍କର ସୌନ୍ଦର୍ଯ୍ୟ ପିପାସା ନିବାରିତ ହୁଏ । ବାହ୍ୟ ଜଗତ୍‍ ସହିତ ଆମ୍ଭମାନଙ୍କର ଯେଉଁ ସମ୍ୱନ୍ଧ, ତାହା କେବଳ ବୁଦ୍ଧି ବା ଜ୍ଞାନର ସାପେକ୍ଷ ନୁହେ, ଆମ୍ଭମାନଙ୍କର ହୃଦୟ ବୋଲି ଗୋଟିଏ ପଦାର୍ଥ ଅଛି ଓ ଏହି ହୃଦୟ ସର୍ବଦା ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ । କର୍ମୀ ଯେଉଁ କର୍ମମୟ ଜୀବନ ଅତିବାହିତ କରେ, ନିଜର ହୃଦୟ ବୃତ୍ତିକୁ ସଂଯତ କରି ସେ ଯେପରି ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ଯତ୍ନବାନ୍ ହୁଏ, ସେଥିରେ ତାହାର ଆନନ୍ଦ ଅଛି, ନିଜ କାର୍ଯ୍ୟର ସାଫଲ୍ୟ ଦେଖି ତାହାର ମନରେ ଉଦ୍ଦାମ ହର୍ଷାବେଗ ହେବା ସମ୍ଭବ, ମାତ୍ର ପୃଥିବୀରେ ଯାହା ବାସ୍ତବରେ ସ୍ନିଗ୍ଧ ଶାନ୍ତ ବା ସୁନ୍ଦର, ଜଗତରେ ଯାହା ପ୍ରକୃତରେ ନିରାଲମ୍ୱ ଭାବରେ ଆନନ୍ଦର ଆକାର, ତାହା କେବଳ ହୃଦୟ ଦ୍ୱାରା ଅନୁଭୂତ ହୋଇପାରେ । ଚିତ୍ରକର ନିଜର ତୁଳିକା ଦ୍ୱାରା ବର୍ଣ୍ଣରାଜିର ସମନ୍ୱୟରେ ଯେଉଁ ସୌନ୍ଦର୍ଯ୍ୟର ପ୍ରତିଷ୍ଠା କରେ, ଗାୟକ ନିଜର କଣ୍ଠସ୍ୱରର ସମ୍ୟକ୍‍ ଚାଳନା ଦ୍ୱାରା ଯେଉଁ ଆନନ୍ଦମୟ ସଙ୍ଗୀତର ସୃଷ୍ଟି କରେ, ମୂର୍ତ୍ତିଗଠନକାରୀ ପାଷାଣ ଉପରେ ନିଜର ବିଚିତ୍ର କଳ୍ପନାକୁ ଯେପରି ଭାବରେ ପରିଷ୍ଫୁଟ କରି ଦେଖାଏ, ସେଗୁଡ଼ିକର ସମ୍ୟକ୍‍ ଆସ୍ୱାଦନ ବିଶ୍ଳେଷଣ ଦ୍ୱାରା କିୟତ୍‍ ପରିମାଣରେ ସମ୍ଭବ ହେଲେହେଁ, ହୃଦୟ ବୃତ୍ତିର ସାହାଯ୍ୟ ବିନା ସେହି ମାଧୁରୀ କେବେହେଁ ସମ୍ୟକ୍‍ ଉପଲବ୍ଧ ହୋଇ ନ ପାରେ । ଗାୟକର ସଙ୍ଗୀତ ଯେତେବେଳେ ଆମ୍ଭମାନଙ୍କ ଅନ୍ତରକୁ ସ୍ପର୍ଶ କରେ, ତାହାର ସୌନ୍ଦର୍ଯ୍ୟ ଯେତେବେଳେ ଆମ୍ଭମାନଙ୍କର ଆତ୍ମବିସ୍ମୃତି ଘଟାଏ, ତାହାର ରୂପକୁ ଭୁଲିଯାଇ ଯେତେବେଳେ ଆମ୍ଭେମାନେ ହୃଦୟର ସ୍ପନ୍ଦନ ଦ୍ୱାରା ତାହାକୁ ଅନୁଭବ କରୁଁ, ତେତେବେଳେ ସଙ୍ଗୀତର ପ୍ରକୃତ ସୌନ୍ଦର୍ଯ୍ୟ ଆମ୍ଭମାନଙ୍କର ହୃଦୟଙ୍ଗମ ହୁଏ । କଳା ବିଦ୍ୟାର ଲକ୍ଷ୍ୟ ମନୁଷ୍ୟର ହୃଦୟ ସହିତ କଥାବାର୍ତ୍ତା କରିବା; କବି ଗାୟକ ଚିତ୍ରକର ସମସ୍ତେ କଳାବିଦ୍ୟା ମଧ୍ୟ ଦେଇ ନିଜର ହୃଦୟକୁ ଦର୍ଶକ ବା ଶ୍ରୋତାର ହୃଦୟ ସହିତ ପରିଚିତ କରାନ୍ତି । କଳାବିଦ୍ୟା ହୃଦୟର ଭାଷା ଏବଂ ତାହାର ସୌନ୍ଦର୍ଯ୍ୟ ଅନେକାଂଶରେ ହୃଦୟଦ୍ୱାରା ଗ୍ରାହ୍ୟ ।

 

ବାସ୍ତବରେ ସୌନ୍ଦର୍ଯ୍ୟର ଅନୁଭୂତି ଦୁଇପ୍ରକାରେ ସମ୍ଭବ ହୋଇପାରେ । ପ୍ରଥମ ବୁଦ୍ଧି ଦ୍ୱାରା, ଦ୍ୱିତୀୟ ହୃଦୟ ଦ୍ୱାରା । ଯେଉଁ ସୌନ୍ଦର୍ଯ୍ୟ ବୁଦ୍ଧିଗ୍ରାହ୍ୟ, ତାହାର କାରଣ ନିର୍ଦ୍ଦେଶ କରାଯାଇପାରେ, ତାହାର ସୌନ୍ଦର୍ଯ୍ୟ ବିଷୟରେ ତର୍କ ବିତର୍କ ହୋଇପାରେ, ସେ ସୌନ୍ଦର୍ଯ୍ୟ କେଉଁଠାରେ ନିହିତ, ତାହା ଅପରକୁ ସମ୍ୟକ୍‍ ବୁଝାଇ ଦିଆଯାଇ ପାରେ । ଗୋଟିଏ ଗୋଲାପ ଫୁଲ ପ୍ରସ୍ଫୁଟିତ ହୋଇଅଛି । ଗୋଲାପର ପାଖୁଡ଼ାଗୁଡ଼ିକର ସମନ୍ୱୟ, ତାହାର ବର୍ଣ୍ଣ ବୈଚିତ୍ର୍ୟ, ନିର୍ମାଣ କୌଶଳ ଓ ଗଠନ ସୌଷ୍ଠବ ପ୍ରଭୃତି ଯାହା କିଛି ତାହାର ସୌନ୍ଦର୍ଯ୍ୟର ସମ୍ୟକ୍‍ ବିକାଶରେ ସାହାଯ୍ୟ କରେ, ସେ ସମସ୍ତ ବୁଦ୍ଧିଗ୍ରାହ୍ୟ ସୌନ୍ଦର୍ଯ୍ୟ । କିନ୍ତୁ ଗୋଟିଏ ଗୋଲାପ ଫୁଲ ଫୁଟିବାର ଦେଖି ଆମ୍ଭମାନଙ୍କ ମନରେ ସ୍ୱତଃ ଯେଉଁ ଅନିର୍ବଚନୀୟ ଆନନ୍ଦ ଜାତ ହୁଏ, ତାହା ଗୋଲାପର ହୃଦୟଗ୍ରାହ୍ୟ ସୌନ୍ଦର୍ଯ୍ୟରୁ ଉଦ୍ଭୂତ, ସେଥି ସଙ୍ଗେ ଆମ୍ଭମାନଙ୍କ ବୁଦ୍ଧି ବୃତ୍ତିର ସମ୍ପର୍କ ନାହିଁ ଓ ତାହାକୁ ବିଜ୍ଞାନର ସାହାଯ୍ୟ ଦ୍ୱାରା ବିଶ୍ଳେଷଣ କରିବା ମଧ୍ୟ ଅସମ୍ଭବ ।

 

ସାହିତ୍ୟରେ ଏହି ଉଭୟବିଧ ସୌନ୍ଦର୍ଯ୍ୟ ବର୍ତ୍ତମାନ । ଉପନ୍ୟାସରେ କଥା ବସ୍ତୁଟିର ସମ୍ୟକ୍‍ ଗଠନ, ନାଟକରେ ଚରିତ୍ରାବଳୀର ସମ୍ୟକ୍‍ ଉନ୍ମେଷ ସାଧନ, କବିତା ମଧ୍ୟରେ ଲଳିତ ପଦରାଜିର ମଧୁର ବିନ୍ୟାସ, ଏ ସମୁଦାୟ ସାହିତ୍ୟର ବୁଦ୍ଧିଗ୍ରାହ୍ୟ ସୌନ୍ଦର୍ଯ୍ୟର ଅନ୍ତର୍ଗତ । କବିଙ୍କ ମନରେ ଯେଉଁ ଭାବ ଜାତ ହୋଇଅଛି, ତାହାକୁ ସେ ସ୍ଫୁଟ ଭାବରେ, ସୁନ୍ଦର ଭାବରେ ଓ ଅପରର ମନୋଜ୍ଞ ଭାବରେ ପ୍ରକାଶ କରିବା ନିମିତ୍ତ ଯେଉଁ ସବୁ କଳା ଚାତୁର୍ଯ୍ୟର ସାହାଯ୍ୟ ଗ୍ରହଣ କରନ୍ତି, ସେ ସମୁଦାୟକୁ ବିଶ୍ଳେଷଣ କରିବା ସମ୍ଭବ ଓ ସେଗୁଡ଼ିକ ସାହିତ୍ୟର ବାହ୍ୟ ବା ବୁଦ୍ଧିଗ୍ରାହ୍ୟ ସୌନ୍ଦର୍ଯ୍ୟ । କିନ୍ତୁ ଶିଳ୍ପୀ ନିଜ ହୃଦୟର ଯେଉଁ ଆବେଗକୁ ଶିଳ୍ପ ମଧ୍ୟରେ ମୂର୍ତ୍ତି ଦେବାକୁ ଚେଷ୍ଟା କରେ, ଅମୂର୍ତ୍ତ ଯେଉଁ ଭାବକୁ ସେ ଜଗତ୍‍ ସମକ୍ଷରେ ଉପସ୍ଥାପିତ କରିବାକୁ ପ୍ରୟାସୀ ହୁଏ, ନିଜର ହୃଦୟ ସହିତ ବିଶ୍ୱଜଗତର ହୃଦୟର ଯେଉଁ ସମ୍ୱନ୍ଧ ସଂସ୍ଥାପନରେ ବ୍ରତୀ ହୁଏ, ତାହାର ସାର୍ଥକତା କଣ କେବଳ ପ୍ରକାଶରେ ? ଗାୟକ ଯେତେବେଳେ ଉନ୍ମତ୍ତ ହୋଇ ନିଜର ଗାନ ମଧ୍ୟରେ ଆତ୍ମବିସ୍ମୃତ ହୁଏ, ତେତେବେଳେ ସେହି ଗାନର ସାର୍ଥକତା କଣ କେବଳ ଗାନର କଥା ବସ୍ତୁରେ ? କବି ଯେତେବେଳେ ନୂତନ ଭାବର ମୋହରେ ଆବିଷ୍ଟ ହୋଇ ନୂତନ ଆନନ୍ଦ ସୃଷ୍ଟି କରିବାରେ ବ୍ରତୀ ହୁଏ, ତେତେବେଳେ ତାହାର କବିତାର ସୌନ୍ଦର୍ଯ୍ୟ କଣ କେବଳ ଶବ୍ଦ ବିନ୍ୟାସରେ ? ବାସ୍ତବରେ ସାହିତ୍ୟର ଏହି ଯେ ସୌନ୍ଦର୍ଯ୍ୟ, କବିର ଆବେଗ ମଧ୍ୟରେ ଏହି ଯେ ଆନନ୍ଦ, ପ୍ରାଣର ସ୍ପନ୍ଦନର ଆଧିକ୍ୟରେ ଓ ଅନୁଭୂତିର ଆତିଶଯ୍ୟରେ ଲେଖକର ଏହି ଯେ ଆତ୍ମବିସ୍ମୃତ ମହାଭାବ, ତାହାହିଁ ସାହିତ୍ୟର ହୃଦୟ ଗ୍ରାହ୍ୟ ସୌନ୍ଦର୍ଯ୍ୟ ଏବଂ ଯେଉଁ ସାହିତ୍ୟ ମଧ୍ୟରେ ଏହି ପ୍ରକାର ସୌନ୍ଦର୍ଯ୍ୟ ଯେତେ ଅଧିକ ଭାବରେ ଦେଖାଯାଏ ସେ ସାହିତ୍ୟ ତେତେ ଉଚ୍ଚ ।

 

ସାହିତ୍ୟର ବୁଦ୍ଧିଗ୍ରାହ୍ୟ ସୌନ୍ଦର୍ଯ୍ୟର ଉପାଦାନ ଚିନ୍ତା, ତାହାର ହୃଦୟଗ୍ରାହ୍ୟ ସୌନ୍ଦର୍ଯ୍ୟର ଉପାଦାନ କଳ୍ପନା । ପ୍ରଥମଟିରେ ଆମ୍ଭେମାନେ ଚାହୁଁ ନିୟମ, ଭାଷାର ସଂଯମ, ଭାବର ସୁସମ୍ୱନ୍ଧ ସ୍ଫୁରଣ, ରଚନାର ପାରିପାଟ୍ୟ, ଘଟନାର କ୍ରମବିକାଶ ପ୍ରଭୃତି । କିନ୍ତୁ ଦ୍ୱିତୀୟଟିରେ ଆମ୍ଭେମାନେ ଚାହୁଁ ବୈଚିତ୍ର୍ୟ, ଆବେଗର ନୂତନତ୍ୱ, ଘଟନା- ସମାବେଶରେ ସାହସ ଓ ପୁରାତନ ମାର୍ଗ ଛାଡ଼ି ଉପରକୁ ଉଠିବାର ପ୍ରୟାସ । କବିର ଲେଖା ମଧ୍ୟରେ ତାହାର ଆବେଗର ଛାୟା ପୂର୍ଣ୍ଣଭାବରେ ବର୍ତ୍ତମାନ । କବିର ଏହି ଯେ ଆବେଗ, ସଂସାର ସମ୍ମୁଖରେ ଛିଡ଼ା ହୋଇ କବି ହୃଦୟରେ ଯେଉଁ ତରଙ୍ଗ ଅହରହଃ ଜାତ ହେଉଅଛି, ତାହା ଯେତେ ସ୍ପଷ୍ଟ ହେବ, ତାହାର ବେଗ ଯେତେ ଉଦ୍ଦାମ ହେବ, ତାହାର ଶକ୍ତି ଯେତେ ମହତ୍‍ ହେବ ତାହା ତେତେ ଅନ୍ୟ ଲୋକକୁ ଆକର୍ଷଣ କରିବାକୁ ସମର୍ଥ ହେବ । ଏଣୁ ସ୍ପଷ୍ଟ ଦେଖାଯାଉଅଛି ଯେ, ସାହିତ୍ୟର ସୌନ୍ଦର୍ଯ୍ୟ ଦୁଇଗୋଟି ବିଭିନ୍ନ ଓ ପରସ୍ପର ବିରୋଧୀ ଗୁଣର ଅପେକ୍ଷା କରେ । ଏକଆଡ଼େ ବୈଚିତ୍ର୍ୟ, ଅନ୍ୟଆଡ଼େ ନିୟମ, ଏକ ଆଡ଼େ ଭାବର ଉଦ୍ଦାମ ପ୍ରଭାବ, ଅନ୍ୟଆଡ଼େ ଭାଷାର ସଂଯତ ପାରିପାଟ୍ୟ । ଏହି ଦ୍ୱିବିଧ ଗୁଣର ପ୍ରକୃଷ୍ଟ ସମାବେଶ ଯେଉଁ ଗ୍ରନ୍ଥରେ ଯେତେ ଅଧିକ, ତାହାହିଁ ସାହିତ୍ୟ ନାମର ତେତେ ଉପଯୁକ୍ତ ।

 

ସାହିତ୍ୟର ବୁଦ୍ଧି ଗ୍ରାହ୍ୟ ସୌନ୍ଦର୍ଯ୍ୟକୁ ବିଶ୍ଳେଷଣ କଲେ ଦେଖାଯିବ ଯେ, ତାହାର ଭିତ୍ତି ଦୁଇଗୋଟି ବିଷୟ ଉପରେ ସଂସ୍ଥାପିତ; ପ୍ରଥମ,–କବି ନିଜର ଗ୍ରନ୍ଥ ମଧ୍ୟରେ ଯେଉଁ ଆବେଗର ଛାୟା ଦେଇଅଛନ୍ତି ତାହା ମନୁଷ୍ୟ ଜୀବନର ଉନ୍ନତି ସାଧନ କରିବାକୁ ସମର୍ଥ କି ନା ଓ ଗ୍ରନ୍ଥଟିର ରଚନାରେ ଯେଉଁ ପଦ୍ଧତି ଅବଲମ୍ୱିତ ହୋଇଅଛି, ତାହା ସମୟୋପଯୋଗୀ ହୋଇଅଛି କି ନାହିଁ । ଯେତେବେଳେ ଆମ୍ଭମାନଙ୍କର ବସିବା ପ୍ରୟୋଜନ,ତେତେବେଳେ ଯେପରି ଖଣ୍ଡେ କାଠର ଚୌକି ପୋଷାକ ପରିଚ୍ଛଦ ବା ଅନ୍ୟାନ୍ୟ ପଦାର୍ଥମାନଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍‍ ଓ ସୁନ୍ଦର, ଯେତେବେଳେ ଆମ୍ଭେମାନେ ତୃଷ୍ଣାତୁର, ସେତେବେଳେ ଯେପରି ସୁସ୍ୱାଦୁ ଜଳ ସୁବର୍ଣ୍ଣ ରଜତଠାରୁ ଅଧିକ ମନୋଜ୍ଞ, ସେହିପରି ଆମ୍ଭମାନଙ୍କ ଜୀବନରେ ଯାହା ପ୍ରୟୋଜନ ଆମ୍ଭମାନଙ୍କ ପ୍ରାଣରେ ଯେଉଁ ଟିକକ ଅଭାବ, ତାହାର ପୂରଣ ଯେଉଁ ସାହିତ୍ୟ କରିବାକୁ ସମର୍ଥ, ତାହାକୁ ଆମ୍ଭେମାନେ ସ୍ୱତଃ ଅଧିକ ଆଦରର ଚକ୍ଷୁରେ ଦେଖି ଥାଉଁ । ଯେଉଁ କାର୍ଯ୍ୟ ନିମନ୍ତେ ଯାହା ଉପଯୋଗୀ, ତାହା ନିମନ୍ତେ ତାହାହିଁ ସୁନ୍ଦର, ଏହି ଉକ୍ତିଟି ଆମ୍ଭେମାନେ ସାହିତ୍ୟକ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିଥାଉଁ । ସାହିତ୍ୟ ଯଦି କେବଳ ବ୍ୟକ୍ତି ଗତ ଭାବର ବିକାଶ ହୁଅନ୍ତା, ତାହାହେଲେ ତାହା ମଧ୍ୟରେ ବ୍ୟବହାରଗତ ବା ଉଦ୍ଦେଶ୍ୟଗତ ସୌଷ୍ଠବ ଆମ୍ଭେମାନେ ଆଶା କରି ପାରନ୍ତୁ ନାହିଁ । କିନ୍ତୁ ସହିତ ଶବ୍ଦରୁ ସାହିତ୍ୟର ଉତ୍ପତ୍ତି, ମନୁଷ୍ୟ ସମାଜରେ ସାହିତ୍ୟ ଅନେକ ପ୍ରକାରରେ ନିଜର ପ୍ରଭାବ ବିସ୍ତାର କରିଥାଏ । ସମୟ ବିଶେଷରେ ତାହା ଜାତୀୟ ଜୀବନକୁ ଉନ୍ନତ କରିବାର ଚେଷ୍ଟା କରେ, କବିର ଆବେଗକୁ ଜନସମାଜରେ ପରିଚିତ କରି ସମାଜକୁ ନୂତନ ଭାବର ଛାୟା, ନୂତନ ମନ୍ତ୍ରର ଦୀକ୍ଷା ଦେଇଥାଏ । ଏଣୁ କୌଣସି ପୁସ୍ତକର ଉଦ୍ଦେଶ୍ୟ ସମ୍ୱନ୍ଧରେ, ମନୁଷ୍ୟସମାଜ ପ୍ରତି ତାହାର ବାର୍ତ୍ତା ସମ୍ୱନ୍ଧରେ ଆମ୍ଭେମାନେ ନୀରବ ରହି ନ ପାରୁଁ । ଏହି କାରଣରୁ ଆମ୍ଭେମାନେ କୌଣସି ପୁସ୍ତକର ଉଦ୍ଦେଶ୍ୟକୁ ତାହାର ସୌନ୍ଦର୍ଯ୍ୟର ଭିତ୍ତିସ୍ୱରୂପ ଗଣନା କରିଥାଉଁ । କିନ୍ତୁ ଏହି ଯେ ସୌନ୍ଦର୍ଯ୍ୟ ତାହା ବାହ୍ୟ ଓ ବୁଦ୍ଧି ଗ୍ରାହ୍ୟ । ଆଜି ଉତ୍କଳରେ ଉପନ୍ୟାସ ନାହିଁ, ଖଣ୍ଡିଏ ମଧ୍ୟଭଳି ଉପନ୍ୟାସ ହେଲା, ସୁନ୍ଦର କଥା; କାରଣ ସେ ଉପନ୍ୟାସଖଣ୍ଡିକର ପ୍ରୟୋଜନ ଥିଲା । ଏହି ସୌନ୍ଦର୍ଯ୍ୟ ବାହ୍ୟ; କିନ୍ତୁ, ବ୍ୟବହାରଗତ ଏହି ସୌନ୍ଦର୍ଯ୍ୟ, ତାହା ବାହ୍ୟ ହେଲେହେଁ ନଗଣ୍ୟ ନୁହେ; କାରଣ ଉନ୍ନତିଶୀଳ ସାହିତ୍ୟ ଏହିପରି ନୂତନ ନୂତନ ଭାବର ଓ ରଚନାର କୌଶଳରେ ଅଭିଯାନରୁ ପରିପୁଷ୍ଟ ହୋଇଥାଏ ।

 

ବୁଦ୍ଧିଗ୍ରାହ୍ୟ ସୌନ୍ଦର୍ଯ୍ୟର ଦ୍ୱିତୀୟ ଭିତ୍ତି ଆକାରର ସାମ୍ୟ, ପ୍ରତ୍ୟେକ ବସ୍ତୁର ଯଥାଯଥ ବିନ୍ୟାସ ଓ ବିକାଶ । କବିର ଯାହା ବକ୍ତବ୍ୟ ତାହା କେତେଗୁଡ଼ିଏ କଳାଗତ ନିୟମ ଆଶ୍ରୟ କରି, ଭାଷା ମଧ୍ୟ ଦେଇ ଜନସମାଜରେ ପ୍ରଚାରିତ ହୁଏ । ଏହି କଳାଗତ ନିୟମଗୁଡ଼ିକ ଅନୁସୃତ ହୋଇ ନଥିଲେ ସାହିତ୍ୟିକ ବର୍ଣ୍ଣନା ଅରୁଚିକର ହେବ, ଏଣୁ ତଦନ୍ତର୍ଗତ ଭାବର ମହତ୍ତ୍ୱ ଲୋକର ହୃଦୟତନ୍ତ୍ରୀକୁ ସମ୍ୟକ୍ ସ୍ପର୍ଶ କରିବାକୁ ସମର୍ଥ ହେବ ନାହିଁ । ଏଥିନିମନ୍ତେ କବିର ଭାଷା ମଧ୍ୟରେ ସଂଯମ ଥିବା ପ୍ରୟୋଜନ, ତାଙ୍କର ଭାବ ପରିପାଟି ଓ ଶୃଙ୍ଖଳା ସ୍ୱଭାବରେ ମନୁଷ୍ୟ ସମାଜରେ ଉପସ୍ଥାପିତ ହେବା ଆବଶ୍ୟକ । ତାଙ୍କର ଲେଖା ମଧ୍ୟରେ ସାହିତ୍ୟିକ କଳା ଓ ରୁଚିର ସମ୍ୟକ୍‍ ପରିଚୟ ଥିବା ଏକାନ୍ତ ପ୍ରୟୋଜନ । ‘‘ବିକ୍ରମାଦିତ୍ୟ’’ରେ ରାଜପ୍ରାସାଦ ବର୍ଣ୍ଣନା ସମୟରେ ତାହାର ଅପାର୍ଥିବତାର ପରିଚୟ ସ୍ଥଳରେ କୁଷ୍ମାଣ୍ଡ ଓ ଅଲାବୁର ଉପମା, ଅଥବା ‘‘ସପ୍ତରଥୀ’’ରେ ଭୀମ ଦୁଃଶାସନଙ୍କ ମହା-ପ୍ରଳୟଙ୍କର-ସମର-ସଂଜାତ ଶବ୍ଦ ସହିତ ଗ୍ରାମ୍ୟ ରମଣୀର ଘସି ତାଡ଼ିବାର ଶବ୍ଦର ଉଲ୍ଲେଖ ସୁନ୍ଦର ନୁହେ; କାରଣ ସେଥିରେ କଳ୍ପନାର ଅସାମଞ୍ଜସ୍ୟ ହେତୁରୁ ତାହା ସାହିତ୍ୟିକ ରୁଚିର ବହିର୍ଭୂତ ହୋଇପଡ଼ିଲା । ‘‘ପ୍ରକୃତ ପ୍ରଣୟ’’ ନାଟକଟି ସର୍ବାଙ୍ଗୀନ ସୁନ୍ଦର ନୁହେ କାରଣ ସେଥିରେ ନାଟକୋଚିତ ଭାଷାର ଅଭାବ ଓ ନାଟକର ମୂଳ ନିୟମର ବିପର୍ଯୟ ଅନେକ ସ୍ଥଳରେ ଦେଖାଯାଏ । ପୁଣି ‘‘ନନ୍ଦିକେଶ୍ୱରୀ’’ ରେ ମୂଳଭାବ ସହିତ ହାସ୍ୟରସ ପ୍ରଧାନ ଦୃଶ୍ୟଗୁଡ଼ିକ ଏତେ ଅସଂଲଗ୍ନ ଯେ, ତାହା କଦାପି ଉଚ୍ଚ ଅଙ୍ଗର ସାହିତ୍ୟ ମଧ୍ୟରେ ଗଣ୍ୟ ହୋଇ ନ ପାରେ । ସାହିତ୍ୟିକ ପୁସ୍ତକର ଭାଷା ଯେତେ ସୁରୁଚିପୂର୍ଣ୍ଣ ହେବ, ତାହାର କଥାବସ୍ତୁଟି ଯେତେ ସୁବିନ୍ୟସ୍ତ ଓ ସଂଯତ ହେବ, ତାହାର ବର୍ଣ୍ଣିତ ଘଟନାର କ୍ରମବିକାଶ ଯେତେ ସୁସମ୍ୱନ୍ଧ ଓ ପ୍ରାକୃତିକ ହେବ ସାହିତ୍ୟର ବାହ୍ୟ ସୌନ୍ଦର୍ଯ୍ୟ ତେତେ ଅଧିକ ପରିଷ୍ଫୁଟ ହେବ ।

 

ବୁଦ୍ଧିଗ୍ରାହ୍ୟ ସୌନ୍ଦର୍ଯ୍ୟର ତୃତୀୟ ଭିତ୍ତି ତାହାର ସାଧାରଣ ଅବସ୍ଥାନ ଓ ସ୍ୱରୂପର କମନୀୟତା । ‘‘ଶୁଷ୍କଃ କାଷ୍ଠଃ ତିଷ୍ଠତ୍ୟଗ୍ରେ’’ ସଙ୍ଗେ ‘‘ନୀରସତରୁବର ପୁରତୋଭାତି’’ର ଯେଉଁ ପ୍ରଭେଦ, ତାହା କେବଳ ଶୃଙ୍ଖଳାର ପ୍ରଭେଦ ନୁହେ । ‘‘ପାଞ୍ଚାଳୀପଟାପହରଣ’’ ସହିତ ‘‘ବିଶ୍ୱଯଜ୍ଞ’’ର ଯେ ପ୍ରଭେଦ, ତାହା କେବଳ ନାଟକୀୟ ନିୟମର ଅବସ୍ଥାନ ମାତ୍ରରୁ ନୁହେ । ଏମାନଙ୍କ ପ୍ରଭେଦ କମନୀୟତାରେ, ଲେଖକର ସୌନ୍ଦର୍ଯ୍ୟବୋଧରେ ଓ କବିର ଭାବର ସ୍ୱତଃ ସ୍ଫୁରଣ ମାଧୁର୍ଯ୍ୟରେ । କମନୀୟତାକୁ ଆମ୍ଭେମାନେ ପ୍ରାୟ ସର୍ବଦା ଆଲୋଚନା କରିଥାଉଁ ଓ ସୌନ୍ଦର୍ଯ୍ୟର କଥା ଉଠିଲେ ସାଧାରଣତଃ ଆମ୍ଭେମାନେ ଏହି ଦିଗରୁ ବିଚାର କରିଥାଉଁ, କିନ୍ତୁ ତଥାପି କମନୀୟତାର ବିଶ୍ଳେଷଣ କରିବା ସମ୍ଭବ ନୁହେଁ ଓ ତାହା କେବଳ ବୁଦ୍ଧିଗ୍ରାହ୍ୟ ନୁହେ । ନାରୀର ଗଜେନ୍ଦ୍ରଗମନ ଓ ସିଂହକଟୀ, ପୁରୁଷର ଆଜାନୁଲମ୍ୱିତ ହସ୍ତ ପ୍ରଭୃତି ସୌନ୍ଦର୍ଯ୍ୟର ଯେଉଁ ସବୁ ମୂଳ ଉପାଦାନ ପୁସ୍ତକମାନଙ୍କରେ ଉପମାସ୍ଥଳରେ ବର୍ଣ୍ଣିତ ହୋଇଅଛି, ସେ ସମସ୍ତ କମନୀୟତାର ଅପେକ୍ଷା ରଖେ । ଚକ୍ଷୁ ଦିଓଟିର ଯଥାଯଥ ବିନ୍ୟାସ ଅନେକ ଲୋକଠାରେ ଅଛି, କିନ୍ତୁ ଆମ୍ଭେମାନେ ଚକ୍ଷୁର ଚାଞ୍ଚଲ୍ୟ, ବିସ୍ତାର ଓ କୋମଳ ଭାବ ଅନୁସରଣ କରୁ କାହିଁକି ? କାରଣ; ତଦ୍ଦ୍ୱାରା ଚକ୍ଷୁର କମନୀୟତା ତଥା ସୌନ୍ଦର୍ଯ୍ୟ ବୃଦ୍ଧିପାଏ । କିନ୍ତୁ ସାହିତ୍ୟ ସମ୍ୱନ୍ଧରେ ଏହି କମନୀୟତା କୌଣସି ନିୟମର ଅପେକ୍ଷା ରଖେ ନାହିଁ; ତାହା ଲେଖକର ସୌନ୍ଦର୍ଯ୍ୟ ଜ୍ଞାନ ଉପରେ ନିର୍ଭର କରେ । ଏଣୁ ଏ ବିଷୟର ବିଶେଷ ଉଲ୍ଲେଖ ନିଷ୍ପ୍ରୟୋଜନ ।

 

ହୃଦୟଗ୍ରାହ୍ୟ ସୌନ୍ଦର୍ଯ୍ୟର ବିଶ୍ଳେଷଣ ତେତେ ସହଜ ନୁହେ । ଆମ୍ଭେମାନେ ଯାହାକୁ ପ୍ରୀତିର ଚକ୍ଷୁରେ ଦେଖୁଁ, ଅନେକ ସମୟରେ ତାହା ପ୍ରତି ପ୍ରୀତିର କାରଣ ନିର୍ଦ୍ଦେଶ କରିବା ଆମ୍ଭମାନଙ୍କ ପକ୍ଷରେ ସୁକଠିନ । ମାତା ନିଜର ଦୁର୍ବୃତ୍ତ ପୁତ୍ର ପ୍ରତି ଯେଉଁ ସ୍ନେହ ଭାବ ପୋଷଣ କରେ, ତାହାର ଶତ ସହସ୍ର ଦୋଷ ଦେଖିଲେ ମଧ୍ୟ ତାହାକୁ ଯେ ନିଜର ସ୍ନେହରୁ ବଞ୍ଚିତ କରେ ନାହିଁ, ତାହାର କାରଣ କଣ ମାତା ଦେଇ ପାରିବ ? ‘‘ମୋର ସନ୍ତାନ’’ ଏହି ମାତ୍ର ଏଠାରେ ପ୍ରୀତିର ବନ୍ଧନ; ‘ମୋର’ ବୋଲି କହିବାରୁ ମାତାର ହୃଦୟରେ ପୁତ୍ର ପ୍ରତି ଯେଉଁ ସ୍ନେହ ଭାବ ଜାତ ହେଲା, ଏଥିର ଭିତ୍ତି କେଉଁଠାରେ, ତାହା ବିଶ୍ଳେଷଣ କରିବା ସହଜ ନୁହେ । କିନ୍ତୁ ମାତା ଯେ ନିଜର ପୁତ୍ରକୁ ଚିରସୁନ୍ଦର ବୋଲି ଦେଖେ, ସେଥିରୁ ଆମ୍ଭେମାନେ ହୃଦୟଗ୍ରାହ୍ୟ ସୌନ୍ଦର୍ଯ୍ୟ ବିଷୟରେ ଗୋଟିଏ ବିଶେଷ ଶିକ୍ଷା ଲାଭ କରୁଁ । ମାତା ନିଜର ସନ୍ତାନକୁ ସୁନ୍ଦର ବୋଲି ଦେଖେ, କାରଣ ସେ ମନେକରେ, ଏହି ସନ୍ତାନଟି ‘ମୋର’ । ଜଗତରେ ଯେତେ ମାତା ଅଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିକ ପ୍ରତି ମୁଁ ସ୍ନେହରେ ଆବଦ୍ଧ, କାରଣ ସେ ‘ମୋର’ ମାତା । ସଂସାରରେ ଯେତେ ଘର ଅଛି, ଯେତେ ଦେଶ ଅଛି, ଯେତେ ନଦୀ ଗିରି ଉପତ୍ୟକା ଅଛି, ସେଥିମଧ୍ୟରୁ କେତେଗୁଡ଼ିଏ ମୋ ମନରେ ସମଧିକ ପ୍ରଭାବ ବିସ୍ତାର କରେ, କାରଣ ସେଗୁଡ଼ିକ ମୋର ଘର, ମୋର ଦେଶ, ମୋର ଦେଶର ବନ ଗିରି ଉପତ୍ୟକା । ଏହି ଯେ ‘ମୋର’ ବୋଲି ଭାବ, ତାହା ମାୟା ହୋଇପାରେ; କିନ୍ତୁ ତହିଁରୁ ଏକ ନୂତନ ସୌନ୍ଦର୍ଯ୍ୟର ସୃଷ୍ଟି ସାଧିତ ହୋଇଅଛି ।

 

ସାହିତ୍ୟରେ ସେହିପରି ମୋର ମନର ଭାବ, ମୋର ଦେଶର ପ୍ରାଣର ସ୍ପନ୍ଦନ, ମୋର ସମାଜର ବିଶ୍ଳେଷଣ ନଥିଲେ ସେ ସାହିତ୍ୟ ମୋର ତେତେ ରୁଚିକର ହେବ ନାହିଁ । କାରଣ ‘ଏଇଟି ମୋର’ ପୁତ୍ର ଏହି ‘ମୋର’ ଭାବଟି ଯେପରି ମାତାର ହୃଦୟରେ ସମଧିକ ବେଗରେ ଆଘାତ କରି ତାହାର ମନରେ ସେହି ଲୋକଟିକୁ ନୂତନ ଭାବରେ କଳ୍ପନାର ନୂତନ ତୁଳିକାଦ୍ୱରା ଅନୁରଞ୍ଜିତ କରେ, ମୋର ଦେଶରେ ଯାହା ପ୍ରାଣ ସେଥିସଙ୍ଗେ ଘନିଷ୍ଠ ସମ୍ୱନ୍ଧ ଥିଲେ ସାହିତ୍ୟର ଭାବଗୁଡ଼ିକ ଆମ୍ଭମାନଙ୍କର ସେହିପରି ଆଦରଣୀୟ ଓ ପ୍ରୀତିକର ହୁଏ ।

 

କିନ୍ତୁ ମାତାର ନିଜ ପୁତ୍ର ପ୍ରତି ଯେଉଁ ସ୍ନେହଭାବ ଅଛି, ତାହା ଭିନ୍ନ ମାତାର ହୃଦୟରେ ଗୋଟିଏ ନିରାଲମ୍ୱ ମାତୃତ୍ୱ ଭାବ, ବିଶ୍ୱ ସଂସାରର ସନ୍ତାନ ପ୍ରତି ଗୋଟିଏ ସ୍ନେହ କରୁଣାର ଭାବ ବିଦ୍ୟମାନ । ବାଟରେ ଗୋଟିଏ ଅନାଥ ବାଳକକୁ ନିଃସହାୟ ଅବସ୍ଥାରେ ପଡ଼ି ରହିବାର ଦେଖିଲେ ମାତାର ହୃଦୟରୁ ଅନ୍ୟଲୋକ ଦୁର୍ଲଭ ଏକ ନିଶ୍ୱାସ ଜାତ ହୁଏ; ମାତା ସ୍ୱତଃ ଆତୁର ବାଳକ ପ୍ରତି ଆକୃଷ୍ଟ ହୋଇ ତାହା ପ୍ରତି ସହାନୁଭୂତି ଦେଖାଇବାକୁ ସଚେଷ୍ଟ ହୁଏ । ଏଠାରେ ମାତୃ ହୃଦୟରେ ‘ମୋର’ ଭାବଟି ବିଦ୍ୟମାନ ନୁହେ, ସେଠାରେ ସେ ଗୋଟିଏ ଦିଓଟି ସନ୍ତାନର ମାତା ନୁହନ୍ତି, ସମଗ୍ର ପୃଥିବୀର ସମସ୍ତ ସନ୍ତାନର ସେ ମାତା,ତାଙ୍କ ହୃଦୟରେ ଯେଉଁ ଭାବ ବିଦ୍ୟମାନ, ତାହା ନିରାଲମ୍ୱ ମାତୃତ୍ୱ ଭାବ । ବାସ୍ତବରେ ଦେଖିବାକୁ ଗଲେ ମନୁଷ୍ୟର ପ୍ରାଣର ଯେଉଁ ସ୍ପନ୍ଦନ, ତାହା ଅନେକାଂଶରେ ବିଶ୍ୱଜନୀନ । ପୃଥିବୀର ପ୍ରାୟ ସର୍ବ କାଳରେ ଓ ସବୁ ଅବସ୍ଥାରେ ମନୁଷ୍ୟମାନଙ୍କ ମନରେ ପ୍ରାୟ ସମାନ ଘଟନା ପ୍ରତି ସମାନ ଭାବ ବିକଶିତ ହୋଇଥାଏ । ଏଣୁ କେତେଗୁଡ଼ିଏ ଭାବ ଆମ୍ଭମାନଙ୍କର ସମସ୍ତଙ୍କର ମନକୁ ସ୍ୱତଃ ଆକର୍ଷଣ କରିବାକୁ ସମର୍ଥ ହୁଏ । ଯେଉଁ ଭାବ ଯେଡ଼େ ସାର୍ବଜନୀନ ହେବ, ଯାହା ସମଗ୍ର ମନୁଷ୍ୟର ପ୍ରାଣକୁ ସ୍ପର୍ଶ କରିବାକୁ ଯେତେଦୂର ସମର୍ଥ, ତାହା ତେତେଦୂର ଲୋକମନୋଜ୍ଞ ଓ ପ୍ରୀତିକର ହେବ, ଏଥିରେ ଆଉ ସନ୍ଦେହ କଣ ? ସାହିତ୍ୟର ଏହି ସୌନ୍ଦର୍ଯ୍ୟଟି ଅତି ବିରଳ ଓ ଏହି ପ୍ରକାର ସୌନ୍ଦର୍ଯ୍ୟ ଥିବାରୁ ଆଜି ପାଶ୍ଚାତ୍ୟ ମନୀଷୀମାନେ ରବୀନ୍ଦ୍ରନାଥଙ୍କୁ ଏତେ ସହଜରେ ଚିହ୍ନି ପାରିଅଛନ୍ତି । ମୋର ବିଶ୍ୱାସ ଯେ, ଉତ୍କଳ-ସାହିତ୍ୟକୁ ଆଲୋଚନା କରି ତାହାକୁ ପୁରାତନ ଓ ଆଧୁନିକ ଏହି ଦୁଇ ଶ୍ରେଣୀରେ ବିଭାଗ କଲେ, ଅର୍ଥାତ୍‍ ରାଧାନାଥଙ୍କ କବିତାକୁ ଉତ୍କଳ-ସାହିତ୍ୟରେ ନୂତନ ଯୁଗର ଆବିର୍ଭାବ ବୋଲି ମନେ କଲେ, ସ୍ପଷ୍ଟ ଦେଖାଯିବ ଯେ, ପୁରାତନ ସାହିତ୍ୟ ମଧ୍ୟରେ ସାର୍ବଜନୀନ ଭାବଟି ପ୍ରାଧାନ୍ୟ ଲାଭ କରିଅଛି, କିନ୍ତୁ ଆଧୁନିକ ସାହିତ୍ୟରେ ଭାଗଗୁଡ଼ିକ ଅନେକ ପରିମାଣରେ ସ୍ୱଦେଶ ସହିତ ଘନିଷ୍ଠଭାବରେ ସମ୍ୱନ୍ଧ । ରାଧାନାଥ ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା ସ୍ଥଳରେ ପ୍ରଥମରେ ଲେଖିଅଛନ୍ତି, ‘‘ଉତ୍କଳକମଳା ବିଳାସଦୀର୍ଘିକା ।’’ ପୁଣି କବି ଆତ୍ମବିସ୍ମୃତ ହୋଇ ଚିଲିକା ବକ୍ଷରେ ଯେଉଁ ତରଣୀମାନ ଦେଖିଅଛନ୍ତି, ଉତ୍କଳ ଇତିହାସର ସେହି ଅଂଶ ସମସ୍ତ ଓଡ଼ିଆଙ୍କ ହୃଦୟକୁ ଆକର୍ଷଣ କରିବାକୁ ସମର୍ଥ । କିନ୍ତୁ ଉପେନ୍ଦ୍ର ଭଞ୍ଜ ପ୍ରଭୃତି କବିମାନେ ‘କୋଟିବ୍ରହ୍ମାଣ୍ଡସୁନ୍ଦରୀ’ ଘେନି ବ୍ୟସ୍ତ । ସେମାନେ ଯେଉଁ ଚିତ୍ର ଆଙ୍କି ଅଛନ୍ତି, ତାହାର ରସବୋଧ ପ୍ରାୟ ସବୁ ଦେଶର ଲୋକ କରି ପାରନ୍ତି । ‘ଲାବଣ୍ୟବତୀ’ରେ ଯେତେବେଳେ ନାୟିକାର ସୌନ୍ଦର୍ଯ୍ୟ ବର୍ଣ୍ଣିତ ହେଉଅଛି, ତେତେବେଳେ ସେହି ବର୍ଣ୍ଣନା ମଧ୍ୟରେ ଏକଦେଶବର୍ତ୍ତିତା ଆଦୌ ନାହିଁ । ଏ ବିଷୟରେ ବିଶଦ ଆଲୋଚନା ହେବା ବାଞ୍ଛନୀୟ ।

 

କଳ୍ପନାଜାତ ସୌନ୍ଦର୍ଯ୍ୟ ଦୁଇଗୋଟି ଭିତ୍ତି ଉପରେ ସ୍ଥାପିତ । ପ୍ରଥମତଃ ଆମ୍ଭେମାନେ ଚାହୁଁ ବୈଚିତ୍ର୍ୟ, ଦ୍ୱିତୀୟତଃ ଆମ୍ଭେମାନେ ଆକୃଷ୍ଟ ହେଉଁ ଚାଞ୍ଚଲ୍ୟଦ୍ୱାରା । ଜୀବନର ପରିଣତିକୁ ଆମ୍ଭେମାନେ ସୁନ୍ଦର ବୋଲି ମନେ କରୁଁ ନାହିଁ । ଯାହା ପରିଷ୍ଫୁଟ ନୁହେ, ଯାହାର ବିକାଶ ଅସମ୍ପୂର୍ଣ୍ଣ ଅଥବା ଯାହାର ପୂର୍ଣ୍ଣତା ଅପରିଲକ୍ଷିତ, ଆମ୍ଭେମାନେ ତାହାରି କଳ୍ପନାରେ ସାଧାରଣତଃ ଆନନ୍ଦ ପାଇଥାଉଁ, ତାହାକୁହିଁ ଆମ୍ଭେମାନେ ସୁନ୍ଦର ବୋଲି ମନେ କରିଥାଉଁ । ସାହିତ୍ୟରେ କବିକଳ୍ପନା ମଧ୍ୟ ଅନେକାଂଶରେ ଏହି ପ୍ରକାର ସୌନ୍ଦର୍ଯ୍ୟକୁ ଅନ୍ୱେଷଣ କରିଥାଏ । ‘‘ଧରି ଧରି କରି ଧରିତେ ନା ପାରି’’ର ଯେଉଁ ସୌନ୍ଦର୍ଯ୍ୟ, ମେଘାନ୍ତରାଳରେ ଚନ୍ଦ୍ରର ଲୁକ୍କାୟିତ ଅବସ୍ଥାରେ ଯେଉଁ ମାଧୁର୍ଯ୍ୟ, ବନ ମଧ୍ୟରେ ଅର୍ଦ୍ଧ ପରିଷ୍ଫୁଟ ସୌରଭମୟ ପୁଷ୍ପରାଶିର ଯେଉଁ ବିକାଶ ଉପନ୍ୟାସ ଇତ୍ୟାଦିରେ ସର୍ବଦା ବର୍ଣ୍ଣିତ ହୁଏ, ସେ ସମୁଦାୟ ଆମ୍ଭମାନଙ୍କର ଚାଞ୍ଚଲ୍ୟ ପ୍ରତି ଆକର୍ଷଣରୁ ଜାତ । କିନ୍ତୁ ବୈଚିତ୍ର୍ୟହିଁ କଳ୍ପନାଜାତ ସୌନ୍ଦର୍ଯ୍ୟର ସର୍ବପ୍ରଧାନ ଭିତ୍ତି । ଆମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ବର୍ତ୍ତମାନ ଅବସ୍ଥାର ବିପରୀତ ବସ୍ତୁକୁ ସମଧିକ ଲୋଭନୀୟ ବୋଲି ମନେ କରୁଁ । ମନୁଷ୍ୟର କଳ୍ପନା ପ୍ରାୟ ସର୍ବଦା ଏହିପରି ବୈଚିତ୍ର୍ୟଦ୍ୱାରା ଆକୃଷ୍ଟ ଓ ତାହାର ସୌନ୍ଦର୍ଯ୍ୟତୃଷ୍ଣା ବୈଚିତ୍ର୍ୟର ଉପଭୋଗଦ୍ୱାରା ନିବାରିତ ହୁଏ । କଳ୍ପନା ସମ୍ୱନ୍ଧରେ ବିଶଦ ଆଲୋଚନା ସମୟରେ ଏ ବିଷୟଟିକୁ ଅଧିକରେ ସ୍ପୁଟ ଭାବରେ ବିଶ୍ଳେଷଣ କରାଯାଇପାରେ ।

 

ସାହିତ୍ୟର ସୌନ୍ଦର୍ଯ୍ୟ ଏହିପରି ନାନା ଭିତ୍ତି ଉପରେ ପ୍ରତିଷ୍ଠିତ । ନାନା ଉପାୟଦ୍ୱାରା ସାହିତ୍ୟର ସୌଷ୍ଠବ ସାଧିତ ହୁଏ । କବି ନାନା ଉପାୟରେ ଆମ୍ଭମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ପ୍ରତ୍ୟେକ ପୁସ୍ତକରେ ନୂତନ ନୂତନ ସୌନ୍ଦର୍ଯ୍ୟର ପନ୍ଥା ଅନୂସୁତ ହୁଏ । କବି ନୂତନ ଭାବରେ ନିଜର କଥାକୁ ହୃଦୟଗ୍ରାହୀ କରିବାକୁ ଚେଷ୍ଟା କରନ୍ତି । କୌଣସି ବିଶେଷ ଗ୍ରନ୍ଥରେ କେଉଁ କେଉଁ ନୀତି ସ୍ଥାନ ପାଇ ପୁସ୍ତକଟିର ସୌନ୍ଦର୍ଯ୍ୟ ବଢ଼ାଇଅଛି, ତାହା ସେହି ବିଶେଷ ପୁସ୍ତକରେ ବିସ୍ତୃତ ଆଲୋଚନା ନକଲେ କେବେହେଁ ସହଜବୋଧ୍ୟ ହେବ ନାହିଁ । ଏଠାରେ କେବଳ ସୌନ୍ଦର୍ଯ୍ୟ ସମ୍ୱନ୍ଧରେ ସମାଲୋଚକର ସାହାଯ୍ୟ ନିମନ୍ତେ ସ୍ଥୂଳରେ ଦୁଇ ଚାରୋଟି କଥାର ଉଲ୍ଲେଖ କରାଗଲା-

Image

 

ସାହିତ୍ୟରେ ନୋବେଲ ପ୍ରାଇଜ

 

ସାହିତ୍ୟ ରଚନା ନିମିତ୍ତ ବର୍ତ୍ତମାନ ବିଭିନ୍ନ ଦେଶରେ ଯେଉଁ ସବୁ ପୁରସ୍କାର ବିତରିତ ହୁଏ ସେଥି ମଧ୍ୟରେ ନୋବେଲ ପୁରସ୍କାରହିଁ ସର୍ବପ୍ରଧାନ । ସାହିତ୍ୟିକମାନଙ୍କ ମଧ୍ୟରେ ଏହି ପୁରସ୍କାର ଲାଭ କରିବାର ପ୍ରୟାସ ଅତି ମାତ୍ରାରେ ଲକ୍ଷିତ ହୋଇଥାଏ ଓ କୌଣସି ସାହିତ୍ୟିକ ଏହି ପୁରସ୍କାର ଲାଭ କଲେ ନିଜକୁ ଧନ୍ୟ ମନେ କରେ ଓ ବିଶ୍ୱ ସାହିତ୍ୟରେ ତାହାର ସ୍ଥାନ ସୁପ୍ରତିଷ୍ଠିତ ହୁଏ ଓ ଜଗତର ସମସ୍ତ ସାହିତ୍ୟିକମାନଙ୍କ ମଧ୍ୟରେ ତାହାର ଶୀର୍ଷସ୍ଥାନ ଅଧିକାର କରିବାର ଦାବୀ ଅବିସଂବାଦିତ ଭାବରେ ସୀକୃତ ହୁଏ । ଏହି ନୋବେଲ ପୁରସ୍କାର ପ୍ରତିବର୍ଷ ସୁଇଡ଼େନର ରାଜାଙ୍କ ଦ୍ୱାରା ବିତରିତ ହୋଇଥାଏ ଓ ଏହି ପୁରସ୍କାର ପାଇବାର ଉପଯୁକ୍ତ ବ୍ୟକ୍ତିକୁ ସୁଇଡ଼ିସ୍‌ ଏକାଡ଼େମି ପ୍ରତ୍ୟେକ ବର୍ଷ ମନୋନୀତ କରିଥାନ୍ତି । ସାହିତ୍ୟକ୍ଷେତ୍ରରେ ଏହି ପୁରସ୍କାରର ସ୍ଥାନ ଏତେ ଉଚ୍ଚ ଓ ଏହି ପୁରସ୍କାର ଲାଭ କରିବାର ସମ୍ମାନକୁ ସାହିତ୍ୟିକମାନେ ଏତେ ସ୍ପୃହଣୀୟ ମନେକରି ଥାନ୍ତି ଯେ ଏହି ପୁରସ୍କାର ବିଷୟରେ ବିଷଦ ବର୍ଣ୍ଣନା କୌଣସି ସାହିତ୍ୟିକ ପୁସ୍ତକରେ ଅପ୍ରାସଙ୍ଗିକ ହେବନାହିଁ-

 

ଆଲପ୍ରେଡ଼ ନୋବେଲ ୧୮୩୩ ମସୀହାରେ ସୁଇଡ଼େନ ଅନ୍ତର୍ଗତ ଷ୍ଟକହଲେମ ନାମକ ନଗରୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଇମାନୁଏଲ ନୋବେଲଙ୍କର ଉକ୍ତ ନଗରୀରେ ଗୋଟିଏ ବିସ୍ଫୋରକ ଦ୍ରବ୍ୟ ପ୍ରସ୍ତୁତ କରିବାର କାରଖାନା ଥିଲା । ଇମାନୁଏଲ ପ୍ରଥମରେ ବିଜ୍ଞାନର ଅଧ୍ୟାପକ ଥିଲେ ମାତ୍ର ଉକ୍ତ ଅଧ୍ୟାପକଜୀବନ ତାଙ୍କ ନିକଟରେ ନିତାନ୍ତ ନୀରସ ବୋଧ ହେବାରୁ ସେ ନିଜେ ଗୋଟିଏ କାରଖାନା ସ୍ଥାପନକରି ନାନା ପ୍ରକାର ପଦାର୍ଥମାନ ପ୍ରସ୍ତୁତ କରିବାକୁ ଆରମ୍ଭ କଲେ । ଏକଦିଗରେ ନାନାପ୍ରକାର ସାଂଘାତିକ ବିସ୍ଫୋରକଦ୍ରବ୍ୟ ପ୍ରସ୍ତୁତ, ଅନ୍ୟଦିଗରେ ଲୋକମାନଙ୍କର କଷ୍ଟ ଲାଘବ କରିବା ନିମନ୍ତେ ଚିକିତ୍ସକ ମାନଙ୍କର ଉପଯୋଗୀ ନାନା ପ୍ରକାର ଯନ୍ତ୍ରାଦିର ମଧ୍ୟ ଉଦ୍ଭାବନା କରିଥିଲେ । ତାଙ୍କର କାରଖାନାରେ ଅନେକଥର ହଠାତ୍‍ ବିସ୍ଫୋରକ ଦ୍ରବ୍ୟମାନଙ୍କର ବିସ୍ଫୋରଣରେ ବହୁତ କ୍ଷତି ହୋଇଥିଲେ ମଧ୍ୟ ସେ ସମସ୍ତ କ୍ଷତିକୁ ଅଗ୍ରାହ୍ୟ କରି ସେ ଅନେକ ପ୍ରକାର ନୂତନ ନୂତନ ଅତି କ୍ଷମତାଶାଳୀ ବିସ୍ଫୋରକଦ୍ରବ୍ୟ ପ୍ରସ୍ତୁତ କରିବାକୁ ପ୍ରୟାସ କରିଥିଲେ । ଶେଷରେ ତାଙ୍କର ଗୋଟିଏ ପୁତ୍ର ଏହିପ୍ରକାର ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପତିତ ହେବାରୁ ୧୮୬୪ ସାଲରେ ସେ ନିଜର କାରଖାନାରେ ଆଉ କାର୍ଯ୍ୟ କରିପାରିଲେ ନାହିଁ ।

 

ବାଲ୍ୟକାଳରେ ଏଲଫ୍ରେଡ଼ ନୋବେଲ ପିତାଙ୍କପରି ନାନା ବିଦ୍ୟା ପ୍ରତି ଆଦର ଦେଖାଇଲେ ଓ ଜାହାଜ ପ୍ରସ୍ତୁତକାର୍ଯ୍ୟ ଶିକ୍ଷା କରିବା ନିମନ୍ତେ ଅନ୍ୟ ଜଣେ ସଙ୍ଗୀ ସହିତ ସେ ଆମେରିକା ଯାତ୍ରା କରିଥିଲେ । ତାଙ୍କର ସଙ୍ଗୀ ଏରିକସ୍‍ନ ସୂର୍ଯ୍ୟର ଉତ୍ତାପ ଦ୍ୱାରା ଜାହାଜର କଳକୁ ଚାଳନା କରିବା ନିମନ୍ତେ ଏକ ପ୍ରକାର ଯନ୍ତ୍ର ପ୍ରସ୍ତୁତ କରିଥିଲେ ମାତ୍ର ଉକ୍ତ ଯନ୍ତ୍ରଦ୍ୱାରା ଚାଳିତ ପୋତ ଅତିଅଳ୍ପକାଳ ମଧ୍ୟରେ ବିଧ୍ୱସ୍ତ ହୋଇ ଯିବାରୁ ସେ ନିତାନ୍ତ ବିପନ୍ନ ହୋଇ ପଡ଼ିଥିଲେ । କିଛି ଦିନପରେ ଲୌହ ବର୍ମ ଦ୍ୱାରା ଆବୃତ ଏକ ପ୍ରକାର ପୋତ ସେ ପ୍ରସ୍ତୁତ କରାଇ ଥିଲେ ଓ ଏହି ପୋତ ଅତି ସହଜରେ ତହିଁ ପୂର୍ବରୁ ପ୍ରସ୍ତୁତ ଅତିକାୟ ଜାହାଜମାନଙ୍କ ଉପରେ ଜୟଲାଭ କରିବାକୁ ସମର୍ଥ ହୋଇଥିଲା ଏବଂ ସେହି ସମୟରୁ ଏ ପ୍ରକାର ରଣତରୀ ମାନ ବିଭିନ୍ନ ଦେଶମାନଙ୍କରେ ପ୍ରସ୍ତୁତ ହେବାକୁ ଲାଗିଲା ଓ ଆଜି କାଲି ଏହିସବୁ ରଣତରୀମାନ ଡ୍ରେଡ଼ନଟ ନାମରେ ଆଖ୍ୟାତ ହେଉଅଛି । ଏରିକସନ ନାନାପ୍ରକାର ଅଭାବଦ୍ୱାରା ପୀଡ଼ିତ ହେଉ ଥିବାରୁ ନିଜର ଉଦ୍ଭାବନୀ ଶକ୍ତିର ସମ୍ୟକ ବିକାଶ ସାଧନ କରିବାକୁ ସକ୍ଷମ ହେଉ ନ ଥିଲେ ଓ ସେହି ସମୟରୁ ନୋବେଲଙ୍କ ମନରେ ଏହି ଆଶା କ୍ଷୀଣ ଭାବରେ ଜାଗରିତ ହୋଇଥିଲା ଯେ ସେ ଯଦି କୌଣସି ସମୟରେ ବିପୁଳ ଅର୍ଥର ଅଧିକାରୀ ହୁଅନ୍ତି ତେବେ ବୈଜ୍ଞାନିକମାନଙ୍କଦ୍ୱାରା ଉଦ୍ଭାବିତ ନୂତନ ନୂତନ ଯନ୍ତ୍ର ନିର୍ମାଣର ସାହାଯ୍ୟରେ ନିଜର ଅର୍ଥକୁ ପ୍ରୟୋଗ କରିବେ । ଏରିକସନଙ୍କ ସଙ୍ଗେ କେତେକ କାଳ କଟାଇ ନୋବେଲ ନିଜ ଦେଶକୁ ଫେରି ଆସିଲେ ଓ ସେଠାରେ ହଠାତ୍‍ ଗୋଟିଏ ଅଭାବନୀୟ ଉପାୟରେ ‘ଡିନାମାଇଟ’ ନାମକ ଅତ୍ୟନ୍ତ ଶକ୍ତି ସମ୍ପନ୍ନ ଉଗ୍ରତେଜ ବିସ୍ଫୋରକ ଆବିଷ୍କାର କରିଥିଲେ-। କ୍ରମଶଃ ଏହି ବିସ୍ଫୋରକ ଦ୍ରବ୍ୟ ପ୍ରସ୍ତୁତ କରିବା ନିମନ୍ତେ ନୋବେଲଙ୍କୁ ନାନା ପ୍ରକାରର କଷ୍ଟ ସହ୍ୟ କରିବାକୁ ହୋଇଥିଲେହେଁ ଅଳ୍ପ କେତେକ ଦିନ ମଧ୍ୟରେ ସେ ନାନା ଦେଶରେ କାରଖାନାମାନ ସ୍ଥାପିତ କରି ପ୍ରଭୂତ ଅର୍ଥର ଅଧିକାରୀ ହୋଇଥିଲେ । ତାଙ୍କର ଆଶା ଥିଲା ଯେ ତାଙ୍କର ବିସ୍ଫୋରକର ଶକ୍ତିଦ୍ୱାରା ଯୁଦ୍ଧ ପୃଥିବୀରେ ଅସମ୍ଭବ ହୋଇ ପଡ଼ିବ । ଯେଉଁ ଅସ୍ତ୍ର ଦ୍ୱାରା ଅନାୟାସରେ ଦୂରସ୍ଥ ଗ୍ରାମ ନଗରୀମାନଙ୍କୁ ଉତ୍‍ଖାତିତ କରି ସମ୍ପୂର୍ଣ୍ଣରୂପେ ନଷ୍ଟ ଓ ବିପର୍ଯ୍ୟସ୍ତ କରାଯାଇ ପାରିବ, ଗିରିଶୃଙ୍ଗକୁ ଚୂର୍ଣ୍ଣ ଓ ବିଧୃସ୍ତ କରି ଦିଆଯାଇ ପାରିବ ଓ ଅସଂଖ୍ୟ ଲୋକଙ୍କୁ ଓ ଅଗଣିତ ସେନାକୁ ଏକ ମୁହୂର୍ତ୍ତ ମଧ୍ୟରେ ମାରି ଦିଆଯାଇ ପାରିବ ସେ ଅସ୍ତ୍ର ପ୍ରୟୋଗ କରିବାକୁ ଲୋକେ ସ୍ୱତଃ କୁଣ୍ଠିତ ହେବେ ଓ ସେ ଭଳି ଅସ୍ତ୍ରର ପ୍ରଭାବ ଏଡ଼େ ଉଗ୍ର ହେବ ଯେ ସଂସାରର ବିଭିନ୍ନ ଦେଶମାନେ କେବେହେଁ ତାହା ପ୍ରୟୋଗ କରିବାକୁ ଚେଷ୍ଟା କରିବେ ନାହିଁ କିମ୍ୱା ଅକସ୍ମାତ୍‍ ଯୁଦ୍ଧ ସଂଘଟିତ ହେଲେ ମଧ୍ୟ ତାହା ଅଧିକ ଦିନ ସ୍ଥାୟୀ ହେବ ନାହିଁ ଏହାହିଁ ତାହାଙ୍କର ବିଶ୍ୱାସ ଥିଲା ଓ ଏହି ବିଶ୍ୱାସରେ ଅନୁପ୍ରାଣିତ ହୋଇ ସେ ଏହି ବିସ୍ଫୋରକକୁ ଅଧିକତର ଶକ୍ତିଶାଳୀ କରିବା ନିମନ୍ତେ ଯତ୍ନଶୀଳ ହୋଇଥିଲେ । ଏହି ସମୟରେ ଯୁଦ୍ଧର ବର୍ବରତା ପ୍ରତି ମଧ୍ୟ ଲୋକ ସାଧାରଣଙ୍କର ଚିତ୍ତ ଆକୃଷ୍ଟ ହୋଇଥିଲା ଓ ସଭ୍ୟତା ଗର୍ବୀ ଲୋକମାନେ ଯୁଦ୍ଧର ଧ୍ୱଂସଲୀଳା ସ୍ମରଣ କରି ସର୍ବଦା ସନ୍ତ୍ରସ୍ତ ହେଉଥିଲେ । ଆଦିମ ଯୁଗର ଲୋକମାନେ ଯୁଦ୍ଧ କାର୍ଯ୍ୟକୁ ଅତ୍ୟନ୍ତ ପ୍ରଶଂସାର ଚକ୍ଷୁରେ ଦେଖୁଥିଲେ ଓ ବୀରଭୋଗ୍ୟା ବସୁନ୍ଧରା ନୀତି ଅବଲମ୍ୱନ କରି ପରସ୍ପର ସହିତ ଯୁଦ୍ଧରେ ବ୍ୟାପୃତ ହେଉଥିଲେ । ଯୁଦ୍ଧରେ ଜୟଲାଭ ଲୋକମାନଙ୍କର ବୀରତ୍ୱ ପ୍ରଦର୍ଶନ କରିବାର ଓ ଯଶଃ ପ୍ରତିଷ୍ଠା ଲାଭ କରି ସଂସାରରେ ଅମରତ୍ୱ ଲାଭ କରିବାର ଏକମାତ୍ର ଉପାୟ ସ୍ୱରୂପ ଗଣ୍ୟ ହେଉଥିଲା । ଏଣୁ ଦେଶ ଓ ଜାତିମାନଙ୍କ ମଧ୍ୟରେ ଅହରହଃ ଯୁଦ୍ଧ ଲାଗି ରହିଥିଲା ଓ ଯୁଦ୍ଧର ଜୟ ପରାଜୟ ଇତିହାସର ବର୍ଣ୍ଣନାର ଏକମାତ୍ର ବିଷୟ ଥିଲା । ମାତ୍ର କ୍ରମଶଃ ଯେତେବେଳେ ଲୋକମାନେ ସୁସଭ୍ୟ ହୋଇ ନାନା ପ୍ରକାର କଳା କୌଶଳର ବିକାଶ କରିବାରେ ସଚେଷ୍ଟ ହେଲେ ଓ ବାଣିଜ୍ୟର ବିସ୍ତାର ସାଧିତ ହୋଇ ଦେଶମାନଙ୍କ ମଧ୍ୟରେ ଏକ ଅଛେଦ୍ୟ ବନ୍ଧନ ସମ୍ପାଦିତ ହେଲା ତେତେବେଳେ ଲୋକେ ଯୁଦ୍ଧ ପ୍ରତି କ୍ରମଶଃ ବିରକ୍ତ ହେବାକୁ ଲାଗିଲେ । ଯୁଦ୍ଧର ବୀଭତ୍ସତା, ଯୁଦ୍ଧ କ୍ଷେତ୍ରର ଲୋମହର୍ଷଣ ଦୃଶ୍ୟରାଜି, ଯୁଦ୍ଧଦ୍ୱାରା ମନୁଷ୍ୟ ସମାଜର ଓ ମନୁଷ୍ୟର କୃଷ୍ଟିର ଭୀଷଣ କ୍ଷତି ସେମାନଙ୍କୁ ଏ ଦିଗରେ ସଜାଗ କରି ରଖିଲା ଓ ଲୋକେ ଏହି ସବୁ ଦେଖି କ୍ରମଶଃ ଯୁଦ୍ଧକୁ ପୃଥିବୀରୁ ବିତାଡ଼ିତ କରିବାର ପ୍ରୟାସ କଲେ । କ୍ରମଶଃ ଯୁଦ୍ଧ ଭୀଷଣତର ହେବାରୁ, ଯୁଦ୍ଧକ୍ଷେତ୍ରରେ ଲୋକକ୍ଷୟ ଅତ୍ୟନ୍ତ ଅଧିକ ହେବାରୁ ଓ ଗୋଟିଏ ଯୁଦ୍ଧର ବ୍ୟୟ ବହନ କରିବା ଜାତି ଓ ଦେଶ ପକ୍ଷରେ କ୍ଳେଶକର ହେବାରୁ ଲୋକମାନଙ୍କ ମଧ୍ୟରେ ଯୁଦ୍ଧ ପ୍ରତି ବିତୃଷ୍ଣା କ୍ରମଶଃ ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା ଓ ଯୁଦ୍ଧ ବନ୍ଦ କରିବାର ଅନେକ ଉପାୟ ଉଦ୍ଭାବନ କରିବାରେ ଲୋକେ ସଚେଷ୍ଟ ହେଲେ । ନୋବେଲ ଏହି ସମୟରେ ତାଙ୍କର ଅମିତତେଜା ବିସ୍ଫୋରକ ଉଦ୍ଭାବିତ କରିଥିଲେ ଓ ତାଙ୍କର ମନରେ ଧାରଣା ଥିଲା ଯେ ଯଦି ଅତି ଭୀଷଣ ବିସ୍ଫୋରକ ଉଦ୍ଭାବିତ ହୋଇପାରେ ତେବେ ଲୋକେ ଯୁଦ୍ଧର ଭୀଷଣତା ଦ୍ୱାରା ଏତେ ସନ୍ତ୍ରସ୍ତ ହୋଇ ପଡ଼ିବେ ଯେ ସେମାନଙ୍କ ମଧ୍ୟରେ ଯୁଦ୍ଧର କଳ୍ପନା ମଧ୍ୟ କେବେହେଁ ଜାଗରିତ ହେବ ନାହିଁ । ଏଥି ସକାଶେ ସେ ନିଜର କାରଖାନାରେ କ୍ରମାଗତ ‘ଡିନାମାଇଟ’କୁ ଅଧିକତର ଶକ୍ତିଶାଳୀ କରିବାର ଚେଷ୍ଟା କରିବାକୁ ଲାଗିଲେ ଓ ଶାନ୍ତିର ଉପାୟ ଉଦ୍ଭାବନ କରିବା ନିମନ୍ତେ ମଧ୍ୟ ଯଥେଷ୍ଟ ଅର୍ଥ ପୁରସ୍କାର ଘୋଷଣା କରିଥିଲେ ।

 

ଅନେକ ଦିନପର୍ଯ୍ୟନ୍ତ ରୋଗରେ ପ୍ରପୀଡ଼ିତ ହୋଇ ନୋବେଲ ୧୮୯୬ ମସୀହାରେ ଲୋକାନ୍ତର ପ୍ରୟାଣ କରିଥିଲେ । ରୁଗ୍ଣ ଅବସ୍ଥାରେ ସେ ନିଜର ଉପାର୍ଜିତ ପ୍ରଭୃତ ଅର୍ଥର ବ୍ୟବସ୍ଥା କରିବା ନିମନ୍ତେ ଅତ୍ୟନ୍ତ ଉତ୍ସୁକ ହୋଇଥିଲେ । ତାଙ୍କର ଧାରଣା ଥିଲା ଯେ ନିଜର ବଂଶାବଳୀ ନିମନ୍ତେ ପ୍ରଭୂତ ଅର୍ଥ ରଖିଗଲେ ସେମାନେ ବିଦ୍ୟା ଚର୍ଚ୍ଚାରେ କାଳ ନ କଟାଇ ନାନାପ୍ରକାର ବ୍ୟସନରେ କାଳ ଯାପନ କରି ଅଳସ ଓ ଅକର୍ମଣ୍ୟ ହୋଇ ଅର୍ଥର ଅପବ୍ୟବହାର କରିବେ, ଏଣୁ ସେ ନିଜର ଅର୍ଥକୁ ଲୋକମାନଙ୍କର ଶି଼କ୍ଷା ଓ ଉନ୍ନତି ସକାଶେ ବ୍ୟୟ କରିବାର ଇଚ୍ଛା ପୋଷଣ କରି ସେହି ଅନୁସାରେ ଏକ ଚରମ ପତ୍ର ସମ୍ପାଦିତ କରିବାର ଚେଷ୍ଟା କରିଥିଲେ । ନିଜେ ବିବାହ କରି ନ ଥିବାରୁ ତାଙ୍କର ପତ୍ନୀ ବା ପୁତ୍ରମାନଙ୍କର ଭବିଷ୍ୟତ୍ ଜୀବନ ନିମନ୍ତେ ତାଙ୍କୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ି ନଥିଲା ଓ ସେ ନିଜର ପ୍ରତ୍ୟେକ ଭ୍ରାତୁସ୍ପୁତ୍ରଙ୍କ ସକାଶେ ମାତ୍ର ଏକଲକ୍ଷ ଟଙ୍କା ରଖି ତାଙ୍କର ବିରାଟ ଧନ ସମ୍ଭାର ଲୋକମାନଙ୍କର ଉପକାର ସକାଶେ ନିୟୋଗ କରିବାର ଚେଷ୍ଟା କରିଥିଲେ ଓ ତାଙ୍କର ସମ୍ପାଦିତ ଚରମ ପତ୍ର ୧୯୦୦ ମସୀହାରେ ରାଜାଙ୍କଦ୍ୱାରା ଅନୁମୋଦିତ ହୋଇ କାର୍ଯ୍ୟକାରୀ ହୋଇଥିଲା । ଏହି ଚରମପତ୍ରର ସର୍ତ୍ତ ଅନୁସାରେ ବି ଗତବର୍ଷ ମଧ୍ୟରେ ଯେଉଁ ଲୋକ ମନୁଷ୍ୟରହିତ ସକାଶେ ପ୍ରଭୂତ ଭାବରେ କାର୍ଯ୍ୟ କରିଥିବେ ତାଙ୍କୁ ଗୋଟିଏ ପୁରସ୍କାର ଦିଆଯିବ । ଟଙ୍କାର ସୁଧ ପାଞ୍ଚଭାଗରେ ବିଭକ୍ତ ହୋଇ, ଗୋଟିଏ ଭାଗ ଯେଉଁ ଲୋକ ପଦାର୍ଥ ବିଜ୍ଞାନ ବିଭାଗରେ ସର୍ବ ପ୍ରଧାନ ଆବିଷ୍କାର କରି ଅଛନ୍ତି ତାଙ୍କୁ ପୁରସ୍କାର ସ୍ୱରୂପ ପ୍ରଦତ୍ତ ହେବ, ଅନ୍ୟ ଗୋଟିଏ ଅଂଶ ଏହିପରି ରସାୟନ ଶାସ୍ତ୍ରର ନୂତନ ନୂତନ ଆବିଷ୍କାର ସକାଶେ ପୁରସ୍କାର ଦିଆଯିବ, ଅନ୍ୟ ଗୋଟିଏ ଅଂଶ ଶରୀର ତତ୍ତ୍ୱ ବା ଚିକିତ୍ସା ବିଭାଗରେ ଆବିଷ୍କାର ସକାଶେ, ଗୋଟିଏ ଅଶଂ ସାହିତ୍ୟ ବିଭାଗରେ ସର୍ବ ପ୍ରଧାନ ଆଦର୍ଶ ବାଦୀ ଲେଖା ସକାଶେ ଓ ଅବଶିଷ୍ଟ ଗୋଟିଏ ଭାଗ ଯେଉଁ ଲୋକ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଦିଗରେ ବିଶେଷ କାର୍ଯ୍ୟ କରିଥିବେ ତାଙ୍କୁ ପୁରସ୍କାର ସ୍ୱରୂପ ପ୍ରଦତ୍ତହେବ ଏହିପରି ସ୍ଥିର ହୋଇଥିଲା । ଜାତି ଓ ଧର୍ମ ନିର୍ବିଶେଷରେ କେବଳ ଉପଯୁକ୍ତ ବା ଅନୁପଯୁକ୍ତ ବିବେଚନା କରି ଏହି ପୁରସ୍କାର ଯେପରି ପ୍ରଦତ୍ତ ହୋଇପାରେ ଏ ବିଷୟରେ ମଧ୍ୟ ସେ ନିଜର ଇଚ୍ଛା ବ୍ୟକ୍ତ କରି ଯାଇଥିଲେ । ଏହି ଚରମପତ୍ରର ସର୍ତ୍ତ ଅନୁସାରେ ପ୍ରତିବର୍ଷ ସାହିତ୍ୟ ନିମନ୍ତେ ଗୋଟିଏ ପୁରସ୍କାର ପ୍ରଦତ୍ତ ହେଉଅଛି ଓ ଷ୍ଟକହଲମସ୍ଥିତ ‘ସୁଇଡ଼ିଶ ଏକାଡ଼େମି’ ନାମକ ବିଦ୍ୱତ୍‍ ସଭା ଏହି ପୁରସ୍କାରର ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କରୁ ଅଛନ୍ତି । ଯେ କୌଣସି ଲେଖାର ସାହିତ୍ୟିକ କୌଣସି ମୂଲ୍ୟ ଅଛି ସେ ପ୍ରକାର ଲେଖା ସକାଶେ ଲେଖକ ସାହିତ୍ୟ ପୁରସ୍କାର ପାଇ ପାରନ୍ତି ଏ ବିଷୟ ମଧ୍ୟ ଉକ୍ତ ସଭାଦ୍ୱାର ସ୍ଥିରୀକୃତ ହୋଇଅଛି ଓ ପ୍ରୟୋଜନ ହେଲେ କୌଣସି ଏକ ବର୍ଷର ପୁରସ୍କାରକୁ ଦୁଇ ବା ତତୋଧିକ ବ୍ୟକ୍ତିମାନଙ୍କ ମଧ୍ୟରେ ବିଭକ୍ତ କରି ଦେବାରେ ମଧ୍ୟ ସେମାନଙ୍କର କୌଣସି ଆପତ୍ତି ନାହିଁ କିମ୍ୱା କୌଣସି ବର୍ଷରେ କୌଣସି ଲେଖା ପୁରସ୍କାରର ଯୋଗ୍ୟ ବୋଲି ବିବେଚିତ ନ ହେଲେ ଉକ୍ତ ବର୍ଷ ନିମନ୍ତେ ପୁରସ୍କାର ନ ଦେବାର ଅଧିକାର ମଧ୍ୟ ସଭାର ଅଛି ।

 

ସାହିତ୍ୟ ନିମନ୍ତେ ଯେଉଁ ପୁରସ୍କାର ଦିଆଯାଏ ତାହା ସକାଶେ ପ୍ରଥମେ ଗୋଟିଏ ଲୋକକୁ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସର ପ୍ରଥମ ତାରିଖ ପୂର୍ବରୁ ପୃଥିବୀର ଯେ କୌଣସି ଲବ୍‍ଧପ୍ରତିଷ୍ଠ ଲେଖକଙ୍କ ଦ୍ୱାରା ମନୋନୟନ ପତ୍ର ପଠାଇବାକୁ ହୁଏ ଏବଂ ଏହି ମନୋନୟନ ପତ୍ରରେ ପ୍ରସ୍ତାବିତ ଲେଖକମାନଙ୍କର ଦୋଷ ଗୁଣ ବିଚାର କରାଯାଇ ନଭେମ୍ୱର ମାସରେ ପୁରସ୍କାର ଘୋଷଣା କରାଯାଏ ଓ ପ୍ରତିବର୍ଷ ଡିସେମ୍ୱର ମାସରେ ପୁରସ୍କାର ପ୍ରଦତ୍ତ ହୋଇଥାଏ । ପୁରସ୍କାର ପାଇଥିବା ଲେଖକଙ୍କୁ ପୁରସ୍କାରର ଟଙ୍କା ଓ ଦାତାଙ୍କର ଛବି ସମ୍ୱଳିତ ଗୋଟିଏ ସୁବର୍ଣ୍ଣ ପଦକ ପ୍ରଦତ୍ତ ହୁଏ ଓ ତାଙ୍କୁ ନିଜର ଲେଖା ବିଷୟରେ ଗୋଟିଏ ବକ୍ତୃତା ଦେବାକୁ ହୁଏ । ପୁରସ୍କାରଟିର ମୂଲ୍ୟ ପ୍ରାୟ ଏକଲକ୍ଷ କୋଡ଼ିଏ ହଜାର ଟଙ୍କା ଏବଂ ପୃଥିବୀର ଯେ କୌଣସି ଲୋକ ଏହି ପୁରସ୍କାର ପାଇବା ନିମନ୍ତେ ପ୍ରୟାସ କରିପାରେ, କାରଣ ଏହା ଜାତି ଧର୍ମ ନିର୍ବିଶେଷରେ ପ୍ରଦତ୍ତ ହୋଇଥାଏ । ୧୯୦୧ ମସିହାରେ ଏହି ସାହିତ୍ୟ ପୁରସ୍କାର ପ୍ରଥମେ ପ୍ରଦତ୍ତ ହୋଇଥିଲା ଓ ସେହି ବର୍ଷରୁ ଆଜି ପର୍ଯ୍ୟନ୍ତ ଏହି ସାହିତ୍ୟର ଜୟନ୍ତୀ ଟୀକା ପ୍ରତ୍ୟେକ ବର୍ଷ ପ୍ରଦତ୍ତ ହୋଇ ଆସୁଅଛି-। କେବଳ ୧୯୧୪ ଓ ୧୯୧୮ ମସିହାରେ ଏହି ସାହିତ୍ୟ ପୁରସ୍କାର ପ୍ରଦତ୍ତ ହୋଇ ନାହିଁ ଓ ୧୯୦୪ ଓ ୧୯୧୭ ମସିହାମାନଙ୍କରେ ଏହି ପୁରସ୍କାର ଦୁଇଜଣ ସାହିତ୍ୟିକଙ୍କ ମଧ୍ୟରେ ବିଭକ୍ତ କରି ଦିଆଯାଇଅଛି । ଫ୍ରାନ୍ସ, ଜର୍ମେନି, ସ୍ପେନ, ଇଟାଲି, ପୋଲାଣ୍ଡ, ନରଓୟେ, ଇଂଲଣ୍ଡ, ଆମେରିକା, ଭାରତବର୍ଷ, ଡେନମାର୍କ ଏହିପରି ନାନା ଦେଶର ସାହିତ୍ୟିକମାନେ ଏହି ପୁରସ୍କାର ପାଇଅଛନ୍ତି ଓ ଏହି ପୁରସ୍କାର ଲାଭଦ୍ୱାରା ଲେଖକ ନିଜକୁ ଯେପରି ଗୌରବାନ୍ୱିତ ମନେକରିଅଛି, ସାହିତ୍ୟଜଗତରେ ମଧ୍ୟ ତାହାର ପ୍ରତିଷ୍ଠା ସେହିପରି ଭାବରେ ଚିରକାଳ ସକାଶେ ସୁପ୍ରଷ୍ଠିତ ହୋଇଅଛି ।

 

ଆଜି ପର୍ଯ୍ୟନ୍ତ ଯେତେ ଲେଖକ ଏହି ପୁରସ୍କାର ପାଇଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକେ ସାହିତ୍ୟିକମାନଙ୍କ ମଧ୍ୟରେ ବିଶେଷ ଭାବରେ ପରିଚିତ । ମେଟରଲିଂ, ରୋଲାଁ, ପ୍ରାଁ, ହାମସନ, ଶ, କିମ୍ୱା ରବୀନ୍ଦ୍ରନାଥ ଏମାନଙ୍କର ନାମ କିଏ ନଜାଣେ ? ଏମାନଙ୍କର ବିଶେଷ ପରିଚୟ ଦେବା, କିମ୍ୱା ଏମାନଙ୍କର ଲିଖିତ ପୁସ୍ତକମାନ କି କି ଗୁଣ ଯୋଗୁଁ ଶ୍ରେଷ୍ଠସ୍ଥାନ ଅଧିକାର କରିଅଛି କିମ୍ୱା ଲୋକମାନଙ୍କର ଆନନ୍ଦ ବର୍ଦ୍ଧକ ଓ ଉପକାରକ ବୋଲି ବିବେଚିତ ହୋଇଅଛି ତାହାର ବିଶେଷ ବ୍ୟଖ୍ୟାନ ମଧ୍ୟ ଗୋଟିଏ ପ୍ରବନ୍ଧ ମଧ୍ୟରେ କରିବା ଅସମ୍ଭବ । ମାତ୍ର ଏହି ପୁରସ୍କାର ପ୍ରଦାନ ସମ୍ୱନ୍ଧରେ ଆମ୍ଭମାନଙ୍କର ଦୁଇଗୋଟି ବିଷୟପ୍ରତି ଦୃଷ୍ଟି ଆକୃଷ୍ଟ ହୋଇପାରେ । ପ୍ରଥମତଃ ୧୯୧୩ ମସୀହାରେ ରବୀନ୍ଦ୍ରନାଥଙ୍କର ପୁରସ୍କାର ଲାଭ ଓ ଦ୍ୱିତୀୟଟି ୧୯୨୫ ମସୀହାରେ ବର୍ଣ୍ଣାର୍ଡ଼ଶଙ୍କର ପୁରସ୍କାର ପ୍ରତ୍ୟାଖ୍ୟାନ ।

 

୧୯୨୫ ମସୀହାରେ ଏହି ପୁରସ୍କାର ବର୍ଣ୍ଣାର୍ଡ଼ଶଙ୍କୁ ପ୍ରଦତ୍ତ ହୋଇଥିଲା ମାତ୍ର ପୁରସ୍କାର ଘୋଷଣା ସଙ୍ଗେସଙ୍ଗେ ସେ ଘୋଷଣା କଲେ ଯେ ସେ ପୁରସ୍କାର ଗ୍ରହଣ କରିବ କି ନାହିଁ ତାହା ଭାବି ଦେଖିବାକୁ ସମୟ ଚାହାନ୍ତି । ଏହି ଘୋଷଣାଟି ଏତେ ଅପ୍ରତ୍ୟାସିତ ଯେ ସମସ୍ତେ ଏହି ଘୋଷଣାଦ୍ୱାରା ଚମକି ଉଠିଲେ, ପରେ କିଛିଦିନ ପରେ ଅନେକ ଚିନ୍ତା କରି ଏହି ପୁରସ୍କାରଲାଭର ଗୌରବଟିକୁ ମାତ୍ର ଗ୍ରହଣ କଲେ କିନ୍ତୁ ପୁରସ୍କାରର ଅର୍ଥଟିକୁ ପ୍ରତ୍ୟାଖ୍ୟାନ କରି ତାକୁ କୌଣସି ସତ୍‍କାର୍ଯ୍ୟରେ ନିୟୋଜିତ କରିବା ସକାଶେ ପ୍ରସ୍ତାବ କଲେ ଓ ଏହି ପ୍ରସ୍ତାବ ଅନୁଯାୟୀ ଉକ୍ତଅର୍ଥ ଇଂଲଣ୍ଡ ଓ ସୁଇଡ଼ିସଭାଷା ମଧ୍ୟରେ ଆଦାନ ପ୍ରଦାନରେ ସହାୟତା କରିବା ନିମନ୍ତେ ବ୍ୟୟିତ ହେବ ବୋଲି ସ୍ଥିରୀକୃତ ହୋଇଥିଲା ।

 

ରବୀନ୍ଦ୍ରନାଥଙ୍କର ନୋବେଲ ପୁରସ୍କାର ପ୍ରାପ୍ତି ଭାରତ ପକ୍ଷରେ ଗୌରବ ଜନକ ଏଥିରେ ସନ୍ଦେହ ନାହିଁ । ଦିନେ ଭାରତର କବିମାନଙ୍କର ସ୍ଥାନ ସଂସାରରେ ଅତି ଉଚ୍ଚରେ ପ୍ରତିଷ୍ଠିତଥିଲା ଓ ସୁଦୂର ଅତୀତକାଳରେ ଯେତେବେଳେ ଭାରତୀୟ କବିମାନେ ରସର ଆସ୍ପାଦରେ ତନ୍ମୟ ହୋଇ ଶ୍ରୋତା ଓ ପାଠକମାନଙ୍କ ମନରେ ଆନନ୍ଦର ସ୍ରୋତ ପ୍ରବାହିତ କରିବାକୁ ଚେଷ୍ଟିତ ହେଉଥିଲେ ସେ ସମୟରେ ପୃଥିବୀର ଅନ୍ୟ କୌଣସିଠାରେ ସାହିତ୍ୟ ପରିପୁଷ୍ଟି ଲାଭକରି ନ ଥିଲା-। ପୁରାକାଳରେ ଭାରତୀୟ ସାଧକମାନେ ଭଗବତ୍‍ଚିନ୍ତା ମଧ୍ୟରେ ନିଜକୁ ନିହିତ କରୁଥିଲେ, ମର ଜଗତର ସମସ୍ତ ଦୁଃଖ କଷ୍ଟକୁ ଅତିକ୍ରମ କରି ପାରୁଥିଲେ ଓ ଅତୀନ୍ଦ୍ରିୟ ରାଜ୍ୟରେ ବିଚରଣ କରି ଭଗବତ୍‍ ସାନିଧ୍ୟଲାଭ କରିବାର ପ୍ରୟାସ କରୁଥିଲେ । କ୍ରମେ ରସସୃଷ୍ଟି ଦିଗରେ ସେମାନଙ୍କରମନ ଆକୃଷ୍ଟହେଲା ଓ ଭଗବାନଙ୍କୁ ରସର ଆକାର ସ୍ୱରୂପ କଳ୍ପନାକରି ସେମାନେ ପାର୍ଥିବରସର ମଧ୍ୟଦେଇ ଭଗବାନଙ୍କର ସନ୍ଧାନ କରିବାକୁ ଶିଖିଲେ । ବିଭିନ୍ନ ସମୟରେ ବିଭିନ୍ନ ଭାବମାର୍ଗରେ ପରିଚାଳିତ ହୋଇ ଭାରତୀୟ ସାଧକମାନେ ଉପନିଷଦ୍‍, ରାମାୟଣ ମହାଭାରତ ସ୍ୱରୂପ ମହାକାବ୍ୟ; ସାଧାରଣ ମହାକାବ୍ୟ ଓ କାବ୍ୟ, ନାଟକ, ଗଦ୍ୟ, ପଦ୍ୟାଦି ଓ ସରସ ବୈଷ୍ଣବ ସାହିତ୍ୟର ପରିକଳ୍ପନା କରିଥିଲେ ଓ ନାନା ମୁଖୀ ପ୍ରତିଭାଦ୍ୱାରା ନାନା ପ୍ରକାର ସାହିତ୍ୟ ସୃଷ୍ଟି କରିଥିଲେ । ରବୀନ୍ଦ୍ରନାଥ ଏହି ଭାରତୀୟ କୃଷ୍ଟିକୁ ସାହିତ୍ୟର ଭିତ୍ତି ସ୍ୱରୂପ ଗ୍ରହଣ କରି ନିଜେ ଏକ ନୂତନ ପରିକଳ୍ପନା ଜଗତ୍‍ ସମ୍ମୁଖରେ ପ୍ରତିଷ୍ଠା କରି ଅଛନ୍ତି । ଉପନିଷଦରେ ଭଗବାନଙ୍କୁ ରସର ଆକର ବୋଲି ଧରାଯାଇଅଛି ଓ ମନୁଷ୍ୟମାନଙ୍କୁ ମଧ୍ୟ ଅମୃତର ପୁତ୍ର ସ୍ୱରୂପ କଳ୍ପନା କରାଯାଇଅଛି ଓ ସଂସାରକୁ ଆନନ୍ଦରୁ ଉଦ୍ଭୂତ ଆନନ୍ଦ ବୋଧରେ ପରିସ୍ଥାପିତ ଓ ଆନନ୍ଦରେ ଲୀନ ଏହା ମଧ୍ୟ ପ୍ରକାଶ କରାଯାଇଅଛି । ମନୁଷ୍ୟମାନଙ୍କ ମଧ୍ୟରେ ଏହି ଯେଉଁ ଆନନ୍ଦର ଯୋଗ ଏହାହି ରବୀନ୍ଦ୍ର ସାହିତ୍ୟର ମୂଳଭିତ୍ତି । ସଂସାରର ସମସ୍ତ ଦୁଃଖ କଷ୍ଟ ମନୁଷ୍ୟର ଅହମିକାରୁ ଜାତ, ମୃତ୍ୟୁ ମଧ୍ୟରେ ଭୀଷଣତା ଆଦୌ ନାହିଁ ତାହା ଜୀବନର ପୂର୍ଣ୍ଣ ପରିସମାପ୍ତି, ଭଗବାନ ଆମ୍ଭମାନଙ୍କ ସହିତ ଯୁକ୍ତହୋଇ ନିଜର ପରିପୂର୍ଣ୍ଣତାରେ ଆନନ୍ଦଲାଭ କରିବାକୁ ପ୍ରୟାସୀ ଓ ଆମ୍ଭମାନଙ୍କର ଦୁଃଖ କଷ୍ଟ ମଧ୍ୟରେ ତାଙ୍କର ପରିଚୟରେ ଆନନ୍ଦ ଏହି ସମସ୍ତ ପରିକଳ୍ପନା ଥିବାରୁ ରବୀନ୍ଦ୍ରସାହିତ୍ୟ ସାହିତ୍ୟ ଜଗତରେ ଗୋଟିଏ ନୂତନ ଯୁଗ ଆଣିବାକୁ ସମର୍ଥ ହୋଇଅଛି ଏବଂ ଏହି ସାହିତ୍ୟରେ ମନୁଷ୍ୟ ପ୍ରକୃତି ଓ ପରମେଶ୍ୱରଙ୍କର ପ୍ରତ୍ୟେକଟି ଅନ୍ୟଟି ସହିତ ନିଗୂଢ଼ଭାବରେ ଯୁକ୍ତ ହୋଇଥିବାରୁ ଏହି ସାହିତ୍ୟ ଏତେ ଉଚ୍ଚାଙ୍ଗର ହୋଇଅଛି ।

 

ମନୁଷ୍ୟର ଦୁଃଖ ସମୟରେ ସାନ୍ତ୍ୱନା ଦେବାରେ ଏହି ସାହିତ୍ୟ ଅଦ୍ୱିତୀୟ, ଅତୀନ୍ଦ୍ରିୟ ଜଗତପ୍ରତି ଲୋକମାନଙ୍କ ମନକୁ ଆକୃଷ୍ଟ କରିବାକୁ ଏହି ସାହିତ୍ୟ ସର୍ବଦା ସଚେଷ୍ଟ, ଭଗବାନ ଓ ମନୁଷ୍ୟ ମଧ୍ୟରେ ପ୍ରେମର ସମ୍ୱନ୍ଧ ପ୍ରକୃତି ଓ ମନୁଷ୍ୟ ଜଗତ୍‍ ମଧ୍ୟରେ ଆନନ୍ଦର ସମ୍ପର୍କ ପ୍ରତିଷ୍ଠା କରି ଏହା ମନୁଷ୍ୟକୁ ଅପାର ଆନନ୍ଦଦାନ କରିବାରେ ସର୍ବଦା ଯତ୍ନଶୀଳ । ସ୍ଥୂଳତଃ ଏହିସବୁ କାରଣମାନଙ୍କରୁ ରବୀନ୍ଦ୍ର ସାହିତ୍ୟ ଭାବରାଜ୍ୟରେ ଏକନୂତନ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା ଓ ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ଲାଭ କରିବାକୁ ସମର୍ଥ ହୋଇଥିଲେ । ରବୀନ୍ଦ୍ରନାଥଙ୍କର ବିଦେଶରେ ଏହି ଆଦର ଭାରତର ଅତୀତ କୃଷ୍ଟି ଓ ଭାବଧାରାର ଆଦର ଓ ତାଙ୍କର ଗୌରବରେ ପ୍ରତ୍ୟେକ ଭାରତୀୟ ଗୌରବାନ୍ୱିତ ।

Image